ଗୁଜରାଟ ନିର୍ବାଚନ ନା ‘ଭାରତ ଯୋଡ଼ୋ’; କେଉଁଟି ଆଗ?

ଅରୁଣ ସିହ୍ନା

‘ଭାରତ ଯୋଡ଼ୋ ଯାତ୍ରା’ର ନେତୃତ୍ବ ନେଇ ରାହୁଳ ଗାନ୍ଧୀ ନୈରାଶ୍ୟବାଦର କାଦୁଅରେ ଡୁବିଥିବା କଂଗ୍ରେସିଆ ଓ ଉଦାରବାଦୀମାନଙ୍କୁ ଟାଣି ଉଠାଇବାର ପ୍ରଚେଷ୍ଟା କରିଛନ୍ତି। ସେମାନେ ଏବେ ରାହୁଳଙ୍କ ଗୁଣଗାନ କରୁଛନ୍ତି ସତେ ଯେମିତି ସିଏ କନ୍ୟାକୁମାରୀରୁ କାଶ୍ମୀର ଯାଏ ଆରମ୍ଭ କରିଥିବା ପଦଯାତ୍ରା ଝଡ଼ରେ ମୋଦୀ ସରକାରଙ୍କ ମୂଳୋତ୍ପାଟନ ହୋଇଯିବ!

ଆମେ ଆଶା କରିବା ଯେ ସେମାନଙ୍କର ଏପରି ଆଶାବାଦ କୌଣସି ବାସ୍ତବ ଅନୁଭବ ନୁହେଁ, କେବଳ ଏକ ପ୍ରଚାର ମଞ୍ଚ ମାତ୍ର। କାରଣ ସେମାନେ ଯଦି ପ୍ରକୃତରେ ସେଭଳି ଭାବୁଥା’ନ୍ତି, ତା’ହେଲେ ସେମାନେ ନିଜକୁ ବୋକା ବନାଉଛନ୍ତି। ସେମାନଙ୍କର ଏପରି ହତାଶା ସାଗରରୁ ଭ୍ରାନ୍ତିର ସମୁଦ୍ରକୁ ଲମ୍ଫ ଦେବାଟା କେବେ ସେମାନଙ୍କୁ ବା ଭାରତର ବହୁବାଦ କଳ୍ପନାକୁ ସହାୟକ ହେବନାହିଁ। ଯେଉଁମାନେ ଭାରତରେ ଏକକବାଦ ଆଦର୍ଶ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ କେଇ ହଜାର ଲୋକଙ୍କ ପ୍ରୀତି ସଂଗୀତ ଗାନ ପରାସ୍ତ କରିପାରିବ ନାହିଁ। ସମାଜ ଭିତରେ ସେମାନଙ୍କ ଚେର ଖୁବ୍‌ ଗଭୀରକୁ ମାଡ଼ିଯାଇଛି। ସେମାନେ ଆଉ ସେମାନଙ୍କ ପୂର୍ବର ନିର୍ବୁଦ୍ଧିଆ ଏକରଙ୍ଗୀ ହୋଇ ରହିନାହାନ୍ତି। ନିଜକୁ ଇନ୍ଦ୍ରଧନୁର ବର୍ଣ୍ଣାଳିରେ ରୂପାନ୍ତରିତ କରିବା ଲାଗି ସେମାନେ ଅନେକ ପଦକ୍ଷେପ ନେଇଛନ୍ତି।
ସେମାନେ ଏକକବାଦ ସହ ଜନକଲ୍ୟାଣବାଦକୁ ଫେଣ୍ଟି ଦେଇଛନ୍ତି। ସେମାନେ ନିମ୍ନବର୍ଗ ଜାତିର ମନରେ ନୂତନ ଧାରଣା ବୁଣିଦେଇ ହିନ୍ଦୁତ୍ବର ଟୋପି ପିନ୍ଧାଇ ଦେଇଛନ୍ତି। ନିଜର ଇନ୍ଦ୍ରଧନୁ ଛଦ୍ମବେଶର ସଫଳତାରେ ଉତ୍‌ବୁଦ୍ଧ ହୋଇ ସେମାନେ ମୁସଲମାନମାନଙ୍କ ନିମ୍ନ ଜାତିର ‘ପାସମନ୍ଦାସ’ମାନଙ୍କୁ ମଧ୍ୟ ଫୁସୁଲେଇବା ଆରମ୍ଭ କରିଦେଇଛନ୍ତି। ରାଜନୀତି ହିନ୍ଦୁତ୍ବର ଏକମାତ୍ର ଉପାଦାନ ହୋଇ ନାହିଁ। ଏହାର ନୂଆ ସୂତ୍ରରେ ଏବେ ଅର୍ଥନୈତିକ ଉପାଦାନ ମଧ୍ୟ ରହିଛି।

ସେଇ ନୂଆ ସୂତ୍ର ନିହାତି ଭାବରେ ଗୁଜରାଟ ମଡେଲର ଏକ କ୍ରମବିକାଶ। ଆର୍ଥିକ ଅଭିବୃଦ୍ଧି ସହ ହିନ୍ଦୁତ୍ବକୁ ଯୋଡୁଥିବା ମୌଳିକ ଗୁଜରାଟ ମଡେଲର ସମର୍ଥ ବିନ୍ଧାଣି ହେଉଛନ୍ତି ନରେନ୍ଦ୍ର ମୋଦୀ ଏବଂ ସେ ହିଁ ହିନ୍ଦୁତ୍ବ ସହ ସାମାଜିକ କଲ୍ୟାଣକୁ ଯୋଡୁଥିବା କ୍ରମବିକାଶର ରୂପକାର। ପୁରୁଣା ଗୁଜରାଟ ମଡେଲରେ ମୋଦୀଙ୍କୁ ‘ହିନ୍ଦୁ ହୃଦୟର ସମ୍ରାଟ’ ଓ ‘ବିକାଶ ପୁରୁଷ’ର ପ୍ରତିମା ରୂପେ ବିବେଚନା କରାଯାଉଥିଲା। ନୂଆ ଗୁଜରାଟ ମଡେଲରେ ଉଗ୍ର ହିନ୍ଦୁତ୍ବ ସହ ‘ଗରିବ କଲ୍ୟାଣ’ର ସମିଶ୍ରଣ ଲାଗି ତାଙ୍କୁ ଦେବତାର ଆଖ୍ୟା ଦିଆଯାଉଛି।

ଗୋଟିଏ ପଦଯାତ୍ରା ଦ୍ବାରା କଂଗ୍ରେସ କେବେ ନୂଆ ଗୁଜରାଟ ମଡେଲର ଉତ୍ପାଟନ କରିପାରିବନି। ତାହା ହାସଲ କରିବାକୁ ଦଳ ପାଇଁ ଆହୁରି ବୃହତ୍ତର ପ୍ରୟାସର ଆବଶ୍ୟକତା ରହିଛି। ଏଥିପାଇଁ ଏକ ଆନ୍ଦୋଳନ ଲୋଡ଼ା। ଏଥିରେ ନିଜକୁ ଉତ୍ସର୍ଗ କରିବା ଲାଗି ପ୍ରସ୍ତୁତ ଉତ୍ସାହୀ ତଥା ନିର୍ଭୀକ ଦେଶବାସୀଙ୍କର ସଂଘଟନ ହେବା ଦରକାର। କାରଣ ନୂଆ ଗୁଜରାଟ ମଡେଲର କେବଳ ରାଜନୈତିକ ଓ ଆର୍ଥିକ ଉପାଦାନ ନାହିଁ, ତାହାର ଆଇନଗତ ଉପାଦାନ ମଧ୍ୟ ରହିଛି। ଏହା ହିନ୍ଦୁତ୍ବ, ଜନକଲ୍ୟାଣବାଦ ଓ ଦମନର ଏକ ଘାତକ ମିଶ୍ରଣ ପାଲଟିଛି।

ବୋଧହୁଏ, ଏକ ପଦଯାତ୍ରାର ନେତୃତ୍ବ ନେବା ପରିବର୍ତ୍ତେ ରାହୁଳ ଗାନ୍ଧୀ ଗୁଜରାଟ ଉପରେ ମନୋନିବେଶ କରିବା ଉଚିତ- ଯୋଉଠି ଗୁଜରାଟ ମଡେଲର ସୃଷ୍ଟି ଏବଂ ଯୋଉଠି କ୍ରମବିକଶିତ ଗୁଜରାଟ ମଡେଲର ମୂଳପିଣ୍ଡ ରହିଛି। ତାହା ଏମିତି ଏକ ରାଜ୍ୟ ଯାହାକୁ ମୋଦୀ ମୁଖ୍ୟମନ୍ତ୍ରୀ ଭାବେ ନିୟନ୍ତ୍ରଣ କରିବା ପରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି। ସେହି ରାଜ୍ୟରେ ମୋଦୀ ହେଉଛନ୍ତି ବିଜେପି, ସେଠାରେ ଦଳ ସର୍ବଦା ମୋଦୀଙ୍କ ନାମରେ ଭୋଟ ଭିକ୍ଷା କରୁଛି ଏବଂ ଏବେ ଅନ୍ୟ ରାଜ୍ୟରେ ମଧ୍ୟ ଅନୁରୂପ ପନ୍ଥା ଆପଣେଇଛି।

ମୋଦୀଙ୍କ ବିରୋଧରେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ନେବା ନିମନ୍ତେ କଂଗ୍ରେସ ପାଇଁ ଗୁଜରାଟ ଠାରୁ ଆଉ ଉତ୍ତମ ସ୍ଥାନ କିଛି ନାହିଁ। ଆସନ୍ତା ଡିସେମ୍ବରରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ। ଯଦି ନିଜ ରାଜ୍ୟରେ ମୋଦୀଙ୍କୁ ପରାସ୍ତ କରାଯାଇପାରିଲା, ତେବେ ୨୦୨୪ ଲୋକସଭା ନିର୍ବାଚନରେ ସେ ଅଧିକ ଦୁର୍ବଳ ହୋଇପଡ଼ିବେ। ମୋଦୀଙ୍କୁ ଦୁର୍ବଳ କରିବାର ମାନେ ହେଉଛି ମୋଦୀବାଦକୁ ବି ଦୁର୍ବଳ କରିଦେବା। ପରିଣତି ସ୍ବରୂପ, ଗରିବଶ୍ରେଣୀ ସେମାନଙ୍କ ହିନ୍ଦୁତ୍ବ ଟୋପିକୁ ଫିଙ୍ଗିଦେଇ ଜନକଲ୍ୟାଣବାଦର ଇନ୍ଦ୍ରଜାଲରୁ ବାହାରି ଆସିବେ। ଏହାଦ୍ବାରା ମୋଦୀ ଚତୁରତାର ସହ ଗୁନ୍ଥିଥିବା ବିପରୀତଧର୍ମୀ ସାମାଜିକ ସୂତ୍ର ଛିଣ୍ଡିଯିବ।

ଗୁଜରାଟରେ ମୋଦୀଙ୍କୁ ମୁକାବିଲା କରିବା ଲାଗି କଂଗ୍ରେସର ଭଲ ସ୍ଥିତି ରହିଛି। ଦୀର୍ଘ ତିନି ଦଶନ୍ଧି ଧରି ବିଜେପି ଶାସନାଧୀନ ଥିବା ସଂଖ୍ୟାଧିକ ଗୁଜରାଟୀ ଏବେ ପରିବର୍ତ୍ତନ ଚାହୁଁଛନ୍ତି। କୃଷକମାନଙ୍କର ଖର୍ଚ୍ଚ ବଢ଼ିବା ସହ ଆୟ କମୁଥିବାରୁ ସେମାନେ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି। ମରୁଡ଼ି ବା କୀଟ ଉପଦ୍ରବ ଯୋଗୁଁ ଫସଲ ହରାଉଥିବା ଚାଷୀଙ୍କୁ ବୀମାରାଶି ମିଳିବାରେ ବହୁ ଅସୁବିଧା ହେଉଛି। ସେମାନଙ୍କ ଉପରେ ଋଣଭାର ବଢ଼ିବାରେ ଲାଗିଛି।

ଦରଦାମ ବୃଦ୍ଧି ଯୋଗୁଁ ଲୋକଙ୍କର ଜୀବନଧାରଣ ସ୍ଥିତି ଖରାପରୁ ଅତି ଖରାପ ହେବାରେ ଲାଗିଛି। ଏପରିକି ଅନେକ ପରିବାର ଅତ୍ୟାବଶ୍ୟକ ସାମଗ୍ରୀ ବାବଦ ଖର୍ଚ୍ଚକାଟ କରିବାକୁ ବାଧ୍ୟ ହୋଇଛନ୍ତି। ରାଜ୍ୟ ଲୋକସଂଖ୍ୟାର ଯଥାକ୍ରମେ ୧୬% ଓ ୭% ଭାଗ ଥିବା ଆଦିବାସୀ ଓ ଦଳିତବର୍ଗଙ୍କର ଜୀବନ ଦୁର୍ବିଷହ ହୋଇପଡ଼ିଛି। ସେମାନଙ୍କ ପାଇଁ ଉତ୍ତମ ରୋଜଗାର ସହ ସୁରକ୍ଷିତ ନିଯୁକ୍ତି ସୃଷ୍ଟି କରିବାରେ ସରକାର ବିଫଳ ହୋଇଛନ୍ତି। ବିଜେପିର ପ୍ରମୁଖ ଭୋଟବ୍ୟାଙ୍କ ଥିବା ଉଚ୍ଚବର୍ଗର ପଟେଲ ଓ ପଛୁଆ-ଆଦିବାସୀ-ଦଳିତବର୍ଗଙ୍କ ଭିତରେ ଥିବା ଆର୍ଥିକ ଫାଙ୍କ ଭୀଷଣ ଭାବରେ ମେଲିବାରେ ଲାଗିଛି।

ରାଜ୍ୟରେ ଦମନଲୀଳା ବଢ଼ିଛି। ଯେକୌଣସି ପ୍ରତିବାଦକୁ ପୁଲିସ ପ୍ରତିହତ କରୁଛି। ତିନି କୃଷି ଆଇନ ବିରୋଧରେ ପ୍ରତିବାଦ ଜଣାଇବା ଲାଗି ଦିଲ୍ଲୀ ଯିବାକୁ ଚାହୁଁଥିବା କୃଷକମାନଙ୍କୁ ପୁଲିସ ଅଟକାଇଥିଲା। ଯୁବ ଦଳିତ ନେତା ତଥା କଂଗ୍ରେସ ବିଧାୟକ ଜିଗ୍ନେଶ ମେଵାନିଙ୍କୁ ଗିରଫ କରାଯାଇ ଆସାମ ପଠାଇ ଦିଆଗଲା। ତାଙ୍କୁ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରାଗଲା। ୨୦୧୭ରେ ଉନା ଠାରେ ତଥାକଥିତ ଗୋସୁରକ୍ଷାକାରୀଙ୍କ ଦ୍ବାରା ୫ ଜଣ ଦଳିତଙ୍କୁ ଦଳି ଦିଆଗଲା। ପରିଣାମ ସ୍ବରୂପ, ଦଳିତମାନେ ସଂଗଠିତ ହୋଇଥିଲେ ଯାହା କଂଗ୍ରେସକୁ ସହାୟକ ହୋଇଥିଲା।

୨୦୧୭ରେ କଂଗ୍ରେସ ବହୁତ ଭଲ କରିଥିଲା। ୧୮୨ ଆସନ ବିଶିଷ୍ଟ ବିଧାନସଭାର ୭୭ଟି ଆସନ କଂଗ୍ରେସ ହାତେଇଥିଲା ଯେଉଁଠି ବିଜେପି ପାଇଥିଲା ୯୯ଟି ଆସନ। ବିଜେପିର ୧.୪୭ କୋଟି ଭୋଟ ତୁଳନାରେ କଂଗ୍ରେସକୁ ୧.୨୪ କୋଟି ଭୋଟ ମିଳିଥିଲା। ଏହାର ପ୍ରମୁଖ କାରଣ ଥିଲା ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ଜୋରଦାର ପ୍ରଚାର ଅଭିଯାନ। ପାଞ୍ଚ ବର୍ଷ ତଳେ ବିଜୟର ନିକଟତର ହୋଇଥିବା ଦଳ ଏଥର ଅଧିକ ଚଳଚଞ୍ଚଳ ଓ ଜୀବନ୍ତ ହେବା ଉଚିତ। ରାହୁଳ ଗାନ୍ଧୀ ୨୦୧୭ ଅପେକ୍ଷା ଏଥର ଅଧିକ ସମୟ ଓ ଶକ୍ତି ଖଟାଇବା ଉଚିତ। ବିଗତ ମାସମାନଙ୍କରେ ସେ କେବଳ ଦୁଇଥର ଗୁଜରାଟ ଗସ୍ତ କରିଛନ୍ତି, ଯୋଉଠିକି ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟବାସୀଙ୍କୁ ସମ୍ବୋଧିତ କରିବା ଲାଗି ବିଭିନ୍ନ ଅବସରରେ ପହଞ୍ଚି ଯାଉଛନ୍ତି। ଏପରିକି ଅରବିନ୍ଦ କେଜ୍ରିଵାଲ ଗତ ଦୁଇ ମାସ ଭିତରେ ଡଜନେ ଥର ଗୁଜରାଟ ବୁଲି ଆସିଲେଣି।

ଏ ପରିପ୍ରେକ୍ଷୀରେ ଗୁଜରାଟ ହିଁ ରାହୁଳ ଗାନ୍ଧୀଙ୍କ ଦୁର୍ବଳ ନେତୃତ୍ବର ପ୍ରମାଣ ବହନ କରୁଛି। ସେ ଅତି ଖରାପ ରଣନୀତିକ ନିଷ୍ପତ୍ତି ନେଉଛନ୍ତି। ତାଙ୍କ ଠାରେ ଧ୍ୟାନ, ସ୍ପୃହା ଓ ନେତୃତ୍ବ ପରିଚାଳନା ଗୁଣର ଅଭାବ ରହିଛି। ୨୦୧୭ରେ କ୍ଷମତା ହାସଲର ନିକଟତର ହେବା ପରେ ଦଳ ତାହାର ସ୍ଥିତିକୁ ୨୦୨୨ ନିର୍ବାଚନ ପାଇଁ ଆହୁରି ମଜଭୁତ କରିବାର ଥିଲା। ମାତ୍ର ରାହୁଳଙ୍କ ଦୁର୍ବଳ ନେତୃତ୍ବ କୌଶଳ ଲାଗି ଦଳ ନିଜର ବିଧାୟକମାନଙ୍କୁ ହରାଇ ବିଜେପିକୁ ଶକ୍ତ କରୁଛି। ଏପରିକି ଦଳର ପରପିଢ଼ିର ନେତା ଭାବେ ଏକଦା ପରିଗଣିତ ହେଉଥିବା ଅଳ୍ପେଶ ଠାକୁର ଓ ହାର୍ଦ୍ଦିକ ପଟେଲଙ୍କୁ ମଧ୍ୟ ଦଳ ହରାଇ ବସିଛି। କିଛି ବର୍ଷ ତଳେ ଦଳରେ ତିନି ଯୁବନେତା ଅଳ୍ପେଶ, ହାର୍ଦ୍ଦିକ ଓ ଜିଗ୍ନେଶ ସାମିଲ ହେବା ଦ୍ବାରା କଂଗ୍ରେସ ପୁନର୍ଜୀବିତ ହେଲା ପରି ଲାଗୁଥିଲା। ସେହିପରି ଦଳରେ ପୁରୁଖା ନେତାଙ୍କ ସ୍ଥାନରେ ଏପରି ଯୁବନେତାଙ୍କୁ ସ୍ଥାନ ଦେଇ ରାହୁଳ ନିଜ ପ୍ରୟାସରେ ସଫଳ ହୋଇଥିବା ପରି ଜଣା ପଡୁଥିଲେ। ମାତ୍ର ଅଳ୍ପେଶ ଓ ହାର୍ଦ୍ଦିକଙ୍କୁ ଧରି ରଖିବାରେ ରାହୁଳ ବିଫଳ ହେଲେ, କାରଣ ସେମାନଙ୍କ ଉଚ୍ଚାକାଂକ୍ଷା ଏବଂ ପୁରୁଣା ନେତାଙ୍କ ଉଚ୍ଚାକାଂକ୍ଷା ମଧ୍ୟରେ ସେ ତାଳମେଳ ରଖିପାରିଲେନି।

ତେଣୁ ‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଳ ଗାନ୍ଧୀ ଯେତେବେଳେ ସାଧାରଣ ଜନତା, ମହିଳା ଓ ଶିଶୁମାନଙ୍କୁ ଆଲିଙ୍ଗନ କରୁଛନ୍ତି ଏବଂ କଂଗ୍ରେସିଆ ଓ ଉଦାରବାଦୀମାନେ ପ୍ରୀତିର ବୃନ୍ଦସଂଗୀତ ଗାନ କରୁଛନ୍ତି, ସେତେବେଳେ ଗୁଜରାଟରେ ବିଜେପି ସପ୍ତମ ଥର ପାଇଁ କ୍ଷମତାକୁ ଆସିବାର କ୍ଷେତ୍ର ପରିଷ୍କାର ହୋଇଯାଉଛି। ଏଥି ସହିତ ରାଜ୍ୟରେ ବିରୋଧୀ ଦଳର ଭୂମିକା ନିର୍ବାହ କରିବା ଲାଗି ଆମ୍‌ ଆଦମୀ ପାର୍ଟି (ଆପ୍‌)କୁ ମଧ୍ୟ ମଉକା ମିଳିଯାଉଛି। ରାହୁଳଙ୍କର ଏପରି ଅନୁପଯୁକ୍ତ ପ୍ରାଥମିକତାଗୁଡ଼ିକ କଂଗ୍ରେସକୁ ଶକ୍ତ ନା ଦୁର୍ବଳ କରୁଛି?

[email protected]

ସମ୍ବନ୍ଧିତ ଖବର