ଏଲ୍‌ଓସି ଅଶାନ୍ତ କରିବାକୁ ଷଡ଼ଯନ୍ତ୍ର, ଜୁନ୍‌ରେ ୩୦୨ ଥର ଅସ୍ତ୍ରବିରତି ଉଲ୍ଲଂଘନ

ମାସକରେ ୪୮ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ର ଗଲ୍‌ୱାନ୍‌ ଘାଟି ସ୍ଥିତ ଏଲ୍‌ଏସିରେ ଭାରତ -ଚୀନ୍‌ ମଧ୍ୟରେ ସୀମା ବିବାଦ ଅତି ଭୟଙ୍କର ରୂପ ନେଇଥିବାବେଳେ ପାକିସ୍ତାନ ଏହାର ଫାଇଦା ଉଠାଇବାକୁ ଚାହିଛି। ପାକିସ୍ତାନ ଏଲ୍‌ଓସି ନିକଟର ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରିଛି। ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଗତ ମେ’ ମାସ‌ରେ ପାକିସ୍ତାନ ଦ୍ବାରା ୩୮୨ ଅସ୍ତ୍ରବିରତି ଉଲ୍ଳଂଘନ ହୋଇଥିବାବେଳେ ଜୁନ୍‌ରେ ୩୦୨ ଥର ହୋଇଛି। ତେବେ ଗତବର୍ଷ ଏହି ମାସରେ ପାକିସ୍ତାନରେ ଯଥାକ୍ରମେ ୨୨୧ ଏବଂ ୧୮୧ ଥର ଅସ୍ତ୍ରବିରତି ଉଲ୍ଳଂଘନ କରିଥିଲା। ତେବେ ଭାରତର ସୁରକ୍ଷାବାହିନୀ ମଧ୍ୟ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜମ୍ମୁ କାଶ୍ମୀର ଡିଜିପି ଦିଲ୍‌ବାଗ ସିଂହ ଆଜି କହିଛନ୍ତି, ପାକିସ୍ତାନ ଲଗାତାର ଏହା ଲଞ୍ଚ୍‌ ପ୍ୟାଡ୍‌କୁ ଭାରତକୁ ଆତଙ୍କବାଦୀଙ୍କୁ ପଠାଇବାପାଇଁ ଉଦ୍ୟମ କରୁଛି। କିନ୍ତୁ ପାକିସ୍ତାନର ଏହି ଉଦ୍ୟମ ପଣ୍ଡ ହୋଇଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ଡିଜିପି କହିଛନ୍ତି। ଆଜି ଏନେଇ ଏକ ଆଭ୍ୟନ୍ତରିଣ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି। ଡିଜିପି କହିଛନ୍ତି, ଚଳିତ ମାସରେ ଏଯାବତ୍‌ ସୁରକ୍ଷାବାହିନୀ ଦ୍ବାରା ୪୮ ଆତଙ୍କବାଦୀ ନିପାତ ହୋଇଛନ୍ତି ।

ଚଳିତ ମାସ ଜୁନ୍‌ ୨୫ ସୁଦ୍ଧା‌ ପାକିସ୍ତାନ ପକ୍ଷରୁ ଏଲ୍ଓସିରେ ୨୨୧୫ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। କିନ୍ତୁ ୨୦୧୯ରେ ପାକିସ୍ତାନ ସର୍ବମୋଟ୍‌ ୩୧୬୮ ଥର ଏବଂ ୨୦୧୮ରେ ୧୬୨୯ ଥର ଅସ୍ତ୍ରବିରତି ଉଲ୍ଳଂଘନ କରିଥିଲା। ଗତବର୍ଷ ସରକାର ଧାରା ୩୭୦ ଉଚ୍ଛେଦ କରିବାପରଠାରୁ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ବୃଦ୍ଧି ପାଇଛି। ତେବେ ପାକିସ୍ତାନ କାଶ୍ମୀରକୁ ଅଧିକ ସଂଖ୍ୟାରେ ଆତଙ୍କବାଦୀ ପଠାଇବାକୁ ଚେଷ୍ଟା କରୁଥିବାବେଳେ ଭାରତ ଏହାର ସଠିକ୍‌ ମୁକାବିଲା କରିପାରିଛି। ଚଳିତ ମାସ ଏଯାବତ୍‌ ଭାରତୀୟ ସୁରକ୍ଷାବାହିନୀ ଦ୍ବାରା କାଶ୍ମୀରରେ ୧୨୮ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ସିଂହ କହିଛନ୍ତି। ତେବେ ୨୦୧୯ରେ ଏହି ସଂଖ୍ୟା ଥିଲା ୧୫୮, ୨୦୧୮ରେ ୨୫୪ ଏବଂ ୨୦୧୭ରେ ଏହା ୨୧୩ ଥିଲା। ପାକିସ୍ତାନ ପଟୁ ଅନୁପ୍ରବେଶ କମାଇବାପାଇଁ ଭାରତୀୟ ସେନାବାହିନୀ ଏଲ୍‌ଓସିରେ ସଜାଗ ରହିଛନ୍ତି। ଖାଲି ଏଲ୍‌ଓସି ନୁହେଁ ଗାଁ ମାନଙ୍କରେ ବି ସୁରକ୍ଷାବାହିନୀ ପକ୍ଷରୁ ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି।

ଅନନ୍ତନାଗ ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ନିପାତ
ଶ୍ରୀନଗର: ଜମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ପୁଣି ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଉକ୍ତ ୨ ଆତଙ୍କବାଦୀଙ୍କୁ ନିପାତ କରି ସୁରକ୍ଷାବାହିନୀ ଗତ ଶୁକ୍ରବାର ଦିନର ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଇଛନ୍ତି। ଗତ ଶୁକ୍ରବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏହି ୨ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିଲା। ଆକ୍ରମଣରେ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା ଏବଂ ଜଣେ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ତେବେ ଆକ୍ରମଣରେ ଅନ୍ୟ ଜଣେ ଆତଙ୍କବାଦୀର ସମ୍ପୃକ୍ତି ଥିବାଳେବ ସୁରକ୍ଷାବାହିନୀ ପକ୍ଷରୁ ତାକୁ ଖୋଜାଚାଲିଛି। ଗତକାଲି ମଧ୍ୟ ଅନନ୍ତନାଗରେ ଅନ୍ୟ ଏକ ଏନ୍‌କାଉଣ୍ଟର୍‌ରେ ଜଣେ ଶୀର୍ଷ ହିଜବୁଲ୍‌ ମୁଜାହିଦ୍ଦିନ୍‌ କମାଣ୍ଡର ଏବଂ ୨ ଜଣ ଲସ୍କର ଏ ତୋଏବା ଆତଙ୍କବାଦୀ ନିପାତ ହୋଇଥ‌ିଲେ। ହଜିବୁଲ୍‌ କମାଣ୍ଡର ମସୁଦ୍‌ର ମୃତ୍ୟୁ ସହ ଦୋଦା ଗତକାଲି ଆତଙ୍କବାଦୀ ମୁକ୍ତ ହୋଇଥିଲା। ଜମ୍ମୁ କାଶ୍ମୀର ପୁଲିସ ମୁଖ୍ୟ ଦିଲ୍‌ବାଗ ସିଂହ କହିଥିଲେ ଏହା ସୁରକ୍ଷାବାହିନୀ ପାଇଁ ଏକ ବଡ଼ ସଫଳତା ।

ସମ୍ବନ୍ଧିତ ଖବର