୮ରୁ ଖୋଲିବ ଯାଜପୁର ଜିଲ୍ଲାର ସବୁ ଧର୍ମାନୁଷ୍ଠାନ, ବିରଜା ମନ୍ଦିରରେ ବଦଳିବ ଦର୍ଶନ ସମୟ

ଯାଜପୁରଟାଉନ/ସଦର: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। କରୋନା ପାଇଁ ଜିଲ୍ଲାରେ ପାଖାପାଖି ୧୦ମାସ ହେବ ମଠ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ବନ୍ଦ ହୋଇ ପଡିଥିଲା, ଯାହାକି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ ଆସନ୍ତା ୮ ତାରିଖରୁ ସେ ସବୁକୁ ଖୋଲିବାକୁ ଅନୁମତି ମିଳିଛି। ଏନେଇ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି। ତତ୍ ସହିତ ମା ବିରାଜ ମନ୍ଦିରରେ ଭକ୍ତଙ୍କ ଦର୍ଶନ ସମୟ ମଧ୍ୟ ପରିବର୍ତନ ହୋଇଛି।

ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ପ୍ରଥମେ କରୋନା ସଂକ୍ରମଣ ସର୍ବାଧିକ ହୋଇଥିଲା। ଏହାର ପୂର୍ବରୁ ରାଜ୍ୟ ସରକାର ଓ ପ୍ରଶାସନର ନିଷ୍ପତ୍ତି ଅନୁସାରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ସହିତ ସମସ୍ତଙ୍କ ଧାର୍ମିକ ଅନୁଷ୍ଠାନକୁ ବନ୍ଦ କରାଯାଇଥିଲା। ତେବେ ଗତ ୨୯ ତାରିଖରୁ  ବିରଜା ମନ୍ଦିର ସେବାୟତ ପରିଷଦଙ୍କ ବାରମ୍ବାର ଅନୁରୋଧ ଓ ଭକ୍ତର ଧର୍ମୀୟ ଭାବନାକୁ ଗୁରୁତ୍ବ ଦେଇ ଜିଲ୍ଲା ପ୍ରଶାସନ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ବିରଜା ମନ୍ଦିର ଖୋଲିବା ପରେ ଅନ୍ୟ ମନ୍ଦିର ଗୁଡିକରେ ଅସନ୍ତୋଷ ନଜରକୁ ଆସିଥିଲା।

ପୂର୍ବରୁ ଜିଲ୍ଲାପାଳଙ୍କ ନିଷ୍ପତ୍ତି ଅନୁସାରେ ବିଭିନ୍ନ ମନ୍ଦିର କମିଟି ସହ ଆଲୋଚନା କରାଯାଇ ଆସନ୍ତା ୮ ତାରିଖରେ ଜିଲ୍ଲାର ସବୁ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି।  ଅନ୍ୟ ପଟେ ମା ବିରଜା ମନ୍ଦିରର ସାଧାରଣ ଦର୍ଶନ ସମୟରେ ପରିବର୍ତନ କରାଯାଇଛି।  ୨୯ ତାରିଖ ଠାରୁ ଭକ୍ତମାନେ ସକାଳ ୬ଟାରୁ ସଂଧ୍ୟା ୫ ପର୍ଯ୍ୟନ୍ତ  ମାଙ୍କ ଦର୍ଶନ କରୁଥିଲେ। କିନ୍ତୁ ଆସନ୍ତା ୮ ତାରିଖ ଠାରୁ ଏହି ସମୟକୁ ବୃଦ୍ଧି କରାଯାଇଛି।  ୮ ତାରିଖ ରୁ ଭକ୍ତମାନେ ସକାଳ ୬ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ମାଙ୍କ ଦର୍ଶନ କରିପାରିବେ ବୋଲି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି। କିନ୍ତୁ ଏହି ସମସ୍ତ ଦର୍ଶନ  ସମୟରେ ଶ୍ରଦ୍ଧାଳୁମାନେ କୋଭିଡ ନିୟମ ଓ କଟକଣାକୁ ମାନି  ଦର୍ଶନ ଓ ଅନ୍ୟାନ୍ୟ କାର୍ଯ୍ୟ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର