ୱାର୍ଡ ଅଫିସରଙ୍କୁ କମିସନରଙ୍କ ତାଗିଦ, ହୋଲ୍ଡିଂ ଶତପ୍ରତିଶତ ନ ହେଲେ ଦରମା ବନ୍ଦ

ଭୁବନେଶ୍ବର: ଅଫ୍‌ଲାଇନ୍‌ରେ ହେଲାନି କି ଅନ୍‌ଲାଇନ୍‌ ବି କାମ କଲାନି। ହୋଲ୍ଡିଂ ଟ୍ୟାକ୍ସ କିଛି ପରିମାଣ ଅଧିକ ଦେଖାଇ ଚଳିତ ବର୍ଷ ବିଏମ୍‌ସି ନିଜ ପିଠି ଥାପୁଡ଼େଇଲା। ଏବେ ମୁଣ୍ଡ ବିନ୍ଧିଛି। ଲୋକଙ୍କ ପାଖକୁ ଯାଇ ଅନଲାଇନରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ସହ ନୂଆ ଆକଳନ ଓ ସଂଶେଶଧନ କରିବାକୁ ୱାର୍ଡ ଅଫିସରଙ୍କୁ ତାଗିଦ କରିଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ। ରାଜସ୍ବ ଉପବିଭାଗର ସମୀକ୍ଷା କରିବା ଅବସରରେ ଆଜି କମିସନର ୱାର୍ଡ ଅଫିସରମାନଙ୍କୁ ପ୍ରତ୍ୟେକ ଦିନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଟ୍ୟାକ୍ସ ସହ ସଂଶୋଧନ ଓ ନୂଆ ଆକଳନ ନବଢ଼ିଲେ ଦରମା ବନ୍ଦ ହେବ ବୋଲି ଚେତାବନୀ ଦେଇଛନ୍ତି।

କମିସନରଙ୍କ ନିର୍ଦ୍ଦେଶ ମୁତାବକ, ଭୁବନେଶ୍ୱରରେ ହୋଲ୍ଡିଂ ଟ୍ୟାକ୍ସ ଅନଲାଇନ୍ କରାଯାଇଛି। ଏହା ସଫଳ ହେଉନାହିଁ। ଲୋକେ ଆପେ ଆପେ ଟ୍ୟାକ୍ସ ଦେଉ ନାହାନ୍ତି କିମ୍ବା ୱାର୍ଡ ଅଫିସରମାନେ ଗୁରୁତ୍ବର ସହ ନେଉ ନାହାନ୍ତି। ଏଣେ କେତେକ ଲୋକ ନିଜ ଘରକୁ ବ୍ୟାବସାୟିକ ବ୍ୟବହାର କରୁଛନ୍ତି। କିନ୍ତୁ ଆବାସିକ ହୋଲ୍ଡିଂ ଦେଉଛନ୍ତି। ଫଳରେ ବିଏମ୍‌ସିର ରାଜସ୍ବ କ୍ଷତି ହେଉଛି। ଏହାର ତଦାରଖ ମଧ୍ୟ ହେଉନାହିଁ। ସେହିପରି ଡିଜିଟାଲ୍ ଡୋର୍ ନମ୍ବରିଂ (ଡିଡିଏନ)ରେ ଯାବତୀୟ ତ୍ରୁଟି ରହିଛି। ଘରୋଇ ସଂସ୍ଥା କରିଥିବା ଏହି ନମ୍ବରିଂ ଜବରଦଖଲ ଜାଗାରେ ହୋଇଥିବା ଘରେ ବି ଲାଗିଛି। କେତେକ ଜାଗାରେ ଆଉ ଷ୍ଟିକର ମଧ୍ୟ ନାହିଁ। ଏସବୁକୁ ଯାଞ୍ଚ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଣେ ୬୭ଟି ୱାର୍ଡରେ ମାତ୍ର ୩୬ ଜଣ ୱାର୍ଡ ଅଫିସର ରହିଛନ୍ତି। ନିକଟ ଭବିଷ୍ୟତରେ କେତେକଙ୍କର ଅବସର ମଧ୍ୟ ରହିଛି। ଜଣେ ୱାର୍ଡ ଅଫିସର ୨ରୁ ୩ଟି ୱାର୍ଡ ଦାୟିତ୍ବରେ ରହିଛି। ପରିମଳ ସହ ବିଭିନ୍ନ କାମରେ ସେମାନେ ଲାଗିଛନ୍ତି। ସେଥିରେ ପୁଣି ହୋଲ୍ଡିଂ ଟ୍ୟାକ୍ସକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର