ମଞ୍ଜ କଥା: ବିଜେଡି-ବିଜେପିର ସାପ ଶିଡ଼ି ଖେଳ

ଭବାନୀ ଶଙ୍କର ତ୍ରିପାଠୀ

ଗତ ମାସରେ ଶେଷ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ଦିଲ୍ଲୀ ସରକାର ବିରୋଧରେ ଆଗତ ବିଲ୍, କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଦି ପ୍ରସଙ୍ଗ ଆଉ ଚର୍ଚ୍ଚାରେ ନାହିଁ। ଲୋକେ ତାହା ପାସୋରିବା ଆରମ୍ଭ କଲେଣି। କିନ୍ତୁ ଓଡ଼ିଶା ପରିପ୍ରେକ୍ଷୀରେ ଏହି ଅଧିବେଶନର ଗୁରୁତ୍ବ କିଛି ଅଲଗା।
ପ୍ରଥମତଃ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନାସ୍ଥା ପ୍ରସ୍ତାବର ଆଲୋଚନାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ପତନ ପଛରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋଙ୍କ ବିବାଦୀୟ ଭୋଟ୍ ସଂପର୍କରେ ସଂସଦକୁ ସ୍ମରଣ କରାଇଦେଲେ। ଏହା ଏଇଥିପାଇଁ ମହତ୍ତ୍ବ ରଖେ ଯେ ଦୁଇ ଦଶନ୍ଧି ପରେ ପୁଣି ଥରେ ଓଡ଼ିଶାର ଶାସକ ଦଳ କେନ୍ଦ୍ର ସରକାରଙ୍କର ଚୌକିର ସ୍ଥାୟିତ୍ବ ସୁନିଶ୍ଚିତ କଲା। ହେଲେ ଏଥର ବି ରାଜ୍ୟ ସ୍ବାର୍ଥକୁ ଅଣଦେଖା କରାଗଲା। ସେତେବେଳେ ଗମାଙ୍ଗୋ ଯେମିତି ଦଳୀୟ (କଂଗ୍ରେସ) ଧର୍ମକୁ ଗୁରୁତ୍ବ ଦେଇଥିଲେ, ଠିକ୍ ସେମିତି ନିଜ ନିରାପତ୍ତାକୁ ପ୍ରାଥମିକତା ଦେଇ ବିଜେଡି କେନ୍ଦ୍ରର ସୁରକ୍ଷା କବଚ ସାଜିଲା।
ଦ୍ବିତୀୟରେ, ଅନାସ୍ଥା ଆଲୋଚନାର ଉତ୍ତର ଦେବା ବେଳେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ତାଚ୍ଛଲ୍ୟ କଲେ। କଂଗ୍ରେସ ଦଳ ଭୋଟରଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଥିବାର ପ୍ରମାଣ ଦେବାକୁ ଯାଇ ମୋଦୀ କହିଲେ ଯେ ୨୮ ବର୍ଷ ତଳେ ୧୯୯୫ ମସିହାରେ କଂଗ୍ରେସ ଶେଷ ଥର ପାଇଁ ଓଡ଼ିଶାରେ ବିଜୟର ସ୍ବାଦ ଚାଖିଥିଲା। ମୋଦୀଙ୍କ କଥା ଅସତ୍ୟ ନୁହେଁ। ହେଲେ ଆର କଥାଟି ବି ଠିକ୍‌ ଯେ ସବୁଠାରୁ ଅଧିକ ଲୋକପ୍ରିୟ ବୋଲି ଦାବି କରୁଥିବା ପ୍ରଧାନମନ୍ତ୍ରୀଙ୍କ ହାତରେ ଆଜି ବି ନବୀନ ବିଜେପି-ମୁକ୍ତ ଓଡ଼ିଶା ଭେଟିଦେଇ ଚାଲିଛନ୍ତି। ୨୦୦୯ରେ ମେଣ୍ଟ ଭାଙ୍ଗିବା ଦିନରୁ ବିଜେପି କ୍ଷମତାକୁ ଆସିବା ଦୂରର କଥା, ଏହା ଏକ ପ୍ରଭାବଶାଳୀ ବିରୋଧୀ ଦଳରେ ବି ପରିଣତ ହୋଇପାରିନି।
ଏସବୁ ବ୍ୟତିରେକେ ସମସ୍ତଙ୍କ ଅଲକ୍ଷ୍ୟରେ ଯେଉଁ ତୃତୀୟ ଗୁରୁତ୍ବପୂର୍ଣ୍ଣ ଘଟଣାର ସାକ୍ଷୀ ଭାବେ ଏହି ଅଧିବେଶନ କାଳ କାଳ ପାଇଁ ସ୍ମରଣୀୟ ରହିବ, ତାହା ହେଲା- ଓଡ଼ିଶାରେ ଗୋଟିଏ ଯୁଗ ଧରି ଚାଲିଆସିଥିବା ରାଜନୀତିର ସମୀକରଣ ନିମିଷକ ମଧ୍ୟରେ ଓଲଟପାଲଟ ହୋଇଗଲା। ପ୍ରଶ୍ନ ଉଠିପାରେ କେମିତି?
ଏକଥା କେହି ଅସ୍ବୀକାର କରିବେ ନାହିଁ ଯେ ଆଜି ଦିନରେ ବିଜେଡି ସମକକ୍ଷ କୌଣସି ରାଜନୈତିକ ଦଳ ଓଡ଼ିଶାରେ ନାହିଁ। କଳ, ବଳ, କୌଶଳ ଓ ଲୋକପ୍ରିୟତା ଦୃଷ୍ଟିରୁ ସେମାନେ ଅନ୍ୟମାନଙ୍କ ଠାରୁ ଢେର ଆଗରେ। ଅପର ପକ୍ଷରେ କଂଗ୍ରେସ ଏଠାରେ ନିଷ୍ପ୍ରଭ ଏବଂ ଆସନ୍ତା ନିର୍ବାଚନରେ ବିଜେଡିକୁ ଚିତ୍‌ପଟାଙ୍ଗ୍‌ କଲା ଭଳି ସାମର୍ଥ୍ୟ ବିଜେପି ଏଯାଏ ଜୁଟାଇପାରିନି। ଏଭଳି ଏକ ପୃଷ୍ଠଭୂମିରେ ଜାତୀୟ ସ୍ତରରେ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଗଠନ କରିଥିବା ‘ଇଣ୍ଡିଆ’ ମେଣ୍ଟ ଓଡ଼ିଶା କଂଗ୍ରେସକୁ ଶକ୍ତିଶାଳୀ କରିବାରେ ବିଶେଷ ସକ୍ଷମ ହେବାର ସମ୍ଭାବନା ବି କ୍ଷୀଣ। ହେଲେ ଏହି ମେଣ୍ଟ ପୂର୍ବ ଭାରତର ଅନ୍ୟତମ ପ୍ରଭାବଶାଳୀ ଆଞ୍ଚଳିକ ଦଳ ବିଜେଡିକୁ ସଙ୍କୁଚିତ କରିଦେଲା। ଇଡି, ସିବିଆଇକୁ ଆୟୁଧ କରି ଶକ୍ତି ହରଣ କଷ୍ଟସାଧ୍ୟ; ଏକଥା ଜାଣି ବିଜେପି ପରିବର୍ତ୍ତିତ ରାଜନୈତିକ କୌଶଳରେ ନବୀନଙ୍କ ହାତରେ ଘନିଷ୍ଠତାର ରକ୍ଷା ସୂତ୍ର ବାନ୍ଧିଦେଲା। ପରିଣାମ ହେଲା ଧର୍ମନିରପେକ୍ଷ ଦାବି କରୁଥିବା ବିଜେଡି ୧୪ ବର୍ଷର ସଂକଳ୍ପ ଭାଙ୍ଗିଲା ଏବଂ ଆଗପଛ ନ ବିଚାରି ଦକ୍ଷିଣପନ୍ଥୀ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରକୁ ଅନାସ୍ଥା ଭୋଟରେ ନିସର୍ତ୍ତ ସମର୍ଥନ ଦେଲା। ଏବେ ଦଳ ହାତରୁ ‘କେନ୍ଦ୍ରୀୟ ଅବହେଳାର ଅସ୍ତ୍ର’ଟି ଖସିଯାଇ ଅପାଂକ୍ତେୟ ଭାବେ ସଂସଦ ବାରଣ୍ଡାରେ ପଡ଼ିଛି, ଏକଥା ଯେ କେହି ସ୍ବୀକାର କରିବେ।
ସ୍ମରଣଯୋଗ୍ୟ, ପୁରୀ ଲୋକସଭା ଆସନରୁ ଦିନେ କଂଗ୍ରେସର ହାତ ଚିହ୍ନରେ ପିନାକୀ ମିଶ୍ର ସଂସଦକୁ ପ୍ରତିନିଧିତ୍ବ କରୁଥିଲେ। ହେଲେ ଏଥର ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେବା ବେଳେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ ନିର୍ଦ୍ଦୟ ଭାବେ କହିଥିଲେ, କଂଗ୍ରେସର ଦୁର୍ନୀତିକୁ ବିରୋଧ କରି ୧୯୯୭ ମସିହାରେ ବିଜେଡି ଜନ୍ମ ନେଇଥିଲା। ତେଣୁ କଂଗ୍ରେସ ମେଣ୍ଟର କୌଣସି ପ୍ରସ୍ତାବକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ। ଅତଏବ ବିଜେଡି ଆହୁରି ନିଶ୍ଚିତ କରିଦେଲା ଯେ ଏବେ କି କେବେ ‘ଇଣ୍ଡିଆ’କୁ ଭିତରୁ କିମ୍ବା ବାହାରୁ ଦଳ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ।
ଓଡ଼ିଶା ରାଜନୀତି ଉପରେ ନଜର ରଖିଥିବା ବ୍ୟକ୍ତିଙ୍କୁ ଯେଉଁ ପ୍ରଶ୍ନଟି ଏବେ ଦୁର୍ବୋଧ୍ୟ ମନେ ହେଉଛି, ତାହା ହେଲା- ଉଭୟ କଂଗ୍ରେସ ଓ ବିଜେପି ଭଳି ମହାଦ୍ରୁମ ଦ୍ବୟକୁ ଦୀର୍ଘ ୨୩ ବର୍ଷ ଧରି ଓଡ଼ିଶାରେ ଅଟକାଇ ରଖିଥିବା ବିଜେଡିର ପ୍ରଭାବ ହଠାତ୍ କାହିଁକି ଓ କେମିତି ସଙ୍କୁଚିତ ହୋଇଗଲା? ସଂପ୍ରତି ଦେଶର ସବୁଠୁ ଅଭିଜ୍ଞ ମୁଖ୍ୟମନ୍ତ୍ରୀ ତଥା ଉତ୍ତୁଙ୍ଗ ବ୍ୟକ୍ତିତ୍ବ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ସଂପର୍କରେ ଜାତୀୟ ନେତାମାନେ ଯେଭଳି ଟୀକାଟିପ୍ପଣୀ ଦେଲେ, ବିଜେଡିର କାର୍ପଟଦାର ଗୋଷ୍ଠୀଙ୍କ ବୌଦ୍ଧିକ ଦେବାଳିଆପଣ କ’ଣ ଏହାର ଏକମାତ୍ର କାରଣ? ନା ସତରେ ସଂଖ୍ୟା ବଳରେ ଅତି ସଶକ୍ତ ନଜର ଆସୁଥିବା ବିଜେଡି ଇତିମଧ୍ୟରେ ମାନସିକ ସ୍ତରରେ ଦୁର୍ବଳ ହୋଇଗଲାଣି? ନବୀନଙ୍କୁ ପରଦା ପଛକୁ ନେବା ଦ୍ବାରା ବିଜେଡିକୁ ଏଭଳି ମୂଲ୍ୟ ଦେବାକୁ ପଡ଼ିଲା କି?
ଓଡ଼ିଶା ସରକାରରେ ମାତ୍ରାଧିକ ପ୍ରାଶାସନିକ ସକ୍ରିୟତା, ବିପୁଳ ନିର୍ବାଚନୀ ଖର୍ଚ୍ଚ ଓ ସର୍ବୋପରି ରାଜନୈତିକ ନେତୃତ୍ବକୁ ଅଣଦେଖା କରି ବିଜେଡି ଦଳ ରାଜ୍ୟ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାରେ ସଫଳ ହୋଇଥାଇପାରେ। ମାତ୍ର ଏସବୁ ବିଲକ୍ଷଣର ଛାଇ ତଳେ ଯେଉଁ ବିଶାଳ ଅନିୟମିତତାର ପାହାଡ଼ ଛିଡ଼ା ହେଲାଣି, ତାହା ହିଁ କେନ୍ଦ୍ର ସରକାରକୁ ବଳ ଦେଇଛି।
ଅନ୍ୟ ପକ୍ଷରେ ସୂକ୍ଷ୍ମ ଭାବେ ପୂରା ଭାରତର ରାଜନୀତିକୁ ନିରେଖି ଦେଖିଲେ, ଆଉ ଏକ ରହସ୍ୟ ବି ଉନ୍ମୋଚିତ ହୁଏ। ତାହା ହେଲା- ‘ଇଣ୍ଡିଆ’ ଆଗକୁ କ୍ଷମତାକୁ ଆସିବ କି ନା, ତାହା ଅସ୍ପଷ୍ଟ। ହେଲେ କଂଗ୍ରେସ ସହିତ କିଛି ବିରୋଧୀ ସମ୍ମିଳିତ ହୋଇଗଲେ ବୋଲି ଭାରତର ରାଜନୀତି କଡ଼ ଲେଉଟାଇବାକୁ ବାଧ୍ୟ ହୋଇଛି। ଅତଏବ ଏତିକି କଥା ଏବେଠୁ କହିହେବ ଯେ ରାଜନୈତିକ ବିଚାର ବା ଚିନ୍ତାଧାରାକୁ ନେଇ ଅସଲ ଯୁଦ୍ଧ ୨୦୨୪ରେ ଦେଶ ଦେଖିବ। ଏଥିରୁ ଓଡ଼ିଶା ମଧ୍ୟ ବାଦ୍‌ ପଡ଼ିବ ନାହିଁ। ଆଗକୁ ଆଞ୍ଚଳିକ ଦଳ ନା ଜାତୀୟ ଦଳର ପ୍ରାଧାନ୍ୟ ବା ପ୍ରତିପତ୍ତି ବଢ଼ିବ ତାହା ମଧ୍ୟ ନିରୂପିତ ହେବ। ଅବଶ୍ୟ କେନ୍ଦ୍ରୀୟ ବିଜେପି ନିଜେ ଏହି ଆହୁତିରେ ଘିଅ ଢାଳି ସାରିଲାଣି।
ଗୋଟିଏ ପରିସଂଖ୍ୟାନ ଉପରେ ନଜର ପକାଇଲେ ଦେଖାଯାଏ ଯେ କେନ୍ଦ୍ରରେ ମୁଣ୍ଡ ଟେକିଥିବା ଦୁଇ ମେଣ୍ଟ ମଧ୍ୟରୁ ‘ଇଣ୍ଡିଆ’ ତୁଳନାରେ ଏନ୍‌ଡିଏ ବେଶ୍‌ ସଶକ୍ତ ରହିଛି। ନିକଟରେ ସଂସଦର ଅନାସ୍ଥା ଭୋଟ ଏ କଥାର ପ୍ରମାଣ ଦିଏ।
ଏବେ ପ୍ରଶ୍ନ ଉଠିବା ସ୍ବାଭାବିକ, ତେବେ ବିଜେପି ଆଖିରେ ଏତେ ଡର କାହିଁକି? କେଉଁ କାରଣ ପାଇଁ ୨୦୦୯ ମସିହାରେ ମେଣ୍ଟ ମଧ୍ୟସ୍ଥତା କରିବାକୁ ଆସିଥିବା ଚନ୍ଦନ ମିତ୍ରଙ୍କୁ ନବୀନ ନିବାସରେ ମିଳିଥିବା ଅପମାନକୁ ହଜମ କରିବାକୁ ବିଜେପି ବାଧ୍ୟ ହେଲା? ଏମିତି କ’ଣ ପରିସ୍ଥିତି ହେଲା ଯେ ବିଜେପି ଓଡ଼ିଶାର ଦୁଇ ନମ୍ବର ଆସନରେ ଥାଇ, ଶହେ ସରିକି ଆସନରେ ଦଳର ନେତାଙ୍କ ମନୋବଳ ଭାଙ୍ଗିଦେଇ ବିଜେପିର ଦ୍ବିତୀୟ ସର୍ବାଧିକ କ୍ଷମତାଶାଳୀ ଅମିତ ଶାହ ବିଜେଡି ସହିତ ନିଭୃତ କକ୍ଷରେ ମନ୍ତ୍ରଣା କଲେ? ଯେଉଁ ୫-ଟି ସଚିବଙ୍କ ବିରୋଧରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗର ଲମ୍ବା ତାଲିକା ଧରାଇଥିଲେ ତାଙ୍କ ସହିତ ଶାହଙ୍କୁ ଗୋଟିଏ ଘରୋଇ ହୋଟେଲରେ ବୈଠକ କରିବା ଜରୁରି ହେଲା କାହିଁକି? ୨୦୧୪ ଓ ୨୦୧୯ରେ ଓଡ଼ିଶା ସରକାରକୁ ବଙ୍ଗୋପସାଗରରେ ଫିଙ୍ଗିଦେବା ଲାଗି ମୋଦୀଙ୍କ ସ୍ବର ନରମିବା ପଛରେ କି କାରଣ ରହିଛି?
ଉତ୍ତର ହେଲା- ବିଜେପିର କେନ୍ଦ୍ରୀୟ ନେତୃତ୍ବ ହିସାବ କରି ଦେଖି ସାରିଲେଣି ଯେ ଏନଡିଏ ଅଧୀନରେ ଥିବା ଦଳମାନଙ୍କ ପକେଟରେ ଅର୍ଥାତ୍ ବିଭିନ୍ନ ରାଜ୍ୟରେ ଯେତିକି ବିଧାନସଭା ଆସନ ଓ ଭୋଟର ଅଛନ୍ତି, ‘ଇଣ୍ଡିଆ’ ତା’ ଠାରୁ ଢେର ଆଗରେ ରହିଛି। ଆହୁରି ସରଳ ଭାବେ କହିଲେ, ‘ଇଣ୍ଡିଆ’ ଅଧୀନସ୍ଥ ରାଜନୈତିକ ଦଳର ବିଧାନସଭା ଆସନ ସଂଖ୍ୟା ୧୭୯୩, ଯେତେବେଳେ କି ଏନଡିଏ ପାଖରେ ୧୭୦୪ ବିଧାୟକଙ୍କ ସମର୍ଥନ ରହିଛି। ଭୋଟ ହିସାବ କଲେ, ଏନଡିଏ ଠାରୁ ‘ଇଣ୍ଡିଆ’ ପାଖରେ ପାଖାପାଖି ୩ କୋଟି ଅଧିକ ଭୋଟ ରହିଛି, ଯାହା ଗୋଟିଏ ଝଟ୍‌କାରେ ଓଲଟପାଲଟ ହୋଇଯାଇପାରେ।
ବିଜେପି ଆହୁରି ଅଡୁଆରେ ପଡ଼ିବାର କାରଣ ହେଉଛି ଏନଡିଏରେ ସେମାନଙ୍କ ନିଜ ଉପସ୍ଥାନ ପାଖାପାଖି ୯୧ ପ୍ରତିଶତ। ତା’ ତୁଳନାରେ ‘ଇଣ୍ଡିଆ’ରେ କଂଗ୍ରେସର ଉପସ୍ଥିତି ୩୬ ପ୍ରତିଶତରେ ସୀମିତ। ଅର୍ଥାତ୍ ବିଜେପି-କଂଗ୍ରେସ ପରସ୍ପର ପାଖାପାଖି ବି ନାହାନ୍ତି। ଅଥଚ ଯେବେ ବିରୋଧୀ ସମ୍ମିଳିତ ହେଉଛନ୍ତି, ସେବେ ୨୦୨୪ ନିର୍ବାଚନ ଗଣିତରେ ଅଡୁଆ ହେବା ସୁନିଶ୍ଚିତ ବୋଲି ମୋଦୀ ଜାଣନ୍ତି। ଏଭଳି ପରିସ୍ଥିତିରେ ବିଜେପିର ଶୀର୍ଷ ନେତୃତ୍ବ ଆଗାମୀ ନିର୍ବାଚନ ପୂର୍ବରୁ ସଂପର୍କର ନିବିଡ଼ତାକୁ ନିଶ୍ଚିତ କରିବାକୁ ଚାହିଁବା ସ୍ବାଭାବିକ।
ବିଜେପିର ରଣନୀତିକୁ ତର୍ଜମା କଲେ ଜଣାପଡ଼େ ଯେ କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବାକୁ ହେଲେ ଗାନ୍ଧୀ ପରିବାର ପ୍ରତି ଶାଣିତ ଆକ୍ରମଣ କରିବାକୁ ହେବ, ଯାହା ଚାଲିଛି; ସମାନ୍ତରାଳ ଭାବେ ବିରୋଧୀ ପକ୍ଷ ବା ନିଷ୍ପକ୍ଷ ବୋଲି ଦାବି କରୁଥିବା ଆଞ୍ଚଳିକ ଦଳମାନଙ୍କୁ ନିଷ୍ପ୍ରଭ କରିବାର ଅଭିଯାନ ବି ଜାରି ରହିବ। ଶାହଙ୍କ ଓଡ଼ିଶା ଗସ୍ତ, ବିଜେଡିର ସମର୍ଥନ ହାସଲ ଓ ରାଜଧାନୀରେ ରୁଦ୍ଧଦ୍ବାର ବୈଠକ ଏହି ରଣନୀତିର ଗୋଟିଏ ଅଂଶ। ବିଜେଡିର କଂଗ୍ରେସ ସଂପର୍କିତ ସ୍ପଷ୍ଟୋକ୍ତି ମଧ୍ୟ କେବଳ ମୋଦୀଙ୍କୁ ନିଶ୍ଚିନ୍ତ ରହିବା ଲାଗି ସଙ୍କେତ, ଯାହାକୁ ହାତମୋଡ଼ା କୌଶଳ ଆଧାରରେ ବିଜେପିର ଶୀର୍ଷ ନେତୃତ୍ବ ହାସଲ କରିଛନ୍ତି।
ସାଧାରଣ ନିର୍ବାଚନ ଟିକେ ଦୂର ଅଛି। ହେଲେ ବିଜେଡି-ବିଜେପିର ସାପ-ଶିଡ଼ି ଖେଳ ଯେ କୌଣସି ମୁହୂର୍ତ୍ତରେ ନିର୍ଣ୍ଣାୟକ ମୋଡ଼ ନେଇପାରେ। ବିଜେଡି କୌଣସି ଅଜ୍ଞାତ କାରଣରୁ ବିଜେପି ପାଖରେ ନିଜକୁ ସମର୍ପିତ କରିଛି ସତ, ମାତ୍ର ସାନି ମେଣ୍ଟ ଜରିଆରେ ଗେରୁଆ ପଞ୍ଝା ଭିତରକୁ ଯିବାକୁ ଚାହୁଁନି। ଓଲଟା ବିଜେଡିର ରଣନୀତି କହୁଛି, ୨୦୧୮ରେ ତେଲେଙ୍ଗାନା ସରକାରଙ୍କ ଆଗୁଆ ନିର୍ବାଚନ ଫର୍ମୁଲା ସେମାନେ ଆପଣାଇ ବିଜେପିକୁ ପୁଣି ଥରେ ମାତ୍ ଦେବେ। ସେବେ ଏହି ଫର୍ମୁଲାରେ ତେଲେଙ୍ଗାନା ରାଷ୍ଟ୍ର ସମିତି ଆଉ ଥରେ ଶାସନକୁ ଆସିଥିଲା ଏବଂ ସାଧାରଣ ନିର୍ବାଚନରେ ଅଧିକ ସଂଖ୍ୟକ ଲୋକସଭା ସିଟ୍ ଜିଣି ମୋଦୀ ଲହରକୁ ପ୍ରତିହତ କରିବାରେ ସକ୍ଷମ ହେଲା। ବିଜେଡି ବି ଅନୁରୂପ ଭାବେ ଅଧିକ ବିଧାନସଭା ସହିତ ସିଂହଭାଗ ଲୋକସଭା ଆସନ ଜିଣି କେନ୍ଦ୍ରୀୟ ମୂଲଚାଲକୁ ବଳବତ୍ତର ରଖିବାକୁ ଚାହେଁ।
ବିଜେପି ଏବେ ଦ୍ବନ୍ଦ୍ବରେ। ଦଳର ଶୀର୍ଷ ନେତୃତ୍ବ ବିଶ୍ବାସ କରୁଛନ୍ତି ଯେ ବିଜେଡି ଆଗକୁ ‘ଇଣ୍ଡିଆ’କୁ ସମର୍ଥନ ଦେଇନପାରେ। ହେଲେ ଏହି ଭୟ ତଥାପି ରହିଛି ଯେ ବିଜେଡି ଥରେ ହାତ ମୁଠାରୁ ଖସିଗଲେ, ଓଡ଼ିଶାରେ ଏବେ କି କେବେ ପଦ୍ମ ଫୁଟିବା ସମ୍ଭବ ନୁହେଁ। ଏଣୁ ସେମାନେ ନବୀନଙ୍କ ବିଜେଡିକୁ ଆଗୁଆ ନିର୍ବାଚନ ପାଇଁ ହଁ ମାରି ପାରୁନାହାନ୍ତି କି ନାଁ ବି କରୁନାହାନ୍ତି। ଦଳର ଶୀର୍ଷ ବୈଠକରେ କେବଳ ଧାଡ଼ିଏ ଆଲୋଚନା ହୋଇଛି ଯେ ଲକ୍ଷ୍ୟ କର, ବିଜେଡି ତରଳୁଛି।
ଏହା ସତ ନୁହେଁ କି?
ମୋ:୯୯୩୭୪୭୪୨୭୪

ସମ୍ବନ୍ଧିତ ଖବର