ଜୀବନ-ମନ୍ତ୍ର: ବାଲିତୃତୀୟା ବା ତିଜ ବ୍ରତ କଥା

ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟାରେ ପାଳିତ ହୁଏ ବାଲିତୃତୀୟା ବ୍ରତ। ଏହାର ଅନ୍ୟନାମ ‘ତିଜ’ ବ୍ରତ। ଏହାର କାହାଣୀ ଅତ୍ୟନ୍ତ ରୋଚକ।
କୈଳାସପୁରୀରେ ଅବସ୍ଥାନ କାଳରେ, ଦିନେ ପାର୍ବତୀ ଶିବଙ୍କୁ ପଚାରିଲେ, ସବୁଠୁ ଗୋପନୀୟ ଓ ସବୁଠୁ ପୁଣ୍ୟପ୍ରଦ ଯେଉଁ ବ୍ରତ, ସେକଥା ମୋତେ କୁହ। କେଉଁ ବ୍ରତଫଳରୁ ତୁମ୍ଭଙ୍କୁ ମୁଁ ପତି ରୂପେ ପାଇଲି, ସେ କଥା ମଧ୍ୟ ମୋତେ କୁହ।

ଏହାର ଉତ୍ତରରେ ଶିବ ପାର୍ବତୀଙ୍କୁ କହିଲେ- ନକ୍ଷତ୍ରମାନଙ୍କ ମଧ୍ୟରେ ଯେପରି ଚନ୍ଦ୍ରମା, ଗ୍ରହମାନଙ୍କ ମଧ୍ୟରେ ଯେପରି ସୂର୍ଯ୍ୟ, ଦେବତାମାନଙ୍କ ମଧ୍ୟରେ ଯେପରି ବିଷ୍ଣୁ, ନଦୀମାନଙ୍କ ମଧ୍ୟରେ ଯେପରି ଗଙ୍ଗା, ପୁରାଣମାନଙ୍କ ମଧ୍ୟରେ ଯେପରି ଭାରତ (ମହାଭାରତ), ଇନ୍ଦ୍ରିୟମାନଙ୍କ ମଧ୍ୟରେ ଯେପରି ମନ ଏବଂ ବେଦମାନଙ୍କ ମଧ୍ୟରେ ଯେପରି ସାମବେଦ, ଶାସ୍ତ୍ରମାନଙ୍କ ମଧ୍ୟରେ ଯେପରି ବେଦାନ୍ତ- ସେହିପରି ଏ ବ୍ରତ। ଏହା ପରମ ପୁଣ୍ୟପ୍ରଦ ଏବଂ ଅତ୍ୟନ୍ତ ଗୋପନୀୟ।
ଏହା କହିବା ସହିତ, ମହାଦେବ କହିଲେ- ହେ ପ୍ରିୟେ ପାର୍ବତୀ! ଏହି ବ୍ରତ ହସ୍ତାନକ୍ଷତ୍ରଯୁକ୍ତ ଭାଦ୍ର ଶୁକ୍ଳପକ୍ଷ ତୃତୀୟାରେ କରାଯାଏ। ପୂର୍ବକାଳରେ ତୁମ୍ଭେ ବହୁତପସ୍ୟା କରିଥିଲ; ନିଜର ଅଜାଣତରେ ମଧ୍ୟ ଏହି ବ୍ରତ କରିଥିଲ। ତାହାର ପୁଣ୍ୟଫଳରୁ ମୋତେ ପତି ରୂପରେ ପାଇଲ।

ପାର୍ବତୀ ହିମବାନ ବା ହିମାଳୟଙ୍କ ଗୃହରେ ଥିବା ସମୟର କଥା। ଦିନେ ଦେବର୍ଷି ନାରଦ ସେଠାରେ ଆସି ପହଞ୍ଚିଲେ। ତାଙ୍କୁ ପାଦ୍ୟ, ଅର୍ଘ୍ୟ ଦେଇ ହିମବାନ ତାଙ୍କ ଆଗମନର କାରଣ ପଚାରିଲେ। ଉତ୍ତରରେ ନାରଦ କହିଲେ- ହେ ହିମବାନ୍‌! ସ୍ୱୟଂ ବିଷ୍ଣୁ, ଯେ ଜନାର୍ଦ୍ଦନ, ସେ ମୋତେ ତୁମ୍ଭପାଖକୁ ପଠାଇଲେ।
ତୁମ୍ଭର ଏ ଯେଉଁ ଶୁଭଲକ୍ଷଣଯୁକ୍ତା କନ୍ୟା, ସେ ବିଷ୍ଣୁଙ୍କର ଯୋଗ୍ୟା। ଏଣୁ ତୁମ୍ଭେ ତାହାଙ୍କୁ ବିଷ୍ଣୁଙ୍କୁ ପ୍ରଦାନ କର। ହିମବାନ ସେଥିରେ ସମ୍ମତ େଲେ।
କିନ୍ତୁ ପାର୍ବତୀ ତାହା ଜାଣି ଦୁଃଖିତା ହେଲେ। ସଖୀମାନେ ତାଙ୍କ ଦୁଃଖର କାରଣ ପଚାରନ୍ତେ, ସେ କହିଲେ- ମୁଁ ପୂର୍ବକାଳରେ ପ୍ରତିଜ୍ଞା କରିଛି, ସଦାଶିବ ଯେ ଶଙ୍କର- ସେ ମୋର ପତି ହେବେ। ତାହାପରେ ସଖୀଙ୍କ ସହ ପରାମର୍ଶ କରି, ସେ ନିକାଞ୍ଚନ ଅରଣ୍ୟର ଗୁପ୍ତସ୍ଥାନକୁ ଚାଲିଗଲେ। ସେଠାରେ ମହାଦେବଙ୍କୁ ହୃଦୟରେ ଚିନ୍ତି, ନଦୀଶଯ୍ୟାରେ ବାଲୁକାଲିଙ୍ଗ ସ୍ଥାପନା କରି, ନାନାଜାତିର ଫଳ, ଫୁଲ ଅର୍ପଣ କରି, ଉଜାଗର ଓ ଉପବାସ ରହି ପୂଜା କଲେ। ସେଥିରେ ତୁଷ୍ଟ ହୋଇ ମହାଦେବ ତାଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ କହିଲେ- ହେ ପାର୍ବତୀ! ହେ କଲ୍ୟାଣୀ! ମନୋଗତ ବାଂଛିତ ବର ମାଗ। ପାର୍ବତୀ କହିଲେ- ହେ ଶଙ୍କର! ହେ ସଦାଶିବ! ଯେବେ ମୋ ପ୍ରତି ପ୍ରସନ୍ନ ହେଲ, ଏହି ବର ଦିଅ, ଯେ ତୁମ୍ଭେ ମୋହର ପତି ହେବ। ସଦାଶିବ ତାଙ୍କୁ ସେହି ବର ଦେଲେ।

ସେଦିନ ଥିଲା ହସ୍ତାନକ୍ଷତ୍ରଯୁକ୍ତ ଭାଦ୍ରବ ଶୁକ୍ଳପକ୍ଷ ତୃତୀୟା। ତେଣୁ ନିଜର ଅଜାଣତରେ ବାଲୁକା ଲିଙ୍ଗ ସ୍ଥାପନ କରି ପୂଜା କରିବାରୁ, ପାର୍ବତୀ ଶିବଙ୍କୁ ପତିରୂପେ ପାଇଲେ। ସେଥିପାଇଁ ଭାଦ୍ରଶୁକ୍ଳ ତୃତୀୟାରେ ନଦୀ ବା ପୁଷ୍କରିଣୀ ତଟରେ ବାଲୁକାଲିଙ୍ଗ ସ୍ଥାପନ କରି ସଧବା ସ୍ତ୍ରୀ ଓ କୁମାରୀମାନେ ଏହି ବ୍ରତ କରିଥାଆନ୍ତି। ଏହା ଗୌରୀପୂଜା। ବିଶ୍ୱାସ ଅଛି, ଯେ ଏହି ବ୍ରତ କଲେ କୁମାରୀମାନେ ଉତ୍ତମ ପତି ପାଆନ୍ତି ଏବଂ ସଧବାମାନେ, ବୈଧବ୍ୟ ବା ନିଃସନ୍ତାନ କଷ୍ଟ ଭୋଗ କରନ୍ତି ନାହିଁ।

ସମ୍ବନ୍ଧିତ ଖବର