ଛତିଶଗଡ଼ରେ ୩ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରେସ ବିଜ୍ଞପ୍ତି ଜାରି କଲା ଦରଭା ଡିଭିଜନର ସଚିବ ସାଇନାଥ

ମାଲକାନଗିରି: ଗତ ୩୧ ତାରିଖରେ ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର କୁଞ୍ଜରାସ ଠାରେ ଡିଆରଜି ଯବାନ ମାଓ ସଂଗଠନର ୩ ଜଣ ମହିଳା ମାଓବାଦୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ନେଇ ଆଜି ଦରଭା ଡିଭିଜନର ସଚିବ ସାଇନାଥ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି। ମୃତ୍ୟୁବରଣ କରିଥିବା ମହିଳା ନକ୍ସଲ ମାନଙ୍କ ମଧ୍ୟରୁ ଜଣେ ହେଲେ ଗୀତା ମାଡକାମ। ଗୀତା ସଂଗଠନରେ ଏସିଏମ ରେଙ୍କରେ ଥିଲେ। ୨୦୦୯ ମସିହାରେ ସେ ପାର୍ଟିରେ ଯୋଗ ଦେଇଥିଲେ। ଏବେ ସେ ଡିକେଏମଏସର ଅଧ୍ୟକ୍ଷ ପଦବୀରେ ମଧ୍ୟ ଥିଲେ। ଦ୍ବିତୀୟ ହେଲେ ଜ୍ୟୋତି ନୁପ୍ପୋ। ୨୦୧୦ରେ ସେ ପାର୍ଟିରେ ସାମିଲ ହୋଇ ୧୦ ବର୍ଷ ହେଲା ନିଜର କାର୍ଯ୍ୟ ସୂଚାରୁରୂପେ କରୁଥିଲେ। ତାଙ୍କର ସ୍ବାସ୍ଥ୍ୟ ଖରାପ ଥିଲେ ମଧ୍ୟ ସେ ନିୟମିତ କାମ କରୁଥିଲେ। ନୁପ୍ପୋ ଚେତନା ନାଟ୍ୟ ମଣ୍ଡଳର ଅଧ୍ୟକ୍ଷ ରୂପେ କାମ କରୁଥିଲେ। ତୃତୀୟ ମହିଳା ନକ୍ସଲ ହେଲେ କୋସି ମାଣ୍ଡବି। ୨୦୧୩ ମସିହାରୁ ସେ ପିଏଲଜିଏରେ ସଦସ୍ୟ ରୂପେ ଯୋଗ ଦେଇ କାମ କରୁଥିଲେ। କୋସିର ଭଉଣୀ ସୁକ୍କି ମାଓ କମାଣ୍ଡର କମଲେଶ ସହ ବିବାହ କରିଥିଲେ। ତେବେ ସୁକ୍କି ଏବଂ କମଲେସ ପୁଲିସ ଗ୍ୟାଙ୍ଗରେ ସାମିଲ ହୋଇଥିବା ମାଓନେତା ସାଇନାଥ କହିଛନ୍ତି। ଏହି ତିନି ମହିଳା ନକ୍ସଲ ପାର୍ଟି ପାଇଁ ସମ୍ପଦ ଥିଲେ। ଏମାନଙ୍କୁ ହରାଇ ପାର୍ଟି ଏକ ପ୍ରକାର ଦୁର୍ବଳ ହୋଇଥିବା ସାଇନାଥ କହନ୍ତି। ସରକାର ଆଜାଦୀ କା ମହୋତ୍ସବ ମିଥ୍ୟାରେ ପାଳନ କରୁଛନ୍ତି।

Sambad

ଏହାସହ ଛତିଶଗଡ ସ୍ଥାପନା ଦିବସ ମଧ୍ୟ ପାଳନ କରୁଛନ୍ତି। ଆଦିବାସୀଙ୍କ ଅଧିକାର ପାଇଁ ଭିଟାମାଟିର କଥା ମଧ୍ୟ କହୁଛନ୍ତି। ଅନ୍ୟ ପକ୍ଷରେ ଆଦିବାସୀଙ୍କୁ ଅଧିକାର ଦେଉଥିବା ପେଶା କାନୁନର ଅବମାନନା କରୁଛନ୍ତି। ଗ୍ରାମସଭା ନକରି ପ୍ରାକୃତିକ ସମ୍ପଦକୁ ଲୁଟ କରି ଚାଲିଛନ୍ତି। ବଡବଡ କମ୍ପାନୀ ଏବଂ କୋରପୋରେଟ ମାନଙ୍କୁ ମୂଲ୍ୟବାନ ସଂପତ୍ତି ଟେକି ଦେଉଛନ୍ତି। କୁଞ୍ଜରାସ ଠାରେ ଏହି ତିନି ମହିଳା ନିରାସ୍ତ୍ର ଥିଲେ। ଏମାନଙ୍କୁ ପୁଲିସ ଧରି ପାରିଥାନ୍ତା। କିନ୍ତୁ ଜାଣିଶୁଣି ଏମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ପୁଲିସ ବୋଲି ସାଇନାଥ ଅଭିଯୋଗ କରିଛନ୍ତି। ଏହି ହତ୍ୟାକୁ ସମସ୍ତେ ନିନ୍ଦା କରନ୍ତୁ। ମୂଳବାସୀ ନିଜର ଅଧିକାର ପାଇଁ ଲଢେଇ କରୁଛନ୍ତି। ଏହି ହତ୍ୟାକାଣ୍ଡର ନ୍ୟାୟିକ ଯାଞ୍ଚ କରାଯାଉ ବୋଲି ଦାବି କରିଛି ମାଓ ସଂଗଠନ।

ସମ୍ବନ୍ଧିତ ଖବର