କୋଟିଆରେ ଓଡ଼ିଶା ଲଗାଇଲା ଫଳକ

ପଟାଙ୍ଗି : ତେଲୁଗୁ ଫଳକ ପୋତି ନିଜର ବୋଲି ଦର୍ଶାଇବାକୁ ଯୋଜନା କରିଥିଲା ଆନ୍ଧ୍ର। କିନ୍ତୁ ଦିନକ ପୂର୍ବରୁ ଆନ୍ଧ୍ରର ଏହି ଚକ୍ରାନ୍ତକୁ ପଣ୍ଡ କରି ଦେଇଛି ଓଡ଼ିଶା। ଶନିବାର ବିବାଦୀୟ କୋଟିଆ ପଞ୍ଚାୟତର ସୀମାନ୍ତ ଗାଁ ଗୁଡ଼ିକରେ ଓଡ଼ିଶା ପକ୍ଷରୁ ନାମଫଳକ ପୋତା ଯାଇଛି। ସେହିପରି ଓଡ଼ିଶା ପକ୍ଷରୁ ୨୧ଖଣ୍ଡ ବିବାଦୀୟ ଗାଁରେ ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ଜାରି ରହିଛି। ଏମିତି ସମୟରେ ଶନିବାର ସାଲୁର ବିଧାୟକ ଗଣମାଧ୍ୟମ ଜରିଆରେ ଶାନ୍ତି ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି। ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବାକୁ ନିବେଦନ କରିଛନ୍ତି।

ଉତ୍କଳ ସମ୍ମିଳନୀର ଗୋଟିଏ ଟିମ୍‌ ଶନିବାର ନେରେଡେବାଲସା ଏବଂ ତାଲିବାଲସା ଗାଁକୁ ଗସ୍ତ କରିଥିଲା। ଉତ୍କଳ ସମ୍ମିଳନୀ ମୁଖ୍ୟ ବିନୋଦ ମହାପାତ୍ରଙ୍କ କହିବା ଅନୁଯାୟୀ କେବଳ ଫଳକ ପୋତିଦେଲେ କୋଟିଆ ଆନ୍ଧ୍ରର ହୋଇଯିବ ନାହିଁ। ଲୋକଙ୍କ ଭାଗବେଗ ସହ ଜଡ଼ିତ ମଧ୍ୟ ହେବାକୁ ପଡ଼ିଛି। ଆଉ ଓଡ଼ିଶା ସବୁବେଳେ କୋଟିଆବାସୀଙ୍କ ସହ ରହିଛି। ଉତ୍କଳ ସମ୍ମିଳନୀ ପକ୍ଷରୁ ଆସନ୍ତାକାଲି ଗୋଟିଏ ଗାଁରେ ସ୍ବାଧୀନତା ଦିବସ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୨୧ଖଣ୍ଡ ବିବାଦୀୟ ଗାଁରେ ସ୍ବାଧୀନତା ଦିବସ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତ୍ୟେକ ଗାଁ ପାଇଁ ସରକାରୀ ଅଧିକାରୀଙ୍କୁ ଜାତୀୟ ପତାକା ଉ‌ତ୍ତୋଳନ ନିମନ୍ତେ ପ୍ରଶାସନ ପକ୍ଷରୁ ଦାୟିତ୍ବ ଦିଆଯାଇଛି। ସେହିପରି କୋଟିଆ ଠାରେ ଆସନ୍ତାକାଲି ନୂତନ ଥାନା ଉଦ୍‌ଘାଟନ ନିମନ୍ତେ ପ୍ରସ୍ତୁତି ଚାଲିଥିଲା। ତେବେ କୌଣସି କାରଣରୁ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଛି।

ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ଯେ ଆନ୍ଧ୍ର ବି ଏଠାରେ ସ୍ବାଧୀନତା ଦିବସ ପାଳନ କରିବାକୁ ଯୋଜନା କରିଛି। କୋଟିଆର ତିନୋଟି ଗାଁ ଯଥା ଫଗୁଣସିନେରୀ, ପାଟୁସିନେରୀ ଓ ନେରେଡେବାଲସାକୁ ଆନ୍ଧ୍ର ପଞ୍ଚାୟତର ମାନ୍ୟତା ଦେଇଛି। ଏହି ତିନୋଟି ସ୍ଥାନରେ ସ୍ବାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସେହିପରି ଆସନ୍ତା ୧୬ ତାରିଖ ଦିନ ସାଲୁର ବିଧାୟକ କୋଟିଆ ଗସ୍ତରେ ଆସୁଛନ୍ତି। କିଛି ସରକାରୀ କୋଠା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ ଓଡ଼ିଶା ସୀମାରେ କାହାରିକୁ ବି ପଶିବାକୁ ଦିଆଯିବ ନାହିଁ ବୋଲି କୋରାପୁଟ ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ସପ୍ତାହେ ହେଲା କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ଆସନ୍ତାକାଲି ସକାଳେ କଣ ହେବ ତାହାକୁ ନେଇ ଉତ୍କଣ୍ଠ ପ୍ରକାଶ ପାଇଛି।

କୋଟିଆ ବିବାଦ ଜଟିଳ ହେବାରେ ଲାଗିଥିବା ବେଳେ ଆଜି ମୁହଁ ଖୋଲିଛନ୍ତି ସାଲୁର ବିଧାୟକ। କହିଛନ୍ତି ଯେ କୋଟିଆ ତାଙ୍କ ସଂପତ୍ତି ନୁହଁ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ସମ୍ମାନ ଦେଉଛନ୍ତି। ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀଙ୍କ ପ୍ରତି ବି ‌ଯଥେଷ୍ଟ ସମ୍ମାନ ରହିଛି। ଆମେ ସବୁ ବନ୍ଧୁ। ଓଡ଼ିଶା ଲୋକ ଆନ୍ଧ୍ର ଆସୁଛନ୍ତି ଓ ଆନ୍ଧ୍ର ଲୋକେ ଓଡ଼ିଶା ଯାଉଛନ୍ତି। ଦୁଇ ରାଜ୍ୟର ଅଧିବାସୀଙ୍କ ବନ୍ଧୁବାନ୍ଧବ ଉଭୟ ରାଜ୍ୟରେ ଅଛନ୍ତି। ତେଣୁ କୌଣସି ପ୍ରକାର ବିବାଦ କରିବାକୁ ଆନ୍ଧ୍ର ସରକାର ଚାହୁନାହାନ୍ତି। ୧୯୬୮ ମସିହା ଡିସେମ୍ବର ମାସ ୨ତାରିଖ ଦିନ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଉଭୟ ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ନିହାତି ଆଲୋଚନା କରିବା ଆବଶ୍ୟକ। ସେ ପର୍ଯ୍ୟନ୍ତ ଶାନ୍ତି ବଜାୟ ରଖିବାକୁ ନିବେଦନ କରୁଥିବା ବିଧାୟକ କେ. ରାଜନ ଦୋରା ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର