ରାଇରଙ୍ଗପୁରରେ ‘ବେଟି ବଚାଓ ବେଟି ପଢ଼ାଓ’ କାର୍ଯ୍ୟକ୍ରମ

ରାଇରଙ୍ଗପୁର: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ‘ବେଟି ବଚାଓ ବେଟି ପଢାଓ’ ଯୋଜନା ଓ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟର ମିଳିତ ଆନୁକୂଲ୍ୟରେ ଆମ ଝିଅ ଆମ ସ୍ୱାଭିମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ୨୪ ଘଣ୍ଟା ମଧ୍ୟରେ ଉପଖଣ୍ଡ ଚିକିତ୍ସାଳୟରେ ଜନ୍ମ ହୋଇଥିବା ନବଜାତ ଶିଶୁକନ୍ୟାଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କ ମାଆ ମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ୨୦ ଜଣ ଶିଶୁ କନ୍ୟା ଓ ମାଆମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ବିନିତ୍ ଭରଦ୍ୱାଜ୍ ନବଜାତ କନ୍ୟାଙ୍କ ପରିବାର ସଦସ୍ୟକୁ ସାକ୍ଷାତ କରି ଶିଶୁକନ୍ୟାଙ୍କ ଉତ୍ତମ ଯତ୍ନ ନେବା ପାଇଁ ପରାମର୍ଶ ଦେବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଜିଲ୍ଲାରେ ପ୍ରତି ହଜାରେ ଶିଶୁ ପୁତ୍ରରେ ୮୫୬ ଶିଶୁକନ୍ୟା ଜନ୍ମ ଲାଭ କରୁଛନ୍ତି, ଯାହାକି ବର୍ତ୍ତମାନ ପାଇଁ ଏକ ଉଦବେଗ ଜନକ ପରିସ୍ଥିତି ବୋଲି କହିଥିଲେ।

ଏହି ଅନୁପାତକୁ ହ୍ରାସ କରିବା ପାଇଁ ଲିଙ୍ଗ ନିରୂପଣ ତଥା କନ୍ୟା ଭୃଣ ହତ୍ୟା ଭଳି ବିକୃତ ମାନସିକତାକୁ ସମାଜରୁ ଦୂର କରିବା ପାଇଁ ସଚେତନତା କରିବାକୁ ପରାମର୍ଶ ଦେଇଥିଲେ। ଶିଶୁ ସୁରକ୍ଷା ୟୁନିଟର ମୁଖ୍ୟ ମମତାମୟୀ ବିଶ୍ୱାଳ ଯୋଗଦେଇ ତାଙ୍କ ଅଭିଭାଷଣରେ କହିଲେ ଯେ ସଚେତନତା ମାଧ୍ୟମରେ ହିଁ ଆମେ ପୁଅ ଝିଅ ମଧ୍ୟରେ ଥିବା ମାନସିକ ଲିଙ୍ଗ ଗତ ପାର୍ଥକକୁ ରୋକି ପାରିବା ଏବଂ ଯେଉଁ କାମ ପୁଅ ମାନେ କରି ପାରିବେ ସେହି କାମ ଝିଅମାନେ ମଧ୍ୟ କରି ପାରିବେ। ମୟୂରଭଞ୍ଜର ଉନ୍ନତିରେ ଝିଅ ମାନଙ୍କର ଯୋଗଦାନକୁ ତରାନ୍ୱିତ କରିବାକୁ ପଡିବ ବୋଲି ଶ୍ରୀମତୀ ବିଶ୍ୱାଳ କହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଉପଖଣ୍ଡ ଚିକିତ୍ସ୍ୟାଳୟର ଏସଡିଏମଓ ଡାକ୍ତର ରବୀନ୍ଦ୍ରନାଥ ମାରାଣ୍ଡି, ହସ୍ପିଟାଲ ମ୍ୟାନେଜର ଲିପ୍ସା ରାଜନନ୍ଦିନୀ ମହାପାତ୍ର, ଆକାଉଟାଣ୍ଟ ବିରଜା ଦାସ, ପରାମର୍ଶଦାତା ବୈକୁଣ୍ଠ ନାଥ ସାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର