ଓଡ଼ିଆ ସାହିତ୍ୟର ଇଂରେଜୀ ଅନୁବାଦ: ପ୍ରତିଶ୍ରୁତି ଓ ଆହ୍ୱାନ

ସୁପ୍ରିୟା ପ୍ରଶାନ୍ତ

ନିକଟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଆ ସାହିତ୍ୟର ଶହେଟି ସର୍ବକାଳୀନ ଶ୍ରେଷ୍ଠ କ୍ଷୁଦ୍ର ଗଳ୍ପକୁ ଇଂରେଜୀ ତଥା ସ୍ପେନିସ୍‌, ଫ୍ରେଞ୍ଚ୍, ଜର୍ମାନୀ ଓ ଜାପାନୀ ଭାଷାରେ ଅନୁବାଦ ପାଇଁ ବିଜ୍ଞପ୍ତି ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରାଯାଇଛି। ଏହି ପରିକଳ୍ପିତ ପ୍ରକଳ୍ପରେ ଅନୁବାଦକଙ୍କ କାର୍ଯ୍ୟ ରହିବ: ଶହେଟି ସର୍ବକାଳୀନ ଶ୍ରେଷ୍ଠ ଓଡ଼ିଆ ଗଳ୍ପ ଚୟନ କରିବା, ସେହି ଗଳ୍ପଗୁଡ଼ିକୁ ଇଂରେଜୀରେ ଅନୁବାଦ କରିବା, ତା’ ପରେ ଇଂରେଜୀ ଅନୂଦିତ ଶହେଟି ଗଳ୍ପ ମଧ୍ୟରୁ ପଚିଶଟିକୁ ସ୍ପେନିସ୍‌, ଫ୍ରେଞ୍ଚ, ଜର୍ମାନ ଓ ଜାପାନୀ ଭାଷାରେ ଅନୁବାଦ କରେଇବା ଓ ମୁଦ୍ରଣ କରିବା। ତା’ ଛଡ଼ା ଏହି ଗଳ୍ପଗୁଡ଼ିକର ସ୍ବତ୍ବ ସଂକ୍ରାନ୍ତ ଅନୁମୋଦନ ମୂଳ ଲେଖକ ବା ସ୍ବତ୍ବାଧିକାରୀଙ୍କ ଠାରୁ ଆଣିବା ଏବଂ ସମସ୍ତ କାର୍ଯ୍ୟକୁ ୩୧ ଡିସେମ୍ବର ୨୦୨୩ ସୁଦ୍ଧା ସମାପ୍ତ କରିବା। ଏସବୁ ଓଡ଼ିଶା ସାହିତ୍ୟ ଏକାଡେମୀର ନେତୃତ୍ୱରେ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି। ଏହା ନିଶ୍ଚିତ ରୂପେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଓଡ଼ିଆ ସାହିତ୍ୟର ଇଂରେଜୀ ଅନୁବାଦ, ସଂପାଦନା ତଥା ପ୍ରକାଶ କରୁଥିବା ଜଣେ କର୍ମୀ ହିସାବରେ ଏହି ପ୍ରକଳ୍ପର ଗୁରୁତ୍ୱ ଓ ସମ୍ଭାବ୍ୟ ସମସ୍ୟାଗୁଡ଼ିକ ଉପରେ ଏଠାରେ କିଛି ମତ ଓ ପ୍ରଶ୍ନ ରଖିବା ଆବଶ୍ୟକ ମନେ କରୁଛି।

ପ୍ରଥମ କଥା ଏହି ପ୍ରକଳ୍ପର ଆକାର ଓ ଶେଷ ତାରିଖକୁ ଦୃଷ୍ଟି ଦେଲେ ଏହା କେବେ ବି ଜଣେ ଅନୁବାଦକ ଦ୍ୱାରା ସମ୍ଭବ ହେବନାହିଁ। ଧରି ନିଆଯାଉ ଯେ ତର୍କ ଓ ବାଦବିବାଦ ତୁଟିବା ପରେ ସଂପାଦନା ମଣ୍ଡଳୀ ଦ୍ୱାରା ସର୍ବସମ୍ମତି କ୍ରମେ ଶହେଟି ସର୍ବକାଳୀନ ଶ୍ରେଷ୍ଠ ଗଳ୍ପ ମନୋନୀତ ହେଲା। ତା’ ପର କାମ ହେଲା ସ୍ବତ୍ବାଧିକାରୀଙ୍କ ନିକଟରୁ ଅନୁମତି ପତ୍ର ଆଣିବା; ଯେଉଁ ପରିପ୍ରେକ୍ଷୀରେ ଭୁଲିଗଲେ ହେବ ନାହିଁ ଯେ ଅନେକ ସ୍ବତ୍ବାଧିକାରୀଙ୍କୁ ଖୋଜି ପାଇବା କଷ୍ଟକର ହେବ। ଏଭଳି ସ୍ଥଳେ କ’ଣ କରାଯିବ ତାହା ଆରମ୍ଭରୁ ସ୍ଥିର କରାଯିବା ଭଲ। ବର୍ତ୍ତମାନ ଅନୁବାଦ କାର୍ଯ୍ୟ ପାଇଁ ଯଦି ଦଶ ଜଣ ଅନୁବାଦକ ଶହେଟି ଗଳ୍ପକୁ ଅନୁବାଦ କଲେ ହୁଏତ ଛଅ ମାସ ମଧ୍ୟରେ ଗୋଟିଏ ରଫ୍ ବା କାମଚଳା ପାଣ୍ଡୁଲିପି ପ୍ରସ୍ତୁତ ହୋଇପାରିବ। ଏଠାରେ ସମସ୍ୟା ହେଲା ପ୍ରତ୍ୟେକ ଅନୁବାଦକର ଅନୁବାଦ କରିବାର ଶୈଳୀ ଭିନ୍ନ। ଯେହେତୁ ଶହେଟି ଗଳ୍ପ ଗୋଟିଏ ପ୍ରକଳ୍ପର ଅଂଶ, ସମସ୍ତ ଗଳ୍ପର ପଠନୀୟତାରେ କିଛି ସମାନତା ଆଣିବାକୁ ହେଲେ ଏହାର ସଂପାଦନା ଆବଶ୍ୟକ ହେବ। ଏହି କାର୍ଯ୍ୟରେ ପ୍ରତ୍ୟେକ ଲେଖକଙ୍କର ସ୍ୱତନ୍ତ୍ର ଆବେଦନ, ଶବ୍ଦ ବ୍ୟବହାର ଓ ବାକ୍ୟ-ବିନ୍ୟାସରେ ଭିନ୍ନତାକୁ ମଧ୍ୟ ଦୃଷ୍ଟିରେ ରଖିବାକୁ ହେବ। ଏଭଳି କରାଗଲେ ଅନୁବାଦଗୁଡ଼ିକ ଏକ ପ୍ରକାର ସମତୁଲତା ପାଇବେ। ଏହି କାର୍ଯ୍ୟଟି ଅନ୍ତତଃ ଛଅ ମାସ ସମୟ ନେବ। ଏଭଳି ଭାବେ ଅନ୍ତିମ ପାଣ୍ଡୁଲିପିଟି ପ୍ରସ୍ତୁତ ହେଲା ପରେ ଯାଇ ପୁସ୍ତକଟିକୁ ପ୍ରକାଶ କରିବା ପ୍ରସଙ୍ଗ ଉଠିବ। ଏହା ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହେବ ନା ଅନ୍ୟ କେହି ପ୍ରକାଶକ ଏହି ଦାୟିତ୍ୱ ନେବେ? ପ୍ରାୟତଃ ଭାରତ ଓ ବିଦେଶର ମୁଖ୍ୟସ୍ରୋତର ପ୍ରକାଶକମାନେ ଗୋଟେ ବହି ପ୍ରକାଶ କରିବାକୁ ଅତି କମ୍‌ରେ ଛଅ ମାସରୁ ବର୍ଷେ ସମୟ ନିଅନ୍ତି ଏବଂ ନିଜ ସହ ଅନୁବାଦ ସ୍ବତ୍ବାଧିକାର ରଖନ୍ତି। ତେଣୁ ଶହେଟି ଗଳ୍ପର ଇଂରେଜୀ ଅନୁବାଦ ଓ ଏହାର ପ୍ରକାଶନ କାର୍ଯ୍ୟ ପାଇଁ ଅତି କମ୍‌ରେ ଦୁଇ ବର୍ଷ ଲାଗିବ।

ଏହି ପ୍ରକଳ୍ପ ଅନୁସାରେ ଅନ୍ୟ ଚାରିଟି ଭାଷାରେ ଅନୁବାଦକମାନଙ୍କୁ ଖୋଜି ସେମାନଙ୍କ ଦ୍ବାରା ଅନୁବାଦ କରେଇ ମୁଦ୍ରଣ କରେଇବାକୁ ପଡ଼ିବ। କେଉଁ ପଚିଶଟି ଗଳ୍ପ ଅନ୍ୟ ଚାରି ଭାଷାକୁ ଅନୂଦିତ ହେବ, ତାହା ମଧ୍ୟ ସ୍ଥିର କରିବାକୁ ହେବ। ଆମର କାର୍ଯ୍ୟ-ସଂସ୍କୃତି ଏବଂ ଜର୍ମାନୀ, ଫ୍ରାନ୍‌ସ, ଜାପାନ ଓ ସ୍ପେନ ଦେଶର କାର୍ଯ୍ୟ-ସଂସ୍କୃତି ମଧ୍ୟରେ ଆକାଶ ପାତାଳ ତଫାତ। ଏହା ଛଡ଼ା ଇଂରେଜୀରୁ ଏହି ଚାରି ଭାଷାକୁ ଅନୁବାଦ କରୁଥିବା ଅନୁବାଦକମାନେ ଓଡ଼ିଶା ବା ଭାରତରେ ଦିଆଯାଉଥିବା ପାରିଶ୍ରମିକ ତୁଳନାରେ ଯଥେଷ୍ଟ ଅଧିକ ପାରିଶ୍ରମିକ ଓ ପୁସ୍ତକ ପ୍ରକାଶନ ପରେ ରାଜଭାଗ ମଧ୍ୟ ପାଇଥାନ୍ତି। ଏ ବାବଦରେ ସେମାନଙ୍କ ସହ ବୁଝାମଣା କରାଯାଇପାରେ। କିନ୍ତୁ ଏହି ପ୍ରକଳ୍ପରେ ଜଡ଼ିତ ସମସ୍ତ ଲେଖକ ବା ସ୍ବତ୍ବାଧିକାରୀ, ସଂପାଦକ, ଇଂରେଜୀ ଅନୁବାଦକମାନେ ମଧ୍ୟ ସେହି ଭଳି ପାରିଶ୍ରମିକ ପାଇବା ଗୁରୁତ୍ୱପୂର୍ଣ୍ଣ। ଏହାର ସବିଶେଷ ଆଲୋଚନା ମୂଳରୁ ହେବା ଉଚିତ।

ଏହି ପ୍ରକଳ୍ପ ପାଇଁ କେଉଁ ସଂସ୍ଥା ବା ଅନୁଷ୍ଠାନ କିମ୍ବା ବ୍ୟକ୍ତି ଆବେଦନ କରିବେ, ତାହା ଅନୁମାନ କରିବା କଷ୍ଟକର, କିନ୍ତୁ, ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆରୁ ଇଂରେଜୀ ଅନୁବାଦ କରୁଥିବା ଅନୁବାଦକମାନେ ହେଲେ ଗୋଟେ ବିଲୁପ୍ତପ୍ରାୟ ପ୍ରଜାତି। ଏହି କ୍ଷେତ୍ରର ଭିତ୍ତି ସ୍ଥାପନ ଓ ଅଭିବୃଦ୍ଧିରେ ଯେଉଁ କେତେ ଜଣ ନିଷ୍ଠାପର ଉଦ୍ୟମ କରିଛନ୍ତି, ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ- ବିକ୍ରମ କେଶରୀ ଦାସ, ଯତୀନ୍ଦ୍ର କୁମାର ନାୟକ, କମଳାକାନ୍ତ ମହାପାତ୍ର, ଅରୁଣ ମହାନ୍ତି, ସୁମନ୍ୟୁ ଶତପଥୀ, ହିମାଂଶୁ ଶେଖର ମହାପାତ୍ର, ସ୍ନେହପ୍ରଭା ଦାସ, ଦୀପ୍ତିରଞ୍ଜନ ପଟ୍ଟନାୟକ, ମୋନାଲିସା ଜେନା, ସିଦ୍ଧାର୍ଥ ଶତପଥୀ, ମନୋରଞ୍ଜନ ମିଶ୍ର ଓ ଶୈଲେନ ରାଉତରାୟ। ବିଭାଗ ସେମାନଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସେମାନଙ୍କ ସମ୍ମତି କ୍ରମେ ଏହି ପ୍ରକଳ୍ପରେ ସେମାନଙ୍କୁ କି ଭୂମିକା ଦେବ, ତାହା ସ୍ଥିର କରିବାର ଆବଶ୍ୟକତା ରହିଛି।

ଗତ କିଛି ବର୍ଷ ଧରି ଓଡ଼ିଶା ସାହିତ୍ୟ ଏକାଡେମୀ ଆଭ୍ୟନ୍ତରୀଣ ସମସ୍ୟା ଓ ଅବ୍ୟବସ୍ଥା ପାଇଁ ସମାଲୋଚନାର ଶିକାର ହେଇଛି। କିନ୍ତୁ ବୁଝିବାକୁ ହେବ ଯେ ଏକାଡେମୀ ବର୍ଷକୁ ପ୍ରାୟ ଏକଷଠିଟି ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ, ପତ୍ରିକା ଓ ପୁସ୍ତକ ପ୍ରକାଶନ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କବିତା ପାଠୋତ୍ସବ, ସଭାସମିତି ଆୟୋଜନ, ବହି ବିକ୍ରି ଆଦି ଭଳି କାର୍ଯ୍ୟ ତା’ର ସୀମିତ ଲୋକବଳ ଓ ଅମଲାତାନ୍ତ୍ରିକ ଜଟିଳତା ମଧ୍ୟରେ କରୁଛି। ଏପରି ପରିସ୍ଥିତିରେ ଏକାଡେମୀ ଏହି ପ୍ରକଳ୍ପର ଗୁରୁଦାୟିତ୍ୱ କିପରି ସମ୍ଭାଳିବ? ଅନୁବାଦକ, ସଂପାଦକ, ପ୍ରକାଶକମାନଙ୍କ ମଧ୍ୟରେ ନିୟମିତ ଯୋଗାଯୋଗ ରଖିବା ଏହା ପକ୍ଷରେ ସମ୍ଭବ ହେବ କି?
କିଛି ମାସ ତଳେ ରାଜ୍ୟ ଅଭିଲେଖାଗାରରୁ ବହୁ ଦୁଷ୍ପ୍ରାପ୍ୟ ପୋଥି ଚୋରି ହେବା ଖବର ଆଞ୍ଚଳିକ ଏପରି କି ଜାତୀୟ ଖବରକାଗଜମାନଙ୍କରେ ପ୍ରକାଶ ପାଇଥିଲା। ରାଜଧାନୀର କେନ୍ଦ୍ରରେ ଅବସ୍ଥିତ ଗୋଟେ ଅନୁଷ୍ଠାନରୁ ଏପରି ଚୋରି ହେବା ଉଦ୍‌ବିଗ୍ନ କଲା ଭଳି କଥା। କେବଳ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ବହିଗୁଡ଼ିକୁ ଛାଡ଼ିଦେଲେ ଅନେକ ବହି କେବେ ପ୍ରକାଶିତ ହେଇଥିଲା ବା ସେସବୁର ପ୍ରକାଶକ କିଏ ବା ସ୍ବତ୍ବାଧିକାର କାହା ନିକଟରେ ଅଛି; ଇତ୍ୟାଦି ସମ୍ବନ୍ଧରେ କୌଣସି ତଥ୍ୟ ନାହିଁ। ଜଣେ ପାଠକ ବା ଗବେଷକ ଏହା ଦ୍ୱାରା କିପରି ଉପକୃତ ହେବ? ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାରଣ ପାଇଁ କରାଯାଉଥିବା ଏହି ସବୁ କାର୍ଯ୍ୟରେ ଉତ୍କର୍ଷ ଓ ଗାମ୍ଭୀର୍ଯ୍ୟର ଘୋର ଅଭାବ ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ ସଂସ୍କୃତି ବିଭାଗ ଯେମିତି ପ୍ରତିଦିନ ନୂଆ ନୂଆ ଯୋଜନା, ପ୍ରକଳ୍ପ ଓ ପୁରସ୍କାର ଘୋଷଣା କରୁଛି, ମନରେ ସ୍ୱତଃ ପ୍ରଶ୍ନ ଉଠୁଛି- ଓଡ଼ିଆ ସାହିତ୍ୟର ସର୍ବକାଳୀନ ଶ୍ରେଷ୍ଠ ଶହେଟି କ୍ଷୁଦ୍ର ଗଳ୍ପକୁ ପାଞ୍ଚଟି ବିଦେଶୀ ଭାଷାରେ ଅନୁବାଦ କରିବା ଯୋଜନା ଏକ ପ୍ରଭାବଶୂନ୍ୟ ଯୋଜନା ହେବନି ତ? ଏହି ପରିପ୍ରେକ୍ଷୀରେ କୁହାଯାଇପାରେ କି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏହି କାର୍ଯ୍ୟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆବଶ୍ୟକ ଶ୍ରମ, ସମୟ ଓ ଅର୍ଥର ବାସ୍ତବଧର୍ମୀ ଅଟକଳ କରି ପ୍ରକଳ୍ପ ଯୋଜନା କରିବା ଉଚିତ। ଏହା ‌ହେଲେ ଭବିଷ୍ୟତରେ ନୂଆ ସୁଯୋଗ ଓ ସମ୍ଭାବନାର ଦ୍ୱାର ଖୋଲିବ।
[email protected]

ସମ୍ବନ୍ଧିତ ଖବର