ଆଧୁନିକ ଆଇନ ଦୃଷ୍ଟିରେ ପ୍ରାଚୀନ ମିଥ୍‌ (୨): କର୍ଣ୍ଣ ଓ ଅଶ୍ବତ୍‌ଥାମା ପର୍ବ

ଜଷ୍ଟିସ ଦୀପକ ମିଶ୍ର

ଏକ ଭିନ୍ନ ଆଇନଗତ ଦୃଷ୍ଟିକୋଣରୁ ଗୋଟିଏ ଘଟଣା ଉଲ୍ଲେଖ କରୁଛି। ଏକଥା ସମସ୍ତେ ଜାଣନ୍ତି ଯେ କର୍ଣ୍ଣ ବା ରାଧେୟଙ୍କୁ ଅଙ୍ଗ ଦେଶର ରାଜା ଭାବରେ ଦୁର୍ଯ୍ୟୋଧନ ଅଭିଷିକ୍ତ କରାଇଥିଲେ। ସେତେବେଳେ କର୍ଣ୍ଣ କେବଳ ଜଣେ ସାରଥିଙ୍କ ପୁତ୍ର ବୋଲି ସେ ଜାଣିଥିଲେ। ଦୁର୍ଯ୍ୟୋଧନଙ୍କର କର୍ଣ୍ଣଙ୍କ ପ୍ରତି ସହାନୁଭୂତି ରହିଥିଲା। ଆଧୁନିକ ସାଂବିଧାନିକ ଭାଷାରେ କହିବାକୁ ଗଲେ, ଉଭୟ କାର୍ଯ୍ୟ ଅନ୍ତର୍ଭୁକ୍ତୀକରଣ ନୀତି ସହ ଜଡ଼ିତ। ଭାରତର ସମ୍ବିଧାନ କେବଳ ଧର୍ମ, ସମ୍ପ୍ରଦାୟ, ଜାତି, ଲିଙ୍ଗ କିମ୍ବା ଜନ୍ମସ୍ଥାନ ଆଧାରରେ ଭେଦଭାବକୁ ନିନ୍ଦା କରେ।

ସମ୍ବିଧାନର ଧାରା ୧୫(୩)ରୁ (୫) ମଧ୍ୟରେ କେତେକ ବ୍ୟତିକ୍ରମ ରହିଛି ଏବଂ ସୁପ୍ରିମ୍‌ କୋର୍ଟଙ୍କ ଅନେକ ନିଷ୍ପତ୍ତିରେ ସେଗୁଡ଼ିକ ଉପରେ ଆଲୋକପାତ କରାଯାଇଛି ଏବଂ ଅନ୍ତର୍ଭୁକ୍ତୀକରଣର ପରିକଳ୍ପନାକୁ ପରିପୁଷ୍ଟ କରିବା ପାଇଁ ସେଗୁଡ଼ିକୁ ଅଣାଯାଇଛି। ଏ ପରିପ୍ରେକ୍ଷୀରେ ଦୁର୍ଯ୍ୟୋଧନଙ୍କର ଭାବନା ଓ କାର୍ଯ୍ୟର ଆଲୋକପାତ କରିବା। ଦୁର୍ଯ୍ୟୋଧନଙ୍କର ଉଦ୍ଦେଶ୍ୟ ଓ ଅଭିପ୍ରାୟ ବାବଦରେ ମୁଁ ଆଦୌ ଚିନ୍ତା କରୁନାହିଁ। ତେବେ ଅନ୍ତର୍ଭୁକ୍ତୀକରଣର ସିଦ୍ଧାନ୍ତ ସହିତ ସ୍ପଷ୍ଟ ଭାବରେ ଯୋଡ଼ି ହୋଇ ରହିଥିବା କାର୍ଯ୍ୟ ଉପରେ ମୁଁ ଧ୍ୟାନ ଦେଉଛି, ଯାହା ବିଶ୍ବର ଅନେକ ସମ୍ବିଧାନର ମୂଳଦୁଆ। ମୁଁ ଏହା କହିଦେବା ଜରୁରୀ ଯେ ଆଇନଗତ ବ୍ୟବସ୍ଥା ଓ ନ୍ୟାୟ ପ୍ରଣାଳୀର ସ୍ବୀକୃତି ସତ୍ତ୍ବେ ସାମାଜିକ ସ୍ବୀକୃତି ବା ସାମାଜିକ ଅନ୍ତର୍ଭୁକ୍ତୀକରଣର ଏବେ ବି ଅଭାବ ରହିଛି। ସେହି ସମାନ କଥା କର୍ଣ୍ଣଙ୍କ ସହ ଘଟିଥିଲା। ରାଜମୁକୁଟ ଧାରଣ କରି ସୁଦ୍ଧା ତାଙ୍କୁ ଅନ୍ୟ ରାଜାମାନେ ସମାନ ବା ସସ୍ନେହ ଦୃଷ୍ଟିରେ ଦେଖୁନଥିଲେ। ପରିସ୍ଥିତିର ସାଦୃଶ୍ୟ, ଏକ ଭିନ୍ନ ତଥ୍ୟାତ୍ମକ ଛାଞ୍ଚରେ, ଜଣେ ସମ୍ବେଦନଶୀଳ ବ୍ୟକ୍ତିଙ୍କୁ ଉତ୍ତେଜିତ କରିପାରେ। ତେଣୁ କର୍ଣ୍ଣ ବିଳାପ କରି କହିଥିଲେ,
‘ତମିସ୍ରାରେ ଜନ୍ମ ମୋର
ଜୀବନ ମୋ’ ତପ୍ତ ବୈତରଣୀ
ମୃତ୍ୟୁ ମୋର
ତମିସ୍ରାର ଘୋର ଅନ୍ଧକାରେ।
ବିନା ପରିଚୟେ
ସୁକୋମଳ ସ୍ପର୍ଶ ବିନା,
ବିନା ଆଲୋକରେ।’

କର୍ଣ୍ଣଙ୍କୁ ବୁଝିବା ପାଇଁ ରାଧେୟଙ୍କ ସହ ରହିବାକୁ ହେବ। ଯେତେବେଳେ ଜଣେ ତାଙ୍କୁ ବୁଝିପାରିବ, ଜୀବନର ଅନେକ ଦିଗ ବୁଝି ହୋଇଯିବ। ବ୍ୟାଖ୍ୟାନର ସୌନ୍ଦର୍ଯ୍ୟ ଏହା ଯେ ତାହା ମନକୁ ଗତିଶୀଳ କଳ୍ପନା ମାର୍ଗରେ ପରିଚାଳିତ କରିଥାଏ।

ଏବେ ମହାଭାରତର ଯୁଦ୍ଧକ୍ଷେତ୍ରରେ ପହଞ୍ଚିବା। ଯୁଦ୍ଧର ଅବ୍ୟବହିତ ପୂର୍ବରୁ କୁନ୍ତୀ, କର୍ଣ୍ଣ ବା ରାଧେୟଙ୍କୁ କହିଥିଲେ କି, ସେ ଯୁଦ୍ଧ କରିବା ଠିକ୍‌ ହେବ ନାହିଁ, କାରଣ ସେ ବି ହେଉଛନ୍ତି ତାଙ୍କର ପୁଅ। ମାତ୍ର କର୍ଣ୍ଣ ନିଜ ବନ୍ଧୁତ୍ବକୁ ସମ୍ମାନ ଏବଂ ଦୁର୍ଯ୍ୟୋଧନଙ୍କ ପ୍ରତି କୃତଜ୍ଞତା ଜଣାଇ କୁନ୍ତୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ସେ ଯୁଧିଷ୍ଠିର, ଭୀମ, ନକୁଳ ଓ ସହଦେବଙ୍କୁ ମାରିବେ ନାହିଁ ବୋଲି କହି କୁନ୍ତୀଙ୍କୁ ଆଶ୍ବସ୍ତ କରିଥିଲେ। କେବଳ ଅର୍ଜୁନ ଓ ତାଙ୍କ ଭିତରେ ଯୁଦ୍ଧ ହେବ ବୋଲି ସେ ଶପଥ କରିଥିଲେ। ଯୁଦ୍ଧ ହେଲା ପରେ କର୍ଣ୍ଣ ଉପରୋକ୍ତ ଚାରି ଜଣଙ୍କୁ ପରାସ୍ତ କରିଥିଲେ ଏବଂ ସେମାନଙ୍କୁ ଛାଡ଼ିଦେଇଥିଲେ। ଏଥିରେ ଅପମାନିତ ଓ ଲଜ୍ଜିତ ବୋଧ କରି ଯୁଧିଷ୍ଠିର ନିଜ ଶିବିରରେ ଅବସର ନେଇଥିଲେ। ସୂର୍ଯ୍ୟାସ୍ତ ହୋଇନଥିବାରୁ ଏବଂ ସେ ଦିନର ଯୁଦ୍ଧ ସରିନଥିବାରୁ ଅର୍ଜୁନ ଓ ଭଗବାନ କୃଷ୍ଣ ଯୁଧିଷ୍ଠିରଙ୍କ ଶିବିରକୁ ଆସିଥିଲେ। ଅର୍ଜୁନ ତାଙ୍କ ଜ୍ୟେଷ୍ଠ ଭ୍ରାତାଙ୍କୁ କହିଥିଲେ କି କର୍ଣ୍ଣ ସେମାନଙ୍କୁ ଦୁର୍ବ୍ୟବହାର କରିଛନ୍ତି ବୋଲି ଜାଣିବାରୁ, ତାଙ୍କୁ ଭେଟିବା ଲାଗି ସେମାନେ ଆସିଛନ୍ତି। ସବ୍ୟସାଚୀଙ୍କ ଠାରୁ ଏଭଳି ଶୁଣି ଯୁଧିଷ୍ଠିର ଭାଙ୍ଗି ପଡ଼ିଥିଲେ। ପ୍ରକୃତରେ ସେ ଏଭଳି କିଛି ଶବ୍ଦ ଉଚ୍ଚାରଣ କରିଥିଲେ ଯାହା ଅର୍ଜୁନଙ୍କ ‘ଗାଣ୍ଡିବ’କୁ ତିରସ୍କାର କରିଥିଲା। ଘଟଣାକ୍ରମେ ଗାଣ୍ଡିବକୁ ଅସମ୍ମାନିତ କରିଥିବା ବ୍ୟକ୍ତିକୁ ସଂହାର କରିବା ଲାଗି ଶପଥ ନେଇଥିବା ଅର୍ଜୁନ କ୍ରୋଧ ଜର୍ଜର ହୋଇ ଯୁଧିଷ୍ଠିରଙ୍କୁ ଶେଷ କରିଦେବା ଲାଗି ଖଡ଼୍‌ଗ ଧରି ମାଡ଼ି ଗଲେ। ଏତିକି ବେଳେ ଅର୍ଜୁନଙ୍କୁ ଭଗବାନ କୃଷ୍ଣ କହିଥିଲେ କି ମୃତ୍ୟୁ ଅନେକ ପ୍ରକାର ହୋଇଥାଏ। କେବଳ ଶରୀରର ବିଲୋପ ଘଟିଲେ ମୃତ୍ୟୁ ହୁଏ ନାହିଁ। ତେଣୁ ସେ ଅର୍ଜୁନଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ଯୁଧିଷ୍ଠିରଙ୍କୁ ତାଙ୍କର ମନ୍ଦକର୍ମ ବିଷୟରେ କହିଦେବା ଉଚିତ। ଫଳରେ ତାଙ୍କ ମର୍ଯ୍ୟାଦା କ୍ଷୁଣ୍ଣ ହେବ, ଯାହା ମୃତ୍ୟୁ ସଙ୍ଗେ ସମାନ। ଅର୍ଜୁନ ଠିକ୍‌ ତାହା ହିଁ କରିଥିଲେ।

ତେଣୁ ମୁଖ୍ୟ ଶବ୍ଦଟି ହେଉଛି ମର୍ଯ୍ୟାଦା ବା ପ୍ରତିଷ୍ଠା। ଜଣେ ବ୍ୟକ୍ତିର ମର୍ଯ୍ୟାଦାକୁ ସମ୍ବିଧାନର ଧାରା ୨୧ର ଏକ ଦିଗ ଭାବେ ଗ୍ରହଣ କରି ସୁପ୍ରିମ୍‌ କୋର୍ଟ କହିଛନ୍ତି:

‘ଯିଏ ପ୍ରସିଦ୍ଧି ଲାଭ କରିଥାଏ, କେବଳ ସେ ବଞ୍ଚିଥାଏ। ଯିଏ ପ୍ରଶଂସିତ ହୁଏ, ସେ ଏକା ବଞ୍ଚିଥାଏ। ଯାହାର ଯଶ ନଥାଇ ନକାରାତ୍ମକ ପ୍ରଶଂସା ହୁଏ, ସେ ଜୀବିତ ଅବସ୍ଥାରେ ମୃତ ବ୍ୟକ୍ତି ସହ ସମାନ।’

ଆନ୍ତର୍ଜାତିକ ନାଗରିକ ଓ ରାଜନୈତିକ ଅଧିକାର ଚୁକ୍ତି (ଆଇସିସିପିଆର)ର ଧାରା ୧୯ରେ ମଧ୍ୟ ଅନ୍ୟମାନଙ୍କ ମର୍ଯ୍ୟାଦା ଉପରେ ଗୁରୁତ୍ବ ଦିଆଯାଇଛି।

ଲକ୍ଷ୍ୟ କରାଯାଇପାରେ ଯେ ମହାଭାରତ କାବ୍ୟର ଘଟଣାବଳି ହେଉଛି ମାନବୀୟ ଅଧିକାରର ଏକ ଅବିଚ୍ଛେଦ୍ୟ ଦିଗ ଏବଂ ସେଥିରେ ଆମ ଭାରତୀୟ ସମ୍ବିଧାନର ଧାରା ୨୧ରେ ବର୍ଣ୍ଣିତ ସବୁଠୁ ଗୁରୁତ୍ବପୂର୍ଣ୍ଣ ମୌଳିକ ଅଧିକାରର ଏକ ଦିଗ ପ୍ରତିଫଳିତ ହୋଇଛି। ମାନସିକ ଦିଗ ଉପରେ ଗୁରୁତ୍ବାରୋପ କରି ‘ଡ. ମେହମୁଦ ନାୟାର ଆଜାମ୍‌’ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଉଲ୍ଲେଖ କରିଛନ୍ତି:
‘୪୮. … ତାଙ୍କ ପ୍ରତି ଯେଉଁ ଅପମାନ ହୋଇଛି, ତାହା ତାଙ୍କ ଦର୍ଶନର କେନ୍ଦ୍ରକୁ ଧ୍ବଂସ କରିବାରେ ସମର୍ଥ। କୁହାଯାଏ, ଦର୍ଶନରେ ମଣିଷର ସାହସକୁ ବଜାୟ ରଖିବାର ଶକ୍ତି ରହିଛି। କିନ୍ତୁ ସାହସର ଆଧାର ହେଉଛି ଆତ୍ମସମ୍ମାନ ବା ସ୍ବାଭିମାନ ଏବଂ ଯେତେବେଳେ ତାହା କ୍ଷୁଣ୍ଣ ହୁଏ, ସେତେବେଳେ ଜଣେ ଦୃଢ଼ମନା ବ୍ୟକ୍ତି ମଧ୍ୟ ସେହି ସାହସକୁ ବଜାୟ ରଖିବା କଷ୍ଟକର ହୋଇପଡ଼େ। ଆରମ୍ଭରୁ ଅପରାଜେୟ ଥିବା ମନ କ୍ଷୟର ପଥରେ ଅଗ୍ରସର ହୁଏ।’
ମର୍ଯ୍ୟାଦା ବା ଯଶ ପ୍ରଭାବିତ ହେଲେ ଏପରି ହୋଇଥାଏ।

ଏ ପରିପ୍ରେକ୍ଷୀରେ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ବତ୍‌ଥାମାଙ୍କ କଥା ମନେପଡ଼େ, ଯିଏ ଏକ ଅତ୍ୟନ୍ତ ନିଷ୍ଠୁର ଓ କାପୁରୁଷ କାର୍ଯ୍ୟ କରିଥିଲେ, ଯେଉଁଥିପାଇଁ ଭଗବାନ କୃଷ୍ଣ ତାଙ୍କୁ ଦୁଃଖର ସହ ସବୁ ଦିନ ବଞ୍ଚି ରହିବା ପାଇଁ ଅଭିଶାପ ଦେଇଥିଲେ। ଅମରତ୍ବ, ତାଙ୍କ ପାଇଁ ଯନ୍ତ୍ରଣାଦାୟକ ତଥା ବିରାଟ ଦଣ୍ଡ ଥିଲା। ସେ କାନ୍ଦି ଉଠିଥିଲେ। ଏକ କବିତାରେ ତାହାର ବର୍ଣ୍ଣନା ରହିଛି:
‘କିଏ କହେ ରଥୀ ଅଶ୍ବତ୍‌ଥାମା ଲଭେ ପୁନର୍ଜନ୍ମ
ମୁହୂର୍ତ୍ତୁ ମୁହୂର୍ତ୍ତେ ସଂପୂର୍ଣ୍ଣ ଶରୀରେ।
ଜନ୍ମ-ମୃତ୍ୟୁର ବିଧାନ
ଜାଣିବାର ଅବକାଶ ନାହିଁ
ପିତା ହାତ ବଢ଼ାଇ ମଝି ଆକାଶରେ
ତାଙ୍କୁ ଧରିବାର ସମ୍ଭାବନା ନାହିଁ।’
ଏବଂ ତାହା ପରେ:
‘ମୁଁ ସୁନିଶ୍ଚିତ ଯେ
ଜନ୍ମ ଥିଲା ମୋର ମୃତ୍ୟୁ ନାହିଁ,
ସାଗରାମ୍ବରା ପୃଷ୍ଠରେ
ମୁଁ ସଂପୂର୍ଣ୍ଣ ଏକାକୀ।’

ପ୍ରକୃତରେ ଅଭିଶାପ ଯୋଗୁଁ ସେ ସଂପୂର୍ଣ୍ଣ ଏକୁଟିଆ। ମାତ୍ର ଏମିତିରେ ମଣିଷ ଏକୁଟିଆ ନୁହେଁ। ‘ଏକଲାପଣ ମୋର ଏକମାତ୍ର ସଙ୍ଗ’ ବୋଲି ସେ କହିପାରେ, କିନ୍ତୁ ବାସ୍ତବରେ ସେ ଜଣେ ବନ୍ଧୁଙ୍କୁ ଖୋଜୁଥାଏ।

ସଭ୍ୟ ସମାଜରେ ଆଇନ ସର୍ବୋପରି। ଆଇନ ପ୍ରତ୍ୟେକଙ୍କୁ ସମାନ ଦୃଷ୍ଟିରେ ଦେଖିଥାଏ। ଥମାସ ଫୁଲର୍‌ କହିଥିଲେ, ଜଣେ ଯେ କୌଣସି ସ୍ଥାନ ବା ପଦ ମଣ୍ଡନ କଲେ ବି, ଆଇନ ତାଙ୍କ ଠାରୁ ଉପରେ। ଭଜନ ଲାଲ ମାମଲାରେ ସୁପ୍ରିମ୍‌ କୋର୍ଟ କହିଥିଲେ:
‘‘୨. ଇଂଲାଣ୍ଡ୍‌ ସମ୍ରାଟ ପ୍ରଥମ ଜେମ୍‌ସ ଯେତେବେଳେ କହିଲେ, ‘ତେବେ ମୋତେ ବି ଆଇନ ଅଧୀନରେ ରହିବାକୁ ହେବ। ଏହା କାର୍ଯ୍ୟକାରୀ କରିବା ଦେଶଦ୍ରୋହ’, ସେତେବେଳେ ଇଂଲାଣ୍ଡ୍‌ର ପ୍ରଧାନ ନ୍ୟାୟାଧୀଶ ସାର୍‌ ଏଡଵାର୍ଡ କୋକ୍‌ଙ୍କ ଉତ୍ତର ଥିଲା, ‘ରାଜା କେବେ କୌଣସି ବ୍ୟକ୍ତିର ଅଧୀନ ନୁହେଁ, ମାତ୍ର ସେ ଈଶ୍ବର ଓ ଆଇନର ଅଧୀନ’। ସମ୍ରାଟ ତୃତୀୟ ହେନରିଙ୍କ ପାରିଷଦରେ ବିଚାରପତି ଥିବା ହେନରି ବ୍ରାକ୍ଟନ ମଧ୍ୟ ବହୁ ପୂର୍ବରୁ ସମାନ କଥା ଲେଖିଥିଲେ।

୩. ଷ୍ଟୁଆର୍ଟ କିଙ୍ଗ୍‌ସ ଯେବେ ଐଶ୍ବରିକ ଅଧିକାର ବଳରେ ଶାସନ କରିବାକୁ ଦାବି କଲେ, ଲାଟିନ୍‌ ଭାଷାରେ ବ୍ରାକ୍ଟନ୍‌ଙ୍କ ଉକ୍ତ ଉକ୍ତିର ବାରମ୍ବାର ପୁନରାବୃତ୍ତି ହୋଇଛି। ସଂକଟଜନକ ପରିସ୍ଥିତିରେ ମଧ୍ୟ ଏଡଵାର୍ଡ କୋକ୍‌ଙ୍କର ସେହି ଶବ୍ଦାବଳିକୁ ଆମେ ଉଦ୍ଧାର ଓ ପୁନରୁଦ୍ଧାର କରିବା ବାଞ୍ଛନୀୟ।

୪. ଆମ ସମ୍ବିଧାନ ଅଧୀନରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ହେଉଛି ‘ଆଇନର ଶାସନ’ ଉପରେ ପର୍ଯ୍ୟବସିତ, ଯାହାକୁ ଆମେ ଗ୍ରହଣ କରିଛନ୍ତି ଓ ନିଜକୁ ପ୍ରଦାନ କରିଛନ୍ତି ଏବଂ ତାହା ଆମ ଗଣତାନ୍ତ୍ରିକ ପ୍ରଣାଳୀର ଶରୀର ଗଠନରେ ଧମନୀ ତୁଲ୍ୟ କାମ କରୁଛି। ଆଇନ ହିଁ ସର୍ବୋଚ୍ଚ।

୫. ବ୍ୟକ୍ତି ହେଉ ବା ସମୂହ ହେଉ, ସମସ୍ତେ ଆଇନର ସର୍ବୋଚ୍ଚତାର ଅଧୀନ। କେହି ଯେତେ ବଡ଼ ହୋଇଥା’ନ୍ତୁ ନା କାହିଁକି, ଯେତେ ଧନୀ ବା ଶକ୍ତିଶାଳୀ ହୋଇଥା’ନ୍ତୁ ପଛକେ, ସେମାନେ ଆଇନର ତଳେ।’’

ଏହାକୁ ମନରେ ରଖି ଅତୀତର ପୃଷ୍ଠା ଓଲଟାଇବା। ମହାଭାରତ ଯୁଦ୍ଧ ଅପରିହାର୍ଯ୍ୟ ହୋଇପଡ଼ିଥିଲା। ସେହି ଧ୍ବଂସକାରୀ ଯୁଦ୍ଧକୁ କେହି ବି ଟାଳିଦେବାର ସମ୍ଭାବନା ଦେଖାଗଲା ନାହିଁ। ଭଗବାନ କୃଷ୍ଣ ଚିନ୍ତା କଲେ, କର୍ଣ୍ଣଙ୍କ ଜନ୍ମ ରହସ୍ୟ ଖୋଲି କହିଦେବେ ଏବଂ ସେଥିପାଇଁ ସେ ତାଙ୍କ ପାଖକୁ ଗଲେ। କର୍ଣ୍ଣ ବି ଜଣେ କୌନ୍ତେୟ ବୋଲି ଶ୍ରୀକୃଷ୍ଣ ପ୍ରକାଶ କରିବା ସହ ତାଙ୍କୁ ପାଣ୍ଡବମାନଙ୍କ ସହ ଯୋଗଦେବା ଲାଗି ପ୍ରବର୍ତ୍ତାଇଥିଲେ। ମାତ୍ର ନିଜ ବନ୍ଧୁତ୍ବ ସୂତ୍ରରେ ବାନ୍ଧି ହୋଇଥିବା ତଥା କୃତଜ୍ଞତା ଓ ନିଷ୍ଠାର ଚିନ୍ତାଧାରାରେ ସମାହିତ କର୍ଣ୍ଣ, ସେଭଳି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏ କଥା ଦୁର୍ଯ୍ୟୋଧନ କିମ୍ବା ଯୁଧିଷ୍ଠିରଙ୍କୁ ନ ଜଣାଇବା ଲାଗି ସେ କୃଷ୍ଣଙ୍କୁ ଅନୁନୟ ହୋଇଥିଲେ। ସେ ପୁଣି ଭଗବାନ କୃଷ୍ଣଙ୍କୁ କହିଥିଲେ ଯେ, ‘ଧର୍ମ’ର ହିଁ ଜୟ ହେବ।

ପ୍ରଥମ ଥର ପାଇଁ ସେ କହିଥିଲେ, ‘ୟତୋ ଧର୍ମସ୍ତତୋ ଜୟଃ’।

ଉକ୍ତ ବୟାନ ‘ସାଂବିଧାନିକ ସାର୍ବଭୌମତ୍ବ’ ସହିତ ତୁଳନୀୟ ଯାହା ଆଜିର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପ୍ରଚଳିତ। ଦିଲ୍ଲୀ ବନାମ ଭାରତ ସରକାର ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ସାଂବିଧାନିକ ଖଣ୍ଡପୀଠଙ୍କ ରାୟରେ ଉକ୍ତ ପରିକଳ୍ପନା ପ୍ରତିପାଦିତ ହୋଇଛି ଯେଉଁଥିରେ ଅଦାଲତ ସାଂବିଧାନିକ ସର୍ବୋଚ୍ଚତା ଓ ସାଂବିଧାନିକ ସାର୍ବଭୌମତ୍ବର ସିଦ୍ଧାନ୍ତ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏହା ଏଥିପାଇଁ ଯେ, ଏହା ଆଇନର ଉତ୍ସ ଏବଂ ଏଥିରେ ଅନ୍ତର୍ନିହିତ ଗୁଣ ଓ ଶକ୍ତିର ପରିବର୍ତ୍ତିତ ସମୟ ସହ ଖାପ ଖାଇବାର ସାମର୍ଥ୍ୟ ରହିଛି। ଏଥିରେ ସହିଷ୍ଣୁତାର ଶକ୍ତି ରହିଛି ଏବଂ ମାନବ ବ୍ୟାପାରକୁ ନିଜ ନିୟନ୍ତ୍ରଣକୁ ନେବାର ପରାକ୍ରମ ରହିଛି।

ଶେଷରେ ଏ କଥା ଯୋଡ଼ିବା ଠିକ୍ ହେବ ଯେ ଯୁଦ୍ଧ ଜିତିବା ଲାଗି ଦୁର୍ଯ୍ୟୋଧନ ଯେତେବେଳେ ମାତା ଗାନ୍ଧାରୀଙ୍କ ଆଶୀର୍ବାଦ ଲୋଡ଼ିଥିଲେ, ସେ ଠିକ୍‌ କର୍ଣ୍ଣ କହିଥିବା ଉକ୍ତି ଉଚ୍ଚାରଣ କରିଥିଲେ।

[email protected]

ସମ୍ବନ୍ଧିତ ଖବର