ଉତ୍କଳ ସମ୍ମିଳନୀ ଅନୁଚିନ୍ତା

ସେହି କ୍ରମରେ ଅତ୍ୟନ୍ତ ସମୃଦ୍ଧ ପ୍ରାଚୀନତା ଏବଂ ଭାରତର ଷଷ୍ଠ ଶାାସ୍ତ୍ରୀୟ ଭାଷା ରୂପେ ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷା ତା’ର ଜନ୍ମ ଏବଂ କର୍ମମାଟିରେ କ୍ରମେ ଅପାଂକ୍ତେୟ ହୋଇ ପଡୁଥିବା ଭଳି ଆଶଙ୍କା ସୃଷ୍ଟି ହେଲାଣି। ଅଥଚ, ବିଚ୍ଛିନ୍ନାଞ୍ଚଳରେ ପୃଥକ୍‌ ହୋଇ ରହିଯାଇଥିବା ଓଡ଼ିଆ ଭାଷୀମାନେ ପ୍ରାଣପଣେ ‌ସେମାନଙ୍କ ମାତୃଭାଷା ଏବଂ ସଂସ୍କୃତିକୁ ବଞ୍ଚାଇ ରଖିବା ଉଦ୍ୟମରେ ମଗ୍ନ। ଆମ ରାଜ୍ୟରେ ଯେତେବେଳେ ଅସଂଖ୍ୟ ଓଡ଼ିଆ ତରୁଣତରୁଣୀ ଓଡ଼ିଆ ଲିପିକୁ ଚିହ୍ନି ଦୁଇ ଅକ୍ଷର ପାଠ କରିବା ଅସମ୍ଭବ ହେଲାଣି; ଛତିଶଗଡ଼ର ରାଇଗଡ଼ ଜିଲ୍ଲାରେ ଅନେକ ଓଡ଼ିଆ ପରିବାର, ସେଠାକାର ମୁଦ୍ରଣ ବ୍ୟବସ୍ଥାରେ ଓଡ଼ିଆ ଲିପିର ବିଲୋପନ ସତ୍ତ୍ବେ ଦେବନାଗରୀ ଲିପିରେ ପ୍ରକାଶିତ ଓଡ଼ିଆ ଭାଗବତ ପ୍ରତ୍ୟହ ପାଠ କରିବାରେ ବ୍ରତୀ ଅଛନ୍ତି। ଓଡ଼ିଆ ଭାଷା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ଦିଗରେ ସେମାନଙ୍କ ସଘନ ପ୍ରୟାସକୁ ବଳ ଦେବା ଲାଗି ଏକ ବଳିଷ୍ଠ ଉତ୍କଳ ସମ୍ମିଳନୀର ଆବଶ୍ୟକତା ଯେ ଆଜି ବି ରହିଛି, ତାହା ହୃଦ୍‌ବୋଧ କରିହୁଏ।

ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ ଓଡ଼ିଶା ବୋଇଲେ କ’ଣ କେବଳ ମାତ୍ର ଏକ ଭୌଗୋଳିକ ଅସ୍ତିତ୍ବ? ଭାରତର ମାନଚିତ୍ରରେ ଅନ୍ୟାନ୍ୟ ସବୁ ରାଜ୍ୟ ଭଳି ପ୍ରାୟ ତାହା ହିଁ ଦିଶିଥାଏ। କିନ୍ତୁ ଯେତେବେଳେ ଦ୍ବିତୀୟ ପ୍ରଶ୍ନଟି ଉଠିଥାଏ ଯେ ଦେଶ ସ୍ବାଧୀନ ହେବାର ୧୧ ବର୍ଷ ପୂର୍ବରୁ ବ୍ରିଟିସ ଅଧିକୃତ ଭାରତରେ ସର୍ବ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାର ଆବିର୍ଭାବ କ’ଣ ସୂଚାଇ ନଥାଏ କି ଏହି ଉପକୂଳବର୍ତ୍ତୀ ଭୂଖଣ୍ଡଟି ଅନ୍ତତଃ କେତେକ ଦିଗରୁ ଅସାମାନ୍ୟ ହୋଇଥିବ? ଯେଉଁମାନେ ଓଡ଼ିଶାର ଇତିହାସ ସହିତ ପରିଚିତ ସେମାନେ ଅବଶ୍ୟ ଅବଗତ ଥିବେ କିଭଳି ଅତ୍ୟନ୍ତ ଦୀର୍ଘ, ସଘନ ଏବଂ ଆୟସସାଧ୍ୟ ଉଦ୍ୟମ ବଳରେ ବିଖଣ୍ଡିତ ଶରୀରାବଶେଷକୁ ଯୋଡ଼ି ଏବଂ ତହିଁରେ ପ୍ରାଣ ସଂଚାର କରି ଓଡ଼ିଶା ନାମକ ଏକ ପୂର୍ଣ୍ଣାଙ୍ଗ ଅସ୍ତିତ୍ବକୁ ସମ୍ଭବ କରାଯାଇଥିଲା। ଏହି ସଂଦର୍ଭ ଆଜି ଏଥି ଲାଗି ସ୍ମରଣକୁ ଆସିଥାଏ ଯେ ଆଜକୁ ଶହେ କୋଡ଼ିଏ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୦୩ ମସିହାର ଆଜିର ଦିନରେ ସେହି ଉଦ୍ୟମର ବୀଜ ବପନ କରାଯାଇଥିଲା, ଯାହାର ନାମ ଥିଲା ଉତ୍କଳ ସମ୍ମିଳନୀ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ଗଠନ ଲାଗି ହୋଇଥିବା ପ୍ରୟାସ, ସଫଳତା ଏବଂ ଅପ୍ରାପ୍ତି ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା ବି‌େଶଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ଓଡ଼ିଶା ଗଠନରେ ୧୯୦୩ ମସିହାର ଭୂମିକା ବିଭିନ୍ନ କାରଣରୁ ସର୍ବା‌ଧିକ; କାରଣ ଏହି ବର୍ଷ ଘଟିଥିବା ତିନିଟି ଘଟଣାରୁ ହିଁ ଓଡ଼ିଶା ନାମକ ରାଜ୍ୟର ସୂତ୍ରପାତ ଘଟିଥିଲା। ତହିଁରୁ ପ୍ରଥମ ଘଟନାଟି ଥିଲା କେ‌େତକ ସ୍ଥାନୀୟ ଯୁବକଙ୍କ ଉଦ୍ୟମରେ ଏବଂ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ପୃଷ୍ଠପୋଷକତାରେ ରମ୍ଭା ଠାରେ ‘ଗଞ୍ଜାମ ଜାତୀୟ ସମିତି’ ନାମକ ଏକ ଅନୁଷ୍ଠାନର ଗଠନ, ଯାହାର ଉଦ୍ଦେଶ୍ୟ ଥିଲା ମାନ୍ଦ୍ରାଜ ଓ ସେଣ୍ଟ୍ରାଲ ପ୍ରୋଭିନ୍‌ସରେ ବିକ୍ଷିପ୍ତ ଓ ବିଭାଜିତ ଭାବେ ରହିଥିବା ଓଡ଼ିଆ ଭାଷାଭାଷୀ ଦକ୍ଷିଣାଞ୍ଚଳକୁ ଏକତ୍ର କରିବା ସକାଶେ ଉଦ୍ୟମ। ପ୍ରକାଶ ଥାଉ କି, ୧୯୦୩ ଏପ୍ରିଲ ମାସରେ ବ୍ରହ୍ମପୁର ଠାରେ ଏହି ସମିତିର ପ୍ରଥମ ବୈଠକରେ ଯୋଗ ଦେଇଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମନରେ ଏହା ପର ଠାରୁ ଏକ ଅଖିଳ ଉତ୍କଳ ସାଂସ୍କୃତିକ ଅନୁଷ୍ଠାନ ଗଠନ ଲାଗି ଉତ୍ସାହ ଜାତ ହୋଇଥିଲା‌, ଯାହାର ପ୍ରମୁଖ ଉଦ୍ଦେଶ୍ୟ ହେଲା ରାଜନୈତିକ କାରଣରୁ ଅଗତ୍ୟା ବିଖଣ୍ଡିତ ହୋଇଯାଇଥିବା ପ୍ରାକୃତିକ ଭାବେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣରେ ଏକ ସ୍ବତନ୍ତ୍ର ଉତ୍କଳ ରାଜ୍ୟ ଗଠନ। ସୁତରାଂ, ‘ଗଞ୍ଜାମ ଜାତୀୟ ସମିତି’ ଏକ କ୍ଷୀଣ ନିର୍ଝର ଭଳି ବହି ଆସି ‘ଉତ୍କଳ ସମ୍ମିଳନୀ’ ଭଳି ଏକ ମହାସ୍ରୋତକୁ ଜନ୍ମଦେବାର ପଥ ପରିଷ୍କାର ହୋଇଯାଇଥିଲା। ସେହି ୧୯୦୩ ମସିହାର ଦ୍ବିତୀୟ ଘଟଣାଟି ଥିଲା ମାଡ୍ରାସ କଂଗ୍ରେସ ଅଧିବେଶନରେ ମଧୁବାବୁଙ୍କ ଦ୍ବାରା ଉତ୍‌ଥାପିତ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଭଳି ପ୍ରସ୍ତାବ ଆଦୌ ଗୁରୁତ୍ବ ଲାଭ ନ ପାଇବା, ଯାହା ତାଙ୍କୁ ଏଭଳି କ୍ଷୁଣ୍ଣ କରିଥିଲା ଯେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଝୁଙ୍କ ଏକ ନିଶାରେ ପରିଣତ ହୋଇ ଯାଇଥିଲା। ସୁତରାଂ, ସେହି ୧୯୦୩ ଡିସେମ୍ବର ୩୦ ତାରିଖରେ କଟକର ଇଦ୍‌ଗା ପଡ଼ିଆରେ ଉତ୍କଳ ସମ୍ମିଳନୀ ଗଠନର ଘୋଷଣା ସହିତ ଏହାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। କହିବା ଅନାବଶ୍ୟକ ଯେ ଏହା ସହିତ ହିଁ ନିୟତି କାଳର ଲଲାଟରେ ନୂତନ ଓଡ଼ିଶା ରାଜ୍ୟ ଗଠନ ବିଷୟ ଲେଖି ଦେଇଥିଲା। ସେହି ଦୃଷ୍ଟିରୁ ୨୦୨୩ ବର୍ଷଟି ମଧ୍ୟ ଗୁରୁତ୍ବପୂର୍ଣ୍ଣ, ଯାହା ମଧ୍ୟ ସ୍ବତନ୍ତ୍ର ଓଡ଼ିଶା ଗଠନର ସ୍ବପ୍ନ ସଂଚାରର ଶହେ କୋଡ଼ିଏ ବର୍ଷ ପୂର୍ତ୍ତି।
ଆଜି ପର୍ଯ୍ୟନ୍ତ ଉତ୍କଳ ସମ୍ମିଳନୀ ତିଷ୍ଠି ରହିଛି ସତ, କିନ୍ତୁ ବିଡ଼ମ୍ବନା ହେଲା, ଏହା ଗୋଷ୍ଠୀ ବିଭାଜିତ ଏବଂ ଏଭଳି ପ୍ରାଣ-ଶକ୍ତି ରହିତ ଯେ ଏହା ଅସ୍ତିତ୍ବହୀନ ହୋଇ ପଡ଼ିଥିବା ଭଳି ମନେ ହୋଇଥାଏ। ୧୯୨୦ ମସିହାରେ ଅର୍ଥାତ୍‌ ଗଠନର ମାତ୍ର ୧୭ ବର୍ଷ ପରେ ଏହି ବଳିଷ୍ଠ ଅନୁଷ୍ଠାନ(ସେହି ସମୟରେ)ର ସହସା ବିଲୟ ଘଟି ଯାଇଥିଲା, ଯେତେବେଳ ଉତ୍କଳ ସମ୍ମିଳନୀର ଅନେକ ପ୍ରଭାବଶାଳୀ କଂଗ୍ରେସ ନେତାଙ୍କ ଆଗ୍ରହ‌େର ଏହି ଆଂଚଳିକ ଅନୁଷ୍ଠାନଟି ରାଷ୍ଟ୍ରବ୍ୟାପୀ ଚାଲିଥିବା ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ଅଗତ୍ୟା ଜାତୀୟ କଂଗ୍ରେସର ଏକ ଅଂଶ ଭଳି ‌େହାଇ ଯାଇଥିଲା। ସେହି ସମୟରେ ଅଧିକାଂଶ ନେତୃବର୍ଗଙ୍କ ଧାରଣା ଥିଲା ଯେ ଏହା ଦ୍ବାରା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଲକ୍ଷ୍ୟ ପ୍ରାପ୍ତି ତ୍ବରାନ୍ବିତ ହେବ। କିନ୍ତୁ, ପୁରୋଦୃଷ୍ଟି ସଂପନ୍ନ ବିଚକ୍ଷଣ ମଧୁବାବୁ ହୃଦୟଙ୍ଗମ କରି ପାରିଥିଲେ ଯେ ଏହା ଦ୍ବାରା ସ୍ଥାନୀୟ ଆନ୍ଦୋଳନଟି ଜାତୀୟତାର ସ୍ରୋତରେ ଦ୍ରବୀଭୂତ ହେବା ସହିତ ଏକକ ଧ୍ୟାନରୁ ବିଚ୍ୟୁତ ହେବା ହିଁ ସାର ହେବ, ଯାହା ଅବଲୀଳା କ୍ରମେ ସତ୍ୟରେ ମଧ୍ୟ ପରିଣତ ହୋଇଥିଲା। କାରଣ ମାତ୍ର ଦୁଇ ବର୍ଷ ପରେ ଅସହଯୋଗ ଆନ୍ଦୋଳନ ବନ୍ଦ ହୋଇଯାଇଥିଲା, ଯାହା ସହିତ ଏହି ପ୍ରସଙ୍ଗ ମଧ୍ୟ ସତ୍ତା ହରାଇବା ସ୍ବାଭାବିକ ଥିଲା। ସୁତରାଂ, କଂଗ୍ରେସରେ ବିଲୀନ ହୋଇ ଯାଇଥିବା ଉତ୍କଳ ସମ୍ମିଳନୀରୁ ମଧୁବାବୁ ନିଜକୁ ଅନ୍ତର କରିନେଲେ ଏବଂ ୧୯୨୩ ମସିହାରେ ସମଭାବାପନ୍ନ ବ୍ୟକ୍ତିମାନଙ୍କ ସହିତ ‘ଉତ୍କଳ ସମ୍ମିଳନୀ’ର ପୁନର୍ଗଠନ କରିଥିଲେ, ଯାହା ଓଡ଼ିଶା ରାଜ୍ୟ ଗଠନ ସକାଶେ ଦାବିକୁ ପୁନର୍ବାର ଉପସ୍ଥାପନ କରିବା ସହିତ ଏଥି ଲାଗି ଗଠିତ ବିଭିନ୍ନ କମିସନ ଏବଂ କିମଟିର ଦୃଷ୍ଟି ଆକର୍ଷଣରେ ମଜ୍ଜି ରହିଲା, ଯାହାର ଫଳଶ୍ରୁତି ହେଲା ୧୯୩୬ ମସିହାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ। କିନ୍ତୁ, ସେତେବେଳକୁ ମଧୁବାବୁଙ୍କ ତିରୋଧାନର ତିନି ବର୍ଷ ଅତିକ୍ରାନ୍ତ ହୋଇ ସାରିଥାଏ ଏବଂ ଓଡ଼ିଆମାନଙ୍କୁ ଯେଉଁ ଭୂଖଣ୍ଡଟି ପ୍ରାପ୍ତ ହୁଏ ତହିଁରେ ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସୀମା ବାହାରେ ରହିଯାଆନ୍ତି। ଅନେକ ଇତିହାସକାରଙ୍କ ମତରେ ମଧୁବାବୁ ଜୀବିତ ଥିଲେ ହୁଏତ ଏଭଳି ଏକ ଓଡ଼ିଶା ମାନଚିତ୍ରକୁ ସେ ଗ୍ରହଣ କରି ପାରିନଥାଆନ୍ତେ। ତେବେ, ସେ ଯାହା ହେଉ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହିତ ଉତ୍କଳ ସମ୍ମିଳନୀର ଅଭୀଷ୍ଟ ପୂରଣ ହୋଇଗଲା ଭଳି ଏକ ବିଚାର ଏହି ଅନୁଷ୍ଠାନକୁ କ୍ରମେ ପ୍ରଭାବଶୂନ୍ୟ କରିବାକୁ ଲାଗିଲା, ଯଦିଓ ଓଡ଼ିଆ ଜାତି ସମ୍ମୁଖରେ ବିଭିନ୍ନ ସମୟରେ ଉଭା ବିଭିନ୍ନ ସାଂସ୍କୃତିକ ଓ ଭାଷାଗତ ଆହ୍ବାନର ମୁକାବିଲା କରିବା ଏବଂ ବିଚ୍ଛିନ୍ନାଞ୍ଚଳରେ ରହିଯାଇଥିବା ଓଡ଼ିଆ ସହୋଦରମାନଙ୍କ ମର୍ମବେଦନାକୁ ପ୍ରଶମିତ କରିବା ସକାଶେ ଏହି ଅନୁଷ୍ଠାନ ଦୃଢ଼ମୂଳ ହୋଇ ରହିବା ଉଚିତ ହୋଇଥାଆନ୍ତା। ସତ କହିଲେ, ଓଡ଼ିଆ ଜାତିର ସାଂସ୍କୃତିକ ବିକାଶ ସକାଶେ ମଧୁବାବୁଙ୍କ ବକ-ଧ୍ୟାନ ଯଦି ଏ ଯାବତ୍‌ ଅପ୍ରତିହତ ହୋଇ ରହିଥାଆନ୍ତା, ତେବେ ଓଡ଼ିଆ ଭାଷା ସମ୍ମୁଖୀନ ହେଉଥିବା ସଂକଟରୁ ଅନେକ ହୁଏତ ଆଜି ଦୃଶ୍ୟମାନ ହୁଅନ୍ତା ନାହିଁ।
ସାଂପ୍ରତିକ ଓଡ଼ିଶାର ଏକ ଘୋର ବିଡ଼ମ୍ବନା ହେଲା, ରାଜ୍ୟବାସୀଙ୍କ ଦ୍ବାରା ଅନ୍ୟ ଭାଷା ଓ ସଂସ୍କୃତି ପ୍ରତି ମାତ୍ରାଧିକ ଆଦର ପ୍ରଦର୍ଶନ ସହିତ ନିଜ ଭାଷା ଓ ସଂସ୍କୃତିକୁ ଅବହେଳା କରିବାର ପ୍ରବଣତା। ମାତୃଭାଷା ବ୍ୟବହାର ଠାରୁ ଆରମ୍ଭ କରି ଖାଦ୍ୟାଭ୍ୟାସ, ବିଭିନ୍ନ ପ୍ରଥା ଓ ପରଂପରା, ବାହାବ୍ରତ ଏବଂ ପର୍ବପର୍ବାଣି ପାଳନରେ ଏହା ବେଶ୍‌ ପ୍ରାଂଜଳ। ସେହି କ୍ରମରେ ଅତ୍ୟନ୍ତ ସମୃଦ୍ଧ ପ୍ରାଚୀନତା ଏବଂ ଭାରତର ଷଷ୍ଠ ଶାାସ୍ତ୍ରୀୟ ଭାଷା ରୂପେ ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷା ତାର ଜନ୍ମ ଏବଂ କର୍ମମାଟିରେ କ୍ରମେ ଅପାଂକ୍ତେୟ ହୋଇ ପଡୁଥିବା ଭଳି ଆଶଙ୍କା ସୃଷ୍ଟି ହେଲାଣି। ଅଥଚ, ବିଚ୍ଛିନ୍ନାଞ୍ଚଳରେ ପୃଥକ୍‌ ହୋଇ ରହିଯାଇଥିବା ଓଡ଼ିଆ ଭାଷୀମାନେ ପ୍ରାଣପଣେ ‌ସେମାନଙ୍କ ମାତୃଭାଷା ଏବଂ ସଂସ୍କୃତିକୁ ବଞ୍ଚାଇ ରଖିବା ଉଦ୍ୟମରେ ମଗ୍ନ। ଆମ ରାଜ୍ୟରେ ଯେତେବେଳେ ଅସଂଖ୍ୟ ଓଡ଼ିଆ ତରୁଣତରୁଣୀ ଓଡ଼ିଆ ଲିପିକୁ ଚିହ୍ନି ଦୁଇ ଅକ୍ଷର ପାଠ କରିବା ଅସମ୍ଭବ ହେଲାଣି; ଛତିଶଗଡ଼ର ରାଇଗଡ଼ ଜିଲ୍ଲାରେ ଅନେକ ଓଡ଼ିଆ ପରିବାର, ସେଠାକାର ମୁଦ୍ରଣ ବ୍ୟବସ୍ଥାରେ ଓଡ଼ିଆ ଲିପିର ବିଲୋପନ ସତ୍ତ୍ବେ ଦେବନାଗରୀ ଲିପିରେ ପ୍ରକାଶିତ ଓଡ଼ିଆ ଭାଗବତ ପ୍ରତ୍ୟହ ପାଠ କରିବାରେ ବ୍ରତୀ ଅଛନ୍ତି। ଓଡ଼ିଆ ଭାଷା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ଦିଗରେ ସେମାନଙ୍କ ସଘନ ପ୍ରୟାସକୁ ବଳ ଦେବା ଲାଗି ଏକ ବଳିଷ୍ଠ ଉତ୍କଳ ସମ୍ମିଳନୀର ଆବଶ୍ୟକତା ଯେ ଆଜି ବି ରହିଛି, ତାହା ହୃଦ୍‌ବୋଧ କରିହୁଏ। ଅବଶ୍ୟ, ଏହା ମଧ୍ୟ ସତ ଯେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିବା ଦିଗରେ ହେଉ ବା ବିଚ୍ଛିନ୍ନାଞ୍ଚଳର ସ୍କୁଲମାନରେ ଓଡ଼ିଆ ଶିକ୍ଷକଙ୍କୁ ନିଯୁକ୍ତ କରିବା ହେଉ; ଭାଷା ଓ ସଂସ୍କୃତି ସୁରକ୍ଷା କାର୍ଯ୍ୟରେ ଉତ୍କଳ ସମ୍ମିଳନୀ ତଥାପି ଆପଣା ଯୋଗଦାନ ଦେଉଛି। କିନ୍ତୁ ସେତିକି ଯଥେଷ୍ଟ ନୁହେଁ। ଅଖିଳ ଓଡ଼ିଶା ଆବେଦନ ସହିତ ଏହା ଯଦି ପୁଣି ଏକ ଦୃଢ଼ ଆନ୍ଦୋଳନ ଗଢ଼ି ତୋଳନ୍ତା, ତେବେ ତାହା ମଧୁ ବାବୁ ଏବଂ ଅନ୍ୟାନ୍ୟ ବରେଣ୍ୟ ସତୀର୍ଥଗଣଙ୍କ ଉଦ୍ଦେଶ୍ୟରେ ଏକ ଯଥାର୍ଥ ଶ୍ରଦ୍ଧାଞ୍ଜଳି ହୁଅନ୍ତା।

ସମ୍ବନ୍ଧିତ ଖବର