ଏୟାର୍‌ ଇଣ୍ଡିଆ ଟୁଇଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌; ସବୁ ବିମାନ ବାତିଲ ବୋଲି ଘୋଷଣା କଲେ ହ୍ୟାକର୍‌

ନୂଆଦିଲ୍ଲୀ: ଗୁରୁବାର ପ୍ରତ୍ୟୁଷରେ କୌଣସି ତୁର୍କୀ ଗ୍ରୁପ୍‌ ଦ୍ୱାରା ଏୟାର୍‌ ଇଣ୍ଡିଆର ଟୁଇଟର୍‌ ହ୍ୟାଣ୍ଡେଲ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି।

ହ୍ୟାକର୍‌ମାନେ ଏଥିରେ କେତେକ ଅସ୍ୱାଭାବିକ କଥା ତୁର୍କୀ ଭାଷାରେ ଟୁଇଟ୍‌ କରିଛନ୍ତି। କିଛି ସମୟ ପାଇଁ ଟୁଇଟର୍‌ ହ୍ୟାଣ୍ଡେଲ୍‌ରେ ଦେଖାଗଲା: ଶେଷ ମୁହୂର୍ତ୍ତରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ଏୟାର୍‌ ଇଣ୍ଡିଆର ସମସ୍ତ ଫ୍ଲାଇଟ୍‌ ବାତିଲ ହୋଇଛି। ତେଣୁ ଏଣିକି ତୁର୍କୀ ଏୟାର୍‌ଲାଇନ୍‌ସ୍‌ରେ ଯାତ୍ରା କରନ୍ତୁ।

ଟୁଇଟର୍‌ ଆକାଉଣ୍ଟରୁ ‘ବ୍ଲୁ ଟିକ୍‌’ ମଧ୍ୟ ହଟି ଯାଇଥିବା ଜଣାପଡ଼ିଥିଲା। ସେ ଯାହାହେଉ କିଛି ଘଣ୍ଟା ପରେ ଟୁଇଟର୍‌ ପୁଣି ତା’ର ପୂର୍ବାବସ୍ଥାକୁ ଫେରି ଆସିଥିଲା ବୋଲି ଏୟାର୍‌ଲାଇନ୍‌ ତରଫରୁ କୁହାଯାଇଛି। ହ୍ୟାକର୍‌ମାନେ ଟୁଇଟ୍‌ କରିଥିବା ସମସ୍ତ ବାର୍ତ୍ତାକୁ ଉଡ଼ାଇ ଦିଆ ଯିବା ପରେ ତାହା ସ୍ୱାଭାବିକ ସ୍ଥିତିରେ ପହଞ୍ଚିଛି। ଏୟାର୍‌ ଇଣ୍ଡିଆର ୧, ୪୬, ୦୦୦ ଫଲୋୟର୍ସ ଅଛନ୍ତି।

ଏହି ସାଇବର୍‌ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ‘ଅୟିଲ୍‌ଦିଜ୍‌ ଟିମ୍‌’ ନାମକ ଗୋଟିଏ ହ୍ୟାକର୍‌ ଦଳ। ଏହି ଆକାଉଣ୍ଟ ସହ ସଂଯୁକ୍ତ ଅନ୍ୟ ଏକ ଗ୍ରୁପ୍‌ ସଂଗଠନ ଦ୍ୱାରା ଟୁଇଟ୍‌ କରାଯାଇଥିବାର ସ୍କ୍ରିନ୍‌ସଟ୍‌ସ୍‌ ପୋଷ୍ଟ୍‌ କରିଥିଲା।

ସମ୍ବନ୍ଧିତ ଖବର