ଅନାସ୍ଥାରେ ଆସ୍ଥା!

କିନ୍ତୁ, ବିଡ଼ମ୍ବନା ‌େହଲା, ୨୦୧୯ ମସିହା ନିର୍ବାଚନରେ ବିଜେପି ଲୋକସଭାରେ ୩୦୩ଟି ଆସନ ସହିତ ବିପୁଳ ବିଜୟ ଲାଭ କରିବା ପରେ ‘ୟୁପିଏ’ ସହସା ନିଷ୍ପ୍ରଭ ହୋଇଯାଇଥିଲା, ସତେ ଯେମିତି ପରାଜୟର ପରାଭବ ତାକୁ ନତଜାନୁ କରି ପକାଇଥିଲା। ଆଶା କରିବା ଯେ ନିର୍ବାଚନ ପୂର୍ବରୁ ଉଚ୍ଚାଟ ସୃଷ୍ଟି କରୁଥିବା ବିରୋଧୀ ମେଣ୍ଟ ନିର୍ବାଚନ ପରେ ନିଷ୍ପ୍ରାଣ ହୋଇ ନ ଯାଇ ବିଜୟ ବା ପରାଜୟ ନିର୍ବିଶେଷରେ ଦୃଢ଼ ମେଣ୍ଟ ଶକ୍ତି ଭାବେ ତିଷ୍ଠି ରହିବାର ଇଚ୍ଛ ଶକ୍ତି ପ୍ରଦର୍ଶନ କରନ୍ତୁ। ‘ଇନ୍‌ଡିଆ’ ତାହାର ଏକ ଦୃଷ୍ଟାନ୍ତ ହେଉ। ତାହା ନ ହେଲେ ଏକ ଧାରଣା ସୃଷ୍ଟି ହେବ ଯେ ଏଭଳି ମେଣ୍ଟଗୁଡ଼ିକ କେବଳ ଅନାସ୍ଥା ପ୍ରସ୍ତାବ ଉପରେ ଆସ୍ଥା ରଖି ସାମୟିକ ଗର୍ଜନତର୍ଜନ କରିବା ଛଡ଼ା ଆଉ ବିଶେଷ କିଛି କରନ୍ତି ନାହିଁ। ଏହା ଦ୍ବାରା ବିରୋଧୀ ମେଣ୍ଟ ଉପରେ ଆସ୍ଥା ସଂପୂର୍ଣ୍ଣ ଲୋପ ପାଇଯାଇପାରେ।

ବର୍ତ୍ତମାନ ଚାଲୁ ରହିଥିବା ସଂସଦର ବାତାବରଣରେ ଏକ ଅର୍ଥପୂର୍ଣ୍ଣ ଉଷ୍ମତା ଅନୁଭୂତ ହେଉଛି, ଯେଉଁ କାରଣରୁ ହଟ୍ଟଗୋଳ ବା କକ୍ଷ ବର୍ଜନ ଭଳି ନିରର୍ଥକ ଉତ୍ତାପର ଅନୁଭୂତିରୁ ଆଶ୍ବସ୍ତି ମିଳିଥାଏ। ଏହାର କାରଣ ହେଉଛି ନବ ଗଠିତ ବିରୋଧୀ ସାମ୍ମୁଖ୍ୟ ‘ଆଇ.ଏନ୍‌.ଡି.ଆଇ.ଏ’ ବା ସଂ‌େକ୍ଷପରେ ‘ଇନ୍‌ଡିଆ’ ପକ୍ଷରୁ ଆଗତ ଏକ ଅନା‌ସ୍ଥା ପ୍ରସ୍ତାବ ପରିପ୍ରେକ୍ଷୀରେ ସଂସଦୀୟ ପରଂପରା ଅନୁସାରେ ପ୍ରାରମ୍ଭ ହୋଇଯାଇଥିବା ବିତର୍କର ଧାରା; ଯେଉଁ ପ୍ରକରଣର ଅନ୍ତ ଘଟିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରଦତ୍ତ ଏକ ବହୁ ପ୍ରତୀକ୍ଷିତ ଭାଷଣ ଓ ତତ୍‌ ପରବର୍ତ୍ତୀ ଅନାସ୍ଥା ଭୋଟ ଗ୍ରହଣ ପରେ। ଅବଶ୍ୟ, ଏହା ସତ ଯେ ଏହି ଅନାସ୍ଥା ଭୋଟ ଦ୍ବାରା କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କ ପତନ ଘଟିବାର ଲେଶ ମାତ୍ର ସମ୍ଭାବନା ‌ନାହିଁ। ରାଜନୈତିକ ପର୍ଯ୍ୟବେକ୍ଷକଗଣ କହିଥାଆନ୍ତି ଯେ ସ୍ବାଧୀନତୋତ୍ତର ଭାରତରେ ଏହା ପୂର୍ବରୁ ଆସିଥିବା ୨୭ଟି ଅନାସ୍ଥା ପ୍ରସ୍ତାବ‌‌ ଦ୍ବାରା କେବଳ ଗୋଟିଏ ମାତ୍ର ସରକାର ଗାଦିଚ୍ୟୁତ ହୋଇଛି (୧୯୭୯ ମସିହାରେ ଅନାସ୍ଥା ଭୋଟରେ ପରାଜୟ ଆସନ୍ନ ଜାଣି ମୋରାରଜୀ ଦେଶାଇଙ୍କ ସରକାର ଇସ୍ତଫା ଦେଇଥିଲା), ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ପ୍ରାୟ ଦେଢ଼ ଦଶନ୍ଧିର କାର୍ଯ୍ୟ କାଳ ମଧ୍ୟରେ ୧୫ ଥର ଅନାସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ। ସୁତରାଂ, ବିରୋଧୀ ପକ୍ଷଙ୍କ ଦ୍ବାରା ଏହା କେବଳ ଏକ କୌଶଳ ରୂପେ ଅନୁସୃତ ହୋଇ ଆସିଛି, ଯହିଁରେ ସଂସଦୀୟ ବ୍ୟବସ୍ଥା ଅନୁସାରେ ସଂସଦ କକ୍ଷରେ ବ୍ୟାପକ ବିତର୍କ ସକାଶେ ପଥ ଉନ୍ମୋଚିତ ହୋଇଥାଏ ଏବଂ ବିତର୍କରେ ଉତ୍ତୋଳନ କରାଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ ପ୍ରଧାନମନ୍ତ୍ରୀଙ୍କ ସକାଶେ ଏକ ଅନିବାର୍ଯ୍ୟତାରେ ପରିଣତ ହୋଇଥାଏ। ଏହି ଲକ୍ଷ୍ୟ ବର୍ତ୍ତମାନ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବରେ ମଧ୍ୟ ନିହିତ ଅଛି, ଯାହା ହେଲା ଏକ ଗୃହ ଯୁଦ୍ଧ ସମତୁଲ ହିଂସାର ଶିକାର ହୋଇଥିବା ମଣିପୁର ନେଇ ବିସ୍ମୟକର ମୌନତା ଅବଲମ୍ବନ କରି ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମୌନ ବ୍ରତ’ ଭଙ୍ଗ କରିବା। କିନ୍ତୁ ଆଉ ଏକ କାରଣରୁ ମଧ୍ୟ ଏହି ଅନାସ୍ଥା ପ୍ରସ୍ତାବ ବିଶେଷ ଆଗ୍ରହ ସୃଷ୍ଟି କରିଥାଏ, ଯାହା ହେଲା ସଂସଦୀୟ ବିତର୍କରେ ନବ ଗଠିତ ବିରୋଧୀ ସାମ୍ମୁଖ୍ୟର ପ୍ରଦର୍ଶନକୁ ଅନୁଧ୍ୟାନ କରି ଆସନ୍ତା ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନରେ ଏହାର ପ୍ରଭାବ ସଂପର୍କରେ ଏକ ଅନ୍ଦାଜ ଲଗାଇବା।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଗଠିତ ଅନେକ ବିରୋଧୀ ମେଣ୍ଟ ସେଗୁଡ଼ିକର ସଦସ୍ୟ ଦଳମାନ ବହନ କରିଥିବା ବିକ୍ଷିପ୍ତ ଆଭିମୁଖ୍ୟଗୁଡ଼ିକର ଏକ ଆନ୍ତରିକତାଶୂନ୍ୟ ମିଳନ ମଞ୍ଚ ମାତ୍ର ହୋଇଥାନ୍ତି; ଖୁବ୍‌ ସମ୍ଭବ ‘ଇନ୍‌ଡିଆ’ ସେହି ଭଳି ତାରଲ୍ୟର ଶିକାର ନୁହେଁ; ବରଂ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଏହା ଆବିର୍ଭୂତ, ଯାହା ‘ହିନ୍ଦୁତ୍ବବାଦୀ ରାଜନୀତି’ ବିରୋଧରେ ଯେତିକି ଅଭିପ୍ରେତ ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକକ-ନାୟକତ୍ବକୁ ପ୍ରତିହତ କରିବା ସକାଶେ ତତୋଽଧିକ ଉଦ୍ଦିଷ୍ଟ। ଏହାର ପ୍ରମାଣ ମିଳିଥାଏ ‘ଇନ୍‌ଡିଆ’ ନାମ ଧାରଣ କରି ଏହା ଜନ୍ମ ନେବାରେ, କାରଣ ଏଭଳି ଏକ ସାମାନ୍ୟ ଉଦ୍ୟମରେ ମଧ୍ୟ ମୋଦୀଙ୍କ ଚମକ ଅପହୃତ ହୋଇଥିବା ଭଳି ପ୍ରତୀତ ହୋଇଥାଏ, କାରଣ ଏହି ନାମରେ ନିହିତ ‘ରାଷ୍ଟ୍ରୀୟ ଚେତନା’ କେବଳ ମୋଦୀଙ୍କ ବିଜେପିର ପ୍ୟାଟେଣ୍ଟ ବୋଲି ଏକ ଧାରଣା ବଦ୍ଧମୂଳ ହୋଇ ଆସିଥିଲା। ସେହି ଦୃଷ୍ଟିରୁ ସଂସଦୀୟ ବିତର୍କରେ ‘ଇନ୍‌ଡିଅା’ର ସଦସ୍ୟ ଦଳଗୁଡ଼ିକର ସାଂସଦମାନଙ୍କ ଦ୍ବାରା ନ‌େରନ୍ଦ୍ର ମୋଦୀ ନିର୍ଦ୍ଦିଷ୍ଟ ଭାବେ ବାଚନିକ ଆକ୍ରମଣର ଶରବ୍ୟ ହେବା ସ୍ବାଭାବିକ ଭାବେ ଉପରୋକ୍ତ ଅନୁମାନକୁ ସତ ବୋଲି ସାବ୍ୟସ୍ତ କରିଥାଏ।
ପ୍ରକାଶ ଥାଉ କି ରାହୁଳ ଗାନ୍ଧୀ, ମନୀଶ ତିୱାରି, ଗୌରବ ଗଗୋଇ, ସୁପ୍ରିୟା ସୁଲେ, କାନି ମୋଜୀ ଇତ୍ୟାଦିଙ୍କ ଦ୍ବାରା ପ୍ରଦତ୍ତ ଭାଷଣରେ ଚୀନ ଦ୍ବାରା ‘ଏଲ୍‌.ଏ.ସି.’ ଅତିକ୍ରମଣ ପରିପ୍ରେକ୍ଷୀରେ ରାଷ୍ଟ୍ର ସୁରକ୍ଷା ବ୍ୟାପାରରେ ମୋଦୀଙ୍କ ବିଫଳତା, ମଣିପୁର ହିଂସା ସଂଦର୍ଭରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଦୃଷ୍ଟିରୁ ଯଥାର୍ଥ ନିଷ୍ପତ୍ତି ନେବାରେ ତାଙ୍କ ଅସାମର୍ଥ୍ୟ, ମଣିପୁରରେ ମହିଳାମାନେ ଦାରୁଣ ହିଂସାର ଶିକାର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର କରିବା ଅଥବା କୋଭିଡ୍‌ ଦ୍ବାରା ଦେଶ ଶ୍ବାସରୁଦ୍ଧ ହୋଇ ପଡ଼ିଥିବା ସମୟରେ ପଶ୍ଚିମବଙ୍ଗ ନିର୍ବାଚନ ଉଚ୍ଚାଟରେ ସେ ଆତ୍ମ ବିସ୍ମୃତ ହୋଇଯିବାରେ ପରିଦୃଷ୍ଟ ତାଙ୍କ ସଂବେଦନଶୂନ୍ୟତା ଇତ୍ୟାଦି ଆକ୍ରମଣର କେନ୍ଦ୍ରରେ ରହିଥିଲା। କହିବା ବାହୁଲ୍ୟ, ମୋଦୀଙ୍କ ବ୍ୟକ୍ତିତ୍ବକୁ ଚମକ ପ୍ରଦାନ କରୁଥିବା ବିଭାବଗୁଡ଼ିକ ଉପରେ ଏଗୁଡ଼ିକ ସିଧାସଳଖ ପ୍ରହାର ଥିଲା; ଏପରିକି ତାଙ୍କୁ ‘ଭାରତ ମାତାଙ୍କ ହତ୍ୟାକାରୀ’ ଏବଂ ‘ରାଷ୍ଟ୍ର ଦ୍ରୋହୀ’ ରୂପେ ମଧ୍ୟ ଚିତ୍ରଣ କରାଯାଇଥିଲା। ସେହି ଦୃଷ୍ଟିରୁ ଅନେକ ପର୍ଯ୍ୟବେକ୍ଷକ ମତ ପ୍ରଦାନ କରିଥାନ୍ତି ଯେ ନିର୍ବାଚନର ଅସଲ ଦ୍ବନ୍ଦ୍ବ ଯୁଦ୍ଧ ପୂର୍ବରୁ ପ୍ରାରମ୍ଭିକ ଅଭ୍ୟାସ ରାଉଣ୍ଡରେ ‘ଇନ୍‌ଡିଆ’ ଊଣାଅଧିକେ ସଫଳ ହୋଇଛି, ଯହିଁରେ ‘ମୋଦୀ’ଙ୍କୁ କେନ୍ଦ୍ର‌େର ରଖି ଲକ୍ଷ୍ୟ ସାଧିବାର ଏକନିଷ୍ଠ ଉଦ୍ୟମ ଦୃଷ୍ଟିଗୋଚର ହୋଇଛି।
ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ନିସ୍ତାର ପାଇବା ଭଳି ଏକମାତ୍ର ଲକ୍ଷ୍ୟ ନେଇ ଏହି ମେଣ୍ଟର ଆବିର୍ଭାବ ଘଟିଛି, ଏଥିରେ ନିହିତ କେତେକ ଅସଂଗତି ଦୃଷ୍ଟିରୁ ଏହାକୁ ଯେ ଖଣ୍ଡା ଧାରରେ ଚାଲିବାକୁ ହେବ, ତାହା ମଧ୍ୟ ପ୍ରାୟ ନିଶ୍ଚିତ। ପ୍ରକାଶ ଥାଉ କି ଏହି ମେଣ୍ଟର ମଞ୍ଜ ରୂପେ ଉଭା ହୋଇଥିବା କଂଗ୍ରେସ ସଂପ୍ରତି ଏକ ଦୁର୍ବଳ ଅବଲମ୍ବନ ଏବଂ ଏହାକୁ ବେଢ଼ିଥିବା ସଦସ୍ୟ ଦଳଗୁଡ଼ିକ ନିଜ ନିଜ ପ୍ରଭାବ ଦୃଷ୍ଟିରୁ କଂଗ୍ରେସ ପ୍ରତି ଆହ୍ବାନ ସୃଷ୍ଟି କରିଥାଆନ୍ତି। କେବଳ ସେତିକି ନୁହେଁ, ଆଞ୍ଚଳିକ ରାଜନୀତିରେ ଏହି ସଦସ୍ୟ ଦଳଗୁଡ଼ିକ ଭିତରୁ ଅନେକ ପରସ୍ପର ପ୍ରତି ଶତ୍ରୁତାମୂଳକ ମନୋଭାବ ମଧ୍ୟ ପ୍ରଦର୍ଶନ କରିଥାଆନ୍ତି, ଯେମିତି କି ପଞ୍ଜାବରେ ଆପ୍‌ ଏବଂ କଂଗ୍ରେସ ବା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ଏବଂ କେରଳରେ କେରଳ କଂଗ୍ରେସ (ଯୋସେଫ୍‌) ଏବଂ କେରଳ କଂଗ୍ରେସ (ମଣି) ଇତ୍ୟାଦି। ଏଭଳି ସ୍ଥଳେ ନିର୍ବାଚନ ପୂର୍ବରୁ ଆସନ ବୁଝାମଣା ଭଳି ଏକ ସ୍ପର୍ଶକାତର ପ୍ରସଙ୍ଗ ଯେ ବିବାଦ ଉତ୍ପନ୍ନ କରିବ, ସେ ଆଶଙ୍କା ଅମୂଳକ ନୁହେଁ। ଏହା ନିର୍ବାଚନ ପରେ ମେଣ୍ଟର ସ୍ଥାୟିତ୍ବକୁ ମଧ୍ୟ ବିପନ୍ନ କରିପାରେ। କିନ୍ତୁ ଏନ୍‌.ଡି.ଏ. ମେଣ୍ଟର ମୂଳାଧାର ସଦୃଶ ରହିଥିବା ବିଜେପି ଏକ ସୁଦୃଢ଼ ମଞ୍ଜ, ଯାହାକୁ ଅବଲମ୍ବନ କରି ଅନ୍ୟାନ୍ୟ ଦଳଗୁଡ଼ିକ ଲତା ସଦୃଶ ସହାବସ୍ଥାନ କରିବା ଛଡ଼ା ସେମାନଙ୍କ ଅନ୍ୟ ଗତି ନାହିଁ।
ସ୍ମରଣଯୋଗ୍ୟ ଯେ ୨୦୧୮ ମସିହାରେ ମଧ୍ୟ କଂଗ୍ରେସ କୈନ୍ଦ୍ରିକ ବିରୋଧୀ ମେଣ୍ଟ ‘ୟୁପିଏ’ ଦ୍ବାରା ଏକ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା, ଯାହାର ବିତର୍କ କାଳରେ ସଂସଦ କକ୍ଷ ‘ଚୌକିଦାର ଚୋର ହୈ’ ଭଳି ସ୍ଲୋଗାନ ଦ୍ବାରା ପ୍ରକଂପିତ ହୋଇ ଉଠିଥିଲା। କିନ୍ତୁ, ବିଡ଼ମ୍ବନା ‌େହଲା, ୨୦୧୯ ମସିହା ନିର୍ବାଚନରେ ବିଜେପି ଲୋକସଭାରେ ୩୦୩ଟି ଆସନ ସହିତ ବିପୁଳ ବିଜୟ ଲାଭ କରିବା ପରେ ‘ୟୁପିଏ’ ସହସା ନିଷ୍ପ୍ରଭ ହୋଇଯାଇଥିଲା, ସତେ ଯେମିତି ପରାଜୟର ପରାଭବ ତାକୁ ନତଜାନୁ କରି ପକାଇଥିଲା। ଆଶା କରିବା ଯେ ନିର୍ବାଚନ ପୂର୍ବରୁ ଉଚ୍ଚାଟ ସୃଷ୍ଟି କରୁଥିବା ବିରୋଧୀ ମେଣ୍ଟ ନିର୍ବାଚନ ପରେ ନିଷ୍ପ୍ରାଣ ହୋଇ ନ ଯାଇ ବିଜୟ ବା ପରାଜୟ ନିର୍ବିଶେଷରେ ଦୃଢ଼ ମେଣ୍ଟ ଶକ୍ତି ଭାବେ ତିଷ୍ଠି ରହିବାର ଇଚ୍ଛ ଶକ୍ତି ପ୍ରଦର୍ଶନ କରନ୍ତୁ। ‘ଇନ୍‌ଡିଆ’ ତାହାର ଏକ ଦୃଷ୍ଟାନ୍ତ ହେଉ। ତାହା ନ ହେଲେ ଏକ ଧାରଣା ସୃଷ୍ଟି ହେବ ଯେ ଏଭଳି ମେଣ୍ଟଗୁଡ଼ିକ କେବଳ ଅନାସ୍ଥା ପ୍ରସ୍ତାବ ଉପରେ ଆସ୍ଥା ରଖି ସାମୟିକ ଗର୍ଜନତର୍ଜନ କରିବା ଛଡ଼ା ଆଉ ବିଶେଷ କିଛି କରନ୍ତି ନାହିଁ। ଏହା ଦ୍ବାରା ବିରୋଧୀ ମେଣ୍ଟ ଉପରେ ଆସ୍ଥା ସଂପୂର୍ଣ୍ଣ ଲୋପ ପାଇଯାଇପାରେ।

ସମ୍ବନ୍ଧିତ ଖବର