ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପହଞ୍ଚିଲା ପ୍ରଶାସନ, ୩ ଗ୍ରାମର ୨୮ ଜଣଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ଲଙ୍ଗଳବେଡ଼ା ପଞ୍ଚାୟତର ଆନ୍ଧ୍ର ସୀମାନ୍ତ ଚିନାଖେମୁଣ୍ଡି ଭଦ୍ରା, ପେଦାଖେମୁଣ୍ଡି ଭଦ୍ରା ଓ ତାଡ଼ିଙ୍ଗିଵାଲସା ଗ୍ରାମର ୨୮ ଜଣ ହିତାଧିକାରୀଙ୍କୁ ନାରାୟଣପାଟଣା ତହସିଲ ପକ୍ଷରୁ ଜଙ୍ଗଲ ଜମିପଟ୍ଟ ବଣ୍ଟନ କରାଯାଇଛି । ଆଜି ତହସିଲଦାର ଏନ୍.ଜଗଜୀବନ ଚୌଧୁରୀ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ଏହି ଅଞ୍ଚଳକୁ ଗସ୍ତ କରି ପଟ୍ଟା ବଣ୍ଟନ କରିଥିଲେ । ଚିନାଖେମୁଣ୍ଡି ଭଦ୍ରା ଗ୍ରାମର ୧୮ ହିତାଧିକାରୀ ଏବଂ ପେଦାଖେମୁଣ୍ଡି ଭଦ୍ରା ଓ ତାଡ଼ିଙ୍ଗିଵାଲସା ଗ୍ରାମର ୫ ଜଣ ଲେଖାଏଁ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଥିଲା ।
ଦୀର୍ଘ ବର୍ଷର ଦାବି ପରେ ଆଜି ଏହି ତିନି ଗ୍ରାମର କିଛି ଲୋକ ଜଙ୍ଗଲ ଜମିପଟ୍ଟା ପାଇଥିବାରୁ  ଖୁସିବ୍ୟକ୍ତ କରିବା ସହିତ ଜିଲ୍ଲା ପ୍ରଶାସନ ଓ ତହସିଲଦାରଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥିସହ ଗ୍ରାମର ଅନ୍ୟମାନେ ମଧ୍ୟ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିବା ନିମନ୍ତେ ଦାବି କରିଥିଲେ। ଆଜି ପ୍ରାୟ ୫୮ ଏକର ଜଙ୍ଗଲ ଜମିକୁ ୨୮ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା। ଏହି ଅବସରରେ ସୀମାନ୍ତ ଅଞ୍ଚଳବାସୀ ଅନ୍ୟ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ରାସ୍ତାଘାଟ ସମସ୍ୟାର ସମାଧାନ ସହ ଲଙ୍ଗଳବେଡ଼ା ପଞ୍ଚାୟତର ମୁଖ୍ୟ ଦପ୍ତରରେ ଏକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବାକୁ ଅନୁରୋଧ କରିଥିଲେ। ସେହିପରି ଟଙ୍କିକିଆ ଚାଉଳ ପାଇଁ ପ୍ରାୟ ୧୦ କିମି ଯିବାକୁ ପଡ଼ୁଥିବାରୁ ସୀମାନ୍ତର ପ୍ରାୟ ୧୦ ଖଣ୍ଡ ଗ୍ରାମବାସୀଙ୍କ ପାଇଁ କାସ୍ପାଭାଲସା ଠାରେ ଚାଉଳ ବଣ୍ଟନ କରିବା ପାଇଁ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ବିଧାୟକ ପ୍ରତିନିଧି କେ.ସାୟାରାଜୁ, ବ୍ଲକ୍ ଉପାଧ୍ୟକ୍ଷ ରାମ ଜାନି ଯୋଗଦେଇ ପଟ୍ଟା ବଣ୍ଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ବିଜେଡି ସଭାପତି ଏସ୍.ଏଗିନାରାୟଣ, ମୁରଲି ତୁଳ, ପି.ଜନାର୍ଦ୍ଦନ ସୁବୁଦ୍ଧି, ବଙ୍କିମ ଚୌଧୁରୀ, ଖ୍ରୀଷ୍ଟଦାନ ଗରଡ଼ା ଉପସ୍ଥିତ ରହିଥିବା ବେଳେ ରାଜସ୍ବ ପରିଦର୍ଶକ ଭାସ୍କର ଗମାଙ୍ଗ, ରାଜସ୍ବ ନିରୀକ୍ଷକ ଗୌରୀ ଶଙ୍କର ପାଢ଼ୀ, ଅମିନ ପି କେ ମେହେର, କିରାଣି ସୁଧିର କୁମାର ସାହୁ, ସାହେବ ସିଂହ ଓ ଜି.ସୁରେନ୍ଦ୍ର, ସଂଯୋଜକ ରାକେଶ ଚୌଧୁରୀ, ଡି.ପ୍ରବୀଣ ପ୍ରମୁଖ ଯୋଗଦେଇଥିଲେ।
ସୂଚନା ଥାଉକି, ଗତବର୍ଷ ଏହି ଅଞ୍ଚଳରେ ଆନ୍ଧ୍ର ଅବାଧ ପ୍ରବେଶ କରି କିଛି ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରିଥିଲା। ଏପରିକି ସୀମା ନିର୍ଦ୍ଧାରଣ ପଥର ମଧ୍ୟ ଆନ୍ଧ୍ର ପୋତିଥିଲା।ଏହାପରେ ତତ୍କାଳୀନ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉକ୍ତ ଅଞ୍ଚଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ଶୁଣି ଆନ୍ଧ୍ର ଅଧିକାରୀମାନେ ଉକ୍ତ ସୀମା ନିର୍ଦ୍ଧାରଣ ପଥର ଗୁଡ଼ିକ ହଟାଇ ଦେଇଥିଲେ ।
ସମ୍ବନ୍ଧିତ ଖବର