ବେଆଇନ୍‌ ବାଲି ଉତ୍ତୋଳନ ଘଟଣା: ପରମିଟ୍‌ ଫେରସ୍ତ ଓ ଅଧିକାରୀଙ୍କୁ ଏନ୍‌ଜିଟି କାର୍ଯ୍ୟାଳୟରେ ହାଜର ପାଇଁ ନିର୍ଦ୍ଦେଶ

ବାରିପଦା/ବେତନଟୀ: ବେତନଟୀ ବ୍ଲକ୍‌ ଅଧୀନ ରଘୁପୁର ପଞ୍ଚାୟତ ଡାହିସାହିର ଗଜେନ୍ଦ୍ର ବିନ୍ଧାଣୀଙ୍କ ପୁଅ ପ୍ରଦୀପ କୁମାର ବିନ୍ଧାଣୀ ବଡ଼ସାହି ତହସିଲ ଅଧୀନ ଆରପଟା ଓ ଡିଙ୍ଗିରା; ଦୁଇଟି ବାଲି ସୈରାତ ଲିଜ୍‌ଧାରୀ। ଉକ୍ତ ଦୁଇଟି ବାଲିଘାଟର ଅବଧି ଗତ ୩୧ ମାର୍ଚ୍ଚ ୨୦୨୧ରୁ ଶେଷ ହୋଇଥିବା ବେଳେ ପ୍ରଦୀପ ମନଇଚ୍ଛା କୋଟି କୋଟି ଟଙ୍କାର ବେଆଇନ୍‌ ବାଲି ଉତ୍ତୋଳନ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଜଣେ ଆଦିବାସୀ ଯୁବକ ଅଭିଯୋଗ କରିଥିଲେ ଏବଂ ଉକ୍ତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏପରି ସମୟରେ ବଡ଼ସାହି ତହସିଲ ପକ୍ଷରୁ ନୋଟିସ୍‌ ହୋଇଛି।

ଆରପଟା ବାଲିଘାଟ ବନ୍ଦ ହେବା ନେଇ ୫୪୧/୧୭.୩.୨୦୨୨ ଏବଂ ଡିଙ୍ଗିରା ବାଲିଘାଟ ବନ୍ଦ ହେବା ନେଇ ୫୪୪/୧୭.୩.୨୦୨୨ ନମ୍ବରର ଚିଠି ଜାରି ହୋଇଛି। ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣୀଙ୍କ ପାଖରେ ଥିବା ପର୍‌ମିଟ୍‌ ଓ ଅନ୍ୟ କାଗଜପତ୍ର ତହସିଲକୁ ଫେରସ୍ତ ଦେବାକୁ ଉକ୍ତ ଚିଠିରେ ନିର୍ଦ୍ଦେଶ ରହିଛି। ପ୍ରଦୀପ ବିନ୍ଧାଣୀଙ୍କ ଘରଲୋକ ଚିଠି ନ ନେବାରୁ ତାଙ୍କ ଘର ଫାଟକରେ ସେଗୁଡ଼ିକୁ ଲଗାଯାଇଥିବା ଜଣାପଡ଼ିଛି। ଏହା ସହିତ ଉଭୟ ଚିଠି‌ର ନକଲ ଡେପୁଟି କଲେକ୍ଟର ଓ ବଡ଼ସାହି ଆଇଆଇସିଙ୍କୁ ପ୍ରଦାନ କରାଯାଇଛି। ଅନ୍ୟପକ୍ଷର ଏନ୍‌ଜିଟି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳ, ଏସ୍‌ପି ତଥା ଅନ୍ୟ ୧୬ ଜଣ ଅଧିକାରୀଙ୍କୁ ତଦନ୍ତ ରିପୋର୍ଟ ସହ ଏନ୍‌ଜିଟିର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର