ନୂଆଦିଲ୍ଲୀ: କର୍କଟ ରୋଗ ଏବଂ ଅନ୍ୟାନ୍ୟ ବିରଳ ରୋଗ ନିମନ୍ତେ ଉଦ୍ଦିଷ୍ଟ ୫୦ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ଔଷଧର ମୂଲ୍ୟ କମ୍ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଖାଉଟି ଓ ପାଇକାରୀ ବ୍ୟବସାୟୀମାନେ ସ୍ୱଳ୍ପ ଲାଭରେ (୨୫-୩୦%) ଏ ସବୁ ଔଷଧ ବିକ୍ରୟ କରିବେ। ସମ୍ପ୍ରତି ଏ ସବୁ ଔଷଧର ମୂଲ୍ୟ ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ମାସର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ହେଲ୍ଥ୍ ସର୍ଭିସେସ୍ (ଡିଜିଏଚ୍ଏସ୍) ପ୍ରସ୍ତୁତ କରିଥିବା ପ୍ରାୟ ୫୦ ପ୍ରକାରର ଔଷଧ ମଧ୍ୟରେ ରହିଛି ୩୯ଟି କର୍କଟ ରୋଗ ନିରୋଧୀ ଓ ବିରଳ ରୋଗ ଚିକିତ୍ସାରେ ବ୍ୟବହାର ହେଉଥିବା ଅର୍ଫାନ୍ ଡ୍ରଗ୍।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ତାଲିକା ଦାଖଲ କରାଯାଇଛି ଏବଂ ଖୁବ୍ ଶୀଘ୍ର ଏହା ଉପରେ ଆଦେଶନାମା ଜାରି କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।
ଏସବୁ ଔଷଧ ବିକ୍ରିରେ ହୋଲ୍ସେଲର୍, ଡିଷ୍ଟ୍ରିବ୍ୟୁଟର୍ ଏବଂ କେମିଷ୍ଟିମାନେ ମାତ୍ରାଧିକ ଲାଭ ରଖନ୍ତି। ଏ ପ୍ରକାର ଔଷଧ ଲୋକେ ଯେମିତି ସୁଲଭ ମୂଲ୍ୟରେ ଖରିଦ କରିପାରିବେ ସେଥିପାଇଁ ସରକାର ଏହାର ବିକ୍ରୟ ଲାଭ ଉପରେ ନିୟନ୍ତ୍ରଣ ରଖିବାକୁ ପଦକ୍ଷେପ ନେଇଛନ୍ତି।