ଗଙ୍ଗୁଆ ନାଳର ପ୍ରଦୂଷିତ ଜଳ ଦୟାନଦୀ ଦେଇ ଚିଲିକାରେ ମିଶିବା ପ୍ରସଂଗ: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସତ୍ୟପାଠ ଦାଖଲ

ଭୁବନେଶ୍ବରରେ ରହିଛି ୯୮୮ କିମି ସ୍ବେରେଜ ନେଟୱର୍କ, ୧ ଲକ୍ଷ ୯ ହଜାର ୬୪୪ ଘରକୁ ଦିଆଯାଇଛି ସ୍ବେରେଜ ସଂଯୋଗ

କଟକ: ଚିଲିକାରେ ଗଙ୍ଗୁଆ ନାଳର ପ୍ରଦୂଷିତ ଜଳ ଦୟାନଦୀ ଦେଇ ପ୍ରବେଶ କରିବା ପ୍ରସଂଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ୨୦୨୩ ଜୁଲାଇ ୧୯ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗଙ୍ଗୁଆ ନାଳର ପୁନରୁଦ୍ଧାର ପ୍ରସଂଗରେ ଆଲୋଚନା କରାଯାଇଥିଲା। ଭୁବନେଶ୍ବର ସହରର ବର୍ଜ୍ୟଜଳ ବିଶୋଧନ ନ ହୋଇ ୧୦ଟି ପ୍ରାକୃତିକ ନାଳ ଦେଇ ଗଙ୍ଗୁଆରେ ପ୍ରବେଶ କରିବା ପ୍ରସଂଗରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ବୈଠକରେ ସବୁ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବୈଠକରେ ବିଡିଏ ଉପାଧ୍ୟକ୍ଷ ଭୁବନେଶ୍ବରରେ ବର୍ଜ୍ୟଜଳ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରସଂଗରେ ଗ୍ରହଣ କରାଯଇଥିବା ପଦକ୍ଷେପ ସଂକ୍ରାନ୍ତରେ ତଥ୍ୟ ଉପସ୍ଥାପନ କରିଥିଲେ। ମେହେରପଲି, ବାସୁଆଘାଇ, ପାଇକାରାପୁର, ରୋକଡ, କୋଚିଲାପୁଟରେ ୫ଟି ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ନିର୍ମାଣ କରାଯାଇଛି। ଭୁବନେଶ୍ବର ସହରର ସ୍ବେରେଜ ପ୍ରକଳ୍ପକୁ ୱାଟକୋକୁ ହସ୍ତାନ୍ତର କରାଯାଛି। ଭୁବନେଶ୍ବର ସହରରେ ୯୮୮.୦୬ କି.ମି. ସ୍ବେରେଜ ନେଟୱର୍କ ରହିଛି। ଏଥି ମଧ୍ୟରେ ୪୪୪ କି.ମି. ପୁରୁଣା ଓ ୫୪୪.୦୬ କି.ମି. ନୂଆ ସ୍ବେରେଜ ଲାଇନ ରହିଛି। ୨,୧୮,୧୨୪ ମଧ୍ୟରୁ ୧,୦୯୬୪୪ ଘରକୁ ସ୍ବେରେଜ ସଂଯୋଗ ଦିଆଯାଇଛି।

ବସ୍ତି ଓ ଅନ୍ୟ ଆବାସିକ ସ୍ଥାନକୁ ସ୍ବେରେଜ ସଂଯୋଗ ପାଇଁ ୱାଟକୋ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବ। ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ସବୁ ଘରକୁ ସ୍ବେରେଜ ସଂଯୋଗ ଦିଆଯିବ ବୋଲି ତଥ୍ୟରୁ ସ୍ପଷ୍ଟ ହୋଇଥିଲା। ବେଆଇନ ପ୍ଲାଷ୍ଟିକ ବ୍ୟବହାର ପାଇଁ ବିଏମସି ଏ ପର୍ଯ୍ୟନ୍ତ ୫୩ କୋଟି ୫୧ ହଜାର ୯୨୦ ଟଙ୍କା ଜରିମାନା ଧାର୍ଯ୍ୟ କରିଛି। ପାକୃତିକ ନାଳ ଓ ସହର ଭିତର ଡ୍ରେନ ଉପରୁ ଜବରଦଖଲ ଉଚ୍ଛେଦ ପାଇଁ ଏନଫୋର୍ସମେଣ୍ଟ ଦଳ ଚଢଉ କରୁଛନ୍ତି ବୋଲି ବୈଠକରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ବୈଠକର ବିବରଣୀ ଗୃହ ନିର୍ମାଣ, ନଗର ଉନ୍ନୟନ ସଚିବଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରଦାନ କରିଛି ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪କୁ ଧାର୍ଯ୍ୟ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଭୁବନେଶ୍ୱର ଗଙ୍ଗୁଅା ନାଳ ଜଳ ଦୟା ନଦୀରେ ପ୍ରବେଶ କରିବା ଓ ଦୟାନଦୀ ଜଳ ଚିଲିକାରେ ମିଶିବାରୁ ଏହାର ଜଳ ପ୍ରଦୂଷିତ ହେଉଥିବା ନେଇ ଆମିକସ୍ କ୍ୟୁରୀ ଶୁଣାଣି ବେଳେ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ସମସ୍ୟା ଦୂର ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବିଏମସି, ସ୍ଥାନୀୟ ବାସିନ୍ଦାଙ୍କ ସଂଘର ସଦସ୍ୟଙ୍କୁୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବା ଲାଗି ରାଜ୍ୟ ସରକାରଙ୍କୁ ମେ ୧୫ରେ ନିର୍ଦ୍ଦେଶ ଦେଇଥିଲେ। ଆମିକସ୍ କ୍ୟୁରି ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର