ମହଙ୍ଗା ପଡ଼ିଲା ପରିବେଶ ଆଇନ ଉଲ୍ଲଂଘନ: ବସ୍ତା ତହସିଲଦାରଙ୍କ ବିରୋଧରେ ଏତଲା ଦେବାକୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ

ଜଳେଶ୍ଵର: ବାଲେଶ୍ୱର ଜିଲ୍ଲା ବସ୍ତା ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ବେଣାପୁରା ବାଲି ସୈରାତରୁ ପରିବେଶ ଆଇନ ଉଲ୍ଲଂଘନ କରି ବାଲି ଉତ୍ତୋଳନ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ଜାତୀୟ ସବୁଜ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଜିଟି)। ଏହି ମାମଲାର ଅନୁଧ୍ୟାନ କରିବା ପରେ ବସ୍ତା ତହସିଲଦାରଙ୍କ ବିରୋଧରେ ଏତଲା ଦେବାକୁ ବାଲେଶ୍ବର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍‌ଜିଟି। କେବଳ ସେତିକି ନୁହେଁ, ତହସିଲଦାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି। ସେହିପରି ଅନ୍ୟାଦେଶ ପର୍ଯ୍ୟନ୍ତ ଲିଜ୍‌ଧାରୀ ରାଜ୍ୟ ପରିବେଶ ବିଭାଗ ନିକଟରେ ୧ କୋଟି ଟଙ୍କା ଜମା କରିବାକୁ କୁହାଯାଇଛି।

ବସ୍ତା ତହସିଲ ଅଧୀନରେ ଥିବା ସୁବର୍ଣ୍ଣରେଖା ନଦୀତଟ ବେଣାପୁରା ବାଲି ଖାଦାନରୁ ପରିବେଶ ତଥା ଅନ୍ୟ ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇ ଆଖିବୁଜା ବାଲି ଉତ୍ତୋଳନ କରାଯାଉଥିଲା। ଏ ସଂକ୍ରାନ୍ତରେ ବସ୍ତା ଅଞ୍ଚଳର ସରଳ ପରିଡ଼ା ନାମକ ଜଣେ ବ୍ୟକ୍ତି ଏନ୍‌ଜିଟିର ପୂର୍ବାଞ୍ଚଳ କାର୍ଯ୍ୟାଳୟ କୋଲକାତାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ବାଲେଶ୍ୱର ଜିଲ୍ଲାପାଳ, ବସ୍ତା ତହସିଲଦାର, ଜଳସଂପଦ ବିଭାଗର ପ୍ରମୁଖ ସଚିବ, ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ପରିବେଶ ବିଭାଗର ଦୁଇଜଣ ମେମ୍ବର ସେକ୍ରେଟାରି, ବାରିପଦାସ୍ଥିତ ମାଇନିଂ ଅଫିସର, ଖଡ଼ଗପୁରସ୍ଥିତ ରେଳ ଡିଆର୍‌ଏମ୍‌, ବାଲେଶ୍ଵର ଏସ୍‌ପି, ବେଣାପୁରା ବାଲି ଲିଜଧାରୀଙ୍କ ସମେତ ମୋଟ ୧୩ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଅଭିଯୋଗରେ ଦର୍ଶାଯାଇଥିଲା ଯେ, ଉକ୍ତ ସୈରାତରୁ ଅନୁମତିଠାରୁ ଶହେ ଗୁଣ ଅଧିକ ବାଲି ଉତ୍ତୋଳନ ହୋଇଛି। ଫଳରେ ଏହାର ପ୍ରଭାବ ପରିବେଶ ଉପରେ ପଡ଼ିବା ସହ ନଦୀକୂଳବାସୀ ଅସୁବିଧା ଭୋଗୁଛନ୍ତି। ସେହିପରି ଉକ୍ତ ସୈରାତର ଅତି ନିକଟରେ ଥିବା ରେଳବାଇ ପୋଲ ମଧ୍ୟ ବିପଦ ମଧ୍ୟକୁ ଚାଲିଯାଇଛି।

ସମ୍ବନ୍ଧିତ ଖବର