୩ କଲେଜ ନାଁରେ ମାଳମାଳ ଅଭିଯୋଗ: ତଦନ୍ତ କରିବେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ

ଏନ୍‌ସି କଲେଜ ଅଧ୍ୟକ୍ଷଙ୍କ ନାଁରେ ସବୁଠୁ ଅଧିକ

ଯାଜପୁରସଦର: ବିଭାଗୀୟ ଅନୁମତି ବିନା କଲେଜରେ କର୍ମଚାରୀଙ୍କୁ ମିଳୁଛି ନିଯୁକ୍ତି। ଛାତ୍ରୀନିବାସରେ ଧର୍ମୀୟ ପୂଜାର୍ଚ୍ଚନା ସହ କିଛି ଅଧ୍ୟାପକଙ୍କ ହାତରେ ଅଖଣ୍ଡ କ୍ଷମତା ଦିଆଯାଇଛି। ବିରୋଧ କଲେ ସିସିଆର ଖରାପ କରିଦେବାକୁ ଧମକ ମଧ୍ୟ ଆସୁଛି। କଲେଜ ଅଧ୍ୟକ୍ଷଙ୍କ ନାମରେ ଏପରି ମାଳମାଳ ଅଭିଯୋଗର ଫର୍ଦ୍ଦ ପହଞ୍ଚିଛି ଉଚ୍ଚଶିକ୍ଷା ବିଭାଗ ପାଖରେ। ଏହାକୁ ନେଇ ବିଭାଗୀୟ ସ୍ବତନ୍ତ୍ର ସଚିବ ପ୍ରମୋଦ କୁମାର ମିଶ୍ର ଭୁବନେଶ୍ବର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦେଶକଙ୍କୁ ଏହାର ତଦନ୍ତ କରିବାକୁ କହିଛନ୍ତି।

ଯାଜପୁରରେ ଉଚ୍ଚଶିକ୍ଷା ପାଇଁ ୧୯୪୬ ମସିହାରେ ପ୍ରଥମେ ନରସିଂହ ଚୌଧୁରୀ କଲେଜ ପ୍ରତିଷ୍ଠା ହୋଇଥିଲା। ପରବର୍ତୀ ସମୟରେ ଏହା ସ୍ବୟଂଶାସିତ ମାନ୍ୟତା ପାଇଥିଲା। ଏହା ଭିତରେ ଅନୁଷ୍ଠାନଟି ଯେତିକି ପୁରୁଣା ହେଉଛି, ସେତିକି ବିବାଦ ସାମ୍‌ନାକୁ ଆସୁଛି। କଲେଜ ଅଧ୍ୟକ୍ଷଙ୍କ ନାଁରେ ଅଭିଯୋଗର ଲମ୍ବା ଫର୍ଦ୍ଦ ପ୍ରଥମଥର ପାଇଁ ଉଚ୍ଚଶିକ୍ଷା ବିଭାଗ ପାଖରେ ପହଞ୍ଚିଛି। କଲେଜ ପରିଚାଳନା କ୍ଷେତ୍ରରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ବିଷ୍ଣୁଚରଣ ଦାସ ବ୍ୟାପକ ମନମାନି କରିଥିବା ନେଇ ପ୍ରକାଶ କୁମାର ବେ‌ହେରା ଅଭିଯୋଗ କରିଛନ୍ତି। ଅଧ୍ୟକ୍ଷ ବିଭାଗର ଅନୁମତି ବିନା କଲେଜ ଅର୍ଥରେ ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତ କରିବା, ଜଣେ ଅଧ୍ୟାପକ ସରକାରଙ୍କଠାରୁ ଘରଭଡ଼ା ଅର୍ଥ ନେବା ସହ ଷ୍ଟାଫ୍‌ କ୍ବାର୍ଟର୍ସ ମାଡ଼ିବସିଥିବା ଦର୍ଶାଯାଇଛି। ଅର୍ଡର-ଲି ପିଅନ ନିମନ୍ତେ ଅନୁମୋଦିତ ପଦବି ନଥିବାବେଳେ ଜନୈକା ମହିଳାଙ୍କୁ ନିଯୁକ୍ତି ଦେଇ ଅଧ୍ୟକ୍ଷ ତାଙ୍କ ରୁମ୍‌ରେ ବସାଉଥିବାର ଅଭିଯୋଗ ହୋଇଛି। ସେହିପରି କଲେଜର ଛାତ୍ରୀନିବାସରେ ଗାୟତ୍ରୀ ଯଜ୍ଞ କରାଯାଉଥିବାବେଳେ ପଡ଼ିଆରେ ବିବାହ ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଅନୁମତି ଦିଆଯାଉଛି।

ନିଜ ପସନ୍ଦର ଅଧ୍ୟାପକଙ୍କୁ ଚାରି ଚାରୋଟି ଦାୟିତ୍ବରେ ରଖାଯାଇଛି। କଲେଜରେ ଅନେକ ମହିଳା ଅଧ୍ୟାପିକା ଥିବାବେଳେ ଜଣେ ଅଧ୍ୟାପକଙ୍କୁ ଛାତ୍ରୀନିବାସ ସପୁରିଣ୍ଟେଣ୍ଡେଣ୍ଟେ ଭାବେ ଦାୟିତ୍ବ ଦିଆଯାଇଛି। ଏହାବାଦ୍‌ ଅଧ୍ୟାପକଅଧ୍ୟାପିକାଙ୍କ ଉପସ୍ଥାନ ମେସିନର ତଥ୍ୟ ଗାଏବ ହେବା ଓ ନୂତନ ଲାଗିଥିବା ମେସିନ କାଢ଼ି ନିଆଯାଇଥିବାର ଅଭିଯୋଗ କରାଯାଇଛି। ‌ସେହିପରି ମାଧପୁର ଡିଗ୍ରି କଲେଜର ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ମିଶ୍ରଙ୍କ ନାମରେ ମଧ୍ୟ ‌ବେଆଇନ ନିଯୁକ୍ତି, ଦରମା ନେଣଦେଣ ସମ୍ବନ୍ଧୀୟ ଅନିୟମିତତା ସଂପର୍କରେ ପରିଚାଳନା କମିଟି ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାୟକ  ଅଭିଯୋଗ କରିଛନ୍ତି। ବରୁଣେଶ୍ବର କ‌ଲେଜର ବାଣିଜ୍ୟ ବିଭାଗ ଅଧ୍ୟାପକ କୃଷ୍ଣଚନ୍ଦ୍ର ଜେନାଙ୍କ ନାମରେ ସନ୍ତୋଷ କୁମାର ରାଉଳ ନାମକ ବ୍ୟକ୍ତି ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗଗୁଡ଼ିକୁ ତୁରନ୍ତ ଯାଞ୍ଚ କରିବାକୁ ବିଭାଗୀୟ ସ୍ବତନ୍ତ୍ର ସଚିବ ଉଚ୍ଚ ଶିକ୍ଷା ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି। ଏନେଇ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧିତ ଖବର