ହାଲୁକା ଜୀବନ

ଗଲା ୨୦୦୮ ମସିହାରେ ‘ଏନର୍ଜି ସେଭି˚ ଟ୍ରଷ୍ଟ୍’ ନାମକ ଏକ ଆନ୍ତର୍ଜାତିକ ଖ୍ୟାତି ସ˚ପନ୍ନ ପରିବେଶ ମନସ୍କ ଅନୁଷ୍ଠାନ ଦ୍ବାରା ପୃଥିବୀର ଅନ୍ୟତମ ପ୍ରସିଦ୍ଧତମ ଫୁଟ୍‌ବଲ ତାରକା ଡେଭିଡ୍‌ ବେକ୍‌ହାମ୍‌ଙ୍କୁ ଏହି ନୀଳ ଗ୍ରହର ଇତିହାସରେ ପର୍ଯ୍ୟାବରଣର ସର୍ବାଧିକ କ୍ଷତି ସାଧନ କରିଥିବା ମନୁଷ୍ୟ ଭାବେ ଅଭିହିତ କରାଯାଇଥିଲା। ତହିଁରେ କୁହାଯାଇଥିଲା ଯେ ସେହି ବର୍ଷ ଜାନୁଆରି ୨୩ରୁ ମାର୍ଚ୍ଚ ୬ ତାରିଖ ମଧୢସ୍ଥ ଛଅ ସପ୍ତାହ ଭିତରେ ବେକ୍‌ହାମ ମହାଶୟ ମିଲାନ୍‌-ଲଣ୍ତନ୍‌-ଲସ୍‌ଏ˚ଜେଲେସ୍‌ ମଧୢରେ କରିଥିବା ଅଗଣିତ ବିମାନ ଯାତ୍ରା କାରଣରୁ ଏଭଳି ଏକ ଅପଯଶ ମୁଣ୍ତାଇବାକୁ ବାଧୢ ହୋଇଛନ୍ତି। ତାହା ସହିତ ବିମାନରେ ବେକ୍‌ହାମ୍‌ ଅଧିକାର କରିଥିବା ପ୍ରଥମ ଶ୍ରେଣୀର କ୍ୟାବିନ୍‌ରେ ତାଙ୍କ ଯାତ୍ରାକୁ ଉପଭୋଗ୍ୟ କରିବା ସକାଶେ ଯେଉଁଭଳି ସାଧନମାନ ଉପଲବ୍‌ଧ ଥିଲା, ସେଗୁଡ଼ିକ ମଧୢ ପରିବେଶର ବିପୁଳ କ୍ଷତି ଘଟାଇଥିଲେ। କାରଣ ସେ ଯାତାୟାତ କରୁଥିବା ବିମାନଗୁଡ଼ିକ ଉଡ଼ାଣ ଏବ˚ ବେକ୍‌ହାମ୍‌ଙ୍କୁ ସୁଖ ଓ ଆରାମ ପ୍ରଦାନ କରିବା ଲାଗି ଉଦ୍ଦିଷ୍ଟ ଯନ୍ତ୍ରପାତିଗୁଡ଼ିକର ଚାଳନା ଲାଗି ଯେତିକି ଶକ୍ତି ବ୍ୟବହାର କରିଥିଲେ ଏବ˚ ସେହି ଶକ୍ତି ଆହରଣ ଲାଗି ଯେଉଁ ପରିମାଣର ଜୀବାଶ୍ମ ଇନ୍ଧନ ବ୍ୟବହୃତ ହୋଇଥିଲା, ତହିଁରେ ପ୍ରଚୁର ‘ସବୁଜ କୋଠରି ବାଷ୍ପ’ ବା ‘ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌’ ବା ‘ଜି.ଏଚ୍‌.ଜି’ ନିର୍ଗମନ ହୋଇଥିବା ନିଶ୍ଚିତ; ଯାହା ପରିବେଶ ଲାଗି ଅତ୍ୟନ୍ତ କ୍ଷତିକାରକ ହୋଇଥିବା ନିଃସନ୍ଦେହ।

‘ଏନର୍ଜି ସେଭି˚ ଟ୍ରଷ୍ଟ’ ପକ୍ଷରୁ କୁହାଯାଇଥିଲା ଯେ ବେକ୍‌ହାମ୍‌ ଯେଉଁ ପରିମାଣର ‘ଜି.ଏଚ୍‌.ଜି’ ଉତ୍ସର୍ଜନର କାରଣ ହୋଇଥିଲେ, ତାହା ଥିଲା ଇ˚ଲାଣ୍ତରେ ବର୍ଷକୁ ହାରାହାରି ମୁଣ୍ତ ପିଛା ଉତ୍ସର୍ଜନ ପରିମାଣ (୫.୨୫ ମେଟ୍ରିକ ଟନ୍‌) ଠାରୁ ପ୍ରାୟ ୧୩ ଟନ୍‌ ଅଧିକ ଏବ˚ ସେହି କାରଣରୁ ସେ ପୃଥିବୀର ସର୍ବବୃହତ୍‌ ‘କାର୍ବନ ପଦଚିହ୍ନ’ଧାରୀ (‘ଜି.ଏଚ୍‌.ଜି’ ନିର୍ଗମନର ପରିମାଣ ଅନୁସାରେ କାର୍ବନ ପଦଚିହ୍ନର ଆକାର ହୋଇଥାଏ) ମନୁଷ୍ୟରେ ପରିଣତ ହୋଇଥିଲେ। ଏବ˚, ଏହା ସହିତ ଆଉ ଯାହା ସ୍ପଷ୍ଟ ହୋଇଥିଲା, ତାହା ହେଉଛି ପୃଥିବୀର ସର୍ବାଧିକ ପାରିବେଶିକ ଦୁର୍ଦଶାର କାରଣ ହୋଇଛନ୍ତି ଏଭଳି ଅତି ମୁଷ୍ଟିମେୟ ବିତ୍ତଶାଳୀ ବର୍ଗ; କିନ୍ତୁ ତା ସହିତ ଯେଉଁ ବିଡ଼ମ୍ବନାଟି ଦୃଶ୍ୟମାନ, ତାହା ହେଲା ଏହି କାରଣରୁ ଯେଉଁ ପ୍ରାକୃତିକ ବିଭୀଷିକାମାନ ନିୟମିତ ଭାବେ ଘଟିବାରେ ଲାଗିଛି, ତାହାର ସବୁଠାରୁ ଅଧିକ ଶିକାର ହୋଇଛନ୍ତି ଦରିଦ୍ର ଓ ନିମ୍ନ-ବିତ୍ତ ବର୍ଗ ଯେଉଁମାନେ ପ୍ରକୃତରେ ସର୍ବାଧିକ ଧାରଣକ୍ଷମ ଓ ପ୍ରକୃତି ଅନୁକୂଳ ଜୀବନଯାପନ କରିଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ୧୧ ତାରିଖ‌ରେ ଗଣମାଧୢମରେ ପ୍ରକାଶିତ ଏକ ସମ୍ବାଦ ପ୍ରଣିଧାନଯୋଗ୍ୟ, ଯହିଁରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା କରାଯାଇଥିବା ଭବିଷ୍ୟବାଣୀ ଆଧାରରେ କୁହାଯାଇଛି ଯେ ଆମ ରାଜ୍ୟର ବନ୍ଦର ସହର ପାରାଦୀପ ୨୦୫୦ ମସିହା ବେଳକୁ ସମୁଦ୍ରର ଗର୍ଭସାତ୍‌ ହୋଇଯାଇପାରେ। ସୁତରାଂ, ଏ ସ˚ଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ଉଲ୍ଲେଖଯୋଗ୍ୟ ଯେ ବିଳାସପୂର୍ଣ୍ଣ ଜୀବନଯାପନ ଅଥବା ଅଧିକ ମା˚ସାହାର ଭଳି କାର୍ଯ୍ୟ କାହିଁକି ପରିବେଶର ଅଧିକ କ୍ଷତି ସାଧନ କରିଥାଏ, ତାହା ଅନେକଙ୍କ ଲାଗି ଅବୋଧୢ ହୋଇଥିବାରୁ ସମ୍ଭବତଃ ପରିବେଶ ଅନୁକୂଳ ଜୀବନଚର୍ଯ୍ୟା ଲାଗି ଯେଉଁ ସଚେତନତା ଉପୁଜିବା କଥା, ତାହା ହୋଇପାରିନାହିଁ। ସୁତରା˚, ଏ ପରିପ୍ରେକ୍ଷୀରେ ପ୍ରଥମ ଆବଶ୍ୟକତା ହେଉଛି ଏହାକୁ ବୁଝିବା। ଏ ସ˚ଦର୍ଭରେ ମନେ ରଖିବା ଆବଶ୍ୟକ ଯେ ଯେକୌଣସି ଉପଭୋଗ୍ୟ ଜୀବନଶୈଳୀକୁ ସମ୍ଭବ କରିବା ଲାଗି ଯେଉଁ ସବୁ ସାଧନର ଆବଶ୍ୟକତା ରହିଛି, ସେ ସବୁକୁ ଚଳନକ୍ଷମ ହେବା ଲାଗି ପ୍ରଥମେ ଲୋଡ଼ା ଶକ୍ତି ବା ‘ଏନର୍ଜି’ ଯାହାର ଅଧିକା˚ଶ ଭାଗ ଆସିଥାଏ କୋଇଲା ବା ପେଟ୍ରୋଲ ଭଳି ଜୀବାଶ୍ମ ଇନ୍ଧନର ଦହନରୁ; ଯେଉଁ ପ୍ରକ୍ରିୟା ସର୍ବାଧିକ ‘ଜି.ଏଚ୍‌.ଜି.’ ସୃଷ୍ଟି କରିଥାଏ। ସେହି ଭଳି ମନୁଷ୍ୟର ମା˚ସାହାର ଲାଗି ଉଦ୍ଦିଷ୍ଟ ପଶୁସ˚ପଦର ଲାଳନପାଳନ ଲାଗି ହେଉଥିବା ଘାସ ଚାଷରେ ଯେଉଁ ନାଇଟ୍ରୋଜେନ୍‌ ଭିତ୍ତିକ ସାର ବ୍ୟବହୃତ ହୋଇଥାଏ, ତହିଁରୁ ନିର୍ଗତ ଅଙ୍ଗାରକାମ୍ଳ ଓ ନାଇଟ୍ରସ୍‌ ଅକ୍‌ସାଇଡ୍‌ ଗ୍ୟାସ୍‌ ‘ଜି.ଏଚ୍‌.ଜି.’ ବୃଦ୍ଧିରେ ସହାୟକ ହୋଇଥାଏ। ଯଦିଓ ଏହା ସତ ଯେ ମନୁଷ୍ୟର ବ୍ୟବହାର ପାଇଁ ଆବଶ୍ୟକ ପ୍ରତ୍ୟେକ ସାମଗ୍ରୀର ଉତ୍ପାଦନ ଲାଗି ସ୍ଥାପିତ ଯେକୌଣସି ଉଦ୍ୟୋଗ ‘ଜି.ଏଚ୍‌.ଜି.’ ନିର୍ଗମନର କାରଣ ହୋଇଥାଏ, ଏକ ଉପଭୋଗ-କୈନ୍ଦ୍ରିକ ଜୀବନଶୈଳୀ ଏହି ସବୁ ସାମଗ୍ରୀର ବ୍ୟବହାରରେ ନିରଙ୍କୁଶ ଯଥେଚ୍ଛାଚାର ପ୍ରଦର୍ଶନ କରୁଥିବାରୁ ସେ ସବୁର ସଘନ ଉତ୍ପାଦନର ଆବଶ୍ୟକତା ସୃଷ୍ଟି ହୋଇ ଉଦ୍ୟୋଗରୁ ‘ଜି.ଏଚ୍‌.ଜି.’ ଉତ୍ସର୍ଜନକୁ ଏକ ଅତ୍ୟନ୍ତ ଉଚ୍ଚ ସ୍ତରକୁ ନେଇ ଯାଇଥାଏ। ଏହି କାରଣରୁ ଉନ୍ନତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ନାଗରିକମାନେ ମୁଣ୍ତ ପିଛା ସର୍ବାଧିକ ‘ଜି.ଏଚ୍‌.ଜି.’ ନିର୍ଗତ କରିଥାଆନ୍ତି।

ଉଦାହରଣ ସ୍ବରୂପ ଜଣେ ଆମେରିକୀୟ ବ୍ୟକ୍ତି ବାର୍ଷିକ ମୁଣ୍ତ ପିଛା ୬.୫ ମେଟ୍ରିକ୍‌ ଟନ୍‌ ବା ଜଣେ ଅଷ୍ଟ୍ରେଲୀୟ ନାଗରିକ ବାର୍ଷିକ ହାରାହାରି ୧୭.୨ ମେଟ୍ରିକ୍‌ ଟନ୍‌ ବା ଜଣେ କାନାଡୀୟ ହାରାହାରି ୧୯.୪ ମେଟ୍ରିକ୍‌ ଟନ୍‌ ‘ଜି.ଏଚ୍‌.ଜି.’ ନିର୍ଗମନ କରୁଥିବା ବେଳେ ଜଣେ ଭାରତୀୟ ବାର୍ଷିକ ହାରାହାରି ମାତ୍ର ୧.୯ ମେଟ୍ରିକ୍‌ ଟନ୍‌ ପରିମାଣର ‘ସବୁଜ କୋଠରି ବାଷ୍ପ’ ବା ‘ଜି.ଏଚ୍‌.ଜି.’ ବାୟୁମଣ୍ତଳକୁ ଛାଡ଼ିବାରେ ଆପଣା ଭୂମିକା ନିର୍ବାହ କରିଥାଆନ୍ତି। କିନ୍ତୁ ଏହା ସତ୍ତ୍ବେ ଭାରତ ତା’ର ଅତ୍ୟନ୍ତ ବିଶାଳ ଜନସ˚ଖ୍ୟା କାରଣରୁ ପୃଥିବୀର ଚତୁର୍ଥ ବୃହତ୍ତମ ‘କାର୍ବନ ପଦଚିହ୍ନ’ଧାରୀ ରାଷ୍ଟ୍ର ରୂପେ ଏକ ଅରୁଚିକର ମାନ୍ୟତା ଲାଭ କରିଛି। କେବଳ ସେତିକି ନୁହେଁ, ଏହାକୁ ଦର୍ଶାଇ ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ଭାରତକୁ ତା’ର ‘ଜି.ଏଚ୍‌.ଜି.’ ନିର୍ଗମନର ପରିମାଣକୁ ହ୍ରାସ କରିବା ଲାଗି ଚେତାଇ ମଧୢ ଦେଉଛନ୍ତି। ଏଠାରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା, ‘ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଫର ହ୍ୟୁମାନିଟି ଏଣ୍ତ ନେଚର’ ଦ୍ବାରା କରାଯାଇଥିବା ଏକ ଅନୁଧୢାନରୁ ଜଣାପଡ଼ିଛି ଯେ ଭାରତୀୟ ଦରିଦ୍ର ଓ ନିମ୍ନ-ବିତ୍ତ ବର୍ଗର ଲୋକେ ସର୍ବାଧିକ ପ୍ରକୃତି ଅନୁକୂୂଳ ଏବ˚ ଧାରଣକ୍ଷମ ଜୀବନଯାପନ କରିଥାଆନ୍ତି। ଏହି ବର୍ଗର ସ˚ଯମୀ ଜୀବନଚର୍ଯ୍ୟା କାରଣରୁ ଭାରତୀୟ ବିତ୍ତଶାଳୀମାନେ ନିମ୍ନ-ବିତ୍ତଙ୍କ ତୁଳନାରେ ହାରାହାରି ମୁଣ୍ତ ପିଛା ୭ ଗୁଣ ଅଧିକ ‘ଜି.ଏଚ୍‌.ଜି.’ ନିର୍ଗମନ କରୁଥିଲେ ସୁଦ୍ଧା ଭାରତର ମୁଣ୍ତ ପିଛା ନିର୍ଗମନର ହାର ଏଭଳି ନୀଚା ରହିଛି। ସେହି ଅନୁଧୢାନ କହିଥାଏ ଯେ ଭାରତୀୟ ନିମ୍ନ-ବିତ୍ତମାନେ ଯେଉଁ କୁନି କୁନି ‘କାର୍ବନ ପଦଚିହ୍ନ’ର ଅଧିକାରୀ ହୋଇଛନ୍ତି, ତା’ର ପ୍ରମୁଖ କାରଣ ସେମାନେ ବ୍ୟବହାର କରୁଥିବା ସାବୁନ ଓ ଡିଟରଜେଣ୍ଟ (ଅର୍ଥାତ୍‌ ସେହି ସବୁ ଦ୍ରବ୍ୟ ଉତ୍ପାଦନ ଲାଗି ଚାଲୁଥିବା ଶିଳ୍ପ ଦ୍ବାରା ନିର୍ଗତ ‘ଜି.ଏଚ୍‌.ଜି.’ କାରଣରୁ)। ତେଣୁ କହିବା ଅନାବଶ୍ୟକ ଯେ ଏକ କ୍ରମବର୍ଦ୍ଧିଷ୍ଣୁ ଉଚ୍ଚ-ବିତ୍ତଶାଳୀଙ୍କ ସତ୍ତ୍ବେ ଏ ଯାବତ୍‌ ଭାରତୀୟମାନେ ଏକ ହାଲୁକା ଜୀବନ ଜିଇବାରେ ସମର୍ଥ ହୋଇଛନ୍ତି।

ଏ ସ˚ଦର୍ଭରେ ଗୁରୁ ନାନକଙ୍କୁ ନେଇ ଥିବା ଏକ କି˚ବଦନ୍ତି ଉଲ୍ଲେଖଯୋଗ୍ୟ। କାହାଣୀଟି ଅନୁସାରେ ଏକ ସୁଫି ପଣ୍ତିତଙ୍କ ଗାଁରେ ପହଞ୍ଚି ଆଶ୍ରୟ ଭିକ୍ଷା କରିଥିବା ନାନକଙ୍କ ନିକଟକୁ ଗାଁର ମୁଖିଆ ଏକ ଉଛୁଳି ପଡୁଥିବା ଲୋଟାଏ କ୍ଷୀର ପ୍ରେରଣ କରନ୍ତେ, ନାନକ ଏହି ବାର୍ତ୍ତାର ମର୍ମ ବୁଝିପାରି ସେହି କ୍ଷୀର ଉପରେ କିଛି ଫୁଲ ଭସାଇ ଦେଇ ତାକୁ ମୁଖିଆଙ୍କ ନିକଟକୁ ଫେରାଇ ଦେବା ପରେ ତାଙ୍କୁ ସେଠାରେ ସସମ୍ମାନ ଆଶ୍ରୟର ଅନୁମତି ମିଳିଥିଲା। ସଂପୂର୍ଣ୍ଣ ପ୍ରକରଣର ପ୍ରହେଳିକାଟି ଏହିଭଳି ଥିଲା। ଲୋଟାପୂର୍ଣ୍ଣ କ୍ଷୀର ପ୍ରେରଣ କରି ମୁଖିଆ କହିବାକୁ ଚାହିଁଥିଲେ ଯେ ତାଙ୍କ ଗ୍ରାମ ସୁଫି ସନ୍ଥମାନଙ୍କ ଦ୍ବାରା ଏଭଳି ଭରା ଯେ ଆଉ ଜଣେ ଅଧିକଙ୍କ ଓଜନ ସହିବାକୁ ଗ୍ରାମଟି ଅସମର୍ଥ; ଯାହାର ଉତ୍ତରରେ ନାନକ ଫୁଲ ପାଖୁଡ଼ା ଭସେଇ ଦେଇ ଜଣାଇଥିଲେ ଯେ ଆଶ୍ରୟ ମିଳିଲେ ସେ ଏହି ପାଖୁଡ଼ାଗୁଡ଼ିକ ଭଳି ଏକ ଓଜନଶୂନ୍ୟ ଜୀବନ ଜିଇବେ। ସେହି ଦୃଷ୍ଟିରୁ ଏହା କହିଲେ ଅତ୍ୟୁକ୍ତି ହେବନାହିଁ ଯେ ଅଧିକା˚ଶ ଭାରତୀୟ ନାନକ କହିଥିବା ଭଳି ଅତ୍ୟନ୍ତ ହାଲୁକା ଜୀବନ ଜିଇ ଆସିଛନ୍ତି; ଯାହାର ବିପରୀତରେ ବିତ୍ତଶାଳୀ ରାଷ୍ଟ୍ରର ନାଗରିକମାନେ ଏକ ପ୍ରକୃତି ପ୍ରତିକୂଳ ଓଜନିଆ ଜୀବନ ଅତିବାହିତ କରୁଛନ୍ତି। କିନ୍ତୁ ଏକ ବିଡ଼ମ୍ବନା ହେଲା, ପ୍ରକୃତି ସମସ୍ତଙ୍କୁ ସମ ଦୃଷ୍ଟିରେ ଦେଖୁୁଥିବାରୁ ହାଲୁକା ଜୀବନ ଜିଉଥିବା ମନୁଷ୍ୟମାନେ ପ୍ରକୃତି ଠାରୁ କୌଣସି ବିଶେଷ ଅନୁଗ୍ରହ ଲାଭ କରିବାର ସମ୍ଭାବନା ନ ଥାଏ। ତେଣୁ ଓଜନିଆ ଜୀବନର ଚାପରେ ସମୁଦ୍ର ଉଛୁଳି ପଡ଼ିଲେ ତହିଁରେ ଓଡ଼ିଶା ଭଳି ଏକ ରାଜ୍ୟର ଏକ କ୍ଷୁଦ୍ର ବନ୍ଦର ସହର ନିରବରେ ମଗ୍ନ ହୋଇଯିବାର ଆଶଙ୍କା ଉପୁଜି ଥାଏ। କିନ୍ତୁ ଯେଉଁ ମୁଷ୍ଟିମେୟ ୧୦ ପ୍ରତିଶତଙ୍କ (୨୦୧୮ର ଅକ୍‌ସଫାମ ଅନୁଧୢାନ) ଓଜନଦାର ଜୀବନ କାରଣରୁ ପୃଥିବୀ ଉତ୍ତପ୍ତ ହେବାରେ ଲାଗିଛି ଏବ˚ ପ୍ରକୃତି ଚରମ ପ୍ରତିକ୍ରିୟାଶୀଳ ହୋଇ ନିୟମିତ ତାଣ୍ତବମାନ ରଚନା କରୁଛି, ସେମାନେ ଏଭଳି ସମୟରେ ସେମାନଙ୍କ ସୁରମ୍ୟ ହର୍ମ୍ୟ ଭିତରେ ସୁରକ୍ଷିତ ରହିପାରୁଥିବା ବେଳେ ହାଲୁକା ଜୀବନ ଜିଉଥିବା ସ˚ଖ୍ୟାଗରିଷ୍ଠ ବର୍ଗଙ୍କ ଭାଗ୍ୟ ସୁଅ ମୁହଁରେ ପତର ସଦୃଶ ହୋଇଛି।

ସମ୍ବନ୍ଧିତ ଖବର