ବିଜେଡିରେ ସାମିଲ ହେବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ପ୍ରଦୀପ ମାଝୀ

ଭୁବନେଶ୍ବର: ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ଗତ କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ପ୍ରଦୀପଙ୍କ ସହିତ ତାଙ୍କର ସମର୍ଥକମାନେ ମଧ୍ୟ ଶୋଭାଯାତ୍ରାରେ ଆସି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ନବରଙ୍ଗପୁର ସହରର ସର୍କିଟ୍ ହାଉସ ଆଗରେ ଥିବା ପଡ଼ିଆରେ ପ୍ରସ୍ତୁତ ମଞ୍ଚରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ  ନବରଙ୍ଗପୁର ଜିଲ୍ଲାର ବିଧାୟକ ଓ ନେତାମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ବିଜେଡିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମାଝୀ । ପ୍ରଦୀପ ମାଝୀ କହିଛନ୍ତି, ‘ ବିଜେଡିରେ ମିଶିବା ସାମୂହିକ ନିଷ୍ପତ୍ତି । ମୋ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ । ପୂର୍ବରୁ ଲୋକଙ୍କ ପାଇଁ କାମ କରୁଥିଲି ଏବେବି କରିବି । ଦଳ ପରିବର୍ତ୍ତନ ହୋଇଛି ହୃଦୟ ପରିବର୍ତ୍ତନ ହୋଇନି । ପୂର୍ବରୁ ଲୋକଙ୍କ ପାଇଁ ଯେଉଁ ସ୍ୱର ଉଠାଉଥିଲି ଏବେ ବି ତାହା ଜାରି ରହିବ । ମୋ ହୃଦୟ କେବେ ବି ବଦଳିବନି । କଂଗ୍ରେସରେ ରହିଲେ ମୁଁ ମୋ ଅଞ୍ଚଳ ବିକାଶ କରିପାରିବିନି । ତେଣୁ ମୁଁ ବିଜେଡିରେ ଯୋଗ ଦେଇଛି । କୋରାପୁଟର ବିକାଶ ପାଇଁ ସମସ୍ତ ପ୍ରକାର ବଳିଦାନ ଦେବାକୁ ମୁଁ ପ୍ରସ୍ତୁତ ଅଛି । ୮ରୁ ୯ ମାସ ହେବ ଆମେ ସ୍ଥିର କରିସାରିଥିଲୁ ବିଜେଡିରେ ମିଶିବୁ ବୋଲି ।

ଲୋକଙ୍କ ସ୍ୱର୍ଥରେ ଆଞ୍ଚ ଆସିଲେ ଏନେଇ ସରକାରଙ୍କୁ ଅବଗତ କରାଇବୁ । ଦଳରେ ମୋର କଣ ଭୂମିକା ରହିବ ସେନେଇ ସଭାପତି ନିଷ୍ପତ୍ତି ନେବେ । ବିଜେପିରେ ମିଶିବା ନେଇ ମତେ ଫୋନ ଆସିଥିଲା ହେଲେ ମୁଁ ବିଜେଡିରେ ମିଶିବାକୁ ପସନ୍ଦ କରିଥିଲି । କାରଣ କଂଗ୍ରେସ ଓ ବିଜେଡିର ଆଦର୍ଶ ସମାନ।’

ସେହିପରି ମମିତା ମାମଲା ବିଷୟରେ କହିଛନ୍ତି କି, କୁନ୍ଦୁଲି ଓ ମମିତା ମାମଲା ପୂରା ଭିନ୍ନ । କୁନ୍ଦୁଲିରେ ଅଭିଯୁକ୍ତ ଧରାପଡି ନଥିଲା । ଯେଉଁଥିପାଇଁ ଆମ ମନରେ ଏବେ ବି କ୍ଷୋଭ ରହିଛି । ହେଲେ ମମିତା ମାମଲାକୁ ଏହା ସହ ତୁଳନା କରିବା ଠିକ ନୁହେଁ । କାରଣ ମମିତା ମାମଲାରେ ଅଭିଯୁକ୍ତ ଏବେ କାଠଗଡାରେ ଠିଆ ହୋଇଛି ।

 

ସମ୍ବନ୍ଧିତ ଖବର