ମଞ୍ଜ କଥା: ସରକାରଙ୍କ ‘ଫିଲ୍ ଗୁଡ୍‌ ଫର୍ମୁଲା’

ଭବାନୀ ଶଙ୍କର ତ୍ରିପାଠୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୨୦୧୯ ନିର୍ବାଚନ ବିଜୟ ପଛର ଲୋକପ୍ରିୟ ସ୍ଲୋଗାନ୍ ଥିଲା ‘ଆପଣମାନେ ଖୁସି ତ?’ ସମ୍ଭବତଃ ଭାରତବର୍ଷରେ ଏମିତି କେବେ ଘଟିନଥିବ, ଯେବେ ମାତ୍ର ତିନି ଶବ୍ଦ ବିଶିଷ୍ଟ ଗୋଟିଏ ବାକ୍ୟ ଚାରିଥରିଆ ସରକାରକୁ ପଞ୍ଚମ ଥର ଅନାୟାସରେ ଜିତାଇ ଦେଇଥିବ! ୨୦୦୪ ସାଧାରଣ ନିର୍ବାଚନରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ସରକାର ଏଭଳି ଏକ ‘ଫିଲ୍ ଗୁଡ୍’ ସ୍ଲୋଗାନ୍ ଦେଇ ବିଫଳ ହୋଇଥିଲେ; କିନ୍ତୁ ତା’ର ୧୫ ବର୍ଷ ପରେ ନବୀନ ଲୋକଙ୍କ ସୁଖଦ ଅନୁଭବ ସଂପର୍କରେ କେବଳ ଗୋଟିଏ ପ୍ରଶ୍ନମୂଳକ ଜିଜ୍ଞାସା ରଖି ମୋଦୀ ହାଵାକୁ ଓଡ଼ିଶାରେ ବହିବାକୁ ଦେଇ ନ ଥିଲେ।
ଗୋଟିଏ ଗାଣତାନ୍ତ୍ରିକ ସରକାରରେ ଜନମତ ଜାଣିବାର ସବୁଠାରୁ ସହଜ ଉପାୟ ହେଉଛି ନିର୍ବାଚନ। ସ୍ବାଭାବିକ ଭାବେ ବିଜୁ ଜନତା ଦଳ ସରକାର ଏହି ମାପକାଠିରେ ନିଜକୁ ଲୋକପ୍ରିୟ ବୋଲି ଦାବି କରିଆସୁଛନ୍ତି ଓ ବିରୋଧୀମାନେ ଆପେ ନିଜକୁ ପ୍ରଭାବହୀନ ମନେ କରୁଛନ୍ତି।
ଏ ସଂକ୍ରାନ୍ତରେ ଆଉ ଗୋଟିଏ ବର୍ଗର ଯୁକ୍ତି ପଛରେ ବି ଦମ୍ ଅଛି। ତାହା ହେଲା- ନିର୍ବାଚନ ସବୁ ଲୋକଙ୍କର ମତ ନୁହେଁ। ଏହା କେବଳ ଭୋଟ ଦେଉଥିବା ବ୍ୟକ୍ତି ଅର୍ଥାତ୍ କୌଣସି ଭୂଖଣ୍ଡର ସଂଖ୍ୟାଧିକଙ୍କର ଦୃଷ୍ଟିକୋଣର ପ୍ରତିଫଳନ ମାତ୍ର। ଏହି ବର୍ଗର ମତ ଅନୁସାରେ ଅନେକ ସମୟରେ ଜନ ଅସନ୍ତୋଷ ମାପିବାର ଲକ୍ଷଣ ହେଉଛି ସରକାର ବିରୋଧରେ ମେଳି ବା ବିଦ୍ରୋହ; ଗଣମାଧ୍ୟମ ରିପୋର୍ଟ, ସରକାରୀ ଅଭିଯୋଗ ପ୍ରକୋଷ୍ଠରେ ଗହଳି। ହେଲେ ବିକାଶର ଭ୍ରମ ସୃଷ୍ଟି କରି ଜନମତକୁ ଅଳ୍ପ କିଛି ମୁହୂର୍ତ୍ତ ପାଇଁ ପରିବର୍ତ୍ତନ କରାଯାଇପାରେ। ନିର୍ବାଚନ ସମୟରେ ନେତାଙ୍କ ତୋଫାନୀ ଗସ୍ତ ଓ ଆଖିବୁଜା ଘୋଷଣା ହେଉଛି ଗୋଟିଏ ସୂତ୍ର, ଯାହାକୁ ଏ କ୍ଷେତ୍ରରେ ଷ୍ଟେରଏଡ୍ ଭଳି ପ୍ରୟୋଗ କରାଯାଏ। ଏହା କୌଣସି ସମସ୍ୟାର ସ୍ଥାୟୀ ନିଦାନ କରେ ନାହିଁ, ବରଂ ବ୍ୟବସ୍ଥାକୁ ବିପଥଗାମୀ କରିବାରେ ସାହାଯ୍ୟ କରେ।
ଆଉ କିଛି ମାସ ପରେ ଓଡ଼ିଶା ପୁଣି ଥରେ ନିର୍ବାଚନର ସାମ୍ନା କରିବାକୁ ଯାଉଛି। ସରକାରଙ୍କ ଶହ ଶହ କୋଟି ଟଙ୍କାର ଘୋଷଣାରେ ଆଦୌ ନୂତନତ୍ବ ନାହିଁ। ଜନ ଅସନ୍ତୋଷକୁ ଜନ ସମର୍ଥନରେ ରୂପାନ୍ତରଣର ଏହି କୌଶଳ ଷ୍ଟେରଏଡ୍ ଭଳି। ଭୋଟର୍‌ ଏହାକୁ ଆଖିବୁଜା ଗ୍ରହଣ କରିବେ ନା ରାଜ୍ୟ ବିକାଶ ପୃଷ୍ଠାକୁ ତର୍ଜମା କରି ସରକାରଙ୍କ ପାରଦର୍ଶିତା ମାପିବେ, ସେ ନେଇ ଅନାସକ୍ତ ଆଲୋଚନା ଜରୁରୀ। ଏଥିପାଇଁ ରାଜ୍ୟର ପ୍ରତି ନାଗରିକ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି, ଆର୍ଥିକ ପରିଚାଳନା, ବୈଷୟିକ ଦକ୍ଷତା ଓ ପ୍ରାଶାସନିକ ନିଷ୍ଠାକୁ ପରଖିବା ଅପରିହାର୍ଯ୍ୟ।
ନିକଟରେ ଗୋଟିଏ ସଭାରେ ଅର୍ଥ ସଚିବ ବିଶାଳ ଦେବ ରାଜ୍ୟ ଅର୍ଥନୀତିର ଚିତ୍ର ଉପସ୍ଥାପନ କରୁଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରେ ଯେବେ ଶାସନର ମଙ୍ଗ ଧରିଲେ, ସେ ବର୍ଷ ଜୁଲାଇରେ ଆଗତ ରାଜ୍ୟ ବଜେଟ ଆକାର ଥିଲା ୧୮ ହଜାର ୫୧୬ କୋଟି ୫୨ ଲକ୍ଷ ଟଙ୍କା। ୨୦୨୩-୨୪ରେ ଏହା ପ୍ରାୟ ୧୨ ଗୁଣରୁ ଅଧିକ ବୃଦ୍ଧି ପାଇ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଛୁଇଁଛି। ଏହା କାନକୁ ଖୁବ୍ ଭଲ ଶୁଭିଲା। ଏଥିରୁ ବୁଝାପଡ଼ିଲା ଯେ ରାଜ୍ୟ ଅର୍ଥନୀତି ଅତ୍ୟନ୍ତ ସୁଦୃଢ଼ ସ୍ଥିତିରେ ପହଞ୍ଚିଛି। ଅତଏବ ରାଜ୍ୟ ଅନୁରୂପ ଭାବେ ଉନ୍ନତ ସ୍ଥିତିକୁ ଆସିଥିବ।
ହେଲେ ଯେଉଁ ପ୍ରସଙ୍ଗଟି ଏଠି ଆଲୋଚନାର ଅବକାଶ ରଖେ, ତାହା ହେଲା- ୨୦୦୦-୦୧ ବେଳକୁ ରାଜ୍ୟରେ ୫୮.୨୯ ଲକ୍ଷ ହେକ୍ଟର ଚାଷ ଜମି ଥିଲା, ଯାହା ଏବେ କମି ୫୩ ଲକ୍ଷ ହେକ୍ଟର ତଳକୁ ଆସିଲାଣି। ଚାଷୀର ଏ ଜମି କିଏ ଛଡ଼ାଇନେଲେ? ଜନସଂଖ୍ୟା ବୃଦ୍ଧି ବନାମ ଚାଷ ଜମି ହ୍ରାସ କଥାଟି ଗୋଟିଏ ଭଲ ଲକ୍ଷଣ ବୋଲି କହାଯାଇପାରିବ ନାହିଁ। ରାଜ୍ୟ ଧାନ ଚାଷରେ ଆଗରେ। ହେଲେ ବିହନ ଉତ୍ପାଦନ, କୃଷି ଶିଳ୍ପର ବିକାଶ, ଶୀତଳଭଣ୍ଡାର, ବଜାର ଆଦି କ୍ଷେତ୍ରର ଲକ୍ଷ୍ୟ ହାସଲରେ ବିଫଳ। ସରକାର ଦାବି କରନ୍ତି ଯେ ୭୦% ଜମିରେ ସେଚନ ସାମର୍ଥ୍ୟ ସୃଷ୍ଟି କରିଛନ୍ତି। କିନ୍ତୁ ପଞ୍ଚଦଶ ଅର୍ଥ କମିସନ ତାଙ୍କ ରିପୋର୍ଟରେ କହିଛନ୍ତି, ରାଜ୍ୟର ଜଳସେଚନ କ୍ଷମତା ୨୮%ରେ ସୀମିତ। ଏମାନଙ୍କ ମଧ୍ୟରୁ କାହା ରିପୋର୍ଟଟି ସତ?
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ସରକାର ସ୍ବତନ୍ତ୍ର ବଜେଟ୍ ସହିତ ବିଶାଳ ପୁଞ୍ଜି ନିବେଶ କରିଛନ୍ତି ସତ। କିନ୍ତୁ ଜଣେ ଚାଷୀର ଆର୍ଥିକ ସ୍ବାସ୍ଥ୍ୟ କେତେ ମଜଭୁତ ହୋଇଛି ଏ ପ୍ରଶ୍ନର ଉତ୍ତର ମିଳୁନାହିଁ। ଚାଷୀର ଆୟ ଦୁଇଗୁଣ ହେବା କଥାଟି ଗୋଟିଏ ସ୍ଲୋଗାନ୍ ହୋଇ ରହିଗଲା। ହଁ, ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଉ ଶୁଭୁନି ଏକଥା ସତ, ହେଲେ ଚାଷୀ ନିୟମିତ ଜୀବନ ଯନ୍ତ୍ରଣାରେ ଏଠି ଛଟପଟ ହେଉଛି। ଅର୍ଥକରୀ ଫସଲ କ୍ଷେତ୍ରରେ ସରକାରଙ୍କ ଯୋଜନା ଓ କୌଶଳ ପରସ୍ପରର ପରିପନ୍ଥୀ। ଏମିତିରେ ବି ରାଜ୍ୟର ସକଳ ଘରୋଇ ଉତ୍ପାଦକୁ କୃଷି କ୍ଷେତ୍ରର ଅବଦାନ ହ୍ରାସ ପାଇବାରେ ଲାଗିଛି।
ଚାଷୀର ଆବଶ୍ୟକତା ଓ ସରକାରଙ୍କ ଯୋଜନା ଭିତରେ ଯୋଜନ ଯୋଜନ ଦୂରତା ପରିଲକ୍ଷିତ ହେଲାଣି। ଚାଷ କ୍ଷେତ୍ରକୁ ସରକାରଙ୍କ ଅବଦାନ କହିଲେ କାଳିଆ, ବଳରାମ ଯୋଜନା ବା ମିଲେଟ୍ ମିସନର ଉଦାହରଣ ଦିଆଯାଉଛି। ମାତ୍ର ଏସବୁ ପୂର୍ବୋକ୍ତ ଷ୍ଟେରଏଡ୍ ଭଳି; କେବଳ ନିର୍ବାଚନ ପାଇଁ ଅଭିପ୍ରେତ। ଚାଷୀର ମୂଳ ସମସ୍ୟା ନିଦାନ କଥାଟି ଗୁରୁତ୍ବହୀନ ହୋଇପଡ଼ିଥିବା ଭଳି ମନେ ହୁଏ।
ଏବେ ଆମେ ଆଉ ଗୋଟିଏ ଉଦାହରଣ ଦେଖିବା। ଗତ ନିର୍ବାଚନ ପୂର୍ବରୁ ବିପୁଳ ଅର୍ଥ ବିନିମୟରେ ‘ଆମ ଗାଁ ଆମ ବିକାଶ’, ‘ପିଠା’ ଭଳି କାର୍ଯ୍ୟକ୍ରମ ଆଧାରରେ ବିକାଶର ଗୋଟିଏ ନକ୍ସା ଅଙ୍କାଗଲା। ମାଲକାନଗିରି ଠାରୁ ପୁରୀ ଯାଏ ସବୁଠି ସରକାରଙ୍କ ଭଲ କାମର ଯେଉଁ ଗୋଟିଏ ଚିତ୍ରକୁ ନିନ୍ଦୁକମାନେ ମଧ୍ୟ ଗ୍ରହଣ କରୁଛନ୍ତି, ତାହା ହେଲା ସଡ଼କ। ରାଜ୍ୟର ସବୁ ପ୍ରମୁଖ ରାସ୍ତା ଚିକ୍‌ଚିକ୍ କରୁଛି। କିନ୍ତୁ ଯୋଜନାରେ ଘୁଣ ଲାଗିଯାଇଥିବା କାରଣରୁ ଦାନ ମାଝୀ ଭଳି ଘଟଣାରେ ପୂର୍ଣ୍ଣଛେଦ ପଡ଼ିପାରିନାହିଁ ବରଂ ଭିନ୍ନ ଢଙ୍ଗରେ ଗଣମାଧ୍ୟମରେ ଆସୁଛି। ଅପହଞ୍ଚ ଅଞ୍ଚଳକୁ ରାସ୍ତା ନଥିବାରୁ ପ୍ରସୂତିଙ୍କ ଠାରୁ ଅସୁସ୍ଥଙ୍କ ଯାଏ ଆମ୍ବୁଲାନ୍‌ସ ପହଞ୍ଚିପାରୁନାହିଁ।
ଏହାର କାରଣ ହେଲା ବିଧାନସଭାରେ ପାରିତ ବଜେଟ୍ ଓ ଲୋକସେବା ଭବନରେ ସରକାରଙ୍କ ଖସଡ଼ା ପ୍ରସ୍ତୁତି ଗାଁ ବା ସହରବାସୀଙ୍କ ଆବଶ୍ୟକତା ଅନୁସାରେ ହେଉନାହିଁ। ପଡ଼ୋଶୀ ରାଜ୍ୟମାନଙ୍କ ଠାରୁ ଉଦ୍ଧାର ସୂତ୍ରରେ ଆସୁଥିବା ଅଧିକାଂଶ ଯୋଜନାକୁ ଟିକେ ଏପଟସେପଟ କରି ଖଞ୍ଜି ଦିଆଯାଉଛି, ଯାହା ଓଡ଼ିଶା ପାଇଁ ଉପଯୋଗୀ ହେଉ ନାହିଁ। ରାଜ୍ୟର ବିକାଶରେ ସୁଦୀର୍ଘ ପ୍ରଶ୍ନଚିହ୍ନ ଲାଗିବା ପଛର ଏହା ଅନ୍ୟତମ କାରଣ।
ଏ କଥାଟି ଆହୁରି ସ୍ପଷ୍ଟ ହେଉଛି, ସ୍ବାସ୍ଥ୍ୟ କ୍ଷେତ୍ରରେ। ଆମେ ଏହି ସ୍ତମ୍ଭରେ ବାହାନଗା ରେଳ ଦୁର୍ଘଟଣା ଚିତ୍ର ରଖିବା ବେଳେ ଆପତ୍ତି ଉଠାଇଥିଲୁ ଯେ ସରକାରଙ୍କ ତଥାକଥିତ ମେଡିକାଲ କଲେଜ ସ୍ବାସ୍ଥ୍ୟସେବା ପ୍ରଦାନ ବା ଲୋକଙ୍କ ଯନ୍ତ୍ରଣା ଉପଶମ କ୍ଷେତ୍ରରେ ବିଶେଷ ଉପଯୋଗୀ ହେଉ ନାହିଁ। ରୋଗ ନିଦାନ କ୍ଷେତ୍ରରେ ସରକାରୀ ମେଡିକାଲର ପାରଦର୍ଶିତା ହାତଗଣତି କିଛି ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତରିତ ହୋଇସାରିଲାଣି। ଆଉ କିଛି ବର୍ଷ ପରେ ସରକାରୀ ମେଡିକାଲର କୌଣସି ଡାକ୍ତରଙ୍କୁ ଆମ ରାଜ୍ୟବାସୀ ଶ୍ରେଷ୍ଠ ବା ସୁନାମଧନ୍ୟ ବୋଲି କହୁନଥିବେ ବୋଲି ଏକ ଆଶଙ୍କା ସୃଷ୍ଟି ହେଲାଣି।
ଆହୁରି ଆଚମ୍ବିତ କରୁଥିବା କଥାଟି ହେଲା, ସରକାର ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବାର ସ୍ବପ୍ନ ଦେଖାଉଛନ୍ତି। ଡାକ୍ତରଖାନାରେ କୋଟି କୋଟି ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରାଂଶ ଲାଗୁଛି। ଓଡ଼ିଶାର ଅଧା ଅଞ୍ଚଳରେ ମେଡିକାଲ କଲେଜ ଖୋଲିଗଲାଣି। ବର୍ଷକୁ ୬୦୦ କୋଟି ଟଙ୍କାର ମାଗଣା ଔଷଧ ବି ସରକାର ଦେଉଛନ୍ତି। ପୁଣି ସ୍ବାସ୍ଥ୍ୟ ବୀମା ଭଳି ପୁଣି ଗୋଟିଏ ଷ୍ଟେରଏଡ୍ ଯୋଜନା କାହିଁକି? ଏହା ଜଣାଇଦେଉଛି ଯେ ଅଧିକ ଜଟିଳ ତଥା ଉତ୍କୃଷ୍ଟ ଚିକିତ୍ସା ପାଇଁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ସମର୍ଥ ନୁହେଁ। ଏହା ଆହୁରି ସ୍ପଷ୍ଟ ହୋଇଯାଏ, ଯେବେ ଆମ ରାଜନେତା ଓ ପ୍ରଭାବଶାଳୀ ପ୍ରଶାସକମାନେ ଘରୋଇ ସ୍କୁଲରେ ସେମାନଙ୍କ ପିଲାଙ୍କ ନାମ ଲେଖାଇବା ଭଳି ନିଜେ ଘରୋଇ ମେଡିକାଲକୁ ବେଶୀ ଭରସା କରନ୍ତି।
ସତକୁ ଢାଙ୍କିବାର ଅପଚେଷ୍ଟା, ନିଆଁକୁ ଅଣ୍ଟିରେ ପୂରେଇବା ସହ ସମାନ। ଏ କଥା ଜାଣି ବି ତୃଣମୂଳ ସ୍ତରର ଅସନ୍ତୋଷକୁ ଚାପିବା ଲାଗି ଷ୍ଟେରଏଡ୍ ଫର୍ମୁଲାରେ ଯୋଜନା ଫିଙ୍ଗା ଯାଉଛି। ବିଧାନସଭା ଦରଜା ବା ବଜେଟ୍ ପୁସ୍ତିକା ବାହାରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା ଏସବୁର ଅଂଶବିଶେଷ। ପାଖାପାଖି ୪ ହଜାର କୋଟି ଟଙ୍କାର ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଗୋଟିଏ ଉଦାହରଣ ମାତ୍ର। ଏହା ଲୋକଙ୍କୁ ଛୁଇଁପାରେ। ହେଲେ ଯେଉଁ ମୌଳିକ ପ୍ରଶ୍ନଟି ମନକୁ ଆନ୍ଦୋଳିତ କରୁଛି, ତାହା ହେଲା କୌଣସି ଅଞ୍ଚଳର ‘ନିହାତି ଆବଶ୍ୟକ’ କ୍ଷେତ୍ରଗୁଡ଼ିକୁ କିଏ, କିଭଳି ଚିହ୍ନଟ କଲେ? ଏତେ ବଡ଼ ରାଶି ବିନିଯୋଗ ପରେ ଓଡ଼ିଶା କେଉଁଠୁ କେଉଁଠିକି ପହଞ୍ଚିବ? ଗତ ଦଶନ୍ଧିରେ ଘୋଷିତ ଅନେକ ଯୋଜନା ଏଭଳି ପ୍ରଶ୍ନର ଉତ୍ତର ଅପେକ୍ଷାରେ ରହିଛି।
ଗୋଟିଏ କଥା ଉଲ୍ଲେଖ କରିବା ଆଦୌ ଅମୂଳକ ହେବ ନାହିଁ ଯେ ଘଡ଼େଇ କମିଟି ପରେ ୨୦୦୪ ମସିହାରେ ଗଠନ ହୋଇଥିବା ଆଞ୍ଚଳିକ ବୈଷମ୍ୟ କମିସନ ରିପୋର୍ଟର ଅପମୃତ୍ୟୁ ହୋଇସାରିଛି। ଭିଜନ୍-୨୦୨୦ ସରକାରଙ୍କ ଘୋଷଣାରେ ରହିଗଲା। ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତି ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ଭିଜନ୍-୨୦୩୬ ସ୍ବପ୍ନ ଦୁର୍ବଳ ରାଜନୈତିକ ଇଚ୍ଛାଶକ୍ତି ଓ କରିତ୍‌କର୍ମା ପ୍ରଶାସକଙ୍କ ବନ୍ଧନ ଭିତରେ ଛଟପଟ ହେଉଛି। ଆହୁରି ମଜାଦାର କଥା ହେଲା, ତତ୍କାଳୀନ ଯୋଜନା କମିସନ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ‘ନବକୃଷ୍ଣ ଚୌଧୁରୀ ଗବେଷଣା କେନ୍ଦ୍ର’କୁ ଅର୍ଥନୀତି ଓ ବିକାଶ ମାର୍ଗଦର୍ଶନ ପାଇଁ ଗୋଟିଏ ରିପୋର୍ଟ ପ୍ରସ୍ତୁତି ଦାୟିତ୍ବ ଦେଇଥିଲେ। ଏ ରିପୋର୍ଟ ଆସିଲା କି ନାହିଁ, କାହାକୁ ଜଣାନାହିଁ। ସେମାନଙ୍କୁ ପଚାରିବାକୁ ବି ସଂଜୟ କ୍ଷମତାରେ ନାହାନ୍ତି।
ଅତଏବ ରାଜ୍ୟ ଏବେ କେଉଁଠି ଅଛି, କେଉଁଠି ପହଞ୍ଚିବ ତାହା ଯେବେ ଅସ୍ପଷ୍ଟ ସେବେ ନୂଆ ଓଡ଼ିଶାର ଗଠନର ସ୍ବପ୍ନ କିଭଳି ସାକାର ହେବ? ବଜେଟ୍ କେବଳ ଗୋଟିଏ ଗାଣିତିକ ହିସାବ ବା ଆକଳନ ନୁହେଁ ବରଂ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରାଶାସନିକ ଆଭିମୁଖ୍ୟର ପରିପ୍ରକାଶ। ଏଥିରେ ରାଜ୍ୟ ପ୍ରଗତିର ନକ୍ସା ପ୍ରତିଫଳିତ ହୁଏ। ସୀମିତ ସମ୍ବଳରେ ଆବଶ୍ୟକତାକୁ ପ୍ରାଥମିକତା ଦେଇ ଆର୍ଥିକ ପରିଚାଳନା କଲେ ବିକାଶର ସୁଷମ ବଣ୍ଟନ ହେବ।
ଏବେ ପୁଣି ସରକାରଙ୍କ ମୁହଁରୁ ଯେତେ ପ୍ରକଳ୍ପ ବାହାରୁଛି, ସେସବୁ ବିଶ୍ବସ୍ତରୀୟ ହେବ ବୋଲି କୁହାଯାଉଛି। ଷ୍ଟେରଏଡ୍ ଫର୍ମୁଲାରେ ଆଖିବୁଜା ଟଙ୍କା ବିଞ୍ଚିଦେଲେ ଏହା ହାସଲ ହୋଇଯିବ କି? ସରକାର ଭୁଲନ୍ତୁ ନାହିଁ ଯେ ମାନବ ସମ୍ବଳକୁ ବିଶ୍ବସ୍ତରୀୟ କରିବା ଲାଗି ଅଧିକ ନିବେଶ ଜରୁରୀ। କ୍ଷମତା ଚୌକି ଦଖଲ ଲାଗି ଅଥବା ବିଶ୍ବସ୍ତରୀୟ ହେବାର ନିଶାରେ ବିଭୋର ହୋଇ ଯଦି ସରକାର ଅବକାରୀ, ଖଣି, ଭୂ-ରାଜସ୍ବ କ୍ଷେତ୍ରରୁ ଯେତେ ଅଧିକ ରାଜସ୍ବ ସଂଗ୍ରହ କରି ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି ବୋଲି ଦାବି କରିବେ, ତେବେ ଓଡ଼ିଶା ଏକ ବିକଶିତ ରାଜ୍ୟ ନ ହୋଇ ବରଂ ଏକ ବିକଳାଙ୍ଗ ରାଜ୍ୟରେ ପରିଣତ ହେବ। ଷ୍ଟେରଏଡ୍ ରୋଗର ସାମୟିକ ଉପଶମ କରେ, ଏବଂ ତାହାର ଦୀର୍ଘକାଳୀନ ପ୍ରୟୋଗ ମାରାତ୍ମକ।
ମୋ: ୯୯୩୭୪ ୭୪୨୭୪

ସମ୍ବନ୍ଧିତ ଖବର