ସନ୍ନ୍ୟାସର ମୂଳ କଥା

କଥାଟିଏ-ଯାଯାବର

ଜଣେ ଗୁରୁଙ୍କ ପାଖକୁ ଆସିଲେ ଜଣେ ବ୍ୟକ୍ତି। ସେ କହିଲେ ମୁଁ ସନ୍ନ୍ୟାସ ନେବାକୁ ଚାହେଁ। ମୋତେ ଗ୍ରହଣ କରନ୍ତୁ।
ଗୁରୁ କହିଲେ- ଏଠୁ ତୁରନ୍ତ ଭାଗ। ସନ୍ନ୍ୟାସ ନେବା କୌଣସି ଚାହିଁବା ବା ଇଚ୍ଛାର କଥା ନୁହେଁ।
ସେହି ବ୍ୟକ୍ତି ଫେରିଗଲେ।
କିଛି ଦିନ ପରେ ପୁଣି ସେ ଆସିଲେ ଏବଂ କହିଲେ- ଏବେ ତ ମୋତେ ଗ୍ରହଣ କରନ୍ତୁ। ମୁଁ ମୋ ସ୍ତ୍ରୀ ଓ ପିଲାମାନଙ୍କ ଦ୍ବାରା ଅତିଷ୍ଠ। ସଂସାରରୁ ମନ ଛାଡ଼ି ଗଲାଣି। ଏବେ ସନ୍ନ୍ୟାସ ନେବି।
ଗୁରୁ କହିଲେ- ତୁରନ୍ତ ଭାଗ। ସନ୍ନ୍ୟାସ ଲାଗି କିଛି ଛାଡ଼ିବା ଦରକାର ନାହିଁ।
ସେ ଲୋକ ପୁଣି ନିରାଶ ହେଲେ।
ଏହା ଦେଖି ଗୁରୁଙ୍କ ନିକଟରେ ବସିଥିବା ତାଙ୍କର ଜଣେ ଅତିଥି କହିଲେ- ମୁଁ ଆପଣଙ୍କ କଥାର ମର୍ମ ବୁଝି ପାରୁ ନାହିଁ। ଆପଣ ତାଙ୍କୁ ଦୁଇ ଦୁଇ ଥର ଫେରାଇ ଦେଲେ!
ଗୁରୁ କହିଲେ- ଅତି ସାଧାରଣ କଥା। ସନ୍ନ୍ୟାସ ନେବାର ଭାବ ଇଚ୍ଛାର କଥା ନୁହେଁ। ସେ ଭାବ ମନ ଭିତରୁ ଏକ ନିର୍ଝର ଭଳି ଫିଟେ, ସେତେବେଳେ ଇଚ୍ଛା ବା ଅନିଚ୍ଛା ମୂଲ୍ୟହୀନ ହୋଇଯିବେ। ଦ୍ବିତୀୟ ଥର ସେ କହିଲେ ଯେ ସେ ନିଜ ପତ୍ନୀ ଓ ପିଲାଛୁଆଙ୍କ ଦ୍ବାରା ଅତି‌ଷ୍ଠ; ତେଣୁ ସଂସାର ପ୍ରତି ବିମୁଖ। ଏହାର ଅର୍ଥ ସେ ଚାହୁଥିବା ଭଳି ଆଚରଣ ତାଙ୍କ ପତ୍ନୀ ବା ପିଲାମାନେ ଦେଖାଉ ନାହାନ୍ତି। ଯଦି ସେ ଚାହୁଁଥିବା ଭଳି ତାଙ୍କ ପତ୍ନୀ ବା ପିଲାମାନେ ହୋଇ ଥାଆନ୍ତେ, ତେବେ ସେ କଦାପି ସଂସାର ବିମୁଖ ହୁଅନ୍ତେ ନାହିଁ।
ମୂଳ କଥା ହେଲା ସନ୍ନ୍ୟାସ ଲାଗି କିଛି ଛାଡ଼ିବାକୁ ପଡ଼େ ନାହିଁ। ସେ ଭାବ ଉଠିଲେ ଜଣେ ବଜାରର କୋଳାହଳ ଭିତରେ ବି ସନ୍ନ୍ୟାସୀ ପାଲଟି ଯାଇପାରେ। ତା’ ଲାଗି ଜଙ୍ଗଲ ଖୋଜିବା ଦରକାର ପ‌ଡ଼ି ନ ଥାଏ।

ସମ୍ବନ୍ଧିତ ଖବର