ତ୍ରିମୁଖୀ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ: ସରିଲା ପ୍ରାର୍ଥିପତ୍ର ଦାଖଲ

ମଇଦାନକୁ ଓହ୍ଲାଇଲେ ୩୪ ନେତା, ତାଳଚେରରେ ସର୍ବାଧିକ ୧୦ ପ୍ରାର୍ଥୀ

ଅନୁଗୁଳ: ଶେଷ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ଶେଷ ଦିନରେ ଆଜି ବିଭିନ୍ନ ଦଳ ପକ୍ଷରୁ ନାମାଙ୍କନପତ୍ର ଦାଖଲ ହୋଇଛି। ଏହାସହ ତ୍ରିମୁଖୀ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି। ଅନୁଗୁଳ ଜିଲ୍ଲାର ସମସ୍ତ ୫ଟି ଯାକ ବିଧାନସଭା ଆସନରେ ବିଜେଡି ଓ ବିଜେପି ଭିତରେ ମୁହାଁମୁହିଁ ଲଢ଼େଇ ହେଉଥିଲା ବେଳେ କଂଗ୍ରେସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। ଅନୁଗୁଳ ବିଧାନସଭା ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ସଂଯୁକ୍ତା ସିଂହ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପୂର୍ବରୁ ଗତ ଶୁକ୍ରବାର ବିଜେପି ପ୍ରାର୍ଥୀ ପ୍ରତାପ ପ୍ରଧାନ ଓ କଂଗ୍ରେସ ପ୍ରାର୍ଥୀ ଅମ୍ବିକା ଭଟ୍ଟ ନାମାଙ୍କନ କରିଥିଲେ। ଏହାବାଦ୍‌ ଆରପିଆଇର ହରିହର ନାଏକ, ଏସ୍‌ୟୁସିଆଇର ମନ୍ଦୋନ୍ଦରୀ ରାଉଳ ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ବାବୁଲା ସାହୁ, ବ୍ରଜକଶୋର ନାହାକ ଓ ସନ୍ତୋଷ କୁମାର ନ‌ାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୮ ଜଣ ପ୍ରାର୍ଥୀ ରହିଥିଲେ ମଧ୍ୟ ଏଠାରେ ୩ ପ୍ରମୁଖ ଦଳ ଭିତରେ ଲଢ଼େଇ ହେବା ସ୍ପଷ୍ଟ ହୋଇଯାଇଛି।

ସରିଲା ପ୍ରାର୍ଥିପତ୍ର ଦାଖଲ
ମଇଦାନକୁ ଓହ୍ଲାଇଲେ ୩୪ ନେତା
ତାଳଚେରରେ ସର୍ବାଧିକ ୧୦ ପ୍ରାର୍ଥୀ
ଅନୁଗୁଳରେ ୮, ଆଠମଲ୍ଲିକରେ ୪

ଅନୁଗୁଳ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ଆସନ ତାଳଚେରରେ ସବୁଠାରୁ ଅଧିକ ପ୍ରାର୍ଥୀ ରହିଛନ୍ତି। ଏଠାରେ ବିଜେଡିରୁ ବିଧାୟକ ବ୍ରଜକିଶୋର ପ୍ରଧାନ, ବିଜେପିରୁ କାଳନ୍ଦୀ ସାମଲ ଓ କଂଗ୍ରେସରୁ ପ୍ରଫୁଲ୍ଲ ଚନ୍ଦ୍ର ଦାଶ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆରପିଆଇରୁ ବିଜୟ କୁମାର ନାଏକ, ଏସ୍‌ୟୁସିଆଇରୁ ପ୍ରହ୍ଲାଦ ଚନ୍ଦ୍ର ସାହୁ, ବିଏସ୍‌ପିରୁ ସବେର୍ଶ୍ବର ନାୟକ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌ରୁ ମନୋଜ କୁମାର ଜେନା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ସ୍ବାଧୀନ ପ୍ରାର୍ଥୀ ଭାବେ ରୂପକ କୁମାର ପାଣି, ଭୁପେନ ଥମ୍ବ, ସନ୍ତୋଷ କୁମାର ସାହୁ ନାମାଙ୍କନ ଭରିଛନ୍ତି। ଏମିତି ୧୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ଲଢ଼େଇ ୩ ପ୍ରମୁଖ ଦଳ ଭିତରେ ହେଉଛି। ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା ଆସନରେ ୪ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି। ଆଠମଲ୍ଲିକରେ ବିଜେଡିରୁ ନଳିନୀକାନ୍ତ ପ୍ରଧାନ ଓ ବିଜେପିରୁ ସଂଜୀବ ସାହୁ ନାମାଙ୍କନ କରିଛନ୍ତି। କଂଗ୍ରେସରୁ ହିମାଂଶୁ ଶେଖର ଚାଉଳିଆ ଓ ଏସ୍‌ୟୁସିଆଇରୁ ରମଣୀ ରଂଜନ ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି।

ସେହିପରି ଛେଣ୍ଡିପଦା ଆସନରେ ବିଜେଡି ପକ୍ଷରୁ ସୁଶାନ୍ତ କୁମାର ବେହେରା, ବିଜେପିରୁ ଅଗସ୍ତି ବେହେରା, କଂଗ୍ରେସରୁ ନରୋତ୍ତମ ନାଏକ ଓ ଏସ୍‌ୟୁସିଆଇରୁ ଭରତ କୁମାର ନାଏକ ନ‌ାମାଙ୍କନପତ୍ର ଭରିଛନ୍ତି। ତେବେ ଉଭୟ ଛେଣ୍ଡିପଦା ଓ ଆଠମଲ୍ଲିକରେ ବିଜେଡି ଓ ବିଜେପି ଭିତରେ ସିଧା ଲଢ଼େଇ ହେବା ଅନୁମାନ କରାଯାଉଛି। ଏପଟେ ପାଳଲହଡ଼ାରେ ବିଜେଡିରୁ ମୁକେଶ ପାଳ, ବିଜେପିରୁ ଅଶୋକ ମହାନ୍ତି ଓ କଂଗ୍ରେସରୁ ଫକୀର ମୋହନ ସାମଲ ପ୍ରାର୍ଥୀ ହୋଇଛନ୍ତି। ମାନସ ଲୋକଶକ୍ତି ଦଳରୁ ଜଗନ୍ନାଥ ଦେହୁରୀ, ବିଏସ୍‌ପିରୁ ଖଗେଶ୍ବର ନାଏକ ଓ ଏସ୍‌ୟୁସିଆଇରୁ ପରମାନନ୍ଦ ସାହୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ସ୍ବାଧୀନ ପ୍ରାର୍ଥୀ ଭାବେ ଯୁଗଳ କିଶୋର ଜିତ ଓ ସତ୍ୟପ୍ରକାଶ ମିଶ୍ର ନାମାଙ୍କନ କରିଛନ୍ତି। ଏଠାରେ ୮ ଜଣ ପ୍ରାର୍ଥୀ ରହିଥିଲେ ମଧ୍ୟ ବିଜେଡି ଓ ବିଜେପି ଭିତରେ ମୁହାଁମୁହିଁ ଲଢ଼େଇ ହେବାକୁ ଯାଉଛି। ଅନୁଗୁଳ ଜିଲ୍ଲାରେ ସମୁଦାୟ ୩୪ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ କରାଯାଇ ବୈଧ ତାଲିକା ପ୍ରକାଶ ପାଇବ। ୯ ତାରିଖ ଭିତରେ ପ୍ରାର୍ଥୀମାନେ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରି‌ବେ। ଏହାପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ସହ ପ୍ରଚାର ଜୋର୍‌ ଧରିବ।

ସମ୍ବନ୍ଧିତ ଖବର