ନିଷ୍ପତ୍ତିର ଅଢ଼େଇ ବର୍ଷ ପରେ ବି ଉତ୍ତରେଶ୍ବର ଗଳାପୋଲ ସଂପ୍ରସାରଣ କାମ ଆରମ୍ଭ ହେଲାନି

ସମସ୍ୟା ଭୋଗୁଛନ୍ତି ଲୋକେ, ଆନ୍ଦୋଳନ ଚେତାବନୀ

ସୋର: ଆଗପଛ ବିଚାର ନ କରି ଜାତୀୟ ରାଜପଥରେ ଅଳ୍ପ ଉଚ୍ଚ ତଥା ଅଣଓସାରିଆ ଗଳାପୋଲ ନିର୍ମାଣ କରିଦେଲେ। ଯାହାଫଳରେ ବର୍ଷ ବର୍ଷ ହେଲା ଟ୍ରାଫିକ୍‌ ସମସ୍ୟା ଲାଗି ରହିଛି। ସମାଧାନ ପାଇଁ ଲୋକେ ବାରମ୍ବାର ଦାବି କରୁଥିଲେ ବି ଫଳ ମିଳୁନି।

୨୦୧୦ ମସିହାରେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ-ଫୁଲାଡ଼ି ମଧ୍ୟରେ ୪ ଥାକିଆ ରାସ୍ତା ନିର୍ମାଣ କାମ ସରିଥିଲା। ତେବେ ବିଭାଗୀୟ ଅଧିକାରୀଙ୍କ ଦୂରଦର୍ଶିତା ଅଭାବରୁ କେତେକ ଜନଗହଳିପୂର୍ଣ୍ଣ ସ୍ଥାନରେ ସଂକୀର୍ଣ୍ଣ ଗଳାପୋଳ ନିର୍ମାଣ କରାଯାଇଥିଲା। ସୋର ଉତ୍ତରେଶ୍ୱରଠ‌ାରେ ମଧ୍ୟ ସେହିପରି ଏକ ଗଳାପୋଲ ନିର୍ମାଣ ହୋଇଥିଲା। ଯାହାକୁ ସୋରବାସୀ ବିରୋଧ କରିଥିଲେ। ହେଲେ କର୍ତ୍ତୃପକ୍ଷ କର୍ଣ୍ଣପାତ କରି ନଥିଲେ। ୨୦୧୯ ମସିହାରେ ୬ ଥାକିଆ ରାଜପଥ କାମ ଆରମ୍ଭ ହୋଇଥିଲା।

ବ୍ରିଜ୍‌ଗୋପାଲ କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନି ରାଜପଥ କାମ କରୁଛି। ଏପରି ସମୟରେ ଉତ୍ତରେଶ୍ୱର ଗଳାପୋଲକୁ ଭାଙ୍ଗି ଉଚ୍ଚ ଓ ଓସାରିଆ କରାଯିବା ନେଇ ୨୦୧୯ ଡିସେମ୍ବର ୭ ତାରିଖ ଦିନ ପିଡି ନାଗେଶ୍ୱର ରାଓଙ୍କ ସହ ଭଦ୍ରକ ସାଂସଦ, ସୋର ବିଧାୟକ ଓ ଜିଲ୍ଲାପାଳ ମିଳିତ ସମୀକ୍ଷା କରିଥିଲେ। ହେଲେ କିଛି ଫଳ ମିଳି ନଥିଲା। ଯାହାଦ୍ବାରା ସୋରବାସୀ ଉତ୍ତ୍ୟକ୍ତ ହୋଇ ବରଫ କଳ ନିକଟରେ ଚାଲିଥିବା ବ୍ରିଜ୍ କାମକୁ ବନ୍ଦ କରିଦେଇଥିଲେ। ୨୦୨୦ ଫେବ୍ରୁଆରି ୧୦ ତାରିଖ ଦିନ ଭଦ୍ରକ ସାଂସଦ ମଞ୍ଚୁଲତା ମଣ୍ଡଳ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀଙ୍କ ସହ ସାକ୍ଷାତ କରି ସମସ୍ୟା ବାବଦରେ ଆଲୋଚନା କରିଥିଲେ।

୨୦୨୦ ମସିହା ଫେବ୍ରୁଆରି ୨୧ ତାରିଖ ଦିନ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦେଶରେ ଜାତୀୟ ରାଜପଥ ରାଜ୍ୟ ଆଞ୍ଚଳିକ ଅଧିକାରୀ, ସିଜିଏମ୍‌ ଓ ନିର୍ମାଣକାରୀ କମ୍ପାନିର ଅଧିକାରୀଙ୍କ ସହ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ସୋର ବିଧାୟକ ପର୍ଶୁରାମ ଧଡ଼ା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଆଲୋଚନା କରି ଉତ୍ତରେଶ୍ୱର ଗଳାପୋଲ ସାଡ଼େ ୫ ମିଟର ଓଚ୍ଚ ଓ ୨୪ ମିଟର ଓସାର କରିବା ସହ କଲେଜ ଛକ ଓ ବାହାନଗା ଗଳାପୋଲ ୫ ମିଟର ଉଚ୍ଚ ଓ ୧୨ ମିଟର ଓସାର କରିବା ନେଇ ହୋଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା ‌ଦେଇଥିଲେ। ତେବେ ଏଇଭିତରେ ଅଢ଼େଇ ବର୍ଷ ବିତିଯାଇଛି। କିନ୍ତୁ ଉତ୍ତରେଶ୍ୱର ଗଳାପୋଲ ସଂପ୍ରସାରଣ ନେଇ କାମ ଆରମ୍ଭ ହୋଇନାହିଁ। ଫଳରେ ପୂର୍ବ ପରି ଟ୍ରାଫିକ୍‌ ସମସ୍ୟା ଲାଗିରହିଛି। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ କାର୍ଯ୍ୟ ଆରମ୍ଭ ନହେଲେ ଆନ୍ଦୋଳନ ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର