ଅମୃତ ମହୋତ୍ସବର ଅନୁଚିନ୍ତା

ଆମ ଘରର ହାଲଚାଲ - ସୌମ୍ୟର˚ଜନ ପଟ୍ଟନାୟକ

ଆଜି ସ୍ବାଧୀନ ଭାରତର ଜନ୍ମଦିନ। ୭୫ ବର୍ଷରେ ପଦାର୍ପଣର ଶୁଭ ଅବସରକୁ ‘ଅମୃତ ମହୋତ୍ସବ’ ନାମରେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଜନ୍ମଦିନ ପାଳନର ପରମ୍ପରା ଆମ ସଂସ୍କାରରେ ନୂଆ ନୁହେଁ। ପିଲାଙ୍କଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ଜନ୍ମଦିନ ଉତ୍ସବ ଆମେ ପାଳନ କରିଥାଉ। ତେବେ ବ୍ୟକ୍ତିଗତ ଜୀବନରେ ଜନ୍ମଦିନ ପାଳନ ଅବସରରେ ଯେଉଁ କଥାଗୁଡ଼ିକ ମନକୁ ଆସେ, ରାଷ୍ଟ୍ରୀୟ ଜୀବନକୁ ସେହି ଦୃଷ୍ଟିରୁ ବିଚାର କଲେ ଅନେକଗୁଡ଼ିଏ ପ୍ରଶ୍ନ ଆଜି ମନକୁ ଆନ୍ଦୋଳିତ କରୁଛି।

ବ୍ୟକ୍ତିଗତ ଜୀବନରେ ଜନ୍ମଦିନ ପାଳନ ଅବସରରେ ସାଧାରଣତଃ ଦୁଇଟି କଥା ମନକୁ ଆସେ। ୭୫ ବର୍ଷର ନିରାପଦ ଓ ନିରାମୟ ଜୀବନ ପାଇଁ ଈଶ୍ବରଙ୍କୁ କୃତଜ୍ଞତା ଜଣାଇବା ସଙ୍ଗେ‌ସଙ୍ଗେ ଜୀବନର ଅବଶିଷ୍ଟ ସମୟ କିପରି ଭଲରେ କଟିବ ସେଥିପାଇଁ ତାଙ୍କ ନିକଟରେ ପ୍ରାର୍ଥନା କରିଥାଉ। ଏହି ଅବସରରେ ୭୫ ବର୍ଷର ସ୍ମୃତି ମଧ୍ୟ ଉଜାଗର ହୋଇଉଠେ। ଏହି ଦୃଷ୍ଟିରୁ ବିଚାର କଲେ ଆମ ରାଷ୍ଟ୍ରୀୟ ଜୀବନର ପ୍ରାରମ୍ଭ କାଳ ଆଦୌ ଶୁଭଙ୍କର ନ ଥିଲା। ଦେଶ ବିଭାଜନ ସମୟର ରକ୍ତପାତର ଗମ୍ଭୀରତା ସମ୍ପର୍କରେ ଆମେ ସ୍ବାଧୀନତୋତ୍ତର ଭାରତରେ ଜନ୍ମଲାଭ କରିଥିବା ସନ୍ତାନମାନେ ଆଦୌ କଳ୍ପନା କରିପାରିବା ନାହିଁ। ଦେଶ ବିଭାଜନର କ୍ଷତ ଭରିଯିବା ପରେ ସ୍ବାଧୀନ ଭାରତର ‌ଶୈଶବ ଅତ୍ୟନ୍ତ ସମ୍ଭାବନାପୂର୍ଣ୍ଣ ଥିଲା। ଭାରତର ଯୌବନ ମଧ୍ୟ କିଛି କମ୍‌ ଘଟଣାବହୁଳ କିମ୍ବା ସମ୍ଭାବନାପୂର୍ଣ୍ଣ ନଥିଲା। ଆମର ସମସାମୟିକ ସହୋଦରମାନଙ୍କ ତୁଳନାରେ ଆମେ ବିଶ୍ବ ଦରବାରରେ ପ୍ରଶଂସନୀୟ ହୋଇପାରିଥିଲୁ। ଏହାର ପ୍ରଥମ ଏବଂ ପ୍ରଧାନ କାରଣ ଥିଲା ଆମ ଗଣତନ୍ତ୍ର ଓ ସାମ୍ବିଧାନିକ ଶାସନ ବ୍ୟବସ୍ଥା। ଜାତି, ଧର୍ମ, ବର୍ଣ୍ଣ ଏବଂ ଭାଷା ଭିତ୍ତିରେ ବହୁଧା ବିଭକ୍ତ ଜନସମୁଦାୟ ବିବିଧତା ଭିତରେ ଏକତାକୁ ଭାରତ ବିଚାରର ମୂଳମନ୍ତ୍ର ଭାବେ ଗ୍ରହଣ କରି ନିଜ ଆଚରଣରେ ପ୍ରତିପାଦିତ କରିପାରିଥିଲେ। ଏଥିପାଇଁ ଆମେ ସାରା ବିଶ୍ବରୁ ପ୍ରଶଂସା ସାଉଁଟିଥିଲୁ। ୨୮ ବର୍ଷର ଯୁବାବସ୍ଥାରେ ଆପତ୍‌କାଳୀନ ପରିସ୍ଥିତିର ଘୋଷଣା ରୂପକ ହୃଦ୍‌ଘାତରେ ପୀଡ଼ିତ ହୋଇ ପୁଣି ଶୀଘ୍ର ସ୍ବାସ୍ଥ୍ୟଲାଭ କରିପାରିଥିବା ଆମ ପାଇଁ ଆଉ ଏକ ଉଲ୍ଲେଖନୀୟ ସଫଳତା ଥିଲା।

ଗତ ସପ୍ତାହରେ ଅଗଷ୍ଟ କ୍ରାନ୍ତି ଉତ୍ସବ ପାଳନ ଅବସରରେ ଅନେକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସେଥିରୁ ଅଧିକାଂଶରେ ଆଉ ଏକ କ୍ରାନ୍ତିର ଆବଶ୍ୟକତା ଅଛି ବୋଲି ଚିନ୍ତାଶୀଳ ବ୍ୟକ୍ତିମାନେ ମତପୋଷଣ କରିଥିବା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଆଉ ଏକ କ୍ରାନ୍ତିର ଆବଶ୍ୟକତା କଥା ମନକୁ ଆସୁଛି କାହିଁକି? କେହି କେହି ଦ୍ବିତୀୟ ସ୍ବାଧୀନତା ଆନ୍ଦୋଳନ ପାଇଁ ମଧ୍ୟ ଆହ୍ବାନ ଦେବା ପାଇଁ ସଂକୋଚ କରିଲେ ନାହିଁ। ଆମର ବ୍ୟବସ୍ଥାକୁ ନେଇ କେଉଁଠି ନା କେଉଁଠି ଆମର କ୍ଷୋଭ ଓ ଅସନ୍ତୋଷ ରହିଯାଉଛି। ନିକଟ ଅତୀତର ଅନୁଭବରୁ ଆମ ରାଷ୍ଟ୍ରୀୟ ଜୀବନରେ ଦେଖା ଦେଇଥିବା ବିଭିନ୍ନ ବିଲକ୍ଷଣ ଦୃଷ୍ଟିରୁ ଏହା ସେତେ ସୁସ୍ଥ କିମ୍ବା ସମ୍ଭାବନାପୂର୍ଣ୍ଣ ବୋଲି ମନେ ହେଉନାହିଁ।

ଆମ ସମ୍ବିଧାନ ବିଶ୍ବର ଶ୍ରେଷ୍ଠ ସମ୍ବିଧାନ ବୋଲି ଆମେ ଦାବି କରୁ। ଏହାର ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କୁ ନେଇ ଆମେ ଗର୍ବ ଅନୁଭବ କରୁ। ଏବେ ଏମାନଙ୍କର ଅବକ୍ଷୟ ଆମକୁ ବ୍ୟଥିତ କରୁଛି। ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥାରେ ପ୍ରତିନିଧିସଭାଗୁଡ଼ିକ ତାଙ୍କର ଗୁରୁତ୍ବ ଓ ପ୍ରାସଙ୍ଗିକତା ହରାଇ ବସିଛନ୍ତି। ବର୍ଷକରେ ସର୍ବନିମ୍ନ ନିର୍ଦ୍ଧାରିତ ସମୟ ପାଇଁ ଏକାଠି ବସି ପାରୁନାହାନ୍ତି କି ବସିଲେ ମଧ୍ୟ ସର୍ବନିମ୍ନ ଶୃଙ୍ଖଳା ରକ୍ଷା କରାଯାଇ ପାରୁନାହିଁ। ଆଲୋଚନା ଓ ବିତର୍କର ସ୍ତର ନିମ୍ନଗାମୀ ହେବା‌େର ଲାଗିଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କ୍ଷମତାର ସର୍ବାଧିକ ବିକେନ୍ଦ୍ରୀକରଣରେ ବିଶ୍ବାସ ରଖି ବ୍ୟବସ୍ଥାମାନ କରାଯାଇଥିଲେ ମଧ୍ୟ ଗାନ୍ଧୀଜୀଙ୍କର ଗ୍ରାମ ସ୍ବରାଜ୍ୟର ଚିତ୍ର ଓ ଚରିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି।

ଶାସନମୁଖ୍ୟମାନେ ସମସ୍ତ କ୍ଷମତାକୁ ଅମଲାତନ୍ତ୍ର ମାଧ୍ୟମରେ ନିଜ ହାତରେ କେନ୍ଦ୍ରୀଭୂତ କରି ରଖିବା ପାଇଁ ଚେଷ୍ଟା କରୁଛନ୍ତି। ନ୍ୟାୟପାଳିକାର ନ୍ୟାୟମୂର୍ତ୍ତିମାନେ ସାଧାରଣ ନାଗରିକକୁ ନ୍ୟାୟ ଏବଂ ସୁରକ୍ଷା ଦେବେ କ’ଣ, ନିଜକୁ ଅସହାୟ ମନେକରି ରାଜରାସ୍ତାକୁ ଆସି ନିଜର ଅସନ୍ତୋଷ ଓ ଅନୁଷ୍ଠାନର ଅବକ୍ଷୟ କଥା କହିଲେଣି। ଗଣତନ୍ତ୍ର ଆଜି କେବଳ ଏକ ସଂଖ୍ୟାର ଖେଳ ହୋଇ ରହିଯାଇଛି। ଦଳବଦଳ ବିରୋଧୀ ଆଇନ ଆସିବା ପରେ ଦଳର ପ୍ରଭାବ ଓ କର୍ତ୍ତୃତ୍ବ ବହୁଗୁଣରେ ବଢ଼ିଯାଇଛି। ଦଳଗୁଡ଼ିକ‌େର ଆଭ୍ୟନ୍ତରୀଣ ଗଣତନ୍ତ୍ରର ଅଭାବରେ ଭିନ୍ନ ଏକ ଦଳତନ୍ତ୍ରର ଆବିର୍ଭାବ ଘଟିଛି। ସ୍ଥିରତା ଓ ବିକାଶ ନାମରେ ଅନେକ ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେବା ପାଇଁ କେହି ସଂକୋଚ କରୁନାହାନ୍ତି। ସ୍ବାଧୀନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧୀଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ବ ଓ ‘ଭାରତ ବିଚାର’ କଥା ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସାରା ଭାରତକୁ ଯୋଡ଼ି ପାରିଥିଲା। ଆଜି ସଂଖ୍ୟାଖେଳର ଗଣତନ୍ତ୍ର ପ୍ରତି କ୍ଷେତ୍ରରେ ଭାରତକୁ ଭାଗଭାଗ କରିବା ପାଇଁ ଉତ୍ସାହିତ କରୁଛି। ସହଭାଗିତା, ସହାନୁଭୂତି, ସାମାଜିକ ସମରସତା ଓ ସହିଷ୍ଣୁତା ଆଉ ଆମର ମୂଳମନ୍ତ୍ର ହୋଇ ରହିନାହିଁ। ବ୍ରିଟିଶ ଉପନି‌ବେଶବାଦରୁ ମୁକ୍ତିଲାଭ କରି ଆମେ ସ୍ବାଧୀନତା ଓ ବିକାଶର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଏବେ ଅପୂର୍ଣ୍ଣ ରହିଛି।

୭୫ ବର୍ଷର ସକଳ ଯୋଜନା ସତ୍ତ୍ବେ ଏବେ ବି ଦାରିଦ୍ର୍ୟ ଆମର ମୁଖ୍ୟ ସମସ୍ୟା ହୋଇ ରହିଛି। ୧୪୦ କୋଟି ଜନତାଙ୍କ ମଧ୍ୟରୁ ୮୦ କୋଟିଙ୍କୁ ୫ କେଜି ଖାଦ୍ୟାନ୍ନ ଦେଇ ଆମେ ନିଜକୁ ଗୌରବାନ୍ବିତ ମନେକରୁଛୁ। ଅର୍ଦ୍ଧାଧିକ ଲୋକ ସବୁବେଳେ ଏହିପରି ଦାରିଦ୍ର୍ୟ ସୀମାରେଖା ତଳେ ରହିବା ଆମ ନେତାମାନଙ୍କୁ ସୁହାଉଛି। ରାଷ୍ଟ୍ରକୃପା ଅପେକ୍ଷାରେ ରହିଥିବା ଏହି ସଂଖ୍ୟାଧିକ ଲୋକ ଆଧୁନିକ ଗଣତାନ୍ତ୍ରିକ ବ୍ୟବସ୍ଥାର ଅବକ୍ଷୟର କାରଣ ହୋଇଛନ୍ତି। ତିନିଟି କଥା ଏ ପ୍ରକାର ଅବକ୍ଷୟକୁ ଅଧିକ ପ୍ରଭାବିତ କରିଛି। ପ୍ରଥମଟି ଅମଲାତନ୍ତ୍ରର ଅହଂକାର ଓ ଉତ୍ତରଦାୟିତ୍ବର ଅଭାବ। ଦ୍ବିତୀୟଟି ମଧ୍ୟବିତ୍ତର ନିରବତା ଏବଂ ତୃତୀୟଟି ଗଣତନ୍ତ୍ରରେ ଦେବତ୍ବର ଆବିର୍ଭାବ। ସଂଖ୍ୟା‌ଖେଳର ଗଣତନ୍ତ୍ରରେ ରାଷ୍ଟ୍ରକୃପା ବାଣ୍ଟିବାର ଅଧିକାରକୁ ବ୍ୟବହାର କରି ଅର୍ଥସର୍ବସ୍ବ ନିର୍ବାଚନ ପ୍ରକ୍ରିୟାରେ କ୍ଷମତା ହାସଲ କରିବା ସହଜ ହୋଇଯିବା ଫଳରେ ନେତୃମଣ୍ଡଳୀ ନିଜକୁ ଦେବତା ବୋଲି ଭାବିବାରେ କୌଣସି ଅସୁବିଧା ହେଉନାହିଁ। ଦେବତ୍ବର ସ୍ବୀକୃତି ଦେବା ପାଇଁ ସଂଖ୍ୟାଧିକ ଲୋକ ସଦା ପ୍ରସ୍ତୁତ ହୋଇ ରହିଛନ୍ତି। ଅସୁବିଧାଟି କେବଳ ଏତିକି ଯେ ଥରେ ମଣିଷ ଦେବତା ହେଲେ ଆଉ ଥରେ ମଣିଷ ହେବା ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର