ଆଶଙ୍କା ସତ ହେଲା: ୱାଟ୍‌କୋ ଖାଲରେ ମହିଳା

୧୫ ଫୁଟ ଖାଲ ଥିଲା, ସ୍କୁଟି ସହ ଗଳିପଡ଼ିଲେ

ଭୁବନେଶ୍ବର: ସ୍ବେରେଜ୍‌ ଲାଇନ ତିଆରିବା ପାଇଁ ୱାଟ୍‌କୋ ରାଜଧାନୀର ଅନେକ ଅଞ୍ଚଳର ରାସ୍ତାଘାଟକୁ ବେପରୁଆ ଭାବେ ଖୋଳି ପକାଉଛି। ସାଧାରଣ ଲୋକଙ୍କ ପ୍ରତି ସାମାନ୍ୟ ସମ୍ବେଦନା ନଥିବା ଭଳି ମନେ ହେଉଥିବା ଏହି ଯୋଜନାହୀନ କାମକୁ ସହରବାସୀ ତୀବ୍ର ବିରୋଧ କରୁଥିବାବେଳେ ଯେଉଁ ଆଶଙ୍କା କରା ଯାଉଥିଲା, ସେପରି ଏକ ଘଟଣା ଘଟିଛି। ଆଜି ୱାର୍ଡ଼ ନମ୍ବର ୫୮ ଶିବନଗରରେ ଖୋଳା ହୋଇଥିବା ସ୍ବେରେଜ ଖାଲରେ ନିଜ ସ୍କୁଟି ସହିତ ଜଣେ ମହିଳା ପଡ଼ି ଆହତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଏହି ଅଘଟଣ ଘଟିଛି। ସ୍ଥାନୀୟ ଅଞ୍ଚଳରେ ରହୁଥିବା ଗୀତାଞ୍ଜଳି ଆଚାର୍ଯ୍ୟ ନାମକ ଜଣେ ମହିଳା ସ୍କୁଟି ନେଇ ସ୍କୁଲରୁ ପୁଅକୁ ଆଣିବାକୁ ଯାଉଥିଲେ। ସ୍ବେରେଜ୍ ଖାଲ ନିକଟରେ ମାଟି ଆଦି ପଡ଼ି ସଂକୀର୍ଣ୍ଣ ହୋଇ ଯାଇଥିବା ରାସ୍ତାରେ ସେ ଭାରସାମ୍ୟ ହରାଇଥିଲେ। ଫଳରେ ବ୍ୟାରିକେଡ୍ ନଥିବା ପ୍ରାୟ ୧୫ ଫୁଟିଆ ଗଭୀର ସ୍ବେରେଜ୍ ଖାଲରେ ସ୍କୁଟି ସହ ଗଳି ପଡ଼ିଥିଲେ। ସେହି ସମୟରେ କାମ କରୁଥିବା ଠିକାସଂସ୍ଥାର କର୍ମଚାରୀମାନେ ମହିଳାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଅଘଟଣ ଦେଖି ସ୍ଥାନୀୟ ଲୋକଙ୍କ କ୍ରୋଧର ଶିକାର ହେବା ଭୟରେ ଘଟଣାସ୍ଥଳରୁ ଛୁ’ ମାରିଥିଲେ। ମହିଳାଙ୍କ ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକ ଦୌଡ଼ିଯାଇ ତାଙ୍କୁ କୌଣସିମତେ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ମହିଳାଙ୍କ ଅଣ୍ଟା ଓ ହାତରେ ଭୀଷଣ ଆଘାତ ଲାଗି ଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା, ଶିବନଗରରେ ବର୍ଷ ବର୍ଷ ଧରି ସ୍ବେରେଜ୍ କାମ ହେଉଛି। ସରିବାର ନାଁ ଧରୁନାହିଁ। ୱାଟ୍‌କୋଟାରୁ କାମ ପାଇଥିବା ଠିକାସଂସ୍ଥା ରାସ୍ତାକୁ ଖୋଳି ଦେଉଛନ୍ତି, ହେଲେ ଯଥାଶୀଘ୍ର କାମ କରିବା ବଦଳରେ ତାହାକୁ ମାସ ମାସ ଧରି ପକାଇ ରଖୁଛନ୍ତି। ପୂର୍ବରୁ ଲୋକେ ଏହି ପ୍ରସଙ୍ଗରେ ବାରମ୍ବାର ଅଭିଯୋଗ କରିବା ପରେ କିଛିଦିନ କାମ ବନ୍ଦ ରହିଥିଲା। ଏବେ ପୁଣି କାମ ଆରମ୍ଭ ହୋଇଛି। ହେଲେ ପୂର୍ବଭଳି ବେପରୁଆ ଭାବେ ରାସ୍ତାକୁ ଖୋଳା ଯାଇଛି। ଯିବା ଆସିବା ପାଇଁ ମାତ୍ର ଦୁଇହାତ ରାସ୍ତା ବଞ୍ଚିଛି। ସେଠାରେ ମଧ୍ୟ ଠିକାସଂସ୍ଥା ବ୍ୟାରିକେଡ୍ କରି ନାହିଁ କି ‘କାମ ଚାଲୁଛି’ ବୋଲି କୌଣସି ସାଇନବୋର୍ଡ ଲଗାଇନାହିଁ। ଅଣଓସାରିଆ ରାସ୍ତାରେ ଲୋକେ ଯିବାବେଳେ ବାରମ୍ବାର ଦୁର୍ଘଟଣା ଘଟୁଛି। ଘଟଣାସ୍ଥଳରେ ୱାଟ୍‌କୋର କୌଣସି ଯନ୍ତ୍ରୀ କିମ୍ବା ଅନ୍ୟ କର୍ମଚାରୀ ରହୁନାହାନ୍ତି। ଫଳରେ ଠିକାଦାର ମନଇଚ୍ଛା ଖୋଳି ବେପରୁଆ ଭାବେ କାମ କରୁଛନ୍ତି। ଆଜି ଦୁର୍ଘଟଣା ଓ ଲୋକଙ୍କ ଉତ୍ତେଜନା ପରେ ଖୋଳା ହୋଇଥିବା ଉକ୍ତ ଖାଲକୁ ତୁରନ୍ତ ବନ୍ଦ କରି ଦିଆଯାଇଛି। ଦୁର୍ଘଟଣା ସଂପର୍କରେ ବଡ଼ଗଡ଼ ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ କହିଛନ୍ତି, ଅଘଟଣ ଘଟିଛି, କିନ୍ତୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ତେବେ କେବଳ ଏଇ ଗୋଟିଏ ସ୍ଥାନ ନୁହେଁ, ମହାଦେବନଗର, ଜଗନ୍ନାଥନଗର, ଝାରପଡ଼ା, ଜାଗମରା, ରସୁଲଗଡ଼ ଶିଳ୍ପାଞ୍ଚଳ ଭଳି ରାଜଧାନୀର ବିଭିନ୍ନ ସ୍ଥାନରେ ୱାଟ୍‌କୋ ଏଭଳି ମରଣଯନ୍ତା ବସାଇଛି। ଲୋକଙ୍କ ବାରମ୍ବାର ଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ମଧ୍ୟ ୱାଟ୍‌କୋ ତିଳେହେଲେ ଖାତିର ନକରିବାଭଳି ନିଜ କାର୍ଯ୍ୟଶୈଳୀରେ କିଛି ପରିବର୍ତ୍ତନ କରୁନାହିଁ।

ସମ୍ବନ୍ଧିତ ଖବର