ଜୟପୁର: ଗତ ୫ବର୍ଷ ତଳେ ବାରିଣୀପୁଟ-ବୋରିଗୁମ୍ମା ଜାତୀୟ ରାଜପଥର ପ୍ରଶସ୍ତିକରଣ କାମ ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ଧାର୍ଯ୍ୟ ସମୟ ୩ଥର ସରିବା ପରେ ପୁନଃନବୀକରଣ କରି କାମ ଜାରି ରହିଛି। ଏହି ୨୬ କିଲୋମିଟର ରାସ୍ତା ମଧ୍ୟରେ ୫ଟି ପୋଲ କରିବାକୁ ଠିକା ସଂସ୍ଥା ଚୁକ୍ତି କରିଥିଲା। ଏଥିରୁ ଜୟନ୍ତଗିରୀ ମୁଖ୍ୟ କେନାଲ ଉପରର ପୋଲ ନିର୍ମାଣ କରିବ ନାହିଁ ବୋଲି ଠିକା ସଂସ୍ଥା କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟକୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି ଏସଡିଓ ରବିନ୍ଦ୍ର କୁମାର ବେହେରା। ସୂଚନା ଅନୁଯାୟୀ, ଗତ ୫ବର୍ଷ ତଳେ ବାରିଣୀପୁଟରୁ ବୋରିଗୁମ୍ମା ପର୍ଯ୍ୟନ୍ତ ଜାତୀୟ ରାଜପଥର ପ୍ରଶସ୍ତିକରଣ ଓ ପୁନଃରୁଦ୍ଧାର କାମ ଆରମ୍ଭ ହୋଇଥିଲା। ଧିରେ ସୁସ୍ଥେ ଠିକା ସଂସ୍ଥା କାମ କରିବା ଏବଂ କୋଭିଡ୍ ଆଦି ମଧ୍ୟରେ ଧାର୍ଯ୍ୟ ସମୟସୀମାରେ ଏହାର କାମ ସରିନାହିଁ। ୨୬ କିଲୋମିଟର ରାସ୍ତା ମଧ୍ୟରେ ୫ଟି ବଡ଼ ବଡ ପୋଲର ପ୍ରଶସ୍ତିକରଣ କରିବାକୁ ସଂସ୍ଥା ପକ୍ଷରୁ ଡିଜାଇନ୍ ଦେବା ସହ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଳାୟ ସହ ଚୁକ୍ତି ବି କରିଥିଲା।
୫ବର୍ଷ ପରେ ଏବେ ଠିକା ସଂସ୍ଥା ଜୟନ୍ତଗିରୀ ନିକଟରେ ଥିବା ମୁଖ୍ୟକେନାଲ ଉପରର ପୋଲର ପ୍ରଶସ୍ତିକରଣ କାମ କରିପାରିବ ନାହିଁ ବୋଲି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟକୁ ଜଣାଇଛି। ଏହା ସହ ଅନ୍ୟ ୪ଟି ମଧ୍ୟରୁ ବାରିଣୀପୁଟ ଓ କୁମୁଲିପୁଟ ନିକଟସ୍ଥ ୨ଟି ପୋଲର କାମ ସରିଥିବାବେଳେ ଉମୁରୀ ନିକଟ ପୋଲର କାମ ଶେଷ ପର୍ଯ୍ୟାୟରେ ରହିଥିବା କହିଛନ୍ତି ଏସଡିପିଓ । ରଣ୍ଡାପାଲ୍ଲୀ ନିକଟ ପୋଲ କାମ ୫ବର୍ଷ ସରି ଆସୁଥିବାବେଳେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରି ନାହିଁ। ଅପରପକ୍ଷରେ ଉମୁରୀ ପୋଲର ଗୋଟିଏ ପାର୍ଶ୍ବର ଆପ୍ରୋଚ ରାସ୍ତାରୁ ମାଟି ଧସୁଥିବା ଦେଖିବାକୁ ମିଳିଛି। କୁମୁଲିପୁଟ ପୋଲର ଆପ୍ରୋଚ ରାସ୍ତାର ଅବସ୍ଥା ନ କହିବା ଭଲ। ଏବେ ଠାରୁ ଛୋଟ ବଡ ଖାଲ ହୋଇଯାଇଛି। ପୁରୁଣା ରାସ୍ତା ସହ ନୂଆ ରାସ୍ତା ସମତୁଲ ନଥିବାରୁ ଛୋଟ ବଡ ଦୁର୍ଘଟଣା ହେଉଛି। ଉମୁରୀ ପୋଲ ନିକଟରେ ଗତ ୮ମାସ କାମ ସରୁନଥିବା ବେଳେ ଏଠାରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ହେବା ନିୟମିତ ହୋଇଯାଇଛି। ରାସ୍ତା ପ୍ରଶସ୍ତିକରଣ ସମୟରେ ଯାହାକୁ ପ୍ରାଥମିକତା ଦେଇ କରିବା କଥା ତାହା ନ କରି ଏବେ ଠିକା ସଂସ୍ଥା ଧିରେସୁସ୍ଥେ କରିବା ଏବଂ କେନାଲ ନିକଟ ପୋଲର କାମ କରିବାରୁ ଓହରିଯିବା କେତେ ଦୁର ଯୁକ୍ତି ଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଉଠିଛି।