ନକ୍ସଲଙ୍କ ଦ୍ଵାରା ନିହତ ୨ ଗ୍ରାମରକ୍ଷୀଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ

ବୈପାରିଗୁଡା: ନକ୍ସଲଙ୍କ ଦ୍ଵାରା ନିହତ ଦୁଇ ଗ୍ରାମରକ୍ଷୀଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯାଇଛି। ସହାୟତା ବାବଦକୁ ଉଭୟ ପରିବାରକୁ ଦଶ ସେଣ୍ଟ ଲେଖାଏଁ ଜାଗା ପ୍ରଦାନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୦୧୨ ମସିହାରେ ଅଳ୍ପ ଦିନର ବ୍ୟବଧାନରେ ଦୁଇ ଜଣ ଗ୍ରାମରକ୍ଷୀଙ୍କୁ ନକ୍ସଲ ମାନେ ନିର୍ମମ ଭାବେ ହତ୍ୟା କରିଥିଲେ। ବୈପାରିଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ଗିର୍ଲିପୁଟ ଗ୍ରାମର ଗୃହରକ୍ଷୀ ଭାବେ ଚାକିରୀ କରୁଥିବା ଭଗବାନ ନାୟକଙ୍କୁ ନକ୍ସଲ ମାନେ ଅପହରଣ କରିବା ସହ ଦୁଇ ଦିନ ପରେ ଜି. ମାଝୀଗୁଡା ନିକଟରେ ରାସ୍ତା ଉପରେ ହତ୍ୟା କରି ଶବ ଛାଡ଼ି ଚାଲିଯାଇଥିଲେ। ଏହି ଘଟଣାର କିଛି ଦିନ ପରେ ଦଶମନ୍ତପୁରର ଗ୍ରାମରକ୍ଷୀ ରୂପେ କାର୍ଯ୍ୟ କରୁଥିବା ଗୈାରଚନ୍ଦ୍ର ଦଳେଇଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।

ଗୈାରଚନ୍ଦ୍ର ସନ୍ଧ୍ୟା ବେଳେ ମନ୍ଦିରରେ କୀର୍ତ୍ତନରେ ଭାଗ ନେଉଥିବା ବେଳେ ନକ୍ସଲ ମାନେ ତାଙ୍କୁ ଡ଼ାକି ନେଇ ହାଟପଦାରେ ଗଳାକାଟି ହତ୍ୟା କରିଥିଲେ। ନକ୍ସଲ ମାନେ ଉଭୟଙ୍କୁ ପୋଲିସ ଇନଫର୍ମର୍ ଦର୍ଶାଇ ହତ୍ୟା କରିଥିଲେ। ଏହି ଘଟଣା ସେ ସମୟରେ ବୈପାରିଗୁଡା ବ୍ଲକରେ ଚାଞ୍ଚଲ୍ୟ ଖେଳେଇ ଦେଇଥିଲା। ଆଜି ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଦୁଇ ମୃତକଙ୍କ ପରିବାରକୁ ଡ଼କାଇ ସରକାରୀ ସହାୟତା ସ୍ଵରୂପ ଦଶ ସେଣ୍ଟ ଲେଖାଏଁ ଜାଗା ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କି ମୃତ ଭଗବାନଙ୍କ ବିଧବା ପତ୍ନୀ ନୟନା ନାୟକଙ୍କୁ ଏବଂ ଗୈାରଚନ୍ଦ୍ର ଦଳେଇଙ୍କ ଦୁଇ ପୁଅ ବିଘ୍ନରାଜ ଏବଂ ସଦାଶିବ ଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର