ବାଛେରା ମୁଣ୍ଡିଆରେ ମଡେଲ୍ ପାର୍କ, ୧୫୦ ପରିବାର ଥଇଥାନ ହେବେ କେଉଁଠି?

ଜଟଣୀ: ଜଟଣୀ ବାଛେରା ମୁଣ୍ଡିଆରେ ନିର୍ମାଣ ହେବ ମଡେଲ୍‌ ପାର୍କ। ୩୩ ଏକର ଜମିରେ ହିଲ୍‌ଟପ୍‌ ପାର୍କ ନିର୍ମାଣ କରାଯିବ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ବିଡିଏ ପକ୍ଷରୁ ନିର୍ମାଣ ହେବାକୁ ଥିବା ଏହି ପାର୍କକୁ ନେଇ ଜଟଣୀବାସୀ ବେଶ୍ ଆଶାବାଦୀ। ଜଟଣୀ ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ଏହି ପାର୍କ ଏକ ମାଇଲ୍‌ ଖୁଣ୍ଟ ହେବ। ନାଇଜର୍‌, ଆଇଆଇଟି ଭଳି ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ସାଙ୍ଗକୁ ନିର୍ମାଣାଧୀନ କ୍ୟାନ୍‌ସର ହସ୍ପିଟାଲ୍‌ ଜଟଣୀ ସହରକୁ ସମୃଦ୍ଧ କରିଛି। ମାତ୍ର ଏତେ ବଡ଼ ଟାଉନ୍‌ରେ ଭଲ ପାର୍କଟିଏ ନାହିଁ। ତେଣୁ ବାଛେରା ମୁଣ୍ଡିଆରେ ହିଲ୍‌ଟପ୍‌ ମଡେଲ୍‌ ପାର୍କ ହୋଇଗଲେ, ସହରବାସୀଙ୍କ ମନୋରଞ୍ଜନ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହେବା ସହ ବାହାର ଲୋକେ ଏଠାକୁ ଅଧିକ ଆକୃଷ୍ଟ ହେବେ। ଏନେଇ ପୂର୍ବରୁ ବିଡିଏ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ବୈଠକ ହୋଇଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ରେଳବାଇ ଅଫିସର୍ସ କ୍ଲବ୍‌ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜଟଣୀ ବିଧ‌ାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ଡିଏଫ୍ଓ ପୂର୍ଣ୍ଣିମା ପି, ବିଡିଓ ସରୋଜ ରାଉତ, ତହସିଲଦାର ରୁମାନା ଜାଫ୍ରି, ପୌରପାଳିକା ଅଧ୍ୟକ୍ଷ ଅନନ୍ତ ବେହେରା, ପୌରନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତି, ବିଡିଏ କର୍ମଚାରୀ, ପୌରପାଳିକାର ସମସ୍ତ କାଉନ୍‌ସିଲର, ପୂର୍ବତନ କାଉନ୍‌ସିଲ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ଏହି ପାର୍କ ନିର୍ମାଣ କାମ ଆଗେଇବ ବୋଲି ଆଶା କରାଯାଉଛି। କିନ୍ତୁ ଏଥିପାଇଁ ବିସ୍ଥାପିତ ହେବାକୁ ଥିବା ପ୍ରାୟ ୧୫୦ ପରିବାରଙ୍କୁ କେଉଁଠି କିଭଳି ଥଇଥାନ କରାଯିବ, ସେନେଇ କୌଣସି ଯୋଜନା ହୋଇନାହିଁ। ତେଣୁ ପାର୍କ ନିର୍ମାଣ ରାସ୍ତାରେ ଏହା ଆଗକୁ ବଡ଼ ପ୍ରତିବନ୍ଧକ ହେବ ବୋଲି ଆଶଙ୍କା କରାଯାଉଛି।

ପାର୍କ ପାଇଁ ଚିହ୍ନଟ ହୋଇଥିବା ୩୩ ଏକର ଜମି ମଧ୍ୟରୁ ପ୍ରାୟ ୭ ଏକର ଜମିରେ ରହିଛି ହରିଜନସାହି। ଏଥିରେ ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ଜମି ବି ରହିଛି। କାହିଁ କେଉଁ କାଳରୁ ପ୍ରାୟ ୧୫୦ ପରିବାର ଏଠାରେ ସ୍ଥାୟୀ ଭାବେ ବସବାସ କରିଆସୁଛନ୍ତି। ସରକାରୀ ଯୋଜନାରେ ସେମାନଙ୍କୁ ଆବାସ ଘର ବି ମିଳିଛି। ଏହା ସେମାନଙ୍କ ଭିଟାମାଟି। ପାର୍କ ପାଇଁ ସେମାନଙ୍କୁ ବିସ୍ଥାପନ କରିବାକୁ ପଡ଼ିବ। ବଡ଼ କଥା ହେଉଛି, ସେମାନେ ବି ବିସ୍ଥାପନକୁ ବିରୋଧ କରୁନାହାନ୍ତି। କିନ୍ତୁ ସେମାନଙ୍କୁ ଉପଯୁକ୍ତ ଭାବେ ଥଇଥାନ କରିବା ଉଚିତ। ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ କେଉଁଠି ଥଇଥାନ କରାଯିବ, ସେନେଇ ଜମି ଚିହ୍ନଟ ହୋଇନାହିଁ। ସାହିର କିଛି ଲୋକଙ୍କ କହିବା କଥା, ବିସ୍ଥାପନ ବେଳେ ସେମାନଙ୍କୁ ଘରବାଡ଼ି, ଗୁହାଳ ଆଦି ଛାଡ଼ିବାକୁ ପଡ଼ିବ। ପିଲାଛୁଆଙ୍କୁ ସେମାନଙ୍କ ପାଖ ସ୍କୁଲ୍‌ ଛାଡ଼ିବାକୁ ପଡ଼ିବ।

ଘରଟିଏ କରିବା କିଛି ଛୋଟିଆ କଥା ନୁହେଁ। ନୂଆ ଜାଗାରେ ସବୁ ପ୍ରକାର ମୌଳିକ ସୁବିଧା ଥିବା ଦରକାର। ତେଣୁ ସରକାର ସେମାନଙ୍କୁ ଘରବାଡ଼ି ସହ ସବୁ ସୁବିଧା ଯୋଗାଇଦେଲେ, ସେମାନଙ୍କର କୌଣସି ଆପତ୍ତି ରହିବ ନାହିଁ। ସହରର ସୌନ୍ଦର୍ଯ୍ୟ ପାଇଁ ସେମାନଙ୍କୁ କେଉଁଠି ଫୋପାଡ଼ି ଦିଆନଯାଉ। ବଡ଼ କଥା ହେଉଛି, ସେମାନଙ୍କୁ ସ୍ଥାୟୀ ଘରବାଡ଼ି ପଟ୍ଟା ବି ମିଳିବା ଉଚିତ। ପୂର୍ବରୁ ବିକାଶ ନାଁରେ ବିସ୍ଥାପିତମାନେ ଯେମିତି କଲବଲ ହେଉଛନ୍ତି, ସେମିତି କଷ୍ଟ ସେମାନଙ୍କୁ ନ ମିଳୁ ବୋଲି ସେମାନେ କହିଛନ୍ତି। ସେମାନେ ଜଟଣୀବାସୀଙ୍କ ସହ ରହି ଆସିଛନ୍ତି ଏବଂ ସହରବାସୀ ସେମାନଙ୍କ ଦାବିକୁ ସମର୍ଥନ କରିବେ ବୋଲି ସେମାନେ ଆଶା କରିଛନ୍ତି।

ସମ୍ବନ୍ଧିତ ଖବର