ପୁରୀରେ ହେବ ଓଡ଼ିଶା କୁସ୍ତି ଏକାଡେମି

ପୁରୀ: କ୍ରୀଡ଼ା ପାଇଁ ବଢ଼ିଛି ଭିତ୍ତିଭୂମି। ନୂଆ ଷ୍ଟାଡିୟମ୍‌ ନିର୍ମାଣ ହୋଇଛି। ଇନ୍‌ଡୋର୍‌ ଆଥଲେଟିକ୍ସ ହଲ୍‌ ପ୍ରତିଷ୍ଠା ଚାଲିଛି। କିଶୋର ଜେନା, ଜୟନ୍ତୀ ବେହେରା ଓ ତପନ ମହାନ୍ତିଙ୍କ ଭଳି କ୍ରୀଡ଼ାବିତ୍‌ ପୁରୀକୁ କ୍ରୀଡ଼ା ଜଗତରେ ଉଚ୍ଚ ସୋପାନକୁ ନେଇଛନ୍ତି। ଅଥଚ କୁସ୍ତିରେ ପୂର୍ବରୁ ଯେଉଁ ସୁନାମ ଥିଲା, ଅନ୍ତତଃ ତାହା ନିମ୍ନଗାମୀ ହୋଇଛି। ତେବେ ଏହି ଅଭାବବୋଧ ବି ଯଥାଶୀଘ୍ର ଦୂର ହେବାକୁ ଯାଉଛି। ପୁରୀରେ ପ୍ରତିଷ୍ଠା ହେବାକୁ ଯାଉଛି ଓଡ଼ିଶା କୁସ୍ତି ଏକାଡେମି। ଏନେଇ କ୍ରୀଡ଼ା ବିଭାଗର ବୈଠକରେ ଆଲୋଚନା ସରିଛି। ୨୦୨୧ ମସିହାର ଏହି ପରିକଳ୍ପନା ବାସ୍ତବ ରୂପ ନେବା ନେଇ ପୁଣି ଆଶା ଜାଗିଛି। ମଙ୍ଗଳବାରର ‘ବିଶ୍ବ ଆଥଲେଟିକ୍ସ ଦିବସ’ ପୂର୍ବରୁ ଏଭଳି ଖବର ରାଜ୍ୟ କୁସ୍ତି ଜଗତରେ ଖୁସିର ଲହରି ଖେଳାଇ ଦେଇଛି। ରାଜ୍ୟରେ ପୁରୀ କୁସ୍ତିର ଗଡ଼ ଭାବେ ଅଭିହିତ। ଏଠାରୁ ବୈଦ୍ୟନାଥ ମହାପାତ୍ର, ଲକ୍ଷ୍ମୀନାରାୟଣ ମହାସୁଆର, ଶ୍ୟାମସୁନ୍ଦର ମହାପାତ୍ର, ନରସିଂହ ଲେଙ୍କା, ଉମାଶଙ୍କର ପ୍ରତିହାରୀ, ଝାଡ଼ୁ ଖୁଣ୍ଟିଆ, ରାମଚନ୍ଦ୍ର ପାଢ଼ୀ ଓ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଭଳି ପ୍ରତିଭାବାନ କୁସ୍ତି ଖେଳାଳି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ବ କରି ସମ୍ମାନ ସାଉଁଟିଛନ୍ତି। ତେବେ ଜାଗା ଆଖଡ଼ାରେ କୁସ୍ତି ପାଇଁ ଉଦ୍ଦିଷ୍ଟ ମାଟିର ଖଳା ତଥା ଖେଳ ଜାଗାଗୁଡ଼ିକର ଏବେ ରକ୍ଷଣାବେକ୍ଷଣ କରାଯାଉନାହିଁ। ବାସ୍ତବରେ ମାଟିରେ ଆଉ କୁସ୍ତି ଖେଳିବାର ମାନସିକତା ଦେଖିବାକୁ ମିଳୁନାହିଁ। କେବଳ ପଣା ସଂକ୍ରାନ୍ତିକୁ ବାଦ୍‌ ଦେଲେ ଅନ୍ୟ ଦିନମାନଙ୍କରେ ମାଟିରେ କୁସ୍ତି କସ୍‌ରତ କରିବା ଆଉ ଦେଖିବାକୁ ମିଳୁନି। ହେଲେ ନିକଟରେ ୩୫ଟି ଜାଗାଘରର ଭିତ୍ତିଭୂମି ବିକାଶ ପାଇଁ ସରକାର ଅର୍ଥ ଯୋଗାଇ ଦେଇଛନ୍ତି। ମକରଧ୍ବଜ, ମାଜଣା, ହିଞ୍ଜଳ, ପଞ୍ଚାୟତ, ଗୁରୁଜଙ୍ଗ, ଦୁବେଇ, ଖୁଣ୍ଟିଆ, ଦୀକ୍ଷିତ ବଡ଼ପୋଖରୀ, ମଲ୍ଲୀଗଡ଼, ବଡ଼ୁମହାପାତ୍ର, ଚମ୍ପାଗଡ଼, ନୂଆତୋଟା, ଜଗୁ ତିଆଡ଼ି, ଅଡ଼ଗ ତିଆଡ଼ି, ଯମନଗଡ଼, ଖାସ, କୁସନ ଖୁଣ୍ଟିଆ, ମୁଦୁଲି, ଧ୍ବଜଗଡ଼, ଜମିଖୁଣ୍ଟିଆ, ବାରବାଟୀ, ନୃସିଂହବଲ୍ଲଭ, ଶଙ୍ଖକୋଟ, ତାପଙ୍ଗ, ସୁନ୍ଦରା, ଗଡ଼ମଲ୍ଲ, ରାଜବଲ୍ଲଭ, ବଡ଼ଆଖଡ଼ା, ପାଣ୍ଡ, ସାତବଖରା, ଭଟ୍ଟ, ରାହାସ ମହାନ୍ତି, ବିଶୁନି ଓ ଗୋପାଳବଲ୍ଲଭ ଜାଗାଘରକୁ ୨୩ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦେଇଛନ୍ତି। ଏଥିରେ ଜିମ୍‌ ଘର ସହ କୁସ୍ତି ପାଇଁ ମ୍ୟାଟ୍‌ର ବ୍ୟବସ୍ଥା କରାଯିବ। ଅର୍ଥାତ୍‌ ଏଥର ମାଟି ଅପେକ୍ଷା କ୍ରୀଡ଼ାବିତ୍‌ମାନେ ମ୍ୟାଟ୍‌ରେ କୁସ୍ତି ଅଭ୍ୟାସ କରିବାର ବ୍ୟବସ୍ଥା କରାଯାଇଛି।

ଏନେଇ ପୁରୀ ଦୌଡ଼କୁଦ ସଂଘର ପୂର୍ବତନ ସମ୍ପାଦକ ରବିଶଙ୍କର ପ୍ରତିହାରୀ କହିଛନ୍ତି, ଓଡ଼ିଶାରେ ପୁରୀକୁ କୁସ୍ତିର ଗଡ଼ କୁହାଯାଏ। ଏଠାରୁ ଶ୍ରୀଜଗନ୍ନାଥଙ୍କ ବହୁ ସେବକ କୁସ୍ତିରେ ସୁନାମ ଆଣିଛନ୍ତି। ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌ ନିକଟରେ ଥିବା ଖାଲି ଜାଗାରେ ଓଡ଼ିଶା କୁସ୍ତି ଏକାଡେମି ପ୍ରତିଷ୍ଠା ହେବ। କୁସ୍ତି ଏକାଡେମି ପ୍ରତିଷ୍ଠା ହେଲେ କୁସ୍ତିରେ ପୁରୀର ଯେଉଁ ପୂର୍ବ ସୁନାମ ଥିଲା ତାହା ଫେରିବ। ସଂପ୍ରତି ପୁରୀରୁ ପ୍ରତିବର୍ଷ କନିଷ୍ଠ, ସର୍ବକନିଷ୍ଠ ଓ ବରିଷ୍ଠ ବର୍ଗରେ ୪୦ରୁ ଅଧିକ ପ୍ରତିଯୋଗୀ କୁସ୍ତିରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। କିନ୍ତୁ ଏକାଡେମି ପ୍ରତିଷ୍ଠା ହେଲେ, ଉନ୍ନତମାନର ପ୍ରଶିକ୍ଷକ ନିଯୁକ୍ତ ହେବେ। ଫଳରେ କୁସ୍ତିର ବୈଷୟିକ ଦିଗ ବାବଦରେ ଆମ କୁସ୍ତି ଖେଳାଳିମାନେ ନିଜକୁ ଆହୁରି ମଜଭୁତ କରିପାରିବେ ବୋଲି ସେ କହିଛନ୍ତି। ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌ ବ୍ୟତୀତ ବିଜୁ ପଟ୍ଟନାୟକ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ସିନ୍ଥେଟିକ ଟ୍ରାକ୍‌ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଖୋଖୋ, କୁସ୍ତି ଓ ବକ୍ସିଂ ହଲ୍‌ ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଛି। କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଖୁବ୍‌ଶୀଘ୍ର ଏହାର ଉପଯୋଗରେ ବହୁ ସଫଳ କ୍ରୀଡ଼ାବିତ୍ ସୃଷ୍ଟି କରିବାରେ ପୁରୀ ସଫଳ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର