ପୌରାଂଚଳରେ ୨୨, ବ୍ଲକରେ ୭, ମହାମାରୀ ତିନି ଦିନରେ ନେଲା ୭ ମୁଣ୍ଡ

୧୦ଟିକାକେନ୍ଦ୍ରର ତଦାରଖ କଲେ ଉପଜିଲ୍ଲାପାଳ

ଜୟପୁର:  ଜିଲ୍ଲାରେ ଆଜି ପୁଣି ଜୟପୁରରେ ଅଧିକା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଜିଲ୍ଲାରେ ୧୦୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜୟପୁର ପୌରାଂଚଳରେ ୨୨ଜଣ ଏବଂ ବ୍ଲକରେ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଭଳି ଆଜି କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କୁ କୋଭିଡ୍ ଗାଇଡ୍ ଲାଇନରେ ଶେଷକୃତ୍ୟ ସଂପନ୍ନ କରାଯାଇଛି। ମୃତକ ଜଣକ ବୋରିଗୁମ୍ମା ବ୍ଲକର ବାଲିଗୁଡା ଗାଁର ବୋଲି ସୂଚନା ମିଳିଛି। ସେଭଳି ଆଜି ଜଣଙ୍କର, ବୁଧବାର ୩ଜଣଙ୍କର, ୨୨ତାରିଖରେ ୩ଜଣଙ୍କର ଏଭଳି ୩ଦିନ ମଧ୍ୟରେ ୭ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି। ଏଥିରୁ ୪ଜଣଙ୍କର କୋଭିଡ୍ ହସ୍ପିଟାଲରେ, ଜଣକୁ କୋଭିଡ୍ ହସ୍ପିଟାଲକୁ ଆଣୁଥିବା ବେଳେ ବାଟରେ ଓଅନ୍ୟ ଦୁଇଜଣଙ୍କ ମଧ୍ୟରେ ଜଣେ ଭୁବନେଶ୍ବର ଓ  ଅନ୍ୟ ଜଣେ ବିଶାଖାପାଟଣାରେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ହୋଇଛି।

ଅନ୍ୟ ପକ୍ଷରେ ସଂପ୍ରତି ଚାଳିଥିବା ୧୮ରୁ ୪୪ବର୍ଷ ବର୍ଗ ଟିକାକରଣର ସହରର ସମସ୍ତ ୧୦ଟି ଯାକ କେନ୍ଦ୍ରକୁ ଉପଜିଲ୍ଲାପାଳ ହେମକାନ୍ତ ସୟ ନିଜେ ବୁଲି ତଦାରଖ କରିଥିଲେ। ଏହା ସହ ସେ ପାରାବେଢ଼ାରେ ଥିବା ଚିଲେଡ୍ରନ୍ ହୋମକୁ ଯାଇ ସେଠାରେ ରହୁଥିବା ୨୬ଜଣ ଅନ୍ତେବାସୀଙ୍କ ସହ କଥାବାର୍ତ୍ତା କରିବା ସହ କରୋନା ସଂପର୍କରେ ବୁଝାଇ ସଚେତନତା ସୃଷ୍ଟି କରିଥିଲେ। ଏହା ସହ ସେମାନେ କିଭଳି ରହୁଛନ୍ତି ତାହାର ବି ତଦାରଖ କରିବା ସହ ଅଧିକ୍ଷକଙ୍କୁ ଅନ୍ତେବାସୀଙ୍କ ସୁରକ୍ଷା ଦିଗରେ ସ୍ବତନ୍ତ୍ର ଧ୍ୟାନ ରଖିବାକୁ କହିଥିଲେ।

ସମ୍ବନ୍ଧିତ ଖବର