ଏବେ ପଞ୍ଜାବରେ ମହିଳାମାନଙ୍କୁ ଘରେ ଛାଡ଼ିବ ମହିଳା ପିସିଆର୍ ଭ୍ୟାନ୍
ଚଣ୍ଡିଗଡ଼: ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ପ୍ରତି ରାଜ୍ୟର ସରକାର ତତ୍ପର ହୋଇ ଉଠିଛନ୍ତି। କିଭଳି ମହିଳାମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ସଂଖ୍ୟାକୁ କମ କରିହେବ ସେ ନେଇ ପ୍ରତି ରାଜ୍ୟ ସରକାର ଭିନ୍ନ ଭିନ୍ନ ବାଟ ଆପଣାଉଛନ୍ତି। ଏବେ ପଞ୍ଜାବ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାସ୍ତାରେ ଯଦି କୌଣସି ମହିଳାଙ୍କୁ ଘରକୁ ବା ନିଜ କାର୍ଯ୍ୟସ୍ଥଳକୁ ଯିବା ପାଇଁ ଗାଡ଼ି ମିଳୁ ନାହିଁ, ତେବେ ମହିଳା ପିସିଆର୍ ଭ୍ୟାନ୍ ସେମାନଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ସବୁ ମହିଳା ପୁଲିସ କଣ୍ଟ୍ରୋଲ ରୁମକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇ କହିଛନ୍ତି କି, ସାହାଯ୍ୟ ପାଇଁ ଫୋନ କରୁଥିବା ମହିଳାମାନଙ୍କ ଫୋନର ଜବାବ ଦେବା ସହ ସେମାନଙ୍କୁ ସୁରକ୍ଷିତ ଘରେ ଛାଡ଼ନ୍ତୁ। ମୋହାଲି, ଅମ୍ରିତସର, ପଟିଆଲା, ଲଧିଆନା ଓ ଜଲନ୍ଧରରେ ରହୁଥିବା ମହିଳାମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ ବୋଲି ଜଣା ପଡ଼ିଛି। କୌଣସି ସମସ୍ୟା ହେଲେ ବା ଘରକୁ ଯିବା ପାଇଁ ଗାଡ଼ି ନ ମିଳିଲେ ମହିଳା ପିସିଆର୍ ଭ୍ୟାନ୍ ସେମାନଙ୍କୁ ସୁରକ୍ଷିତ ଭାବେ ନେଇ ଘରେ ଛାଡ଼ିବେ।
ତେବେ ଡିସେମ୍ବର ୩ରେ ଏହି ସୁବିଧା ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୧୮ମଧ୍ୟରେ ୪୦ଟି ଫୋନ ଆସି ସାରିଥିବା କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଦିନକର ଗୁପ୍ତା। ଏବେ ସେହି ସୁବିଧାକୁ ଆଉ ପାଦେ ଆଗକୁ ବଢ଼ାଇ ସବୁ ମହିଳା ପୁଲିସକର୍ମୀଙ୍କୁ ଅଧିକ ତତ୍ପର ହେବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ।