ରଜରେ ରିଲିଜ୍ ହେବ ଅନୁଭବଙ୍କ ଅଭିନୀତ ‘ଲଭ୍ ଇନ୍ ଲଣ୍ଡନ୍‌’

ଆକ୍ସନ୍‌ଷ୍ଟାର ଅନୁଭବ ମହାନ୍ତି, ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ଇନ୍ ଲଣ୍ଡନ୍‌’ର ଟ୍ରେଲର ଆମରା ମ୍ୟୁଜିକ୍ ଅଫିସିଆଲ୍‌ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ରିଲିଜ୍ ହୋଇ ଲୋକପ୍ରିୟତା ହାସଲ କରିଛି। ନିକଟରେ ଏହାର ଅଡିଓ ଲୋକାର୍ପିତ ହୋଇଛି। ଆସନ୍ତା ଜୁନ ମାସ ରଜପର୍ବ ଅବସରରେ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ୍’ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଛି ପ୍ରେମ, ରହସ୍ୟ ଓ ଫାଇଟ୍, ଯାହା ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।

ଜେ.ବି. ଫିଲ୍ମ୍ସ ଓ ଆମରା ମ୍ୟୁଜିକ୍‌ ବ୍ୟାନର ନିବେଦିତ ଏବଂ ନବୀନ ଭଣ୍ଡାରୀ ଓ ଜେ. ବର୍ଖା ପ୍ରଯୋଜିତ ଏହି ଭିନ୍ନସ୍ବାଦର ରୋମାଣ୍ଟିକ ଫିଲ୍ମ ‘ଲଭ୍‌ ଇନ୍ ଲଣ୍ଡନ୍‌’ ମାଧ୍ୟମରେ ଅନୁଭବ ମହାନ୍ତି ପ୍ରାୟ ଚାରିବର୍ଷ ପରେ ପରଦାକୁ ଫେରୁଛନ୍ତି। ଏହାର ନିର୍ଦ୍ଦେଶକ ତାପସ ସରଘରିଆ ଫିଲ୍ମର କାହାଣୀ ଲେଖିଥିବା ବେଳେ ଏଥିରେ ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ସଂଳାପ ଲେଖିଛନ୍ତି ଅନ୍ତର୍ଯ୍ୟାମୀ ସରଘରିଆ। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ସଜାଇଛନ୍ତି ଚାରିଜଣ ସଙ୍ଗୀତ ନିର୍ଦ୍ଦେଶକ- ବୈଦ୍ୟନାଥ ଦାଶ, ଅସଦ ନିଜାମ, ସୋମେଶ ଶତପଥୀ ଏବଂ ବିନୟ। ଏଥିରେ କୋରିଓଗ୍ରାଫି କରିଛନ୍ତି ଗିରିଶ ମହାନ୍ତି ଏବଂ ସମ୍ପାଦନା କରିଛନ୍ତି ରାଜେଶ ଦାଶ।

ଏଇ ଫିଲ୍ମର ପ୍ରଥମ ପୋଷ୍ଟର ସୋସିଆଲ୍‌ ମିଡିଆରେ ବହୁ ଦର୍ଶକ ଦେଖିଛନ୍ତି। ଏହାର ପୋଷ୍ଟରରେ ନଜରକୁ ଆସିଛି ଅନୁଭବଙ୍କ ଏକ ଲିପ୍‌କିସ୍ ସିନ୍। ଫିଲ୍ମର ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ କହିଛନ୍ତି ଯେ ଏହି ଫିଲ୍ମର ସୁଟିଂ ଲଣ୍ଡନ ଓ ବାରିପଦାରେ ହୋଇଥିବା ବେଳେ ଓଲିଉଡ୍‌ର ଭାଇଜାନ୍‌ ଅନୁଭବ ୨୦୧୯ ପରେ ପୁଣି ଥରେ ବଡ଼ ପରଦାକୁ ଫେରୁଥିବାରୁ ଚଳଚ୍ଚିତ୍ର ‘ଲଭ୍‌ ଇନ୍ ଲଣ୍ଡନ୍‌’ ଦର୍ଶକଙ୍କ ଦ୍ବାରା ଅଧିକ ଆଦୃତ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର