ଭାରତୀୟ ପୁରୁଷ ବନାମ ମହିଳା

ଦର୍ପଣ

ଏକବିଂଶ ଶତାବ୍ଦୀରେ ମହିଳାମାନେ ପୁରୁଷଙ୍କ ସମକକ୍ଷ ହୋଇ ସମାନ ଦାୟିତ୍ବ ବହନ କରୁଥିବା ବେଳେ ଅଧିକାଂଶ ଭାରତୀୟ ଆଜି ବି ସ୍ତ୍ରୀଙ୍କ ଉପରେ ସ୍ବାମୀଙ୍କ ପ୍ରଭୁତ୍ବକୁ ସମର୍ଥନ କରନ୍ତି। ଭାରତରେ ଅନେକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ପଦବିରେ ଆଜି ମହିଳାମାନେ ଅଧିଷ୍ଠିତ। ଏହା ସତ୍ତ୍ବେ ଘରେ ଓ କର୍ମକ୍ଷେତ୍ରରେ ମହିଳାଙ୍କୁ ସମାନ ଦାୟିତ୍ବ ଓ ସୁବିଧାସୁଯୋଗ ମିଳିନଥାଏ। ପିଉ ଗବେଷଣା ସଂସ୍ଥା ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଏ ସମ୍ପର୍କରେ ଅନେକ ରୋଚକ ତଥ୍ୟ ମିଳିଛି। ତିରିଶ ହଜାର ଲୋକ ଭାଗ ନେଇଥିବା ଏହି ସର୍ବେକ୍ଷଣର ଫଳାଫଳ ଅନୁସାରେ ପ୍ରତି ଦଶ ଜଣରେ ମାତ୍ର ଜଣେ ଭାରତୀୟ ବିଶ୍ବାସ କରନ୍ତି ଯେ ମହିଳାମାନେ ପୁରୁଷଙ୍କ ତୁଳନାରେ ଭଲ ନେତା ହୋଇଥାଆନ୍ତି। ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ପତ୍ନୀ ସର୍ବଦା ପତିଙ୍କ କଥା ମାନିବା ଉଚିତ ସଂଦର୍ଭରେ ଦୁଇ-ତୃତୀୟାଂଶ ଭାରତୀୟ ଏକମତ। ତେବେ ୬୭% ପୁରୁଷ ଏଥିରେ ଏକମତ ହୋଇଥିବା ବେଳେ ୬୧% ମହିଳା ମଧ୍ୟ ଏହି ଉକ୍ତି ସହିତ ସଂପୂର୍ଣ୍ଣ ଏକମତ ହୋଇଥାଆନ୍ତି।

ସର୍ବେକ୍ଷଣରୁ ଜଣାପଡ଼ିଥିବା ସକାରାତ୍ମକ ଦିଗଟିି ହେଲା କେତେକ ଘରୋଇ ଦାୟିତ୍ବ ନେଇ ଭାରତୀୟମାନଙ୍କ ମତ ଲିଙ୍ଗ-ଭେଦରହିତ। ୬୨% ଲୋକ ମତ ପୋଷଣ କରନ୍ତି ଯେ ଉଭୟ ପୁରୁଷ ଓ ମହିଳା ଶିଶୁଙ୍କ ଯତ୍ନ ନେବା ଉଚିତ। ତେବେ ଏକ ତୃତୀୟାଂଶ ଭାରତୀୟ ପାରମ୍ପରିକ ମତ ପୋଷଣ କରି କୁହନ୍ତି ଯେ ଶିଶୁଙ୍କର ଯତ୍ନ ନେବା କେବଳ ମହିଳାଙ୍କ କାର୍ଯ୍ୟ। ସେହିପରି ୫୪% ଲୋକଙ୍କ ମତ ଯେ ଉଭୟ ପୁରୁଷ ଓ ମହିଳା ରୋଜଗାର କରିବା ଉଚିତ। ୪୩% ଲୋକଙ୍କ ଅନୁଯାୟୀ ରୋଜଗାର ହେଉଛି କେବଳ ପୁରୁଷଙ୍କର କାର୍ଯ୍ୟ। ପାଖାପାଖି ସମସ୍ତ (୯୪%) ଭାରତୀୟ ବିଶ୍ବାସ କରନ୍ତି ଯେ ପରିବାରରେ ଅନ୍ୟୂନ ଗୋଟିଏ ପୁତ୍ର ସନ୍ତାନ ହେବା ନିହାତି ଗୁରୁତ୍ବପୂର୍ଣ୍ଣ। ତେବେ, ୯୦% ଲୋକଙ୍କ ପାଇଁ ପରିବାରରେ ଗୋଟିଏ କନ୍ୟା ସନ୍ତାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପିତାମାତାଙ୍କ ସମ୍ପତ୍ତିର ଉତ୍ତାରାଧିକାରୀ ହେବା ଲାଗି ପୁଅ, ଝିଅଙ୍କ ସମାନ ଅଧିକାରକୁ ୬୪% ଲୋକ ସମର୍ଥନ କରନ୍ତି। ବୃଦ୍ଧାବସ୍ଥାରେ ପିତାମାତାଙ୍କ ସେବାରେ ପୁଅ, ଝିଅଙ୍କର ସମାନ ଦାୟିତ୍ବ ରହିବା ଉଚିତ ବୋଲି ୫୮% ମତ ଦିଅନ୍ତି। ତେବେ ସର୍ବେକ୍ଷଣରେ ଭାଗ ନେଇଥିବା ଅଧିକାଂଶ କହିଥିଲେ ଯେ ଝିଅଙ୍କ ତୁଳନାରେ ପୁଅମାନଙ୍କୁ ଅଧିକ ଅଧିକାର ଓ ଦାୟିତ୍ବ ମିଳିବା ଉଚିତ।

ସମ୍ବନ୍ଧିତ ଖବର