ସମାଲୋଚିତ ହେବାରୁ ସଂଖ୍ୟାଲଘୁ ଯୁବକ ସହିତ ଝିଅ ବାହାଘର ବାତିଲ କଲେ ଉତ୍ତରାଖଣ୍ଡ ‘ବିଜେପି’ ନେତା

ନୂଆଦିଲ୍ଲୀ: ହିନ୍ଦୁ ସଙ୍ଗଠନ ସବୁ ଚାପ ପକାଇବାରୁ ଉତ୍ତରାଖଣ୍ଡର ଜଣେ ‘ବିଜେପି’ ନେତା ସଂଖ୍ୟାଲଘୁ ଯୁବକ ସହିତ ସ୍ଥିର ‌ହୋଇଥିବା ତାଙ୍କ ଝିଅ ବାହାଘର ବାତିଲ କରି ଦେଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ଦୁହିଁଙ୍କର ବାହାଘର ମେ ୨୮ ତାରିଖ ଦିନ କରାଇବାକୁ ଦିନ ଧାର୍ଯ୍ୟ କରାଯାଇଥିଲା।

ସଂଗୃହୀତ ସୂଚନା ଅନୁସାରେ, ଝିଅ ଜଣେ ସଂଖ୍ୟାଲଘୁ ଯୁବକଙ୍କୁ ବାହା ହେଉଛି ବୋଲି ଲୋକେ ସମାଲୋଚନା କରିବାରୁ ପୌଡ଼ୀ ମୁନିସ୍‌ପାଲ୍‌ ଚେୟାର୍‌ମ୍ୟାନ୍‌ ଯଶପାଲ୍‌ ବେନାମ୍‌ ଏହି ବାହାଘର ବାତିଲ କରିଛନ୍ତି।

‘ବିଜେପି’ ନେତା ଯଶପାଲ୍‌ ବେନାମ୍‌ଙ୍କ ଝିଅ ବାହାଘରର ନିମନ୍ତ୍ରଣ ପତ୍ରର ଫଟୋ ମଧ୍ୟ ଗୁରୁବାର ଦିନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଫଳତଃ, ‘ବିଜେପି’ର ସମର୍ଥକ ଓ ବିରୋଧୀମାନେ ବେନାମ୍‌ଙ୍କୁ କଟୂ ସମାଲୋଚନା କରିଥିଲେ।

Image Courtesy of India Posts English

ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ଯଶ୍‌ପାଲ୍‌ ବେନାମ୍‌ କହିଛନ୍ତି ଯେ, ତାଙ୍କର ମନେହେଲା ଆପଣା ସୁଖ ପାଇଁ ଝିଅ ତାଙ୍କର ଜଣେ ସଂଖ୍ୟାଲଘୁ ଯୁବକଙ୍କୁ ବାହା ହେବାକୁ ଠିକ୍‌ କରିଛି। କିନ୍ତୁ, ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଯେଉଁ ପ୍ରକାରର ସମାଲୋଚନା କରୁଛନ୍ତି, ସେଥିପ୍ରତି ଧ୍ୟାନ ଦେଇ ଏ ବାହାଘର ବାତିଲ କରାଯାଇଛି। ଏଥର ମତେ ସର୍ବସାଧାରଣଙ୍କ ମତାମତ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ତେଣୁ, ପୌଡ଼ୀ ନଗରୀରେ ମେ ୨୮ରେ ହେବ ବୋଲି ନିର୍ଦ୍ଧାରିତ ହୋଇଥିବା ଉକ୍ତ ବାହାଘର ଏବେ ବାତିଲ ହେଲା।

ସେହିପରି, ଝିଅ ଜଣେ ସଂଖ୍ୟାଲଘୁଙ୍କୁ ବାହା ହେଉଥିବା କାରଣରୁ ହିନ୍ଦୁ ସଙ୍ଗଠନ ସବୁ ଶୁକ୍ରବାର ଦିନ ଝଣ୍ଡା ଚୌକ୍‌ରେ ‘ବିଜେପି’ ନେତା ବେନାମ୍‌ଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଏହି ପ୍ରତିବାଦରେ ‘ଭିଏଚ୍‌ପି’ର ଭୈରବ ସେନା ଏବଂ ବଜରଙ୍ଗ ଦଳ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ‘ଭିଏଚ୍‌ପି’ର କାର୍ଯ୍ୟକାରୀ ସଭାପତି ଦୀପକ ଗ‌ୌଡ଼ କହିଛନ୍ତି, ଏଭଳି ବିବାହକୁ ଆମେ ତୀବ୍ର ବିରୋଧ କରୁଛୁ।

ସମ୍ବନ୍ଧିତ ଖବର