ଅମରନାଥ ଯାତ୍ରା ପୂର୍ବରୁ କଶ୍ମୀରରେ ସେନାର ସ୍ବତନ୍ତ୍ର ଅଭିଯାନ, ୧୫ ଦିନରେ ମଲେଣି ୧୧ ବିଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ : କଶ୍ମୀର ଘାଟିରେ ଏବେ ଅନୁପ୍ରବେଶ ବଢିଚାଲିଥିବାବେଳେ ସେମାନଙ୍କ ନିପାତ ପାଇଁ ସୁରକ୍ଷା ବାହିନୀ ଅଣ୍ଟା ଭିଡ଼ିଛି । ଏଥିପାଇଁ ସ୍ବତନ୍ତ୍ର ଅପରେସନ ଚଳାଯାଉଛି । ଏହାର ଫଳସ୍ବରୂପ ଗତ ୧୫ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରର କୁପଓ୍ଵାରା ସେକ୍ଟରରେ ବିପୁଳ ପରିମାଣର ନିଶାଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହେବା ସହ ୧୧ ଜଣ ବିଦେଶୀ ଆତଙ୍କବାଦୀ ନିପାତ ହୋଇଛନ୍ତି ।

ସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୧୫ ଦିନ ମଧ୍ୟରେ ଜମ୍ମୁ ଓ କଶ୍ମୀରର କୁପଓ୍ବାରା ସେକ୍ଟରରେ ୩ଟି ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ହୋଇଛି । କିନ୍ତୁ ଗୁଇନ୍ଦା ବାହିନୀ ଏନେଇ ଠିକ ସମୟରେ ସେନା ଓ ପୁଲିସକୁ ସତର୍କ କରାଇବା ପରେ ପ୍ରହରାକୁ ବଢାଇ ଦିଆଯାଇଥିଲା ଓ ସ୍ବତନ୍ତ୍ର ଅପରେସନ ଆରମ୍ଭ କରାଯାଇଥିଲା । ଏହି ସ୍ବତନ୍ତ୍ର ଅପରେସନ ଫଳରେ ୧୧ ଜଣ ବିଦେଶୀ ଆତଙ୍କବାଦୀ ନିହତ ହୋଇଛନ୍ତି ଓ ସେମାନଙ୍କ ନିକଟରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଅନୁପ୍ରବେଶର ପ୍ରଥମ ମାଚିଲ ସେକ୍ଟରରେ ଘଟିଥିଲା ଯେଉଁଠାରେ ଦୁଇ ଜଣ ବିଦେଶୀ ଆତଙ୍କବାଦୀଙ୍କୁ ସେନା ନିପାତ କରିଥିଲା । ସେହିପରି ଦ୍ବିତୀୟ ବଡ଼ ଏନକାଉଣ୍ଟର କେରାନ ସେକ୍ଟରରେ ହୋଇଥିଲା ଯେଉଁଠାରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଜବତ ହୋଇଥିବା ଗୁଳିରେ ପାକିସ୍ତାନୀ ଚିହ୍ନ ଥିବା ସ୍ନାଇପର ରାଇଫଲ ଏବଂ ଅନ୍ୟ ୫ଟି ରାଇଫଲ ସହ ଗୋଳାବାରୁଦ ସାମିଲ ଥିଲା । ୩ୟ ଅନୁପ୍ରବେଶ ଘଟଣାଟି ୨୩ ଜୁନରେ ହୋଇଥିଲା ।

ଏହି ସଫଳତା ପରେ ବି ସେନା ନିଜର ସତର୍କତା ଜାରି ରଖିଛି ଓ ନିୟନ୍ତ୍ରଣ ରେଖା ଉପରେ କଡ଼ା ନଜର ରଖିଛି । କାରଣ ଅମରନାଥ ଯାତ୍ରାକୁ ଟାର୍ଗେଟ କରିବାକୁ ଏହି ଆତଙ୍କବାଦୀମାନେ ଆସୁଛନ୍ତି ।

ସମ୍ବନ୍ଧିତ ଖବର