ଦିଲ୍ଲୀରେ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ୩ ଆତଙ୍କବାଦୀଙ୍କୁ ଧରିଲା ପୁଲିସ

ନୂଆଦିଲ୍ଲୀ: ଦେଶରେ ଏକ ବଡଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିବାବେଳେ ତିନିଜଣ ଆତଙ୍କବାଦୀଙ୍କୁ ଧରିଲା ଦିଲ୍ଲୀ ପୁଲିସ | ଦିଲ୍ଲୀ ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏ ବାବଦରେ ସୂଚନା ଦିଆଯାଇଛି | ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଡିସିପି ପ୍ରମୋଦ କୁଶବହା କହିଛନ୍ତି ଯେ ବିପୁଳ ପରିମାଣର ବିସ୍ଫୋରକ ସହ ତିନିଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି | ଏମାନଙ୍କୁ ଏବେ ପଚରାଉଚୁରା କରାଯାଉଛି | ଏହି ତିନିଜଣଙ୍କ ନାମ ଇସଲାମ, ରଂଜିତ ଅଲ୍ଲୀ ଓ ଜମାଲ ବୋଲି ଜଣାପଡିଛି |

ଆସାମର ଗୋଲାପରା ଅଂଚଳରୁ ଏମାନଙ୍କୁ ଗିରଫ କରାଯାଇଛି | ଏହି ଆତଙ୍କବାଦୀମାନେ ଆସାମରେ ବୋମା ବିସ୍ଫୋରଣ କରିବାର ଯୋଜନା ପ୍ରସ୍ତୁତ କରିଥିଲେ | ଯଦି ଏହା ସଫଳ ହୋଇଥାନ୍ତା ପରବର୍ତ୍ତୀ ଟାର୍ଗେଟ ଭାବେ ଦିଲ୍ଲୀ ରହିଥିଲା |

କିନ୍ତୁ ଗୁଇନ୍ଦା ସୂତ୍ରରୁ ଖବର ପାଇ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଏମାନଙ୍କୁ ଗିରଫ କରିଛି | ଏହି ଆତଙ୍କବାଦୀମାନେ ଆଇଏସଆଇଏସ ଆତଙ୍କବାଦୀଙ୍କ ଦ୍ୱାରା ପ୍ରେରିତ ହୋଇଥିଲେ ବୋଲି ଡିସିପି କହିଛନ୍ତି | ଗିରଫ କରାଯାଇଥିବା ତିନିଜଣ ଆତଙ୍କବାଦୀଙ୍କ ବୟସ ୨୫ ବର୍ଷ ହୋଇଥିବାବେଳେ ଏମାନଙ୍କର କେଉଁ ସଂଗଠନ ସହ ସମ୍ପୃକ୍ତ ରହିଥିଲା ତାହା ଏବେ ତଦନ୍ତ କରାଯାଉଛି |

ସମ୍ବନ୍ଧିତ ଖବର