ଗିରଫ ହେଲେ ପାୟଲ ରୋହତଗୀ, ସୋସାଇଟି ଚେୟାରମ୍ୟାନଙ୍କୁ ଦେଇଥିଲେ ହତ୍ୟା ଧମକ

ଅହମ୍ମଦାବାଦ: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଶୁକ୍ରବାର ଅହମ୍ମଦାବାଦ ସେଟେଲାଇଟ ପୁଲିସ ଗିରଫ କରିଛି। ତାଙ୍କ ଉପରେ ସୋସାଇଟି ଚେୟାରମ୍ୟାନଙ୍କୁ ସୋସିଆଲ ମିଡିଆରେ ଗାଳି ଦେବାର ଅଭିଯୋଗ ହୋଇଛି।

ଏହାକୁ ନେଇ ବିବାଦ ବଢ଼ିବା ପରେ ସେ ଉକ୍ତ ପୋଷ୍ଟକୁ ଡିଲିଟ କରି ଦେଇଥିଲେ। ଏଥିସହିତ ପାୟଲଙ୍କ ବିରୋଧରେ ସୋସାଇଟିର ଲୋକମାନେ ବାରମ୍ବାର ଝଗଡ଼ା କରିବା ସହିତ ଚେୟାରମ୍ୟାନଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇଥିବା ଆଦି ଅଭିଯୋଗ କରିଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ପାୟଲଙ୍କୁ ରାଜସ୍ଥାନର ବୁନ୍ଦି ପୁଲିସ ଅହମ୍ମଦାବାଦରୁ ୨୦୧୯ରେ ଥରେ ଗିରଫ କରିଥିଲା। ପରେ ତାଙ୍କୁ ରାଜସ୍ଥାନ କୋର୍ଟରୁ ଜାମିନ ମିଳିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଜୁନ ୨୦ରେ ସୋସାଇଟି ଏଜିଏମ ମିଟିଂରେ ପାୟଲ ସଦସ୍ୟ ନଥିବା ସତ୍ତ୍ବେ ଯାଇ ପହଞ୍ଚିଥିଲେ। ଏବଂ ମିଟିଂରେ ତାଙ୍କୁ ଯେତେବେଳେ କିଛି କହିବାକୁ ମନା କରାଯାଇଥିଲା ସେ ଗାଳିଗୁଲଜ କରିବା ଆରମ୍ଭ କରି ଦେଇଥିଲେ। କେବଳ ଏତିକି ନୁହେଁ ସୋସାଇଟିରେ ପିଲାମାନଙ୍କ ଖେଳିବାକୁ ନେଇ ପାୟଲ ଅନେକ ସମୟରେ ଝଗଡ଼ା ବି କରିଛନ୍ତି।

ସୋସିଆଲ ମିଡିଆରେ ନିଜର ବୟାନ ପାଇଁ ପାୟଲ ଅନେକ ସମୟରେ ଟ୍ରୋଲ ବି ହୋଇଥାଆନ୍ତି। ସେ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହିତ ବିଭିନ୍ନ ଘଟଣାକୁ ନେଇ ପ୍ରତିକ୍ରିୟା ବି ଦେଇଥାଆନ୍ତି।

ସମ୍ବନ୍ଧିତ ଖବର