ସରସ ରସ, ପ୍ରତିଧ୍ବନି କହେ ଆମେ

ସୁଭାଷ ପଟ୍ଟନାୟକ

‘ଧ୍ବନିଟିଏ ହୁଅ, ପ୍ରତିଧ୍ବନି ନୁହେଁ’, କହିଥିଲେ ଆଇନ୍‌ଷ୍ଟାଇନ୍। ଏପରି କହିବାର ତାତ୍ପର୍ଯ୍ୟ କ’ଣ ଥିଲା? ପାହାଡ଼ର ପାଦଦେଶରେ ଠିଆହୋଇ ଉଚ୍ଚ ସ୍ବରରେ ଶବ୍ଦ ଉଚ୍ଚାରଣ କଲେ ପରିଚୟବିହୀନ ଅଶରୀରୀ ପ୍ରତିଧ୍ବନି ତତ୍‌କ୍ଷଣାତ୍‌ ସେ ଶବ୍ଦକୁ ପୁନଃ ଉଚ୍ଚାରିତ କରିଚାଲିବ। ଆମର ଚତୁଃପାର୍ଶ୍ବରେ ଏବେ ଗୁଞ୍ଜରିତ ହେଉଛି ଅସଂଖ୍ୟ ପ୍ରତିଧ୍ବନି। ପ୍ରତିଧ୍ବନି ପଛରେ ଗୋଡ଼ାଇ ତାକୁ ବାରମ୍ବାର ଦୋହରାଇବା ମଧ୍ୟରେ ନିଜର ଏକ ଧ୍ବନି ରହିଛି, ସେ କଥା ଆମେ ଭୁଲିଗଲୁଣି। କାହାରି ଧ୍ବନିର ପ୍ରତିଧ୍ବନି ହେବା ଅର୍ଥ ଅନ୍ୟର ଚିନ୍ତା ଓ କାର୍ଯ୍ୟକୁ ସମର୍ଥନ ଦେଇ ନିଜର ସ୍ବରରେ ତାକୁ ପୁନଃଝଙ୍କୃତ କରିବା। ନିଜ ଦ୍ବାରା ସ୍ବତନ୍ତ୍ର ଏକ ରାସ୍ତା ନିର୍ମାଣ ନ କରି ଅନ୍ୟ ଦ୍ବାରା ନିର୍ମିତ ରାସ୍ତାରେ ବାଟ ଚାଲିବା। ପଥ ନ ଥିବା ସ୍ଥାନରେ ନୂତନ ମାର୍ଗଟିଏ ସୃଷ୍ଟି କରି ନିଜର ପଦଚିହ୍ନ ଛାଡ଼ି ଯିବାରେ ଆମର ଆଗ୍ରହ ନାହିଁ। ବ୍ୟକ୍ତିଗତ ଓ ସାମାଜିକ ଜୀବନ, ସମ୍ବାଦ ଓ ରାଜନୀତି, ସବୁ କ୍ଷେତ୍ରରେ ଆମେ କୌଣସି ନା କୌଣସି ପ୍ରତିଧ୍ବନିକୁ ଦୋହରାଇବାରେ ଲାଗିପଡ଼ିଛେ। କୋଳାହଳମୟ ପୃଥିବୀରେ ଆମକୁ ନିଜସ୍ବ ଏକ ସ୍ବର ମିଳିଛି ସତ୍ୟ, ମାତ୍ର ସେ ସ୍ବର ଆଉ ସ୍ବକୀୟ ଧ୍ବନି ତୋଳିବାରେ ସକ୍ଷମ ନୁହେଁ।
ଜୀବନର ଚଲାପଥରେ ଯାତ୍ରା କଲାବେଳେ ମନୁଷ୍ୟକୁ ଅନେକ ପ୍ରଭାବର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସମାଜ, ସଂସ୍କୃତି, ପରିବାର, ବନ୍ଧୁବର୍ଗ ଓ ଅନ୍ୟମାନେ ଆମର ପଥ ନିର୍ଦ୍ଦେଶ କରିଥାନ୍ତି। ବିନା ବିଚାରରେ ଆମେ ସେଇ ନିର୍ଦ୍ଧାରିତ ରାସ୍ତାଦେଇ ଆଗକୁ ବଢ଼ିଥାଉ। ଅନ୍ୟର କଥାକୁ ମାନିନେଲେ ଆମେ ହେଉ ‘ଭଲ ଲୋକ’ ଓ କଥା ଅମାନ୍ୟ କଲେ ହୋଇଯାଉ ‘ଖରାପ’। ନିର୍ଦ୍ଧାରିତ ନିୟମର ବିପରୀତ କାର୍ଯ୍ୟ କଲେ ଦଣ୍ଡ ମିଳେ ଏବଂ ନିୟମ ମଧ୍ୟରେ ରହିଲେ ମିଳିଥାଏ ପୁରସ୍କାର। ଦଣ୍ଡିତ ହେବାର ଭୟ ଏବଂ ପୁରସ୍କୃତ ନ ହେବାର ଆଶଙ୍କା, ଏ ଉଭୟ ମିଶି ଆମକୁ ଧ୍ବନି ବଦଳରେ ପ୍ରତିଧ୍ବନିଟିଏ ହେବାର ପ୍ରବର୍ତ୍ତନା ଦେଇଥାଏ, ଫଳତଃ ନିଜସ୍ବ ସ୍ବର ଆମର ହଜିଯାଏ। ନେତାଙ୍କ ପଛରେ ଆମେ ହୋଇଯାଉ ପତାକାଧାରୀ ସ୍ଲୋଗାନଜୀବୀ, ଗଣମାଧ୍ୟମରେ ହୋଇଯାଉ ମୁନିବର ସ୍ତୁତି ପାଠକ ଏବଂ କର୍ମକ୍ଷେତ୍ରରେ ‘ଜୀ ହଜୁର୍’ କହି ଚାଲିଥିବା ପାଳିତ ଶୁକପକ୍ଷୀ। ଅବଶ୍ୟ ନିଜେ ନିଜର ସ୍ବର ହୋଇପାରିବା ଏତେ ସହଜସାଧ୍ୟ ନୁହେଁ। ସକଳ ପ୍ରତିଧ୍ବନିର କଳରବ ମଧ୍ୟରେ ନିଜ ସ୍ବରକୁ ଶକ୍ତି ଯୋଗାଇବାର ସାହସ ଓ ସାମର୍ଥ୍ୟ ଆବଶ୍ୟକ। ସ୍ବରର ଶକ୍ତି ଅମାପ। ଧ୍ବନି ସହିତ ଧ୍ବନି ମିଶିଲେ ସୃଷ୍ଟି ହୁଏ ମହାବିପ୍ଳବ। ଆମେ ଏହାକୁ କହିପାରିବା ‘ପତଙ୍ଗ ପ୍ରଭାବ’, ବା ‘ବଟରଫ୍ଲାଏ ଇଫେକ୍ଟ’। ଗୋଟିଏ ପ୍ରଜାପତି ଡେଣାର କଂପନରୁ ଯେମିତି ଅନେକ କଂପନ ସୃଷ୍ଟି ହୋଇ ଘଟାଇ ଦେଇପାରେ ଘୂର୍ଣ୍ଣିଝଡ଼। ନିଜର ଏକ ସ୍ବର ନ ଥିଲେ ଆମେ ଦୁର୍ବଳ ହେବା, ଆମେ ଦୁର୍ବଳ ହେଲେ ପରିବାର ଦୁର୍ବଳ ହେବ, ପରିବାରର ଦୁର୍ବଳତା ସମାଜକୁ ଦୁର୍ବଳ କରିବ ଏବଂ ଦୁର୍ବଳ ସମାଜ ହେତୁ ଦେଶ ଦୁର୍ବଳ ହେବ। ଠିକ୍ ଯେମିତି ଗୋଟିଏ କଣ୍ଟାର ଅଭାବରୁ ଏକ ଦେଶର ପତନ ମଧ୍ୟ ହୋଇ ଯାଇପାରେ। କଣ୍ଟାଟିଏ ଅଭାବରୁ ଅଶ୍ବର ନାଲ ନଷ୍ଟ ହୁଏ, ନାଲ ଅଭାବରୁ ଅଶ୍ବ ଅଚଳ ହୁଏ, ଅଶ୍ବର ଅଭାବରୁ ଅଶ୍ବାରୋହୀ ସ୍ଥାଣୁ ହୋଇଯାଏ, ଅଶ୍ବାରୋହୀ ଅଭାବରୁ ଯୁଦ୍ଧ ଲଢ଼ି ହୁଏନା ଓ ଯୁଦ୍ଧ ନ ହେବାରୁ ରାଜ୍ୟ ନଷ୍ଟ ହୋଇଯାଏ। ଗୋଟିଏ ସ୍ବରର ପ୍ରଭାବ ଠିକ୍ ସେମିତି।
ନୋବେଲ୍ ପୁରସ୍କାର ବିଜୟିନୀ, ନାରୀ ସ୍ବାଧୀନତାର ଇରାନୀୟ ସ୍ବର ନର୍ଗିସ୍ ମହମ୍ମଦୀଙ୍କୁ ତିରିଶ ବର୍ଷ ଧରି ଜେଲ୍ କୋଠରି ମଧ୍ୟରେ କେତେ ନିର୍ଯାତନା ଦିଆ ନ ଯାଇଛି! ତଥାପି ସ୍ବର ତାଙ୍କର ଦବିଯାଇ ନ ଥିଲା। ପନ୍ଦର ବର୍ଷର କିଶୋରୀ ଗ୍ରେଟା ଥନବର୍ଗ। ବୈଶ୍ବିକ ଜଳବାୟୁ ସମସ୍ୟାକୁ ନେଇ ସେ ‘ଫ୍ରାଇଡେ ଫର୍ ଫ୍ୟୁଚର୍’ ଆନ୍ଦୋଳନ ଚଳାଇ ରଖିଛନ୍ତି ଓ ସ୍ବର ତାଙ୍କର ପହଞ୍ଚିଛି ଜାତିସଂଘରେ।
ପ୍ରତିଧ୍ବନି ପଛରେ ନିଜ ସ୍ବରକୁ ଉତ୍ସର୍ଗ କରି ଦେଇଥିବା ଆମ ଗଣମାଧ୍ୟମକୁ ବିଚାରକୁ ନିଆଯାଉ। ଏମାନେ ଓଭିଡ୍‌ଙ୍କ ମେଟାମର୍ଫୋସିସ୍ କାବ୍ୟର ନାୟିକା ‘ଇକୋ’ (ପ୍ରତିଧ୍ବନି) ସଦୃଶ। ନିଜର ବାକ୍ ଶକ୍ତି ଅଭିଶାପଗ୍ରସ୍ତ, କେବଳ ଅନ୍ୟର କଥିତ ଶବ୍ଦକୁ ପ୍ରତିଧ୍ବନିତ କରିବାରେ ସକ୍ଷମ। ଆମ ଭିତରେ ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ନାର୍ସିସିୟସ୍‌ଙ୍କ ପରି ଇକୋର ପ୍ରେମକୁ ପ୍ରତ୍ୟାଖ୍ୟାନ କରିଦେଇ ନିଜ ସ୍ବରକୁ ଶୁଣି ଓ ନିଜ ମୁହଁର ପ୍ରତିବିମ୍ବ ଦେଖି ଜୀବନ ବିତାଇ ଦେଇପାରିବେ। ଭାରତର ଜୁଲିଆନ ଆସେଞ୍ଜ୍‌ ଭାବରେ ପରିଚିତ ତାମିଲନାଡୁର ସାମ୍ବାଦିକ ସାଭୁକୁ ଶଙ୍କର ଏକ ନିଆରା ଉଦାହରଣ। ନିଜର ୱେବ୍ ଚ୍ୟାନେଲରେ ‘ଟୁ-ଜି’ କେଳେଙ୍କାରିର ଟେପ୍ ପ୍ରଥମେ ପ୍ରସାରଣ କରି ସେ ଚର୍ଚ୍ଚାକୁ ଆସିଥିଲେ। ହାଇକୋର୍ଟର ବିଚାରପତିଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ପ୍ରଶାସକ, ପୁଲିସ ଅଧିକାରୀ, କାହାରିକୁ ସେ ଛାଡ଼ି ନାହାନ୍ତି। ଅସଂଖ୍ୟ ଟେପ୍ ପ୍ରସାରଣ କରି ସମସ୍ତଙ୍କ ନିଦ ହଜାଇ ଦେଇଛନ୍ତି। ମାଡ଼ ଖାଇଲେ, ଜେଲ୍‌ ଦଣ୍ଡ ଭୋଗିଲେ, ୱେବ୍ ପୋର୍ଟାଲ ବନ୍ଦ କରିଦିଆଗଲା, ପ୍ରଲୋଭନ ଦିଆଗଲା, ତଥାପି ସ୍ବର ତାଙ୍କର ଦବି ଗଲାନି କି ସେ କାହାର ପ୍ରତିଧ୍ବନି ହେବା ସ୍ବୀକାର କଲେନି। ପଟା ଉପରେ ପିଟା ଯାଇଥିବା ଅନେକ କଣ୍ଟା ମଧ୍ୟରୁ ଗୋଟିଏ କଣ୍ଟା ଉପରକୁ ମୁଣ୍ଡ ଉଠାଇ ରହିଲେ ତାକୁ ପିଟି ପିଟି ଅନ୍ୟ କଣ୍ଟା ସହିତ ସମତୁଲ କରିଦେବାର ଉଦ୍ୟମ ହୁଏ, କିନ୍ତୁ ଅନେକ କଣ୍ଟା ଉପରକୁ ମୁଣ୍ଡ ଟେକିଥିଲେ ଦବି ରହିଥିବା କଣ୍ଟାକୁ ମଧ୍ୟ ଉପରକୁ ଉଠାଇବାକୁ ପଡ଼େ। ଠିକ୍ ସେମିତି ସବୁ ସ୍ବର ଏକ ସଙ୍ଗରେ ଗୁଞ୍ଜରିତ ହେଲେ ସେ ସମୂହ ସ୍ବରକୁ ଚାପି ଦେଇପାରିବା ଅସମ୍ଭବ। ଯଦି ଗୋଟିଏ ସ୍ବର ଅନ୍ୟ ସମସ୍ତଙ୍କୁ ଅଧିକ ଶିଖିବାକୁ, ଅଧିକ ସ୍ବପ୍ନ ଦେଖିବାକୁ ଓ ଅଧିକ କିଛି କରିବାକୁ ପ୍ରେରଣା ଦେଇପାରିଲା, ସେ ସ୍ବରରେ ପ୍ରକୃତ ନେତୃତ୍ୱ ଦେବାର ଶକ୍ତି ରହିଛି। ଯେଉଁ ସଂସାର ଆମକୁ ସର୍ବଦା ଅନ୍ୟକିଛି ହେବାକୁ ବାଧ୍ୟ କରିଚାଲିଛି, ସେଠାରେ ନିଜକୁ ନିଜପରି ପ୍ରକାଶ କରିପାରିବା ଏକ ବଡ଼ ଉପଲବ୍‌ଧି।
ନିଜର ସ୍ବର ପ୍ରକାଶ କଲେ ହିଁ ଆପଣ କହିପାରିବେ, ‘‘ହମ୍‌କୋ ମିଟା ସକେ, ୟେ ଜମାନେ ମୈଁ ଦମ୍ ନହିଁ/ହମ୍‌ସେ ଜମାନା ଖୁଦ୍ ହୈ, ଜମାନେ ସେ ହମ୍ ନହିଁ’’: (ଜିଗର୍ ମୋରାଦାବାଦୀ)। ମତେ ନିଶ୍ଚିହ୍ନ କରିଦେବାକୁ ଏ ସମୟର ଶକ୍ତି ନାହିଁ। ମୁଁ ଆଗେ ଆଗେ, ମୋ ପଛରେ ଗୋଡ଼ାଇଛି ସମୟ, ସମୟର ପଛେ ପଛେ ମୁଁ ନାହିଁ। ତେବେ ଚାଲନ୍ତୁ ଧ୍ବନିଟିଏ ହୋଇଯିବା, ପ୍ରତିଧ୍ବନି ନୁହେଁ।
ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର