ସିଆଇଏସ୍‌ସିଇ ପରୀକ୍ଷାଫଳ ପ୍ରକାଶ: ଦଶମରେ ୯୯.୦୮%, ଦ୍ବାଦଶରେ ୯୮.୯୦% ପାସ୍‌

ଭୁବନେଶ୍ବର: କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏଗ୍‌ଜା‌ମିନେସନ (ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ (ଆଇସିଏସ୍‌ଇ) ଓ ଦ୍ବାଦଶ ଶ୍ରେଣୀ(ଆଇଏସ୍‌ସି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଦଶମରେ ଓଡ଼ିଶାର ୯୩ଟି ବିଦ୍ୟାଳୟର ୮ ହଜାର ୭୩୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୯.୦୮% ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ପରୀକ୍ଷା ଦେଇଥିବା ୪,୬୨୯ ଜଣ ଛାତ୍ରଙ୍କ ମଧ୍ୟରୁ ୪,୫୭୬ ଅର୍ଥାତ୍‌ ୯୮.୮୬% ଏବଂ ୪,୧୧୦ଜଣ ଛାତ୍ରୀଙ୍କ ମଧ୍ୟରୁ ୪,୦୮୩ ଜଣ ଅର୍ଥାତ୍‌ ୯୯.୩୪% ପାସ୍‌ କରିଛନ୍ତି। ଅନୁସୂଚିତ ଜାତି ବର୍ଗର ୯୮.୬୪% ଓ ଅନୁସୂଚିତ ଜନଜାତି ବର୍ଗର ୯୭.୧୭% ପରୀକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନ୍ୟାନ୍ୟ ପଛୁଆ ବର୍ଗର ୯୯.୫୦% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ସିଆଇଏସ୍‌ସିଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଆଇଏସ୍‌ସିରେ ଓଡ଼ିଶାରୁ ୩୩ଟି ବିଦ୍ୟାଳୟର ୧,୭୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୮.୯୦% ପାସ୍‌ କରିଛନ୍ତି। ଏଥିରେ ବି ଛାତ୍ରୀମାନଙ୍କ ପ୍ରଦର୍ଶନ ଉଚ୍ଚକୋଟିର ହୋଇଛି। ପରୀକ୍ଷା ଦେଇଥିବା ୮୭୨ ଜଣ ଛାତ୍ରଙ୍କ ମଧ୍ୟରୁ ୮୬୨ ଓ ୮୫୪ ଛାତ୍ରୀଙ୍କ ମଧ୍ୟରୁ ୮୪୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରଙ୍କ ପାସ୍‌ହାର ୯୮.୮୫% ଥିବା ବେଳେ ଛାତ୍ରୀଙ୍କର ୯୮.୯୫% ହୋଇଛି। ଅନୁସୂଚିତ ଜାତି ବର୍ଗ ପରୀକ୍ଷାର୍ଥୀଙ୍କ ପାସ୍‌ହାର ୯୮.୯୮%, ଅନୁସୂଚିତ ଜନଜାତି ବର୍ଗର ୯୮.୫୫% ଓ ଅନ୍ୟାନ୍ୟ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାସ୍‌ହାର ୯୭.୭୩% ରହିଛି। ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ରାଜ୍ୟ ଟପର୍‌ ତାଲିକା ପ୍ରକାଶ କରାଯାଇ ନାହିଁ। ଦେଶ ଓ ବିଦେଶରେ ବୋର୍ଡ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକର ପରୀକ୍ଷା ଫଳକୁ ଦେଖିଲେ ଦଶମ ଶ୍ରେଣୀରେ ୨,୬୯୫ ବିଦ୍ୟାଳୟର ୨ଲକ୍ଷ ୪୩ ହଜାର ୬୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୯.୪୭% ପାସ୍‌ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୯.୬୫% ଓ ଛାତ୍ରଙ୍କ ପାସ୍‌ହାର ୯୯.୩୧% ହୋଇଛି। ଦ୍ବାଦଶ ଶ୍ରେଣୀରେ ୧୩୬୬ ବିଦ୍ୟାଳୟର ୯୯ ହଜାର ୯୦୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୮.୧୯% ପାସ୍‌ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୮.୯୨% ଓ ଛାତ୍ରଙ୍କ ପାସ୍‌ହାର ୯୭.୫୩% ହୋଇଛି।

ସମ୍ବନ୍ଧିତ ଖବର