ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟାଙ୍କ ଗୋନାସିକା ଗସ୍ତ

ବାଂଶପାଳ: ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ଆଜି ବାଂଶପାଳ ବ୍ଲକ୍‌ ଗୋନାସିକା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜୁଆଙ୍ଗ ଜନଜାତିଙ୍କ ଜୀବନ ଜୀବିକା ବିଷୟରେ ଜାଣିବା ପାଇଁ ଜୁଆଙ୍ଗ ସମ୍ପ୍ରଦାୟର ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରୀ ମାଝୀ ଆଜି ସକାଳେ ଗୋନାସିକାରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ଅଞ୍ଚଳବାସୀ, ଲୋକପ୍ରତିନିଧି, ଏସ୍‌ଡିସି ସଦସ୍ୟମାନେ ସ୍ବାଗତ କରିଥିଲେ। ସେ ପ୍ରଥମେ ଗୁପ୍ତଗଙ୍ଗା ଯାଇ ଗଙ୍ଗାମାତାଙ୍କୁ ଦର୍ଶନ କରିଥିଲେ। ପରେ ଗୁପ୍ତଗଙ୍ଗା ଗ୍ରାମରେ ଜୁଆଙ୍ଗ ଜନଜାତିଙ୍କ ମଣ୍ଡଘରେ ଜୁଆଙ୍ଗ ଅଧିବାସୀଙ୍କ ସହ ସେମାନଙ୍କ ଜୀବନଶୈଳୀ ଓ ଜୀବିକା ବିଷୟରେ ଆଲୋଚନା କରିଥିଲେ।

ଜୁଆଙ୍ଗ ସମ୍ପ୍ରଦାୟ ଲୋକେ ତାଙ୍କୁ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ ଗାଁକୁ ପାଛୋଟି ନେଇ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ଶ୍ରୀ ମାଝୀ ଗୋନାସିକାର ବ୍ରହ୍ମେଶ୍ୱର ମହେଶ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଗୁପ୍ତଗଙ୍ଗାଠାରେ ଥିବା ଜୁଆଙ୍ଗ ଜନଜାତିଙ୍କ ମଣ୍ଡଘରର ଉନ୍ନତୀକରଣ ପାଇଁ ଲୋକେ ଅନୁରୋଧ କରିଥିଲେ। ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ପରେ ଗୋନାସିକାସ୍ଥିତ ଜେଡିଏ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ଶିକ୍ଷା ନିକେତନକୁ ଯାଇ ବାଳିକା କମ୍ପ୍ଲେକ୍ସରେ ଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ୫-ଟିରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟର କମ୍ପ୍ୟୁଟର ଲାବ ଓ ପରିବେଶ ବୁଲି ଦେଖିଥିଲେ। ପରେ ଏସ୍‌ଡିସି ପକ୍ଷରୁ ନିର୍ମିତ ହାଟ ବୁଲି ଦେଖିବା ସହ ଏହାଦ୍ଵାରା ଲୋକେ ଉପକୃତ ହେଉଛନ୍ତି କି ନାହିଁ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଲକ୍ଷ୍ମୀ ନାଏକ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ବ୍ଲକ୍‌ ଅଧ୍ୟକ୍ଷ ମାନସ କୁମାର ଦେହୁରୀ, ଜିଲ୍ଲାପରିଷଦ ସଭ୍ୟ ଅରୁଣ କୁମାର ବାରିକ, ଯୁବ ବିଜେଡି ସଭାପତି ପଦ୍ମଲୋଚନ ଆରୁକ, ଯୁବ ବିଜେଡି ଉପ ସଭାପତି ମନ୍ମଥ ଘଣା, ମାନସ ରଞ୍ଜନ ବାରିକ, ଏମ୍‌ଡି ନସିମ, ରବୀନ୍ଦ୍ର ବେହେରା, ନୀଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର