ଟଙ୍କା ଗଣିଗଣି ମେସିନ୍ ଅଚଳ: ଜବତ ହେଲା ଆଉ ୩୭ କୋଟି

ବ୍ୟାଙ୍କ୍‌ ଷ୍ଟ୍ରଙ୍ଗ୍‌ରୁମ୍‌ ନା କୁବେର ଭଣ୍ଡାର! ଭୁବନେଶ୍ବରରୁ ୩ ବଡ଼ ମେସିନ୍ ଅଣାଗଲା

ଭୁବନେଶ୍ବର/ ବଲାଙ୍ଗୀର: ଏ ଫଟୋ ଦେଖି ଯେ କେହି ଅନୁମାନ କରୁଥିବେ, ଏହା କୌଣସି ବ୍ୟାଙ୍କର ଷ୍ଟ୍ରଙ୍ଗ୍‌ ରୁମ୍‌। ନା…। ସେମିତି କିଛି ବି ନୁହେଁ। ବରଂ ମଦ ବେପାରୀଙ୍କ ଘରେ ଏମିତି ଗଚ୍ଛିତ ହୋଇ ରହିଛି କୋଟିକୋଟି ଟଙ୍କା। ୫୦୦ ଟଙ୍କିଆ ନୋଟ୍ ବିଡ଼ା। ଦୁଇଶହ, ଶହେ ଟଙ୍କିଆ ବି। ଆୟକର ଅଧିକାରୀ ଝାମ୍ପ ମାରିବା ପରେ ଏଭଳି ଚିତ୍ର ଦେଶ ସାମ୍ନାକୁ ଆସିଛି। ଯିଏ ଦେଖୁଛି, ସିଏ ତଟସ୍ଥ। ଓଡ଼ିଶା ଭଳି ଗୋଟିଏ ରାଜ୍ୟରେ କେହି କେହି ଏତେ ନଗଦ ଟଙ୍କା ଘରେ ରଖିଥିବେ, ଏକଥା କେହି ବିଶ୍ବାସ କରିପାରୁନାହାନ୍ତି। ଏହା ସତ୍ତ୍ବେ ବାସ୍ତବତା କିନ୍ତୁ ସମସ୍ତଙ୍କ ସାମ୍ନାରେ।

ଆୟକର ଫାଙ୍କି ଅଭିଯୋଗରେ ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ମଦ ପ୍ରସ୍ତୁତି ସଂସ୍ଥା ଶିବଗଙ୍ଗା ଆଣ୍ଡ କମ୍ପାନିଜ୍‌ର ବିଭିନ୍ନ ଶାଖା ଓ ସହଯୋଗୀ ସଂସ୍ଥା ଉପରେ ଚଢ଼ଉ ଘଟଣାରୁ ଦିନକୁ ଦିନ ଯେଉଁ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି, ତାହା ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କୁ ବି ଆଚମ୍ବିତ କଲାଣି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଟ୍ବିଟ୍‌ କରି ସିଧା ସିଧା ଜଣାଇ ଦେଇଛନ୍ତି ଯେ କଡ଼ା ଗଣ୍ଡା କରି ହିସାବ ନିଆଯିବ। ଏପଟେ ଘଟଣାକ୍ରମରେ ସୁନ୍ଦରଗଡ଼ର ରାଜେଶ ଜୟସ୍ବାଲଙ୍କ ପୈତୃକ ଘରେ ଚଢ଼ଉ ବେଳେ ଆଜି ଆଉ ୩୭ କୋଟି ଟଙ୍କା ମିଳିଛି। ଆୟକର ଅଧିକାରୀମାନେ ଜୟସ୍ବାଲଙ୍କ ଅଫିସରେ ପହଞ୍ଚି ବ୍ୟାଙ୍କ ଟ୍ରାଞ୍ଜାକସନ୍‌, ବିଲ୍‌ ଭାଉଚର୍ ନେଣଦେଣକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି। କେଉଁ ମଦଭାଟିରୁ କେବେ ଓ କେତେ ଟଙ୍କା ଆସିଲା, ଏହି ଟଙ୍କା କେଉଁଠି ବ୍ୟବହୃତ ହୋଇଛି ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଏଥିସହିତ ଜବତ ଅର୍ଥର ପରିମାଣ ଆଗକୁ ଆହୁରି ବଢ଼ି ୩୦୦ କୋଟି ଟପିଯିବା ବି ବିଚିତ୍ର ନୁହେଁ।

ବଲାଙ୍ଗୀରରେ ବଣ୍ଟି ଘରେ ବି ବିପୁଳ ଟଙ୍କା
୧୦ ଦିନ ପୂର୍ବରୁ ୨ଟି ପିକଅପ୍‌ରେ ଆସିଥିଲା

ସେହିଭଳି ଆୟକର ବିଭାଗ ଆଜି ସନ୍ଧ୍ୟାରେ ଭାଟିର ଅନ୍ୟତମ କର୍ମଚାରୀ ବଣ୍ଟି ସାହୁ ଘରେ ଚଢ଼ଉ କରିଛି। ସୁଦପଡ଼ା ମଦଭାଟି ନିକଟରେ ଏକ ଭଡ଼ାଘରେ ରହୁଥିବା ବଣ୍ଟି ଘରକୁ ୧୦ ଦିନ ପୂର୍ବରୁ ଦୁଇଟି ପିକଅପ୍‌ ଭ୍ୟାନ୍‌ ଗାଡ଼ିରେ ୨୫ରୁ ୩୦ ଗୋଟି ବଡ଼ ବ୍ୟାଗ ଓ ପେଟି ଆସିଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଥିଲେ। ଏହା ପରେ ଆୟକର ଅଧିକାରୀ ତା’ ଘର ଭିତରେ ପଶିଥିଲେ। ଏଠାରୁ ବିପୁଳ ଅର୍ଥ ଜବତ ହୋଇଥିବା ଜଣାପଡ଼ିଛି। ତେବେ ଟଙ୍କାର ପରିମାଣ କେତେ ହେବ ତାହା ଗଣାଯିବା ପରେ ସ୍ପଷ୍ଟ ହେବ ବୋଲି କହାଯାଉଛି। ଆୟକର ବିଭାଗ ଅଧିକାରୀମାନେ ଏହି ଟଙ୍କାକୁ ଆଜି ରାତିରେ ବ୍ୟାଙ୍କକୁ ନେଇ ପାରନ୍ତି। ବଣ୍ଟି ଘର ଆଗରେ ସିଆଇଏସ୍‌ଏଫ୍ ଓ ପୁଲିସ ବାହିନୀ ମୁତୟନ କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣାଟି ହେଉଛି, ଉତ୍ତରକାଶୀରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଲାଗି ମେସିନ୍ ଭାଙ୍ଗିଥିଲା। ଅଟକିଯାଇଥିଲା ଅପରେସନ୍। ଏବେ କିନ୍ତୁ ଟଙ୍କା ଗଣି ଗଣି ଆୟକର ଅଧିକାରୀ କେବଳ ହାଲିଆ, ତା’ ନୁହେଁ; ମେସିନ୍ ମଧ୍ୟ ଅଚଳ ହୋଇଗଲାଣି। ଗଣତି ପ୍ରକ୍ରିୟା ଅଟକିଯାଇଛି। ବ୍ୟାଙ୍କ୍‌କୁ ସ୍ଥାନାନ୍ତରିତ ହୋଇଥିବା ବସ୍ତା ବସ୍ତା ଟଙ୍କା ଗଣତି ବେଳେ ଏଭଳି ପରିସ୍ଥିତି ଉପୁଜିଛି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୬ଟା ସୁଦ୍ଧା ୨୨କୋଟି ଟଙ୍କା ଗଣା ହୋଇଥିବା ବେଳେ ହଠାତ୍ ମେସିନ୍ ଖରାପ ହୋଇଯାଇଥିଲା। ଅଧିକାରୀମାନେ ଭୁବନେଶ୍ବରରୁ ଆଉ ୩ଟି ବଡ଼ ଟଙ୍କା ଗଣା ମେସିନ୍ ମଗାଇ ଆଣିଛନ୍ତି। ଆହୁରି କୌତୂହଳର କଥା ହେଲା, ଏହି ଅପରେସନ୍ ମାଫିଆଙ୍କ ନିଦ ହଜାଇ ଦେଇଛି। ଆୟକର ଚଢ଼ଉ କେବେ ସରିବ ବୋଲି ଅଧିକାରୀଙ୍କୁ କିଛି ଅଜଣା ଲୋକ ପଚାରିଥିଲେ। ଏହି ଘଟଣାଟି ପ୍ରଘଟ ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏମାନେ କିଏ, କାହା ଲୋକ, ଆୟକର ଚଢ଼ଉ ସହିତ ଏମାନଙ୍କର କି ସଂପର୍କ ରହିଛି, ତାହା ଅନୁସନ୍ଧାନସାପେକ୍ଷ। ଯେଉଁ କଥାଟି ଆୟକର ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଅତି ଆଚମ୍ବିତ କରୁଛି, ତାହା ହେଲା- ଯେତେ ଟଙ୍କା ଜବତ ହୋଇଛି, ସେ ମଧ୍ୟରେ ୨ହଜାର ଟଙ୍କିଆ ନୋଟ୍ ନାହିଁ। ଅଧିକାଂଶ ବିଡ଼ାରେ ରହିଛି ୫୦୦ ଟଙ୍କିଆ। ଅର୍ଥାତ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦୁଇ ହଜାର ଟଙ୍କିଆ ପ୍ରତ୍ୟାହାର ନିଷ୍ପତ୍ତି ନେବା ପରେ ଏସବୁ ପରିବର୍ତ୍ତନ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। କେବଳ ସେତିକି ନୁହେଁ, ଏହି ଟଙ୍କା ବର୍ଷ ବର୍ଷ ଧରି ଗଚ୍ଛିତ ହୋଇ ରହିନାହିଁ ବରଂ ନେଣଦେଣ ପ୍ରକ୍ରିୟାରେ ଥିବା ସୂଚନା ମିଳୁଛି। ହେଲେ ନିଜ ଘରକୁ ବ୍ୟାଙ୍କ୍‌ ଷ୍ଟ୍ରଙ୍ଗ୍ ରୁମ୍ ଭଳି ବ୍ୟବହାର କରୁଥିବା ଏହି ବ୍ୟବସାୟୀମାନେ କିଭଳି କାହା ନଜରକୁ ଆସିନଥିଲେ? ଝାଡ଼ଖଣ୍ଡର ଏହି ପ୍ରଭାବୀ ନେତା ଓଡ଼ିଶା ମଦ ବେପାରକୁ ନିୟନ୍ତ୍ରଣ କରିବା ଘଟଣା ମଧ୍ୟ ସହଜରେ ଗ୍ରହଣ କରିହେଉନାହିଁ। ସୁନ୍ଦରଗଡ, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ଭୁବନେଶ୍ବର ଯାଏ ଏ ଚେର ଲମ୍ବିଛି। ଆଗକୁ ଆହୁରି କିଛି ରୋଚକ ଖବର ସାମ୍ନାକୁ ଆସିପାରେ।

ଚଢ଼ଉ ବେଳେ ବିଭିନ୍ନ ସ୍ଥାନରୁ ବହୁ ସୁନାଗହଣା, ସୁନା ବିସ୍କୁଟ୍‌ ଜବତ ହୋଇଛି। ହେଲେ ଏହାର ପରିମାଣ ସଂପର୍କରେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ। ସେହିଭଳି ଏହି ବେପାରୀମାନେ ଏଭଳି କେତେ ଟଙ୍କାର କାରବାର କରୁଥିଲେ ଯେ ସେମାନଙ୍କ ଘରେ ଏତେ ବିପୁଳ ପରିମାଣର ଅର୍ଥ ଜମା ହେଲା, ସେ ରହସ୍ୟ ଏଯାଏ ଆୟକର ଅଧିକାରୀ ଫିଟାଇନାହାନ୍ତି। ଏଠାରେ ଉଲ୍ଲେଖଥାଉକି, ପ୍ରଥମେ ଶିବଗଙ୍ଗା ଆଣ୍ଡ୍‌ କମ୍ପାନିଜ୍‌ ନାମରେ ସଂସ୍ଥା ଆରମ୍ଭ ହୋଇଥିଲା। ପରେ ଫର୍ଚୁନ୍‌ ସ୍ପିରିଟ୍‌ ନାମରେ ଆଉ ଏକ ସଂସ୍ଥା ଖୋଲା ଯାଇଥିଲା। ସେହି ଫର୍ଚୁନ ସ୍ପିରିଟ୍‌ ନାମରେ କୋଟି କୋଟି ଟଙ୍କାର ଋଣ କରାଯାଇଥିଲା। ସଂସ୍ଥା କ୍ଷତି କରିଥିବା ଦର୍ଶାଯାଇ ଟଙ୍କା ହେର୍‌ଫେର୍‌ କରାଯାଇଥିଲା। ଆଉ ଏହାପରେ ସଂସ୍ଥାର ୫ ମୂଳ ମାଲିକ ଓ ସେମାନଙ୍କର ୭ପୁଅଙ୍କ ନାମରେ ବୌଦ୍ଧ ଡିଷ୍ଟିଲାରି (ବିଡିପିଏଲ୍‌), ରାଣୀସତୀ ପ୍ୟାଡି ପ୍ରୋସେସିଂ ଭଳି ଭିନ୍ନ ଭିନ୍ନ ନାମରେ ସଂସ୍ଥା ଖୋଲାଯାଇ କୋଟି କୋଟି ଟଙ୍କାର ଅୟକର ଫାଙ୍କି କରାଯାଇଥିଲା। ଏବେ ସେହି କଳା ସାମ୍ରାଜ୍ୟର ଗୁମର ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି। ଆୟକର ବିଭାଗର ୩୬ଟି ଟିମ୍‌ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛନ୍ତି। ଜବତ ଟଙ୍କା କଡ଼ା ସୁରକ୍ଷା ମଧ୍ୟରେ ବ୍ୟାଙ୍କକୁ ସ୍ଥାନାନ୍ତରିତ ହୋଇଛି।

ସମ୍ବନ୍ଧିତ ଖବର