ଫୋନ୍‌ ହ୍ୟାକ୍ ଉଦ୍ୟମ ଅଭିଯୋଗ: ଦାୟୀ କିଏ? ସରକାର ଖୋଜିବେ

ଆପଲ୍‌ ଅଧିକାରୀଙ୍କୁ ସମନ କରିପାରନ୍ତି ସଂସଦୀୟ କମିଟି

ନୂଆଦିଲ୍ଲୀ: ବିରୋଧୀ ଦଳ ନେତାଙ୍କ ଆଇଫୋନ୍‌ ହ୍ୟାକ୍‌ ଉଦ୍ୟମ ଅଭିଯୋଗ ପ୍ରସଙ୍ଗରେ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ସଂସଦୀୟ ଷ୍ଟାଣ୍ଡିଂ କମିଟି ଆପଲ୍‌ ଅଧିକାରୀମାନଙ୍କୁ ସମନ କରିପାରନ୍ତି। କମିଟି ସଚିବାଳୟର ଜଣେ ଅଧିକାରୀ କହିଛନ୍ତି, ଉକ୍ତ ଘଟଣାରେ କମିଟି ସଚିବାଳୟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଏବଂ ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଅନେକ ବି‌ରୋଧୀ ଦଳ ନେତା ସେମାନଙ୍କ ନିକଟକୁ ଆପଲ୍‌ରୁ ଆଲର୍ଟ ମେସେଜ୍‌ ଆସିଥିବା ଦାବି କରିଥିଲେ। ସେମାନଙ୍କ ଫୋନ୍‌ ହ୍ୟାକ୍‌ ଉଦ୍ୟମ ହୋଇଛି ବୋଲି ସେମାନେ ଅଭିଯୋଗ କରିଥିଲେ ଏବଂ ସରକାର ଗୁଇନ୍ଦାଗିରି କରୁଛନ୍ତି ଦାବି କରି ସରକାରଙ୍କୁ ଘେରିଥିଲେ।

କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ଶଶି ଥରୁର, ପୱନ ଖେଡ଼ା, କେସି ବେଣୁଗୋପାଳ, ସୁପ୍ରିୟା ଶ୍ରୀନେତ, ଟିଏସ୍‌ ସିଂହଦେଓ ଏବଂ ଭୁପିନ୍ଦର ସିଂହ ହୁଦା , ଟିଏମ୍‌ସି ସାଂସଦ ମହୁଆ ମୈତ୍ର, ସିପିଆଇଏମ୍‌ ସାଧାରଣ ସଚିବ ସୀତାରାମ ‌ୟେଚୁରୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖି‌ଳେଶ ଯାଦବଙ୍କ ନିକଟକୁ ଏହି ଆଲର୍ଟ ମେସେଜ୍‌ ଆସିଥିଲା। ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ଆପ୍‌ର ରାଘବ ଚଢ଼ା, ଏଆଇଏମଆଇଏମ୍‌ ସଭାପତି ଅସଉଦ୍ଦିନ ଅୱେସି ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ କିଛି ସହଯୋଗୀ ମଧ୍ୟ ଆପଲ୍‌ରୁ ଆଲର୍ଟ ‌ମେସେଜ୍‌ ପାଇଥିଲେ। ତେବେ ଉକ୍ତ ପ୍ରସଙ୍ଗରେ ଆପଲ୍‌ ସ୍ପଷ୍ଟୀକରଣ ଦେଇସାରିଛି। ବିରୋଧୀ ନେତାମାନେ ସରକାରଙ୍କ ଉପରେ କରିଥିବା ତୀବ୍ର ଆକ୍ରମଣକୁ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ସରକାର ଉକ୍ତ ଘଟଣାର ମୂଳକୁ ଯାଇ ତଦନ୍ତ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର