ଭାରତ ଆସ
ସେସବୁ ଦେଶମାନଙ୍କର କିନ୍ତୁ ଏକ ବିରାଟ ଦୁର୍ବଳତା ରହିଛି- ସେମାନେ କେହି ଭାରତ ଭଳି ଏକ ବିଶାଳ ବଜାରର ଅଧିକାରୀ ନୁହନ୍ତି। କମ୍ପାନିମାନେ ଯେଉଁ ଦେଶରେ ବି ସେମାନଙ୍କର ଲ୍ୟାପ୍ଟପ୍ ବା ଟାବ୍ଲେଟ୍ ତିଆରି କରନ୍ତୁ, ଉତ୍ପାଦନର ଏକ ବିଶେଷ ଅଂଶ ସେମାନଙ୍କୁ ବିକ୍ରି କରିବାକୁ ହେବ ଭାରତରେ। ଭାରତ ସରକାରଙ୍କ ନୂତନ ଲାଇସେନ୍ସ ନୀତି ତାହା ହିଁ ନ କରାଇ ଦେବା ପାଇଁ ଉଦ୍ଦିଷ୍ଟ। ଏହା ମାଧ୍ୟମରେ ସମ୍ପୃକ୍ତ ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନିମାନଙ୍କ ପ୍ରତି ଭାରତ ପ୍ରଦାନ କରିଥିବା ସନ୍ଦେଶ: ତୁମେ ଯଦି ଭାରତ ବଜାରରେ ତୁମର ଲ୍ୟାପ୍ଟପ୍, ପିସି ଆଦି ବିକ୍ରି କରିବାକୁ ଚାହଁ, ତେବେ ଭାରତରେ ହିଁ ସେସବୁ ଉତ୍ପାଦନ କର। ଭାରତ ଆସ।
Sambad is now on WhatsApp
Join and get latest news updates delivered to you via WhatsApp
ଦୀର୍ଘ ତିନି ଦଶନ୍ଧିରୁ ଅଧିକ କାଳ ଧରି ଭାରତୀୟ ଅର୍ଥନୀତି ଅନୁସରଣ କରି ଆସିଥିବା ଉଦାରୀକରଣରେ ଏକ ପଶ୍ଚାତ୍ ମୋଡ଼ ଭଳି ଏଠାରେ ଲାଇସେନ୍ସ ରାଜ୍ର ପୁନଃପ୍ରବେଶ ଘଟିଛି ବୋଲି ବର୍ତ୍ତମାନ ଶିଳ୍ପ-ବାଣିଜ୍ୟ କ୍ଷେତ୍ରରୁ ଆରମ୍ଭ କରି ଲୋକକ୍ଷେତ୍ର ପର୍ଯ୍ୟନ୍ତରେ ଘୋର ଆଶଙ୍କା ପ୍ରକାଶ ପାଇବା ଦେଖାଯାଇଛି। ଏଭଳି ଆଶଙ୍କାର କାରଣ ହେଉଛି କେନ୍ଦ୍ର ସରକାର ସପ୍ତାହକ ତଳେ ଦେଶକୁ ବିଭିନ୍ନ ଇଲେକ୍ଟ୍ରୋନିକ୍ ଦ୍ରବ୍ୟମାନଙ୍କର ଆମଦାନି ଉପରେ କଟକଣା ଲାଗୁ କରିବା ସମ୍ବନ୍ଧରେ କରିଥିବା ଘୋଷଣା। ଏହି ଦ୍ରବ୍ୟମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି ଛୋଟିଆ ଟାବ୍ଲେଟ୍ରୁ ଲ୍ୟାପ୍ଟପ୍, ପିସି ପର୍ଯ୍ୟନ୍ତ, ଯେଉଁଗୁଡ଼ିକ ଆମଦାନି ପାଇଁ ନୂତନ ଲାଇସେନ୍ସ ଆବଶ୍ୟକ ହେବ।
ଏହା ସୁବିଦିତ ଯେ, କୌଣସି ବି ଲାଇସେନ୍ସ ବ୍ୟବସ୍ଥା ସହିତ ଦୁର୍ନୀତି ଓ ଦକ୍ଷତାହାନି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହୋଇଥାଏ। ଲାଇସେନ୍ସ ହାସଲ ପ୍ରକ୍ରିୟାକୁ ଯେତେ ସ୍ବଚ୍ଛ କରିବାକୁ ଉଦ୍ୟମ କରାଗଲେ ମଧ୍ୟ, ଏହା ଅନିବାର୍ଯ୍ୟ ଭାବରେ ଦୁର୍ନୀତିକୁ ଜନ୍ମ ଦେଇଥାଏ। ଏଥିସହିତ ଏଥିଯୋଗୁଁ ଯୋଗାଣରେ ଅନିଶ୍ଚିତତା ପ୍ରବେଶ କରିବା ହେତୁ ସମ୍ପୃକ୍ତ ଦ୍ରବ୍ୟର ଉପଲବ୍ଧତା ଓ ଦରଦାମ୍ରେ ଅନିଶ୍ଚିତତା ଦେଖା ଦେଇଥାଏ। ଏଣେ ଆମଦାନି ନିୟନ୍ତ୍ରଣର ଛତ୍ରଛାୟା ତଳେ ସୁରକ୍ଷିତ ଥିବା ଘରୋଇ କମ୍ପାନିମାନେ ପ୍ରତିଯୋଗିତାର ଚାପରୁ ମୁକ୍ତ ରହି ନିଜର ଉତ୍ପାଦିତ ଦ୍ରବ୍ୟର ଗୁଣାତ୍ମକ ମାନରେ ଉନ୍ନତି ଘଟାଇବା ପାଇଁ କିମ୍ବା ଉତ୍ପାଦନରେ ଦକ୍ଷତା ବୃଦ୍ଧି ଦ୍ବାରା ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଦ୍ରବ୍ୟଟିକୁ ଯୋଗାଇଦେବା ପାଇଁ ଆଗ୍ରହୀ ହେବେ ନାହିଁ। ଏହା ଫଳରେ ସେମାନେ ଉଭୟ ଉତ୍ପାଦିତ ଦ୍ରବ୍ୟର ନୀଚା ଗୁଣାତ୍ମକ ମାନ ତଥା ଉଚ୍ଚା ବିକ୍ରୟ ଦର ଯୋଗୁଁ ଆନ୍ତର୍ଜାତିକ ବଜାରରେ ପ୍ରତିଯୋଗିତା କ୍ଷମତା ହରାଇ ବସିବେ।
ପ୍ରଶ୍ନ ଉଠୁଛି, ତା’ ହେଲେ ସରକାର ଏଭଳି ଏକ ନିଷ୍ପତ୍ତି ନେଲେ କାହିଁକି? ଏହାର ଉତ୍ତର ନିହିତ ଅଛି ବର୍ତ୍ତମାନର ସରକାର ଦେଶପାଇଁ ସ୍ଥାପନ କରିଥିବା ଏକ ଅର୍ଥନୈତିକ ଲକ୍ଷ୍ୟରେ ଯେତିକି, ବର୍ତ୍ତମାନ ମୁଣ୍ଡ ଟେକିଥିବା ପୃଥିବୀର ଭୌଗୋଳିକ-ରାଜନୀତିରେ ସେତିକି। ସରକାର ସ୍ଥାପନ କରିଥିବା ଏହି ଲକ୍ଷ୍ୟଟି ହେଉଛି- ‘ମେକ୍ ଇନ୍ ଇଣ୍ଡିଆ’ (‘ଭାରତରେ ନିର୍ମାଣ କର’); ଭୌଗୋଳିକ ରାଜନୀତି ହେଲା ଚୀନ୍ ସହିତ ଅର୍ଥନୈତିକ ପ୍ରୀତିର ମାତ୍ରା ହ୍ରାସ କରିବା ନିମିତ୍ତ ଆମେରିକା ସମେତ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଆରମ୍ଭ କରିଥିବା ଉଦ୍ୟମ ସହିତ ଚୀନ୍-ଭାରତ ସମ୍ପର୍କରେ ଲାଗି ରହିଥିବା ଦୀର୍ଘକାଳୀନ ତିକ୍ତତା।
ଚୀନ୍ ଏବେ ଏକ ସାମରିକ ମହାଶକ୍ତି ରୂପେ ଆବିର୍ଭୂତ ହେବା ସହିତ ଏକ ପ୍ରାବିଧିକ ମହାଶକ୍ତିରେ ପରିଣତ ହେବା ପାଇଁ ମଧ୍ୟ ପ୍ରବଳ ଉଦ୍ୟମ ଚଳାଇଛି। ଚୀନ୍ର ଏହି ପ୍ରଚେଷ୍ଟାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଆେମରିକା ସରକାର ତା’ ବିରୋଧରେ ବିଭିନ୍ନ ବାଣିଜ୍ୟ ପ୍ରତିବନ୍ଧମାନ ଦଣ୍ଡାୟମାନ କରିବା ସହିତ ଚୀନ୍ର କାରଖାନାମାନଙ୍କରେ ଉତ୍ପାଦନ କରୁଥିବା ଆମେରିକୀୟ କମ୍ପାନିମାନଙ୍କୁ ଚୀନ୍ରୁ ବାହାରି ଆସି ଅନ୍ୟାନ୍ୟ ବନ୍ଧୁଦେଶମାନଙ୍କରେ ସେମାନଙ୍କର ଉତ୍ପାଦନ ସଂଘଟିତ କରିବାକୁ ଆହ୍ବାନ ଦେଉଛନ୍ତି। ଉଦାହରଣ ସ୍ବରୂପ ଆମେରିକା ସରକାର ଚୀନ୍କୁ ଅତି ଉଚ୍ଚ ଶକ୍ତି ସମ୍ପନ୍ନ ମାଇକ୍ରୋପ୍ରସେସର୍ ତଥା ଚିପ-ନିର୍ମାଣକାରୀ ଯନ୍ତ୍ର ରପ୍ତାନି ଉପରେ ନିଷେଧାଜ୍ଞା ଲାଗୁ କରିଛନ୍ତି ଏବଂ ଏଭଳି ଉତ୍ପାଦନ କେନ୍ଦ୍ରମାନଙ୍କରେ ଚୀନା କର୍ମଚାରୀ ନିଯୁକ୍ତି ଉପରେ କଟକଣା ଲଗାଇଛନ୍ତି। ଜବାବରେ ଚୀନ୍ ସେମିକଣ୍ଡକ୍ଟର ପ୍ରସ୍ତୁତିରେ ବ୍ୟବହୃତ ଗାଲିଅମ୍ ଓ ଜର୍ମେନିଅମ୍ ଭଳି ଅତ୍ୟାବଶ୍ୟକ ବିରଳ ଧାତୁର ରପ୍ତାନି ଉପରେ କଟକଣା ଲାଗୁ କରିବା ଘୋଷଣା କରିଛି। ଇଉରୋପୀୟ ଦେଶମାନେ ମଧ୍ୟ ଆେମରିକାକୁ ଅନୁସରଣ କରି ଚୀନ୍ ସହିତ ଅର୍ଥନୈତିକ ସମ୍ପର୍କ ସଂକୁଚିତ କରିବାକୁ ଉଦ୍ୟମ ଆରମ୍ଭ କଲେଣି।
େସ ସମସ୍ତ ଦେଶମାନଙ୍କ ଭଳି ଭାରତ ମଧ୍ୟ ନିକଟ ଅତୀତରେ ଚୀନ୍ରୁ ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛି। ଏହା ସତ ଯେ ଭାରତରେ ବିକ୍ରି ହେଉଥିବା ‘ପର୍ସନାଲ୍ କମ୍ପ୍ୟୁଟର’ (ପିସି)ମାନଙ୍କ ମଧ୍ୟରୁ ପ୍ରାୟ ୯୦ ଶତାଂଶ ଭାରତରେ ନିର୍ମିତ ହୋଇନଥାନ୍ତି। ‘ଲେନୋଭୋ’, ‘ଏଚ୍ପି’, ‘ଡେଲ୍’ ଆଦି କମ୍ପାନିମାନେ ଭାରତରେ ଏହା ଉତ୍ପାଦନ କରୁଥିଲେ ମଧ୍ୟ ଏଥିରେ ବ୍ୟବହୃତ ଯନ୍ତ୍ରାଂଶମାନ ମୁଖ୍ୟତଃ ବିଦେଶରୁ ଆମଦାନି କରାଯାଇଥାଏ। ଏଭଳି ସାତଟିର ଆମଦାନି ପାଇଁ ବର୍ତ୍ତମାନ ଲାଇସେନ୍ସ ଆବଶ୍ୟକ ହେବ। ଉଲ୍ଲେଖଯୋଗ୍ୟ ଗତ ବିତ୍ତ ବର୍ଷରେ ମୂଲ୍ୟ ଆକାରରେ ଏହାର ପାଖାପାଖି ୬୦ ଶତାଂଶ ଆମଦାନି ହୋଇଥିଲା ଚୀନ୍ରୁ। ସୀମାରେ ଭାରତର ନିରାପତ୍ତା ପ୍ରତି ଚୀନ୍ ବିପଦ ସୃଷ୍ଟି କରିଚାଲିଥିବା ବେଳେ ଚୀନ୍ ଉପରେ ଏପରି ପ୍ରାବଧିକ ନିର୍ଭରଶୀଳତା ନିଶ୍ଚିତ ରୂପେ ଭାରତ ପାଇଁ ହେଉଛି ଅତ୍ୟନ୍ତ ଚିନ୍ତାଜନକ।
ସୀମାରେ ଚୀନ୍ର ଅସ୍ଥିରତା ସୃଷ୍ଟିକାରୀ ଆକ୍ରମଣାତ୍ମକ କାର୍ଯ୍ୟକଳାପ ସେ ଦେଶ ପ୍ରତି ଭାରତର ଆଭିମୁଖ୍ୟକୁ ଯେଉଁଭଳି ପ୍ରଭାବିତ କରିଛି, ଦକ୍ଷିଣ ଚୀନ୍ ସାଗରରେ ତା’ର ଦେହ ବଳିଅା ଅନୁପ୍ରବେଶ ସେ ଅଞ୍ଚଳର ଦେଶମାନଙ୍କ ସମେତ ଆନ୍ତର୍ଜାତିକ ସମୁଦାୟକୁ ମଧ୍ୟ ସେଇଭଳି ବିବ୍ରତ କରିଛି। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଏଭଳି ନିରାପତ୍ତା ହାନି ସମ୍ଭାବନାକୁ ଆହୁରି ଶାଣିତ କରିଛି ମଧ୍ୟ। ଏହାର ଅର୍ଥେନୖତିକ ପ୍ରଭାବ ସ୍ବରୂପ ଆମେରିକା ଆଦି ଦେଶମାନେ ଗୁରୁତ୍ବପୂର୍ଣ୍ଣ ଉତ୍ପାଦନ ସବୁକୁ ଚୀନ୍ରୁ ପ୍ରତ୍ୟାହାର କରି ନିଜ ଦେଶରେ ସଂଘଟିତ କରିବାକୁ (ତଥା କଥିତ ‘ଅନ୍ସୋରିଙ୍ଗ୍’) କିମ୍ବା ନିର୍ଭରଯୋଗ୍ୟ ବନ୍ଧୁ ରାଷ୍ଟ୍ରମାନଙ୍କରେ ସଂଘଟିତ କରିବାକୁ (‘ଫ୍ରେଣ୍ଡସୋରିଙ୍ଗ୍’) ନିଷ୍ପତ୍ତି ନେବା ଆରମ୍ଭ କଲେଣି। ଏକ ଦୃଷ୍ଟିରୁ ଏହାକୁ ଏକ ରକମ ଭାରତ ଦ୍ବାରା ଅନୁସୃତ ‘ମେକ୍ ଇନ୍ ଇଣ୍ଡିଆ’ ନୀତିର ଏକ ନକଲ ରୂପେ ବିଚାର କରାଯାଇପାରେ। ନିଜର ପ୍ରାବିଧିକ ପ୍ରଭୁତ୍ବ ବଜାୟ ରଖିବା ପାଇଁ ଆମେରିକା ଏଥର ନିଜ ଦେଶରେ ଅତ୍ୟାଧୁନିକ ସେମିକଣ୍ଡକ୍ଟର ଉତ୍ପାଦନ କରିବାକୁ ନିଷ୍ପତ୍ତି ନେବା ହେଉଛି ଏହାର ଏକ ଉଦାହରଣ।
ଲ୍ୟାପ୍ଟପ୍ କିମ୍ବା ପିସି ଅବଶ୍ୟ ପ୍ରାବିଧିକ କିମ୍ବା ଜାତୀୟ ନିରାପତ୍ତା ଦୃଷ୍ଟିରୁ େସଇ ଶ୍ରେଣୀର ଗୁରୁତ୍ବ ବହନ କରିନଥାନ୍ତି, କିନ୍ତୁ ଅର୍ଥନୈତିକ ଦୃଷ୍ଟିରୁ ଏଗୁଡ଼ିକର ଗୁରୁତ୍ବ କିଛି କମ୍ ନୁହେଁ। ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନିମାନେ ବର୍ତ୍ତମାନ ଯେତେବେଳେ ସେମାନଙ୍କର ଉତ୍ପାଦନ କେନ୍ଦ୍ରମାନଙ୍କୁ ଚୀନ୍ରୁ ସ୍ଥାନାନ୍ତରିତ କରିବାକୁ ଉଦ୍ୟତ ହେଉଛନ୍ତି, ସେମାନେ ଆମେରିକାକୁ ନ ଫେରି ଅନ୍ୟ କୌଣସି ଦେଶରେ ଉତ୍ପାଦନ କରିବାକୁ ଚାହୁଁଛନ୍ତି, ଯେଉଁଠି କୁଶଳୀ କର୍ମୀମାନେ ଉପଲବ୍ଧ ଥିବେ ଓ ଉତ୍ପାଦନ ଖର୍ଚ୍ଚ ନୀଚା ହୋଇଥିବ। ଏଥିପାଇଁ ଭିଏତ୍ନାମ, ଇଣ୍ଡୋନେସିଆ ଆଦି ଦେଶମାନେ ସେମାନଙ୍କ ଆବଶ୍ୟକତା ପୂରଣ କରିପାରିବେ ବୋଲି ସେମାନେ ବିଚାର କରୁଛନ୍ତି।
ସେସବୁ ଦେଶମାନଙ୍କର କିନ୍ତୁ ଏକ ବିରାଟ ଦୁର୍ବଳତା ରହିଛି- ସେମାନେ କେହି ଭାରତ ଭଳି ଏକ ବିଶାଳ ବଜାରର ଅଧିକାରୀ ନୁହନ୍ତି। କମ୍ପାନିମାନେ ଯେଉଁ ଦେଶରେ ବି ସେମାନଙ୍କର ଲ୍ୟାପ୍ଟପ୍ ବା ଟାବ୍ଲେଟ୍ ତିଆରି କରନ୍ତୁ, ଉତ୍ପାଦନର ଏକ ବିଶେଷ ଅଂଶ ସେମାନଙ୍କୁ ବିକ୍ରି କରିବାକୁ ହେବ ଭାରତରେ। ଭାରତ ସରକାରଙ୍କ ନୂତନ ଲାଇସେନ୍ସ ନୀତି ତାହା ହିଁ ନ କରାଇ ଦେବା ପାଇଁ ଉଦ୍ଦିଷ୍ଟ। ଏହା ମାଧ୍ୟମରେ ସମ୍ପୃକ୍ତ ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନିମାନଙ୍କ ପ୍ରତି ଭାରତ ପ୍ରଦାନ କରିଥିବା ସନ୍ଦେଶ: ତୁମେ ଯଦି ଭାରତ ବଜାରରେ ତୁମର ଲ୍ୟାପ୍ଟପ୍, ପିସି ଆଦି ବିକ୍ରି କରିବାକୁ ଚାହଁ, ତେବେ ଭାରତରେ ହିଁ ସେସବୁ ଉତ୍ପାଦନ କର। ଭାରତ ଆସ। ଆଗାମୀ ଦିନରେ ଜଣାପଡ଼ିବ ସେ ବଡ଼ ମାଛମାନେ ଭାରତର ଏହି ଥୋପ ଗିଳିବେ କି ନାହିଁ!