ଗଞ୍ଜାମର ୨୦ ଉପନିବନ୍ଧକ କାର୍ଯ୍ୟାଳୟରୁ ୧୭ କା’ରେ ଚାଲିଛି, ମାତ୍ର ୩ ନିୟମିତ ଉପନିବନ୍ଧକ

ତହସିଲଦାର ଓ ଏଟିଓଙ୍କ କାନ୍ଧରେ ଅତିରିକ୍ତ ବୋଝ 

ଭଞ୍ଜନଗର: ଜମିଜମା ଠାରୁ ଆରମ୍ଭ କରି ଘର,ପ୍ଲଟ୍ ଆଦି କିଣାବିକା କରିବା ସମୟରେ ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ପଞ୍ଜୀକୃତ କରିବାକୁ ପଡିଥାଏ। ଏଥିସହ ବିବାହ ପଞ୍ଜୀକରଣ, ୱିଲ୍ନାମା, ଦତ୍ତ କରିବା, କ୍ଷମତା ପତ୍ର ଆଦି ପଞ୍ଜୀକୃତ ଏହି କାର୍ଯ୍ୟାଳୟ ଦ୍ବାରା ହୋଇଥାଏ। ଆବଶ୍ୟକତା ଦୃଷ୍ଟି କୋଣରୁ ସବ୍ରେଜିଷ୍ଟ୍ରି କାର୍ଯ୍ୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଶଳେ ଆବଶ୍ୟକ ମୁତାବକ ଅଧିକାରୀ ଅଭାବ ଯୋଗୁ ଲୋକମାନେ କିଭଳି ସୁବିଧା ପାଉଥିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗଞ୍ଜାମ ଜିଲ୍ଲାରେ ଅଧିକାଂଶ କାର୍ଯ୍ୟାଳୟରେ କା’ରେ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଜିଲ୍ଲାରେ ୨୦ ଟି ଉପନିବନ୍ଧକ କାର୍ଯ୍ୟାଳୟ ରହିଥିବା ବେଳେ କେବଳ ୩ ଗୋଟି କାର୍ଯ୍ୟାଳୟରେ ନିୟମିତ ଉପନିବନ୍ଧକ ଅଧିକାରୀ ରହିଥିବା କବିସୂର୍ଯ୍ୟନଗର ଅଞ୍ଚଳର ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ବି.ଶଙ୍କର ପାତ୍ର ସୂଚନା ଅଧିକାର ବଳରେ ପାଇଥିବା ତଥ୍ୟରୁ ଜଣାପଡିଛି। ଏଭଳି କି ଜିଲ୍ଲା ଉପନିବନ୍ଧକ ପଦବୀ ମଧ୍ୟ ଅତିରିକ୍ତ ଦାୟିତ୍ବରେ ଚାଲିଛି। ଯାହା ଫଳରେ ଅଧିକାରୀ ମାନେ ନିଜ ମୂଳ ପଦବୀରେ ଥିବା କାର୍ଯ୍ୟ ସଠିକ୍ ଭାବେ କରିପାରୁଛନ୍ତି ନା ଉପନିବନ୍ଧକ କାର୍ଯ୍ୟାଳୟକୁ ଆବଶ୍ୟକୀୟ ସମୟ ଦେଇପାରୁଛନ୍ତି। ଏଭଳି ସ୍ଥିତିରେ ସରକାରଙ୍କ ୫ ଟି କିଭଳି କାର୍ଯ୍ୟକାରୀ ହେଉଥିବ ଏବଂ ଲୋକ ମାନେ କିଭଳି ସେବା ପାଇ ପାରୁଥିବେ ତାହା ସ୍ପଷ୍ଟ ଅନୁମେୟ।

ଜନସଂଖ୍ୟା ବୃଦ୍ଧି ସହ ସହର ଓ ଗ୍ରାମାଞ୍ଜଳର ନବେକଳବର ସମାନ୍ତରାଳରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟୋକ ଦିନ ବିଭିନ୍ନ କାମ ନେଇ ଉପନିବନ୍ଧକ କାର୍ଯ୍ୟାଳୟକୁ ଆସୁଥିବା ବେଳେ କୋଟି କୋଟି ଟଙ୍କାର କିଣାବିକା କାରବାରର ଏହି କାର୍ଯ୍ୟାଳୟରେ ପଞ୍ଜୀକରଣ ହୋଇଥାଏ। ଏହା ମଧ୍ୟରେ ଅନେକ ଦଲାଲ୍ ଓ ଅସାଧୁ ବ୍ୟକ୍ତି ମାନେ ସେମାନଙ୍କ ସ୍ବାର୍ଥ ସାଧନ ପାଇଁ ଠକେଇର ବିଭିନ୍ନ ରାସ୍ତା ଆପଣାଇଥାନ୍ତି। ସଠିକ୍ ଭାବେ କାଗଜପତ୍ର ଲେଖା ହେଉଛି ନା ନାର୍ହି,ସଠିକ୍ ଲୋକ କିଣାବିକା କରୁଛନ୍ତି ନା ନାହିଁ,କିଣାବିକା ଜମିର ମୂଲ୍ୟ ଠିକ୍ ଅଛି ନା ନାହିଁ,ଦସ୍ତାବିଜ୍ ଅସଲି ନା ନକଲି ଆଦି ପଞ୍ଜୀକରଣ ସମୟରେ ଯାଞ୍ଚ କରିବା ଉପନିବନ୍ଧକ କାର୍ଯ୍ୟ ରହିଥିବା ବେଳେ ଅତିରିକ୍ତ ଦାୟିତ୍ବ ଏତେ ସବୁ କାର୍ଯ୍ୟ କରିବା ଜଣେ ଅଧିକାରୀ ପକ୍ଷେ ଏକ ପ୍ରକାର ଅସମ୍ଭବ। ଅନ୍ୟପକ୍ଷରେ ତହସିଲଦାର ଏବଂ ଅତିରିକ୍ତ ତହସିଲଦାରଙ୍କୁ ଏହି କାର୍ଯ୍ୟାଳୟର ଦାୟିତ୍ବ ପ୍ରଦାନ କରାଯାଇଛି। ବ୍ରହ୍ମପୁର-୨,ବୁଗୁଡ଼ା ଏବଂ ପାତ୍ରପୁର ଠାରେ ନିୟମିତ ଉପନିବନ୍ଧକ ରହିଛନ୍ତି।

ଛତ୍ରପୁର ଜିଲ୍ଲା କାର୍ଯ୍ୟାଳୟରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଅତିରିକ୍ତ ଦାୟିତ୍ବରେ ଥିବା ବେଳେ ବ୍ରହ୍ମପୁର-୧ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଦାୟିତ୍ବରେ ରହିଛନ୍ତି। ସେହିପରି କବିସୂର୍ଯ୍ୟନଗର,ଖଲିକୋଟ,ଚିକିଟି,ଗଞ୍ଜାମ,କୋେଦଳା,ପୋଲସରା ଏବଂ ଶେରଗଡରେ ସଂପୃକ୍ତି ଅଞ୍ଚଳର ତହସିଲଦାର ମାନେ ଅତିରିକ୍ତ ଦାୟିତ୍ବରେ ରହିଛନ୍ତି। ସେହିପରି ଭଞ୍ଜନଗରରେ ଉପନିବନ୍ଧକ ଭାବେ ବେଲଗୁ୍ଣ୍ଠା ଅତିରିକ୍ତ ତହସିଲଦାର,ଆସିକାରେ ଉପନିବନ୍ଧକ ଭାବେ  ଶେରଗଡ ଅତିରିକ୍ତ ତହସିଲଦାର,ଦିଗପହଣ୍ଡି,ହିଞ୍ଜିଳି,ପୁରୁଷୋତ୍ତମପୁର,ସୋରଡ଼ା,କନିଷି ଏବଂ କୁକୁଡାଖଣ୍ଡିରେ ଅତିରିକ୍ତ ତହସିଲଦାର ମା୍ନେ ଉପନିବନ୍ଧକ ଦାୟିତ୍ବରେ ରହିଥିବା ଶ୍ରୀ ପାତ୍ର ପାଇଥିବା ସୂଚନା ଅଧିକାର ଜରିଆରେ ଜଣାପଡିଛି। ଏଭଳି ସ୍ଥିତିରେ ଜିଲ୍ଲାରେ ଆଉ କିଛି ଉପନିବନ୍ଧକ କାର୍ଯ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଛି। ପୁରୁଣାରେ କାର୍ଯ୍ୟାଳୟ ପାଇଁ ନିୟମିତ ଅଧିକାରୀ ନିଯୁକ୍ତି ଦିଆଯାଇ ପାରୁନଥିବା ବେଆଳେ ନୂତନ କାର୍ଯ୍ୟାଳୟ କିଭଳି ଖୋଲାଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ରାଜସ୍ବ ଆଦାୟ କରିବା ସହ ରାଜସ୍ବ ସେବା ପ୍ରଦାନ କରିବା ତହସିଲ କାର୍ଯ୍ୟାଳୟର ପ୍ରମୁଖ କାର୍ଯ୍ୟ। ବିଶେଷ କରି ଖଜଣା ଆଦାୟ ଠାରୁ ଆରମ୍ଭ କରି ଜମିପଟ୍ଟା ପ୍ରଦାନ,ପ୍ରମାଣ ପତ୍ର,ଆଇନଶୃଙ୍ଖଳା,ଲଘୁ ଖଣିଜ ଦ୍ରବ ବେଆଇନ ଚାଲଣ ଉପରେ ଚଢଉ ସହ ମାଜିଷ୍ଟ୍ରେଟ୍ ଦାୟିତ୍ବ ତହସିଲଦାର ମାନଙ୍କ ରହିଥିବାରୁ ଉଭୟ କାର୍ଯ୍ୟାଳୟକୁ ପରିଚାଳନା କରିବା କେତେ ଦୂର ସମ୍ଭବ ହେଉଥିବା ପ୍ରଶ୍ନ ତାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟରେ ଗଞ୍ଜାମ ଜିଲ୍ଲା ଏକ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ଭାବେ ପରିଗଣିତ ହେଉଥିବା ବେଳେ ଏହା ଖୋଦ ରାଜ୍ୟ ମୁଖିଆଙ୍କ ନିର୍ବଚାନ ମଣ୍ଡଳୀ ଜିଲ୍ଲା। ତା ସାଙ୍ଗକୁ ଅନେକ ବରିଷ୍ଠ ମନ୍ତ୍ରୀ ଏବଂ ଶାସକ ଦଳର ବହୁ ବରିଷ୍ଠ ବିଧାୟକ ଏହି ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ବେଳେ ଉପନିବନ୍ଧକ କାର୍ଯ୍ୟାଳୟ ଗୁଡ଼ିକର ସମସ୍ୟା ପ୍ରତି କେହି ଗୁରୁତ୍ବ ଦେଉନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର