ବିଷ୍ଟ୍ ନୁହେଁ, ଏହି ବ୍ୟାଟେରୀ ବସରେ ତାଜମହଲ ବୁଲିବେ ଟ୍ରମ୍ପ
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏଥିପାଇଁ ତାଙ୍କର ଅତି ସୁରକ୍ଷିତ କାର ବିଷ୍ଟ୍ ଭାରତରେ ପହଞ୍ଚିସାରିଛି । ଏହି ଗସ୍ତ ଅବସରରେ ସେ ଆଗ୍ରାର ପ୍ରସିଦ୍ଧ ତାଜମହଲ ବୁଲିବେ । ତେବେ ସେ ତାଜମହଲ ବୁଲିବାବେଳେ ତାଙ୍କର ସରକାରୀ କାର ବଦଳରେ ଏକ ବ୍ୟାଟେରୀ ଚାଳିତ ବସରେ ବୁଲିବେ ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତାଜମହଲ ପରିସରରେ କୌଣସି ଡିଜେଲ ବା ପେଟ୍ରୋଲ ଚାଳିତ ଗାଡ଼ି ବୁଲିପାରିବ ନାହିଁ । ଏହି କାରଣରୁ ଟ୍ରମ୍ପଙ୍କ ବିଷ୍ଟ୍ କୁ ତାଜମହଲ ପରିସରରେ ପ୍ରବେଶ ଅନୁମତି ମିଳିବ ନାହିଁ । ଏ ସଂପର୍କରେ ଆମେରିକାର ସିକ୍ରେଟ ସର୍ଭିସକୁ ଜଣାଇଦିଆଯାଇଛି । ପ୍ରଥମରୁ ସିକ୍ରେଟ୍ ସର୍ଭିସ ଚାହୁଁଥିଲା ଯେ ଟ୍ରମ୍ପ ନିଜ ସୁରକ୍ଷିତ କାରରେ ହିଁ ତାଜମହଲ ବୁଲନ୍ତୁ । କିନ୍ତୁ ଭାରତୀୟ ପକ୍ଷ ସେମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସଂପର୍କରେ ଅବଗତ କରାଇବା ସହ ବ୍ୟାଟେରୀ କାର ବାବଦରେ ରାଜି କରାଇଛନ୍ତି ।
ପୂର୍ବରୁ ଏହି ବ୍ୟାଟେରୀ ଚାଳିତ କାରରେ ଫ୍ରାନ୍ସ ରାଷ୍ଟ୍ରପତି ନିକୋଲାସ ସାର୍କୋଜୀ, ବ୍ରିଟେନର ରାଜଦମ୍ପତ୍ତି ପ୍ରିନ୍ସ ଓ୍ଵିଲିୟମ୍ସ ଓ କେଟ୍ ମିଡଲଟନ ମଧ୍ୟ ତାଜମହଲ ଭ୍ରମଣ କରିସାରିଛନ୍ତି । ୨୦୧୫ରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ଆଗ୍ରା ଆସି ଏହି ବ୍ୟାଟେରୀ ଗାଡ଼ିରେ ତାଜମହଲ ବୁଲିବାର ଥିଲା, କିନ୍ତୁ ଶେଷ ମୂହୂର୍ତ୍ତରେ ତାଙ୍କର ଏହି ଗସ୍ତ ବାତିଲ ହୋଇଯାଇଥିଲା ।