ପାଣି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ

ଆନନ୍ଦପୁର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ପିଇବାପାଣି ପାଇଁ ଡହଳବିକଳ ହେଉଛନ୍ତି ଘସିପୁରା ବ୍ଲକ୍ ଗୋହିରା ପଞ୍ଚାୟତ ଓସ୍ତପୁରା ମା’ମଙ୍ଗଳା ସାହିର ଜନସାଧାରଣ। ଏଠାରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇ ପଡ଼ିଥିବାରୁ ପାଣିପାଇଁ ଏକ କିମି ଚାଲିଚାଲି ଯିବାକୁ ପଡ଼ୁଛି। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ସାହିର ମହିଳାମାନେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ଭେଟି ଗୁହାରି କରିଛନ୍ତି। ସାହିରେ ୧୫ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିବା ନଳକୂପଟି ଅଚଳ ହୋଇଥିବାବେଳେ ଦେଢବର୍ଷ ତଳେ ଆଉ ଏକ ନଳକୂପ ଖୋଳା ଯାଇଥିଲା। ଛଅମାସ ତଳେ ମରାମତି କରିବାକୁ ଆସିଥିବା ବିଭାଗୀୟ କର୍ମଚାରୀ ଏହାକୁ ଅଚଳ ଘୋଷଣା କରିଥିଲେ। ଏବେ ସାହିର ମହିଳାମାନେ ଏକକିମି ଦୂର ବାଟସାହିକୁ ପ୍ରତିଦିନ ପାଣି ଆଣିବାକୁ ଯାଉଛନ୍ତି।

କିଛି ଲୋକ ବାଧ୍ୟହୋଇ ବାଇକ୍, ସାଇକଲରେ ପିଇବାପାଣି ପାଇଁ ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଅଚଳ ନଳକୂପକୁ ୨୪ ଘଣ୍ଟା ମଧ୍ୟରେ ମରାମତି କରାଯିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏହା କାର୍ଯ୍ୟକାରୀ ହେଉ ନଥିବା ଅଭି‌ଯୋଗ ହୋଇଛି। ଏନେଇ ଗତ ୧୦ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବାପରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠଯନ୍ତ୍ରୀ ଏହାର ତଦନ୍ତପାଇଁ ଗ୍ରାମକୁ ଯାଇଥିଲେ। ପରିସ୍ଥିତି ଅନୁଧ୍ୟାନପରେ କର୍ମଚାରୀ ଆସି ଏହାକୁ ମରାମତି କରିବେ ବୋଲି କହି ଖସି ପଳାଇଥିଲେ। ଫଳରେ ବାଧ୍ୟହୋଇ ସାହିର ମହିଳା କାଞ୍ଚନବାଳା ମହାକୁଡ଼, ନୟନୀ ମହାକୁଡ଼, ତିଳୋତ୍ତମା ନାଏକ, ରୁକ୍ମଣୀ ମହାକୁଡ଼, ତୁଳସୀ ମହାକୁଡ଼, ରଂଜିତା ନାଏକ, ସୁଲୋଚନା ମହାକୁଡ଼, ପ୍ରମିଳା ନାଏକ, ଗୁର ନାଏକ, କବିତା ନାଏକ ପ୍ରମୁଖ ଘସିପୁରା ବ୍ଳକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଖୁବଶୀଘ୍ର ଏନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର