ଦୁର୍ନୀତିର ଗନ୍ଧ: ୪ବର୍ଷ ହେଲା ପାରିପାର୍ଶ୍ବିକ ଉନ୍ନୟନ ଅନୁଦାନ ଦେଉନି ଓଏଚପିସି

ଜୟପୁର: ଉପରକୋଲାବ ଜଳସେଚନ ପ୍ରକଳ୍ପ ଅଧିନରେ ଥିବା ଓଡିଶା ହାଇଡ୍ରୋ ପାୱାର କ‌ରପରେସନ୍ ଲିମିଟେଡ୍ (ଓଏଚପିସି) ଗତ ୪ବର୍ଷ ହେବ ପାରିପାର୍ଶ୍ବିକ ଉନ୍ନୟନ ପାଇଁ ଅନୁଦାନ ଦେଇ ନଥିବା ଅଭିଯୋଗ ହୋଇଛି। ଜୟପୁର ବ୍ଲକକୁ ଦେଇଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ର ଦାଖଲ କରାଯାଇନଥିବାରୁ ଆଉ ଅନୁଦାନ ଦେଉନଥିବା ଓଏଚପିସିର ବରିଷ୍ଠ ଅଧିକାରୀ ମାନେ କହୁଛନ୍ତି। ଅପରପକ୍ଷରେ ଶେଷ ଥର ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ୫୦ଲକ୍ଷ ଓ ୨୦୧୮-୧୯ଆର୍ଥିକ ବର୍ଷରେ ୪୦ଲକ୍ଷ ୬୪ହଜାର ଅନୁଦାନ ଦେଇଥିଲା। ଏଥିରେ କରାଯାଇଥିବା କାମରେ ବ୍ୟାପକ ଦୁର୍ନିତୀ ହୋଇଥିବା ସରପଞ୍ଚ ପଦ୍ମାନନ୍ଦିବାଳିଙ୍କ ସହ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରିଛନ୍ତି। ସୂଚନ‌ାଯୋଗ୍ୟ, ଉପରକୋଲାବ ପ୍ରକଳ୍ପର ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଓଏଚପିସିର କାର୍ଯ୍ୟାଳୟ ଜୟପୁର ବ୍ଲକର ବାରିଣୀପୁଟରେ ରହିଛି। ସେଥି ପାଇଁ ଏହି ପଞ୍ଚାୟତର ସାମଗ୍ରୀକ ବିକାଶ କରିବା ପାଇଁ ଓଏଚପିସି ପକ୍ଷରୁ ଗତ ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ୫୦ଲକ୍ଷ ଓ ୨୦୧୮-୧୯ଆର୍ଥିକ ବର୍ଷରେ ୪୦ଲକ୍ଷ ୬୪ହଜାର ଅନୁଦାନ ଦେଇଥିଲେ। ଏହି ଟଙ୍କାରେ ବିଭିନ୍ନ ଗାଁ ଓ ବାରିଣିପୁଟରେ ସିମେଣ୍ଟ କଂ‌କ୍ରିଟ୍ ରାସ୍ତା, ୬ଲକ୍ଷରେ ଏଲଇଡି ଲାଇଟ୍ ଓ ୭ଲକ୍ଷରେ ଷ୍ଟ୍ରିଟ୍ ଲାଇଟ୍, ୧୦ଟି ନଳକୁପ, କଦମଗୁଡା ଠାରୁ କେନ୍ଦୁଗୁଡା ଓ ଗୋଡିଗୁଡା ଠାରୁ ଡାଙ୍ଗରବେଡ଼ା ପର୍ଯ୍ୟନ୍ତ ସାଢ଼େ ୭ଲକ୍ଷ ଟଙ୍କା ଲେଖାଏଁ ରାସ୍ତା ନିର୍ମାଣ କରାଯିବାକୁ ଯୋଜନା କରାଯାଇଥିଲା। ତେବେ ଏସବୁ କାମ ସରିବା ପରେ ଏହାର ବିନିଯୋଗ ପ୍ରମାଣପତ୍ର ବ୍ଲକ ପ୍ରଶାସନ ଓଏଚପିସି ନିକଟରେ ଦାକଲ କରିବା କଥା। ଏହି କାମ ଗୁଡିକୁ ମଧ୍ୟରୁ ଗୋଡିଗୁଡା ଠାରୁ ଡାଙ୍ଗରବେଡ଼ା ରାସ୍ତା କାମ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନି। ଅପରପକ୍ଷରେ ଅନ୍ୟ ସବୁ କାମ ସରିଥିବା ଜୟପୁର ବ୍ଲକର ଉନ୍ନୟନ ବିଭାଗରୁ ସୂଚନା ମିଳିଛି। ୬ଲକ୍ଷରେ ଏଲଇଡି ଲାଇଟ୍ ଯୋଗାଇବା, ସାଢ଼େ ୭ଲକ୍ଷରେ କଦମଗୁଡା ଠାରୁ କେନ୍ଦୁଗୁଡା ପର୍ଯ୍ୟନ୍ତ ରାସ୍ତା କାମ ନିର୍ମାଣ ସାରି ହସ୍ତାନ୍ତର କରାଯାଇଛି ବୋଲି ଠିକାରେ ନେଇଥିବା ଆଜାଦ ଯୁବକ ସଂଘର ସଂପାଦକ ଜିତେନ୍ଦ୍ର ନାୟକ କହିଛନ୍ତି।

ତେବେ ଗୋଡ଼ିଗୁଡା ଠାରୁ ଡାଙ୍ଗରବେଡ଼ା ରାସ୍ତା ସଂରକ୍ଷିତ ଜଙ୍ଗଲ ମଧ୍ୟରେ କରାଯିବାକୁ ରହିଥିଲା ଏବଂ ଜଙ୍ଗଲ ବିଭାଗରୁ ଅନୁମତି ମିଳିନଥିବାରୁ କାମ ଆରମ୍ଭ ହୋଇ ପାରିନଥିବା କହିଛନ୍ତି ସଂପାଦକ ଶ୍ରୀ ନାୟକ। ତେବେ ଅନୁମତିପତ୍ର ମିଳିବା ପରେ ସଂପ୍ରତି କଲଭର୍ଟ୍ଟ କାମ ପ୍ରଥମେ ଆରମ୍ଭ କରାଯାଉଛି ବୋଲି ସେ କହିଛନ୍ତି। ତେବେ ‌ଗତ ୪ବର୍ଷ ତଳେ ୪କିଲୋ ମିଟର ରାସ୍ତା ସାଢ଼େ ୭ଲକ୍ଷରେ ହୋଇ ପାରିଥାନ୍ତା। ସମ୍ପ୍ରତି ସବୁର ଦରଦାମ ବୃଦ୍ଧି ପରେ ଏତେ କମ୍ ଟଙ୍କାରେ ସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ସମ୍ଭବ ନୁହେଁ ବୋଲି ଶ୍ରୀ ନାୟକ କହିଛନ୍ତି। ଏଣୁ କଲଭର୍ଟ୍ଟ କାମ ପରେ ଯେତେ ଦୁର ପର୍ଯ୍ୟନ୍ତ ଏହି ଟଙ୍କାରେ ମେଟଲିଂ ହୋଇ ପାରିବ ସେଥିକି କରାଯିବ ବୋଲି କହିଛନ୍ତି ଶ୍ରୀ ନାୟକ। ପ୍ରଥମତଃ ପୁରୁଣା ବିନିଯୋଗପ୍ରମାଣ ପତ୍ର ବ୍ଲକ ଦାଖଲ କରି ନାହିଁ, ଦ୍ବିତୀୟତଃ ପାରିପାର୍ଶ୍ବିକ ଉନ୍ନୟନ ପାଇଁ ବ୍ଲକ ପକ୍ଷରୁ କିଛି ପ୍ରସ୍ତାବ ଆସିଲେ ଓଏଚପିସି କରିବାକୁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଓଏଚପିସିର ପ୍ରବନ୍ଧକ ଜି.ରମେଶ। ଏହି କାମରେ ବ୍ୟାପକ ଭାବେ ଦୁର୍ନୀତି ହୋଇଛି, ଅଳ୍ପ କିଛି ନଳକୁଅ ରହିଛି, ‌ଷ୍ଟ୍ରିଟ ଲାଇଟ୍ ଓ ରାସ୍ତା ଗୁଡିକ ଖୋଜିବାକୁ ପଡ଼ିବ ବୋଲି କହିଛନ୍ତି ସରପଞ୍ଚ ପଦ୍ମା ନନ୍ଦିବାଲି। ସେ ୨୦୨୨ମସିହାରୁ ସରପଞ୍ଚ ହେବା ପର ଠାରୁ ନିଜ ପଞ୍ଚାୟତର ବିକାଶ ପାଇଁ ବାରମ୍ବାର ଓଏଚପିସି ନିକଟକୁ ଦଉଡ଼ି ଦଉଡ଼ି ନୟାନ୍ତ ହୋଇ ପଡ଼ିଲେଣି। ତଥାଫି ଓଏଚପିସି କାର୍ଯ୍ୟାଳୟ ଥିବା ନିଜ ପଞ୍ଚାୟତର ବିକାଶ କଥା ଚିନ୍ତା ନ କରି ତାଙ୍କ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଦୁର୍ନିତୀର ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ସରପଞ୍ଚ ଏବଂ ପଞ୍ଚାୟତବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର